Unknown

 

 

 

 

 

 

 

 

 

 

 

ବିବସ୍ତ୍ର

ସନତ୍‌ କୁମାର

 

ଦ୍ୱାରି ଭାଇନା,

 

ଏ ବହିଟାକୁ ତମେ ଆଲୋକକୁ ଆଣିଚ ! ଆଉ ତମର ଏଇ ସିଦ୍ଧାନ୍ତ ଠିକ୍‌ କି ଭୁଲ୍‍, ତାହା ଭବିଷ୍ୟତ ହିଁ କହିବ ।

 

ଲେଖା ଲେଖିବା ପାଇଁ ବିଶେଷ ପୁଞ୍ଜି ବା ଉତ୍ସ ମୋ ପାଖରେ ଅଛି ବୋଲି ମନେ ହୁଏନା । ତେବେ ଜୀବନର ସହସ୍ର ଘଟଣାବଳୀ ମଣିଷ ଯାହାକୁ ଦେଖେ, ଶୁଣେ, ପଢ଼େ ବା ଅଙ୍ଗେ ଲିଭାଏ, ସେଥିରୁ କେତେଟା ମନକୁ ସମୟ ସମୟରେ ଆନ୍ଦୋଳିତ କରେ, ଭାବୋଦ୍ରେକ କରାଏ ମଧ୍ୟ;ଆଉ ସେତିକିବେଳେ ଯେଉଁ Spontaneous over flow of heart ହୁଏ, ତାକୁ ବେଳେବେଳେ scribbling padରେ କଲମ ମାଧ୍ୟମରେ ବାନ୍ଧି ରଖିବାକୁ ଇଚ୍ଛା ହୁଏ, ଜୀବନର କୌଣସି ଏକ ଅଳସ ମୁହୂର୍ତ୍ତରେ ସେଥିରୁ କିଛି ଆନନ୍ଦ ଉପଲବ୍‌ଧି କରିବା ପାଇଁ । ତେବେ ଏଇଟା ଯେ ସବୁବେଳେ ହୁଏ ତା ନୁହେଁ; ସାଧାରଣତଃ ହୁଏ, ଯେତେବେଳେ ଜୀବନର ଏପରି ଏକ ସମୟ ଆସି ପହଞ୍ଚେ, ଯେତେବେଳେ କର୍ମମୟ ଜୀବନ ଭୀତରୁ କିଛିକ୍ଷଣ ପାଇଁ ମନୁଷ୍ୟ କକ୍ଷଚ୍ୟୁତ ହୋଇ ନିଶ୍ଚଳ ଭାବରେ ପଡ଼ିରହେ ସମୟ କଟାଇବାକୁ, ସେତେବେଳେ ମଣିଷ ନିଜର idle mindକୁ devil’s work-shopକରି ମନକୁ କ୍ଷତ ବିକ୍ଷତ କରିବା ଅପେକ୍ଷା ନିଜର ସତ୍ତାକୁ କିଛି ସମୟ ପାଇଁ ଭୁଲିଯିବାକୁ ଶ୍ରେୟସ୍କର ମନେକରେ, ବା ପାରିପାର୍ଶ୍ୱିକ ଅବସ୍ଥା ପ୍ରତି ଟିକିଏ ଆଖି ବୁଜିଦେବାକୁ ଚାହେଁ । ଆଉ ତାହା ସମ୍ଭବ ହୁଏ ଏହିପରି ଗୋଟାଏ କିଛି ଲେଖାଲେଖିରେ ନିଜକୁ ନିମଜ୍ଜିତ ରଖିଲେ । ଯେପରି ପଣ୍ଡିତ ଜବାହରଲାଲ ନେହେରୁ ଜେଲ ନ ଯାଇଥିଲେ, ବା ଷ୍ଟିଭେନ୍‌ସନ୍‌ ରୋଗଗ୍ରସ୍ତ ନ ହୋଇଥିଲେ ପୃଥିବୀର ବହି ଦୋକାନମାନଙ୍କରେ କେତୋଟି ଉପାଦେୟ ପୁସ୍ତକ ଦେଖିବାକୁ ମିଳି ନ ଥାନ୍ତା, ସେହିପରି କେତେକ ପରିସ୍ଥିତିରେ ନ ପଡ଼ିଥିଲେ ହୁଏତ ମୋର ବହିଗୁଡ଼ିକ ଲେଖା ହୋଇ ପାରି ନ ଥାନ୍ତା ।

 

ମୋର ଲେଖାର ପଟ୍ଟଭୂମି ଉଲ୍ଲେଖ କଲି, କାହିଁକିନା ତଦ୍ଦ୍ୱାରା ମୋ ଲେଖାର ଉଦ୍ଦେଶ୍ୟଟା ପରିଷ୍କାର ହୋଇଯିବ ।

 

ସାହିତ୍ୟ ଚର୍ଚ୍ଚା କରିବାର ଆସ୍ପର୍ଦ୍ଧା ମୋର ନାହିଁ ବା ସାହିତ୍ୟିକ ହେବାର ସଙ୍ଗତି ଓ ସମ୍ବଳ ମୋର ନାହିଁ । ମୋର ଲେଖା କେବଳ ଗୋଟାଏ occasional past-time ବ୍ୟତୀତ ଆଉ କିଛି ନୁହେଁ । ତେଣୁ ମୋ ଲେଖା ବସ୍ତୁତଃ ପାଠକମାନଙ୍କ ଉଦ୍ଦେଶ୍ୟରେ ଲେଖା ହୁଏନି; ଲେଖା ହୁଏ ମୋ ନିଜର ମନୋରଞ୍ଜନ ପାଇଁ । ତେବେ ପାଠକମାନେ ଯଦି କିଛ ଆନନ୍ଦ ସେଥିରୁ ପାଇପାରନ୍ତି, ତାହା ଏକ service ହେବ, ଏହି ଧାରଣାର ବଶବର୍ତ୍ତୀ ହୋଇ ବହିଗୁଡ଼ିକ ଛପାଇବା ପାଇଁ ଅନ୍ୟମାନେ ମତେ ଉତ୍ସାହିତ କରିଛନ୍ତି ଓ ଗୋଟିଏ ବହି ଛଡ଼ା ତମେ ଅନ୍ୟ ସମସ୍ତ ବହିର ପ୍ରକାଶକ ହୋଇଛ ।

 

ଏଇସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଏ ବହି କ୍ଳାନ୍ତ ପାଠକମାନଙ୍କୁ ଆତ୍ମହରା ହେବାର ଯେ କେତେଦୂର ସୁଯୋଗ ଦେବ, ସେ ବିଷୟରେ ମୁଁ ସନ୍ଦିହାନ । କାରଣ ସେ ଉଦ୍ଦେଶ୍ୟ ନେଇ ତ ମୁଁ ଗପ ଲେଖେନି, ମିଥ୍ୟାର ଆବରଣମୁକ୍ତ ବିବସ୍ତ୍ର ମଣିଷର ସତ୍ତାକୁ ଉପଭୋଗ କରିବାକୁ ଲେଖେ-। ତେଣୁ ଏ ବହିଟି ଗୋଟାଏ satire on society ବ୍ୟତୀତ ଆଉ କିଛି ନୁହେଁ ।

 

ପ୍ରତ୍ୟେକଙ୍କର ରୁଚିରେ ପାର୍ଥକ୍ୟ ଅଛି । ଏ ବହି କାହାକୁ ଭଲ ଲାଗିପାରେ, କାହାକୁ ନ ଲାଗି ବି ପାରେ । କିଏ ହୁଏତ ମଣିଷ ଓ ତା’ର ସମାଜକୁ ତା ଭିତରେ ଆବିଷ୍କାର କରିବେ, କିଏ ହୁଏତ କରିବେନି । ତେବେ କଳ୍ପନାବିଳାସୀ ମନ ନେଇ ପଢ଼ିଲେ ସମସ୍ତଙ୍କୁ ବହିଟି କିଛି ସୁଖ ଦେଇପାରେ ।

 

ନିର୍ଭୁଲ କରି ବହିଟିକୁ ତମେ ପ୍ରକାଶ କରିଛ । ଏଭଳି ଲେଖାର ଧାର ଧାରନି ତମେ । ତେବେ ବି ଭ୍ରମ ସଂଶୋଧନ କରିବାର ଏବଂ ପ୍ରତ୍ୟେକ ବିଷୟକୁ ବିଶ୍ଳେଷଣ କରିବାର ଯେଉଁ ତୀକ୍ଷ୍‌ଣ ଦୃଷ୍ଟି Proof reading ବେଳେ ତମଠାରେ ମୁଁ ଦେଖିଲି, ତାହା ଏ ବହିଟିକୁ ନିର୍ଭୁଲ କରିବାରେ ସାହାଯ୍ୟ କଲା । ସେଥିପାଇଁ ତମ ପାଖରେ ମୁଁ କୃତଜ୍ଞ । ତେବେ ବି ଯାହା କିଛି ତ୍ରୁଟି ରହିଯାଇଛି, ସେସବୁ ମୋର ବୋଲି ସ୍ୱୀକାର କରୁଛି ।

 

ବିଭିନ୍ନ ଅର୍ଥ ସନ୍ନିବେଶିତ କରି ପ୍ରଚ୍ଛଦପଟର ଯେଉଁ ପ୍ରତିକୃତି ଛପାଇଛ, ତାହା ଯେ ନୂତନ ଓ ଭାବପୂର୍ଣ୍ଣ, ଏହା ସ୍ୱୀକାର୍ଯ୍ୟ ।

 

ଅନ୍ୟ କେହି ବହିଟି ପଢ଼ିବା ଆଗରୁ ତମେ ପ୍ରଥମେ ବହିଟି ପଢ଼ି ଅଭିମତ ଦେଇଛ । ତେଣୁ ତମର ଅଭିମତ ହେଉଛି ପ୍ରକୃତ ଅଭିମତ । କାରଣ ତାହା ଅନ୍ୟ ପାଠକଙ୍କର ଅଭିମତ ଦ୍ୱାରା ପ୍ରଭାବିତ ହେବାର ସୁଯୋଗ ପାଇନି । ତମରି ପରି ଅନ୍ୟମାନେ ଯଦି ଏଥିରୁ କିଛି ଆନନ୍ଦ ଲାଭ କରିପାରନ୍ତି, ତେବେ ମୋର ଶ୍ରମ ଉପରନ୍ତୁ ତମର ଶ୍ରମ ସାର୍ଥକ ହୋଇଛି ବୋଲି ଜାଣିବି ।

 

ତମର

ସନତ୍‌

Image

 

 

 

 

 

 

 

ପ୍ରଜ୍ଞା ପାରମିତା ଦେବୀ,

 

ତୁମ ଜୀବନର ଏକ ନୂତନ ଅଧ୍ୟାୟର ପ୍ରାରମ୍ଭରେ ଏ ବହିର ପାଣ୍ଡୁଲିପି ତୁମକୁ ଉତ୍ସର୍ଗ କରା ହୋଇଥିଲା । ଆଜି ଏ ବହିର ପ୍ରକାଶରେ ମୁଁ ତାହାର ପୁନରାବୃତ୍ତି କରୁଛି ମାତ୍ର ।

 

ତୁମର

ସନତ୍‌

Image

 

ଓ୍ୱାର୍କିଂ ଗାର୍ଲସ୍‌ ହଷ୍ଟେଲ ।

 

ନାଆଁଟା ସିନା ୱାର୍କିଂ ଗାର୍ଲସ୍‌ ହଷ୍ଟେଲ, କିନ୍ତୁ ହଷ୍ଟେଲଟାର ପ୍ରକୃତି ତା ନୁହେଁ । ସେଠି ୱାର୍କିଂ ଗାର୍ଲସ୍‌ଙ୍କ ଅପେକ୍ଷା ନନ୍‌ୱାର୍କିଂ ଗାର୍ଲସ୍‌ଙ୍କ ସଂଖ୍ୟା ବହୁତ ବେଶୀ । ସେଠାକୁ ଯିବା ଆଗରୁ ହଷ୍ଟେଲଟା ବିଷୟରେ ସୁଶ୍ରୀର ଧାରଣା ଯାହା ଥିଲା, ହଷ୍ଟେଲରେ ରହିବା ପରେ ଧାରଣାଟା ତା’ର ବଦଲିଗଲା । ଯୁଦ୍ଧବେଳେ ରାଜଧାନୀକୁ ରକ୍ଷା କରିବା ପାଇଁ ଅନେକଗୁଡ଼ିଏ ଟେମ୍ପରାରି ଏକ ମହଲା, ଦୋ’ ମହଲା ଘର ଇତସ୍ତତଃ ଭାବରେ ଗଢ଼ି ଉଠିଥିଲା ସୈନ୍ୟମାନଙ୍କର ବ୍ୟବହାର ପାଇଁ-। ଯୁଦ୍ଧ ସରିଯାଇଛି । ସୈନ୍ୟମାନେ କୋଠାବାଡ଼ିଗୁଡ଼ିକୁ ଛାଡ଼ିଦେଇ ଚାଲି ଯାଇଛନ୍ତି କ୍ୟାଣ୍ଟନ୍‌ମେଣ୍ଟକୁ । ଏଇ କୋଠାଗୁଡ଼ିକରୁ ଦୁଇଟି ଦୋ’ ମହଲା କୋଠାରେ ହେଉଛି ୱାର୍କିଂ ଗାର୍ଲସ୍‌ ହଷ୍ଟେଲର ଅବସ୍ଥିତି ।

 

କୋଠାଟି ମାଈଜନ୍ତୁଙ୍କର ଗୋଟାଏ ବିରାଟ ଚିଡ଼ିଆଖାନା ।

 

ସେଠି ବିଭିନ୍ନ ପ୍ରଦେଶର, ଶିକ୍ଷାସ୍ତରର, ବୟସର, ରଙ୍ଗର, ଚେହେରାର ଓ ସ୍ୱଭାବର ଝିଅମାନେ ରହନ୍ତି । ସେମାନଙ୍କର ଧର୍ମ ଓ ଜାତି ମଧ୍ୟ ଭିନ୍ନ ।

 

ସନ୍ଧ୍ୟାବେଳେ ଝିଅ ହଷ୍ଟେଲଟିରେ ଝିଅଙ୍କ ସଂଖ୍ୟା ତୁଳନାରେ ପୁଅଙ୍କ ସଂଖ୍ୟା ବହୁତ ବେଶି ଜଣାଯାଏ । ଦୋ’ ମହଲା କୋଠା ଦୁଇଟି ମଝିରେ ଥିବା ଘାସ ଓ ଗେରୁଆ ମାଟିର ଚିତ୍ରିତ ଅଗଣାଟା ମଣିଷର ଗୋଟାଏ ସୁନ୍ଦର ଫୁଲ ବଗିଚା ପରି ଦେଖାଯାଏ । ସମସ୍ତେ ବେଶପରିପାଟିର ପଞ୍ଚମରେ ଥିଲାପରି ଜଣାଯାଏ । କେତେ ଜାତିର ଓ କେତେ ରଙ୍ଗର ଫୁଲ ସେଠି ଫୁଟିଥାଏ । ଜାତି ଜାତିକା ଫୁଲରେ ତିଆରି ହୋଇଥିବା ଅତରର ବାସ୍ନା ଭାଷିଆସେ, ମହକିଯାଏ ବାୟୁମଣ୍ଡଳ । ଅନେକ ଚିତ୍ରିତ ପ୍ରଜାପତି ଘୂରି ବୁଲୁଥାନ୍ତି ସେଠି । ହସର ଲହରୀ ସମୀରର ମୃଦୁ ହିଲ୍ଲୋଳରେ ଯେତେବେଳେ ଭାସିଆସେ, ସେତେବେଳେ ଦୂରକୁ ଠିକ୍‌ ଫୁଲ ଓ ପ୍ରଜାପତିର ମୃଦୁଗୁଞ୍ଜନ ପରି ଜଣାଯାଏ । ଜୀବନର ପ୍ରାଣପ୍ରାଚୁର୍ଯ୍ୟତା ଓ ଯୌବନର ଉଦ୍‌ବେଳତା ସୂଚେଇଦିଏ, ଶାଢ଼ି, ଶାଲୱାର୍‌, ସ୍କଟ୍‌, ଧୋତି, ପ୍ୟାଣ୍ଟ ଓ ସୁଟ୍‍ର ସମାରୋହ ।

 

ଡିଜାଇନ୍‌ ନ ଥିବା ଲଣ୍ଡା ୱାର୍କିଂ ଗାର୍ଲସ୍‌ ହଷ୍ଟେଲଟା ବାହାରକୁ ଏତେ ଅସୁନ୍ଦର ଦେଖାଯାଏ ଯେ, ଏହାର ଭିତରର ପରିପାଟି ଅନୁମାନ କରିବା ପଥିକ ପାଖରେ ଦୁଃସାଧ୍ୟ ମନେହୁଏ । ‘ବାହାରଟା ଯାହାର ଯେତେ ଅସୁନ୍ଦର, ଭିତରଟା ହୁଏତ ତାହାର ସେତିକି ସୁନ୍ଦର’ । ଏହି ହଷ୍ଟେଲଟା ଭିତରକୁ ପଶିଲେ, ମନରେ ସେ ଚିନ୍ତାଧାରା ହିଁ ଖେଳିଯାଏ । ବାହାରକୁ ଦେଖି ମନୁଷ୍ୟ ବିଷୟରେ ଧାରଣା କରିବା ଯେତିକି ଭୁଲ୍‍, ବାହାରୁ ଏଇ ହଷ୍ଟେଲକୁ ଦେଖି ତା’ ବିଷୟରେ ଧାରଣା କରିବା ଠିକ୍‌ ସେତିକି ଭୁଲ୍‍ । ଅତିଥିମାନଙ୍କ ପାଇଁ ଯେଉଁ ସୁରୁଚିସମ୍ପନ୍ନ ବୈଠକଖାନା ସେଠି ଦେଖିବାକୁ ମିଳେ, ତାହା ସାଧାରଣତଃ ହଷ୍ଟେଲମାନଙ୍କରେ ଆଶା କରାଯାଏ ନା ।

 

ସୁଶ୍ରୀ ଯେତେବେଳେ ଏଇ ହଷ୍ଟେଲରେ ପ୍ରବେଶ କଲା, ସେତେବେଳେ ତାର ସାଥୀ ହେଲେ ଧରିତ୍ରୀ, ସେବିକା ଓ ସବିତା । ସେମାନେ ରୁହନ୍ତି ଲମ୍ବା ବାରନ୍ଦାର ଶେଷ ଭାଗରେ ଥିବା ଗୋଟିଏ ରୁମ୍‌ରେ । କିନ୍ତୁ ଘରଟି ପ୍ରକୃତରେ ତିନି ଭାଗରେ ବିଭକ୍ତ । ଠିକ୍‌ ତିନୋଟି କୋଠରୀ ପରି-। ପ୍ରଥମ ଭାଗଟି ହେଉଛି ପଢ଼ିବା ଘର ବା ବସିବା ଘର । ସେଥିରେ ପଡ଼ିଛି କେତୋଟି ଟିକ୍‌ ଉଡ୍‌ର ଟେବୁଲ, ଚେୟାର ଓ ଟି-ପୟ । ସେଇ ଘରର ପଛପଟେ କାନ୍ଥର ଦୁଇ କଡ଼ରେ କବାଟ ଚଉକାଠ ବିହୀନ ଦୁଇଟି ବଡ଼ ଦୁଆର । ପ୍ରତ୍ୟେକ ଦୁଆର ଦୁଇଟି ଲେଖାଏଁ ଫିତାଖଟ ପଡ଼ିଥିବା ଗୋଟାଏ ଅଣଓସାରିଆ ଶୋଇବା ଘରର ହେଲା ପ୍ରବେଶ ପଥ ଏବଂ ଝରକା ବିହୀନ ଏଇ ଶୋଇବା ଘର ଦୁଇଟିର ପଛରେ ଗୋଟାଏ ଲେଖାଁଏ ଦୁଆର, ଯାହା ଆଗେଇ ଯାଇଛି ଅତିସରୁ ଓ ଅଣଓସାରିଆ ଗୋଟିଏ ବାଲ୍‌କୋନି ଉପରକୁ ।

 

ସୁଶ୍ରୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶ୍ରେଣୀରେ ସମାଜବିଜ୍ଞାନର ଛାତ୍ରୀ । ଧରିତ୍ରୀ ମେଡ଼ିକାଲ୍‌ କଲେଜର ଭେଷକ-ବିଜ୍ଞାନର ଛାତ୍ରୀ । ସେବିକା ଅଧ୍ୟୟନ କରୁଛି ସମାଜ-ଶିକ୍ଷା ସଂଗଠନ । ସବିତା ସ୍ୱାସ୍ଥ୍ୟ ପରିଦର୍ଶିକା କୋର୍ସର ଶିକ୍ଷାର୍ଥିନୀ । ଚାରିଜଣ ଯୁବତୀଙ୍କର ପାଠ ଚାରି ପ୍ରକାରର, ମନ ଚାରି ପ୍ରକାରର, ରୂପ ଚାରି ପ୍ରକାରର, ଆଉ ଭବିଷ୍ୟତ ବିଷୟରେ ମନରେ ପ୍ରଶ୍ନ ମଧ୍ୟ ଚାରି ପ୍ରକାରର । କାହାର କାହାରି ସହିତ ସାମଞ୍ଜସ୍ୟ ନାହିଁ । କେବଳ ଏକାଠି ହେବାର ଦଉଡ଼ି ହେଉଛି ଏକତ୍ର ରହଣୀ । ସମସ୍ତଙ୍କର ଅନୁଭୂତି ମଧ୍ୟ ଭିନ୍ନ । ପ୍ରତ୍ୟେକର ଆଖିରେ ଅନ୍ୟର ଅନୁଭୂତି ନୂଆ ।

 

ଯୌବନର ଉନ୍ମେଷରେ ପ୍ରାଣରେ ଯେଉଁ ଚଞ୍ଚଳତା ଓ ଅସ୍ଥିରତା ଖେଳିଯାଏ, ତାହା ଦେହ ଓ ବିବେକର ବନ୍ଧନକୁ ଅତିକ୍ରମ କରି ଯୌବନ ସହିତ ମିଶିଯିବା ପାଇଁ ଉଚ୍ଛୃଙ୍ଖଳ ହୋଇଉଠେ । ଶିରା ପ୍ରଶିରାରେ ରକ୍ତ ଚଞ୍ଚଳ ହୋଇଉଠେ । ଅନୁଭୂତି ପାଇଁ ପ୍ରାଣ ବ୍ୟାକୁଳ ହୁଏ; ଆଉ ସେହି ବ୍ୟାକୁଳ ପ୍ରାଣ ଯେତେବେଳେ ବାହାରର ପ୍ରାଣରେ ବ୍ୟାପ୍ତ ହୁଏ, ତାକୁଇ କୁହାଯାଏ ଅଭିଜ୍ଞତା । କିନ୍ତୁ ଅନୁଭୂତି ଯେତିକି ବଢ଼େ, ଯୌବନ ସେତିକି ସ୍ଥୈର୍ଯ୍ୟ ଓ ସ୍ଥବିର ହୋଇଆସେ ।

 

ସୁଶ୍ରୀ, ଧରିତ୍ରୀ, ସେବିକା ଆଉ ସବିତାଙ୍କ ଦେହରେ ବହୁଥିବା ରକ୍ତର କ୍ଷିପ୍ର ତରଙ୍ଗ ଉଦ୍‌ବେଳିତ କରେ ସେମାନଙ୍କ ଯୌବନକୁ । ମନରେ ଖେଳିଯାଏ ବିଦ୍ୟୁତର ଚମକ, ଆଉ ଜଳିଉଠେ ଆବେଗର ଆଲୋକ । ବିପୁଳ ଶକ୍ତି ସଞ୍ଚାରିତ ହୁଏ ଦେହ ଓ ପ୍ରାଣରେ । ଉଜ୍ଜ୍ୱଳ ଆଖି ଦୁଇଟି ତଳେ ଦୁନିଆଁର ଚିତ୍ର ସୁନେଲୀ ହୋଇଆସେ । ଶୁଭ୍ର ଗଣ୍ଡଦେଶ ଆରକ୍ତ ହୁଏ । ଓଠ ଉପରେ ଫୁଟିଉଠେ ଗୋଲାପର ପାଖୁଡ଼ା । ଫୁଲା ଫୁଲା ନାକପୁଡ଼ା ତଳର କମ୍ପିତ ନିଃଶ୍ୱାସ ବିସ୍ଫାରିତ ବୁକୁ ଉପରେ ସୃଷ୍ଟିକରେ ଶିହରଣ ।

 

ଭିନ୍ନ ଭିନ୍ନ ପଟ୍ଟଭୂମି ଉପରେ ଠିଆ ହୋଇଛନ୍ତି ଚାରୋଟିଯାକ ଝିଅ ।

 

ସେବିକାର ବାପା ଇସ୍ପାତ କାରାଖାନର ଫୋର୍‌ ମ୍ୟାନ୍‌ । ଶିଳ୍ପନଗରୀର ଆବହାୱାରେ ସେ ବଢ଼ି ଆସିଛି । ମଦ, ଜୁଆଖେଳ ଓ ବ୍ୟଭିଚାର ଶିଳ୍ପନଗରୀରେ ଗୋଟିଏ ସାଧାରଣ ଘଟଣା । ଘରର ଅଦୂରରେ ଥିବା କୁଲି ବସ୍ତିରେ ଘଟୁଥିବା ଘଟଣାର ଆବାଜ ଆସି ତା କାନରେ ପଡ଼େ । ଅଧା ଲୁଚା, ଅଧା ଖୋଲା ଦେହ ନେଇ ରେଜାଗୁଡ଼ାକ ଦଳ ଦଳ ହୋଇ କାରଖାନାକୁ ଯାଆନ୍ତି । ଆଖିରେ ତାଙ୍କର ଲାଗେ କାହାର ଆଖିମିଟିକା, କାନରେ ତାଙ୍କର ବାଜେ କାହାର ହ୍ୱିସିଲର ଶବ୍ଦ; ହୃଦୟ ତନ୍ତ୍ରୀରେ ବାଜେ କାହାର ଆଦିବାସୀ ଭାଷାର ଅବୋଧ୍ୟ ଗୀତ । ସେବିକାର ବାପା ସକାଳୁ ଯାଇ ରାତିରେ ଆସନ୍ତି କାରଖାନାରୁ । କ୍ଳାନ୍ତିର ଜଡ଼ତା ଦେହରେ ତାଙ୍କର ଭରି ଦେଇଥାଏ ତନ୍ଦ୍ରା । ଅନେକ ସମୟରେ ତାଙ୍କୁ ୧୬ ଘଣ୍ଟିଆ ଡିଉଟି ପଡ଼େ । ଶରୀରକୁ କାର୍ଯ୍ୟକ୍ଷମ ରଖିବାକୁ ହେଲେ ମଦ୍ୟର ଆଶ୍ରୟ ନେବା ଆବଶ୍ୟକ ହୋଇ ପଡ଼ିଥାଏ । ଘରର ସମସ୍ତ କାର୍ଯ୍ୟ ଏପରିକି ବଜାର ସଉଦା କରିବାଠାରୁ ଆରମ୍ଭ କରି ଚୁଲି ପାଇଁ କାଠ ଚିରିବା ବା ଜାଳେଣି କୋଇଲା ଭାଙ୍ଗିବା ପର୍ଯ୍ୟନ୍ତ ସବୁ କାମ ସେବିକାର ମା’ ହାତରେ କରନ୍ତି । ନିଃଶ୍ୱାସ ମାରିବାକୁ ଫୁରୁସତ୍‌ ନ ଥାଏ । ତେଣୁ ପିଲାଦିନେ ସେବିକା ବାପ ମା’ଙ୍କ ସହିତ ମିଶିବାର ବିଶେଷ ସୁଯୋଗ ପାଇ ନ ଥିଲା । ବଡ଼ ହେଲା ପରେ ହଷ୍ଟେଲରେ ରହି ପାଠ ପଢ଼ିଆସିଛି ସେ । ବହୁ ସଙ୍ଗୀଙ୍କର ସାହଚର୍ଯ୍ୟ ଲାଭ କରିଛି । ସାଙ୍ଗମାନଙ୍କ ଚିନ୍ତାଧାରା ଓ ଦର୍ଶନ ତା’ର ଦେହ, ମନ ଓ ପ୍ରାଣକୁ ଅନୁପ୍ରାଣିତ କରିଛି । ସେବିକାର ରଙ୍ଗ ହଳଦିଆ ମିଶା ଗୋରା । ଧାରୁଆ ମୁହଁ ଉପରେ ଦି’ଟା ଘୁମନ୍ତ ଆଖି । ସରୁ ନାକ ଓ ପାତଳା ଟୁକ୍‌ ଟୁକ୍‌ ଗୋଲାପ ଓଠ । ମୁଣ୍ଡ ଉପରୁ କୁଞ୍ଚୁ କୁଞ୍ଚୁଆ ବାଳ କେତେଟା ଅମାନିଆ ଭାବରେ ସବୁବେଳେ କପାଳ ଉପରେ ପଡ଼ିଥାଏ । ବିଭିନ୍ନ ରକମର କେଶ ପ୍ରସାଧନରେ ସୁନିପୁଣା ସେ । ଅପାଙ୍ଗରେ ତା’ର ଅଛି ପୁରୁଷ ହୃଦୟକୁ ଚହଲାଇ ଦେବାର କୁହୁକ ।

 

ଲହୁଣୀ ପିତୁଳା ପରି ସବିତାର ଗଠନ । ଗୋଲା ମୁହଁ ଉପରେ କାନ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ଦି’ଟା ଆଖି । ସାମାନ୍ୟ ଭାବରେ ସୂର୍ଯ୍ୟଟେରି । ଗୋଲାପୀ ରଙ୍ଗର ମୁହଁ ଉପରେ ଗୋଟାଏ ସିଧା ଅଥଚ ଛୋଟ ନାକ ଆଉ ମୋଟା ମୋଟା ଦି’ଟା ନାଲିଆ ଓଠ । ଚାଲି ତାର ମରାଳ ଗତିଠାରୁ ମଧ୍ୟ ଆହୁରି ସୁନ୍ଦର । ପରମ୍ପରା ବା ଐତିହ୍ୟ ତା’ର ନାହିଁ । ପାରିବାରିକ ଇତିହାସ ତାକୁ କେହି ପଚାରିଲେ ମନରେ ତା’ର କ୍ଷୋଭ ଓ କ୍ରୋଧ ଜାତହୁଏ । ପାରିବାରିକ ପଟ୍ଟଭୂମି ଉପରେ ଠିଆ ହୋଇ ଦୁନିଆଁଟାକୁ ହିଂସ୍ରଦୃଷ୍ଟିରେ ସେ ଦେଖେ । ମା’ ତା’ର ସହରତଳି ଅଞ୍ଚଳର ଏକ ମାଇନର ସ୍କୁଲର ଶିକ୍ଷୟତ୍ରୀ । ବାପା ନାହାନ୍ତି । ସବିତା ନିଜ ହାତରେ ତା’ର ଐତିହ୍ୟ ଓ ପରମ୍ପରା ଗଢ଼ିବ ବୋଲି ଆସ୍ପର୍ଦ୍ଧା କରେ ।

 

ଧରିତ୍ରୀର ବାପା ମା’ ପିଲାଦିନରୁ ନାହାନ୍ତି । ଅଛି କେବଳ ଛୋଟ ଭାଇଟିଏ । ସୁବୀର ଭାଇଙ୍କ ସାହଚର୍ଯ୍ୟରେ ସେ ଶିକ୍ଷା ମନ୍ଦିରର ବାଇଶି ପାହାଚରୁ ଏତେଗୁଡ଼ାଏ ପାହଚ ଉପରକୁ ଉଠି ଆସିପାରିଛି । ଧରିତ୍ରୀର ରଙ୍ଗ ମଳିନ । କୁନ୍ଦିଲା ପରି ଦେହ ଉପରେ ଗୋଟାଏ ଲମ୍ବା ମୁହଁ । ଭସାଣିଆ ଲମ୍ବା ଆଖି ଦି’ଟା ଉପରେ ଦୁଇଟି ଆଙ୍କିଲା ପରି ଭ୍ରୂଲତା । ନାସିକାର ଗତି ତୀକ୍ଷ୍‌ଣ । ପାଟି ଉପରେ ଦୁଇଟି ଛୋଟ ଛୋଟ ଚିତ୍ରିତ ଓଠ । ଚିବୁକରେ ଅଛି ଦୃଢ଼ତା । ହସରେ ତା’ର କୁହୁକ ଥିଲା ପରି ମନେହୁଏ ।

 

ସୁଶ୍ରୀ ନିଜର ନାମକୁ କେତେକାଂଶରେ ସାର୍ଥକ କରିଛି । ଆଖିରେ ତା’ର ଅଛି ଜ୍ୱଳନ୍ତ ଅଗ୍ନିଶିଖା । ମୋଟା ଫ୍ରେମ୍‌ର ଚଷମାଟା ଆଖିରୁ ବାହାର କରିଦେଲେ ଜଣାଯାଏ, ଅଗ୍ନି ସ୍ଫୁଲିଙ୍ଗ ଯେପରି ଖସି ପଡ଼ୁଚି ସେଥିରୁ, ବିଶେଷତଃ ଆଖି ଦୁଇଟି ବିସ୍ଫାରିତ ଥିବା ସମୟରେ । ଶରୀରରେ ଅଛି ତା’ର ବିପୁଳତା ଓ ଉଚ୍ଚତା । ସୁଶ୍ରୀର ବାପା ସେକ୍ରେଟେରିଏଟ୍‌ରେ ରେଜିଷ୍ଟ୍ରାର ଥିଲେ । ପେନ୍‌ସନ୍‌ ନେଲେଣି । ଅନେକଗୁଡ଼ିଏ ଭାଇ-ଭଉଣୀ ତା ତଳେ ଥିବାରୁ ଦାୟିତ୍ୱର ଚାପରେ କାନ୍ଧ ତା’ର ଭାରାକ୍ରାନ୍ତ ।

 

ସମସ୍ତଙ୍କ ପାଖକୁ ଘରୁ ବେଳେ ବେଳେ ଚିଠି ଆସେ । କେଉଁଠି କେମିତି କାହାର ବିବାହ ପ୍ରସ୍ତାବ ଆସିଛି, ଚାରି ସାଙ୍ଗଙ୍କ ଭିତରେ ଆଲୋଚନା ପଡ଼େ ।

 

ଧରିତ୍ରୀ କହେ—ଆଚ୍ଛା ସୁଶ୍ରୀ, ବିବାହ ବିଷୟରେ ତୋର ବିଚାର କଅଣ ?

 

ସୁଶ୍ରୀ କହେ—ବିବାହ ବିଷୟରେ ମୁଁ ଚିନ୍ତା କରିନି ।

 

ସବିତା କହେ—ଆଲୋ, ତୁ ନ କଲେ କଅଣ ହେଲା, ଅନ୍ୟମାନେ ତ ତୋ ବିଷୟରେ ଚିନ୍ତା କରୁଥିବେ ନିଶ୍ଚୟ ।

 

ସୁଶ୍ରୀ କହେ—ବାହା ନ ହେଲେ କଅଣ ଚଳିବନି ?

 

ସେବିକା କହେ—ମଣିଷର ଜୀବନରେ ଯେଉଁଟା ଅତି ସ୍ୱାଭାବିକ, ଅତି ଆବଶ୍ୟକ, ତାକୁ ଏଡ଼ିଦେଇ ହୁଏନା । ଏଡ଼ିଦେଲେ ମଧ୍ୟ ଯୌବନର ଉଦ୍ଦାମତା ଯେତେବେଳେ କମିଆସେ, ଜୀବନଟା ହାହାକାର କରେ; ଅନୁତାପ କରେ । ଜୀବନର ମୋହ ଟିକକ ସେ ହରାଇ ବସେ । ଦେଖିଥିବୁ, ସେଥିପାଇଁ ଅନେକ ଅବିବାହିତା ଅବସର ଗ୍ରହଣ କରିବା ପରେ ମଧ୍ୟ ବିବାହ କରିଛନ୍ତି-। ଏ ବିବାହ ଅବଶ୍ୟ ଶାରୀରିକ ବିବାହ ନୁହେଁ, ମନର ବିବାହ, କେବଳ ଗୋଟିଏ ସଙ୍ଗୀ ପାଇଁ ।

 

ସବିତା କହେ—ମନଟାକୁ ମାଡ଼ି ମକଚି ସମ୍ଭାଳି ନେଇ ପାରିଲେ ହୁଏତ ବିବାହର ଆବଶ୍ୟକତା ଜଣା ନ ପଡ଼ିପାରେ; କିନ୍ତୁ ସେଟା କେତେ ଜଣଙ୍କ ପାଖରେ ସମ୍ଭବ ? ସାଧାରଣ ମଣିଷ ପକ୍ଷରେ ଏହା ଅତି ଅସ୍ୱାଭାବିକ । ଦୋଷ ଦୁର୍ବଳତାରୁ ସେ ମୁକ୍ତ ନୁହେଁ । ବିଗତ ଯୌବନା ଅନେକ ଅବିବାହିତା ପୂର୍ଣ୍ଣ ଯୌବନାର ବେଶଭୂଷା ଓ ପରିପାଟି ନେଇ ସମାଜରେ ଘୂରିବୁଲି ହାସ୍ୟାସ୍ପଦ ହୁଅନ୍ତି । ଅବିବାହିତା ହେଲେ କଅଣ ହେବ, ସେମାନଙ୍କ ମନର ଆବିଳତ ତାଙ୍କ ବେଶରୁ ବେଶ୍‌ ଜଣାଯାଏ । ଏଇମାନଙ୍କୁ କୁହାଯାଏ ‘ସୋସାଇଟି ଗାର୍ଲ’ । ବିବାହରେ ଦେହ ଓ ମନର ଆବଶ୍ୟକତା ଦୁଇଟି ଯାକ ପୂର୍ଣ୍ଣ ହୁଏ । ଅବିବାହିତା ରହି ମଳିନ ଦେହ ଓ ମନକୁ ବୋହି ହୃଦୟକୁ ବିଷାକ୍ତ କରିବା ଅପେକ୍ଷା ବିବାହର ସମସ୍ତ ଦୁଃଖ, ଦୁର୍ଦ୍ଦଶା ଓ ଜଞ୍ଜାଳକୁ ଆବୋରି ନେବା ଶ୍ରେୟସ୍କର ।

 

ସୁବୀର ଭାଇ ଆସନ୍ତି । ଇଉନିଭର୍‌ସାଲ୍‌ ଭାଇ ସେ । ଅବଶ୍ୟ ପୁଅମାନଙ୍କର ନୁହନ୍ତି, କେବଳ ଝିଅମାନଙ୍କର । ଆଲୋଚନାରେ ସେ ଯୋଗଦିଅନ୍ତି । ସେ କହନ୍ତି, ପୂର୍ଣ୍ଣତା ବୋଇଲେ କଅଣ ବୁଝାଏ । ସାଧାରଣ ଜୀବନରେ ମଣିଷ ଯେଉଁ ଯେଉଁ ସ୍ତର ଦେଇ ଗତି କରିବାର କଥା ଓ ଯାହା ସବୁ ତା’ର କରିବାର କଥା, ତା ନ କରି ପାରିଲେ ମନୁଷ୍ୟର ଜୀବନ ଅପୂର୍ଣ୍ଣ ରହେ । ସମସ୍ତେ ଜୀବନର ଊର୍ଦ୍ଧ୍ୱକୁ ଉଠି ପାରନ୍ତି ନାହିଁ । ଯେଉଁ ଅବିବାହିତାମାନେ କଳା, ବିଜ୍ଞାନ, ସମାଜସେବା ପ୍ରଭୃତିରେ ନିଜକୁ ଆଜୀବନ ନିୟୋଗ କରି ଇତିହାସ ସୃଷ୍ଟି କରି ପାରିଛନ୍ତି, ସେମାନେ ମଧ୍ୟ ପରବର୍ତ୍ତୀ ଜୀବନରେ ଯେ ଅନୁତାପ ନ କରିଛନ୍ତି, ସେକଥା କିଏ କହିବ ? ଖାଲି ମୁହୂର୍ତ୍ତଗୁଡ଼ିକ ଅବିବାହିତାମାନଙ୍କୁ ବ୍ୟତିବ୍ୟସ୍ତ କରିପକାଏ । ସାଙ୍ଗମାନଙ୍କ ଘରକୁ ଯାଇ ପାରନ୍ତିନି, କାରଣ ସେମାନେ ସେମାନଙ୍କର ପରିବାର ନେଇ ବ୍ୟସ୍ତ । କଥାବାର୍ତ୍ତା କରିବାକୁ ତାଙ୍କୁ ଫୁରୁସତ୍‌ କାହିଁ ? ଏଇମାନେ ଧାଇଁ ଯାଆନ୍ତି କ୍ଲବ୍‍, ପାର୍ଟି, ଅପେରା ପ୍ରଭୃତିର କୋଳକୁ । ସେଠି, ମଧ୍ୟ ଶାନ୍ତି ପାଆନ୍ତିନି । ବୁଭୁକ୍ଷିତ ଆଖିଗୁଡ଼ାକ ସେମାନଙ୍କ ପଛରେ ଗୋଡ଼ାଏ ।

 

ଆଲୋଚନା ଭାଗ ନେଇ ସୁବିର ଭାଇ ଆରମ୍ଭ କଲେ—କହୁଛି ଶୁଣ, ମୋ ଜୀବନର ଗୋଟାଏ ଅଭିଜ୍ଞତା । ପ୍ରେମଚାନ୍ଦ ଦେଉଥାଏ ଗୋଟାଏ କକ୍‌ଟେଲ୍‌ ପାର୍ଟି । ସମାଜରେ ଉଚ୍ଚ ସ୍ତରରେ ଅଛନ୍ତି ବୋଲି ଗର୍ବ କରୁଥିବା ଲୋକମାନେ ଏଇ ଅସାଧାରଣ ନିମନ୍ତ୍ରଣ କରନ୍ତି । ବୁଦ୍ଧିଜୀବୀମାନଙ୍କର ଗୋଟାଏ ହାସ୍ୟାସ୍ପଦ ଆଭିଜାତ୍ୟ ଓ ସାମାଜିକ ବଡ଼ିମା ହେଲା ଦୁଇଟି କ୍ରାନ୍ତି, ଯାହା ଭିତରେ ଦେଇ କକ୍‌ଟେଲ୍‌ ପାର୍ଟି ଗତିକରେ ଠିକ୍‌ କର୍କଟକ୍ରାନ୍ତି ଆଉ ମକରକ୍ରାନ୍ତି ଭିତରେ ସୂର୍ଯ୍ୟ ଗତି କଲାପରି । ଅତି ସ୍ୱଳ୍ପ ସମୟ ଭିତରେ ବିଭିନ୍ନ ଜାତୀୟ ବହୁତଗୁଡ଼ାଏ ମଦ ପିଇବାର ଯେଉଁ ପରିବେଶ ବା ଆବହାୱା ସୃଷ୍ଟି କରାଯାଏ, ତାକୁ କୁହାଯାଏ କକ୍‌ଟେଲ୍‌ ପାର୍ଟି । ଅବଶ୍ୟ ପାର୍ଟିର ଶେଷରେ ବିକ୍ଷିପ୍ତ ଭାବରେ ରହି ଯାଇଥିବା ଖାଲି ବୋତଲଗୁଡ଼ାକୁ ଗଣି କକ୍‌ଟେଲ୍‌ ପାର୍ଟିର ସଫଳତା କଳନା କଲେ ଠିକ୍‌ ହେବନି; କାରଣ କିପରି ସାଙ୍ଗ ମେଳରେ ପାର୍ଟିଟା ହୋଇଥିଲା, ସେଟା ମଧ୍ୟ ଗୋଟାଏ ବଡ଼ କଥା ।

 

ଆଜିକାଲିର ସହରରେ ଯେଉଁଠି ବାସଗୃହ ଗୋଟାଏ ବଡ଼ ସମସ୍ୟା, ବଡ଼ ବଡ଼ ଲୋକମାନେ ମଧ୍ୟ ଛୋଟ ଛୋଟ ପ୍ଲଟ୍‌ମାନଙ୍କରେ ରହିବାକୁ ବାଧ୍ୟ ହୁଅନ୍ତି ଏବଂ ଯେଉଁଠି ଚାକର ବାକର ପାଇବାର ବା ରଖିବାର ସମସ୍ୟା ଅତି ଉତ୍କଟ ଏବଂ ଯେଉଁଠି ଗପିବାର ବିଷୟବସ୍ତୁ ଅତି ସୀମାବଦ୍ଧ, ସେଠି ଆମ ଗାଁ ଗହଳ ବା ଛୋଟ ସହର ଭଳି କଦଳୀ ପତ୍ର ଉପରେ ଭୋଜି ଭାତ ସମ୍ଭବ ନୁହେଁ । କାରଣ ଏଠି ନା ଅଛି ସେପରି ସ୍ଥାନ, ନା ଅଛି ଲୋକବଳ । ବିରାଟ କୋଠାଗୁଡ଼ାକର ଅତି ଅଣଓସାରିଆ ଘର ବା ଅଗଣା ଅବା ଛାତ ଉପରେ ହୁଏ ବହୁ ଲୋକ ସମାଗମର ଏହି କକ୍‌ଟେଲ୍‌ ପାର୍ଟି, ଯେଉଁଠି ଠିଆହେବା ଛଡ଼ା ବସିବାର ଉପାୟ ନ ଥାଏ ବା ଫର୍ନିଚର୍‌ ନ ଥାଏ ।

 

ଏହି ପାର୍ଟି ୩ । ୪ ଘଣ୍ଟା ଧରି ଚାଲେ । ସେଥିରେ ସବୁଠାରୁ ବଡ଼ ସମସ୍ୟା ହେଉଛି, କିପରି କୌଶଳତାର ସହିତ ଶରୀରର ଭାରକୁ ଗୋଟାଏ ପାଦରୁ ଆଉ ଗୋଟାଏ ପାଦ ଉପରକୁ ବଦଳାଇବାକୁ ହେବ । ଆଗକୁ ବା ପଛକୁ ଘୁଞ୍ଚିବାର ଉପାୟ ନ ଥାଏ, ବିଶେଷତଃ ଝିଅମାନଙ୍କର । କାରଣ ସେହିପରି ଅଙ୍ଗଭଙ୍ଗୀ କଲେ ଲୋକ ମାତାଲ ହୋଇଯାଇଛି ବୋଲି କେହି ହୁଏତ ଅନୁମାନ କରିପାରେ । ତା ଛଡ଼ା ଯେତେବେଳେ ନିଶାର ପ୍ରକୋପରେ ଗୋଡ଼ ଉପରେ କାହାରି ଅକ୍ତିଆର ନ ଥାଏ, ସେତେବେଳେ ଏପରି ପଦଚାଳନା କଲେ କୌଣସି ପୁରୁଷର ବୁଟ୍‌ତଳେ ବା ନାରୀର ହାଇହିଲ୍‌ ତଳେ ଆପଣାର ପାଦ ଚକଟି ହୋଇଯିବାର ଭୟ ଥାଏ । ମକଚି ହୋଇ ଯାଇଥିବା ପାଦର ବେଦନା ଶରୀରକୁ ମ୍ରିୟମାଣ କରିଦେଲେ ମଧ୍ୟ ଚିତ୍କାର କରିବାର ଉପାୟ ନ ଥାଏ, କାରଣ ସେଇଟା ହେଉଛି ଅସୌଜନ୍ୟତା ।

 

ସୁଶ୍ରୀ କହିଲା—ଇଲୋ ମାଆଲୋ । ୟେ ତ ଗୋଟାଏ ଦଣ୍ଡ; ଏଥିରେ ଆନନ୍ଦ କଅଣ ଥାଏ ମ ? ଦେହଟା ତ ଝିମ୍‌ ଝିମ୍‌ କରି ବେହୋସ ହୋଇଯିବାର ଉପକ୍ରମ ହେବ ।

 

ହଁ ଠିକ୍‌ ସେଇଆ ହୁଏ । ବିଶେଷତଃ ଝିଅମାନଙ୍କର କ୍ଳାନ୍ତିରେ ହାଇ ଉପରେ ହାଇ ଆସେ । କିନ୍ତୁ ପାଟି ମେଲା ନ କରି କିପରି ହାଇ ମାରିବାକୁ ହେବ, ସେ କଳାଟା ଶିକ୍ଷା କରିବା ସମସ୍ତଙ୍କ ପକ୍ଷରେ ଏକାନ୍ତ ଆବଶ୍ୟକ । ଚାର୍ଟ ଗୁଡ଼ାକ ପାକୁଳି ପାକୁଳି ଅନେକ ସମୟ ପରେ ଯେତେବେଳେ ପାଟିର ମାଂସପେଶୀ ଗୁଡ଼ାକ ଅତି କ୍ଲାନ୍ତ ହୋଇ ପଡ଼ନ୍ତି, ସେତେବେଳେ ପାଟିର ହସ ଦ୍ୱାରା ଏଇ ମାଂସପେଶୀଗୁଡ଼ିକୁ କିପରି ଚଳାଇବାକୁ ହୁଏ, ତାହା ମଧ୍ୟ ଶିକ୍ଷା କରିବା ଆବଶ୍ୟକ-। ତା ଛଡ଼ା ଆଉ ଗୋଟାଏ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍‌ ଯେ, ଅନ୍ୟ ଗୋଟାଏ ହାତ ଟ୍ରେରୁ ଚାର୍ଟ ନେଉଥିବା ବେଳେ ତମେ ଯେପରି ସେଥିରେ ହାତ ନ ପୂରାଅ ।

 

ଆପଣଙ୍କ ଭୂମିକାଟା ବହୁତ ବଡ଼ ହୋଇଯାଉଛି, ଅସ୍ଥିରତା ପ୍ରକାଶ କଲା ସେବିକା ।

 

ତମେମାନେ କେବେ କକ୍‌ଟେଲ୍‌ ପାର୍ଟିକୁ ଯାଇଛ ? କାହାରି ମୁହଁରୁ ଉତ୍ତର ଆସିବା ଆଗରୁ ସୁବୀର ଭାଇ କହିଲେ—ଯାଇନ । ସେଇଥିପାଇଁ ତମମାନଙ୍କ ମନରେ ଗୋଟିଏ ଧାରଣା କରାଇବାକୁ ଯାଇ ଲମ୍ବା ଭୂମିକା ଦଉଚି । କକ୍‌ଟେଲ୍‌ର ଆଦବ କାଇଦା ଶିଖିଥା; ଭବିଷ୍ୟତରେ କାମରେ ଆସିବ ।

 

କକ୍‌ଟେଲ୍‌ ପାର୍ଟିରେ କଥାବାର୍ତ୍ତା ବେଳେ କେହି ଯେପରି କାହାର ବ୍ୟକ୍ତିଗତ ବିଷୟ ଜାଣି ନ ପାରିବ, ସେଥିପାଇଁ ସମସ୍ତେ ସଚେଷ୍ଟ ଥାଆନ୍ତି; କାରଣ ଆଧୁନିକ ସମାଜରେ ହୃଦୟର ଆବିଳତା ଏତେ ବେଶୀ ଯେ, ସେଠି ଖୋଲି ଖୋଲି କଥାବାର୍ତ୍ତା ପ୍ରଶ୍ନ ଉଠିପାରେନା ।

 

ଯଦି ତମ ସହିତ ଗୋଟାଏ ଗେଡ଼ା ଲୋକ କଥାବାର୍ତ୍ତା କରୁଛି, ତେବେ ତମେ ତା ମୁହଁକୁ ଅନାଇଲେ ସେ Inferiority Complex [ନ୍ୟୂନ ମନୋଭାବ] ଅନୁଭବ କରିବ । ସେଥିପାଇଁ ତା କାନ୍ଧ ଉପର ଦେଇ କୌଣସି ଗୋଟାଏ ଶୂନ୍ୟ ସ୍ଥାନକୁ ଅନେଇ ତା ସହିତ କଥାବାର୍ତ୍ତା କରିବା ଉଚିତ୍‌ । ଆଉ ତମେ ଯଦି କମ୍‌ ମଦ ପିଇବାକୁ ଚାହଁ, ତେବେ ଗ୍ଲାସ କେବେ ଖାଲି ରଖିବନି; କାରଣ ଖାଲି ଗ୍ଲାସ୍‍ ଯଦି କାହା ଦୃଷ୍ଟିରେ ପଡ଼ିଯାଏ, ତେବେ ତମର ସମସ୍ତ ଅନିଚ୍ଛା ଓ ବାରଣ ସତ୍ତ୍ୱେ ଗ୍ଲାସରେ ବୋତଲକୁ ସେ ନିଗାଡ଼ିଦେବ ।

 

କକ୍‌ଟେଲ୍‌ରେ ଅପରିଚିତଙ୍କ ସହିତ କିପରି କଥାବାର୍ତ୍ତା ହେବ, ତାର ମଧ୍ୟ ଗୋଟାଏ କାଏଦା ଅଛି । ସେ କାଇଦାକୁ ଭୁଲିଗଲେ ଗପ ଜମେନି । ଯଦି ତମେ ବହୁତ ଅପରିଚିତଙ୍କ ସହିତ ସାକ୍ଷାତ କରିବାକୁ ଭଲ ନ ପାଅ, ତେବେ ସବୁଠାରୁ ପ୍ରକୃଷ୍ଟ ପନ୍ଥା ହେଉଛି, କୌଣସି ଗୋଟିଏ କୋଣ ଜାଗାର ଆଶ୍ରୟ ନେବା । କାରଣ ମଝିରେ ବେଶୀ ଲୋକ ବୁଲନ୍ତି, କୋଣକୁ କମ୍‌ ଆସନ୍ତି ।

 

ସେବିକା କହିଲା—ହଁ, ଗପ ଆରମ୍ଭ କରନ୍ତୁ ମ ! ଆପଣଙ୍କ କକ୍‌ଟେଲ୍‌ ପାର୍ଟିର ଆଦବ କାଏଦା ଶୁଣି ଶୁଣି ମୁଁ ତ ବେହୋସ ହେବା ଉପରେ ହେଲିଣି ।

 

ସୁବୀର ଭାଇ କହିଲେ—ହଁ ସେଦିନର କକ୍‌ଟେଲ୍‌ ପାର୍ଟି । ଗୋଟାଏ କଣରେ ଆଶ୍ରୟ ନେଇଥାଉ ମୁଁ, ସୁଭାଷ, ଅନନ୍ତ, ଲୀନା ଓ ଇଲା । ଚାରିଆଡ଼େ ପୂର୍ଣ୍ଣମୀ ଜହ୍ନର ଛାପି ଛାପିକା ଆଲୁଅ । କେମିତି ଗୋଟାଏ ଅନ୍ଧକାର ଓ ଆଲୋକର ମିଶାମିଶି ପରି ମନେହୁଏ । ଜାଣିଶୁଣି ବିଜୁଳି ବତୀର ସାହାଯ୍ୟ ନିଆ ହୋଇନି ।

 

କଥାବାର୍ତ୍ତା ମଝିରେ ଲୀନା ଦେବୀ ପ୍ରଶ୍ନ କଲେ—ଆଚ୍ଛା, ସୁଭାଷ ବାବୁ ! ଅବିବାହିତ ଜୀବନରେ କଅଣ ଆନନ୍ଦ ନାହିଁ ? ଆଜୀବନ ଅବିବାହିତ ରହିଲେ କ୍ଷତି କଅଣ ? ତେବେ କାହିଁକି ସମସ୍ତେ ଅବିବାହିତ ମାନଙ୍କୁ ସେମାନଙ୍କ ବିବାହ ବିଷୟରେ ନାନା ପ୍ରଶ୍ନ ପଚାରି ସେମାନଙ୍କର ମନସ୍ତତ୍ତ୍ୱକୁ ଦୁର୍ବଳ କରିପକାନ୍ତି ?

 

ସୁଭାଷ ହସି ହସି କହିଲା, ଅବିବାହିତର ଜୀବନରେ ଯେତିକି ସୁଖ ଅଛି, ସେତିକି ଦୁଃଖ ମଧ୍ୟ ଅଛି । ବିବାହିତ ମଧ୍ୟ ସମ ପରିମାଣରେ ଦୁଃଖୀ ଓ ସୁଖୀ । ତେବେ ମନୁଷ୍ୟ ତାର ଆଦର୍ଶକୁ ଆଗରେ ରଖି କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆଜୀବନ ଅବିବାହିତ ରହିବାର ପଣ କରିପାରେ । ମାତ୍ର ଦିନେ ନା ଦିନେ ଏଥିପାଇଁ ସେ ଅନୁତାପ କରେ । ସେତେବେଳେ କାମନା ରୂପକ ଜୁଆରର ଧକ୍‌କାରେ ଏ ବାଲିବନ୍ଧ ଭୁଷୁଡ଼ିଯାଏ । ମନୁଷ୍ୟର ବୟସ ଯେତେବଳେ ଚାଳିଶି ବର୍ଷର ଆଖ ପାଖାରେ ଥାଏ, ସେତେବେଳେ କାମନାର ଲିପ୍‌ସା ଏପରି ପ୍ରବଳ ହୁଏ ଯେ, ସେହି କାମନାର ଧକ୍‌କାର ଦମ୍ଭ ତା’ର ଧୂଳସାତ୍ ହୋଇଥାଏ । ସେଥିପାଇଁ ଆପଣ ଦେଖିବେ, ଯେଉଁମାନେ ଅବିବାହିତ ରହନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ପ୍ରାୟ ଚାଳିଶ ବର୍ଷରେ ବିବାହ କରନ୍ତି । ଏହି ଚାଳଶି ବର୍ଷରେ ବିବାହ କରିବାର ଲାଳସା ଓ ସନ୍ତାନ ସନ୍ତତି ଲାଭର ଆକାଙ୍‌କ୍ଷା ଅତି ପ୍ରବଳ । ସେଥିପାଇଁ ମନସ୍ତତ୍ତ୍ୱବିତ୍‌ମାନେ ଏହି ଚାଳିଶ ବର୍ଷକୁ Roaring forty ବୋଲି ଆଖ୍ୟା ଦେଇଛନ୍ତି । କିଛିଦିନ ପରେ ଯାଯାବର ଜୀବନ ପ୍ରତି ମଣିଷର ବିତୃଷ୍ଣା ଦେଖାଦିଏ । ନିଃସଙ୍ଗ ଜୀବନ ବେଶିଦିନ ଆନନ୍ଦ ଦେଇ ପାରେନା । ବୟସ ଖସି ଆସିଲେ ମନୁଷ୍ୟ ଅନ୍ୟର ଆଶ୍ରୟ ଲୋଡ଼େ । ସେତେବେଳେ ପୁରୁଷ ଚାହେଁ ନାରୀର ଅନ୍ୟର ଆଶ୍ରୟ ଲୋଡ଼େ । ସେତେବେଳେ ପୁରୁଷ ଚାହେଁ ନାରୀର କୋମଳ ହାତର ସ୍ପର୍ଶ; ଆଉ ନାରୀ ଚାହେଁ ପୋତାଶ୍ରୟ । ଯେତେବେଳେ ସେ ତା’ର ପଥଭ୍ରଷ୍ଟ ନାଆକୁ ବାହି ବାହି ଥକିଯାଏ, ସେତେବେଳେ ସେ ଚାହେଁ ପୁରୁଷର ବକ୍ଷ ଓ ବାହୁ ଭିତରେ ଆପଣାର ନାଆକୁ ଆଶ୍ରୟ ଦେବାକୁ । କି ପୁରୁଷ, କି ନାରୀ ସମସ୍ତେ ଚାହିଁବେ, କେହି ତାଙ୍କୁ ଦି’ପଦ ସ୍ନେହଭରା କଅଁଳିଆ ମିଠା କଥା କହୁ; ଆଉ ତାଙ୍କ ଦେହରେ ପ୍ରେମର ପରଶ ବୋଳିଦେଉ ।

 

ସମସ୍ତେ କିଛି ସମୟ ପାଇଁ ନୀରବ ରହିଲେ ।

 

ନୀରବତା ଭଙ୍ଗ କରି କଲା କହିଲା—ବସନ୍ତ ବାବୁଙ୍କର କଅଣ ବିବାହ କରିବାକୁ ଇଚ୍ଛା ହୁଏନି ?

 

ଅନନ୍ତ ସାଙ୍ଗେ ସାଙ୍ଗେ ପ୍ରତିବାଦ କରି କହିଲା—ନାରୀ ଜାତିଟାକୁ ସେ ହିଂସ୍ର ଜନ୍ତୁଠାରୁ ଆହୁରି ବେଶି ଭୟକରେ

 

ଲୀନା କହିଲା—ମୋର ବି ଠିକ୍‌ ସେଇଆ ମନେହୁଏ ।

 

ପ୍ରତିବାଦ କଣ୍ଠରେ ସୁଭାଷ କହିଲା—ଭୁଲ୍‍ କହିଲା ଅନନ୍ତ, ବସନ୍ତ ଅତି ରୋମାଣ୍ଟିକ ।

 

ସମସ୍ତେ ହୋ ହୋ କରି ହସିଉଠିଲା ।

 

ସୁଭାଷ ବିବ୍ରତ ନ ହୋଇ କହିଲା—ବସନ୍ତ ରୋମାଣ୍ଟିକ ନ ହୋଇଥିଲେ କଅଣ ତା’ର ହୃଦୟରେ ଜଣେ ନାରୀ ଆଲୋଡ଼ନ ସୃଷ୍ଟି କରିଥାଆନ୍ତା ? ଝଙ୍କାର ତୋଳି ପାରନ୍ତା ?

 

ଅନନ୍ତ ବିସ୍ମିତ ହୋଇ କହିଲା—ସତ ନା କଅଣ ? ତା ପରି ବେରସିକ ଓ ଗଦ୍ୟମୟ ଲୋକକୁ ପ୍ରେମ କରିବାକୁ ଝିଅ ଦୁନିଆଁରେ ଅଛନ୍ତି ବୋଲି ବିଶ୍ୱାସ ହେଉନି । କାରଣ ବସନ୍ତ କହେ, ସଂସାରରେ ଯଦି ନିଆଁ ଥାଏ, ତାହା ହେଉଛି ପ୍ରେମର କୁହୁଳା ନିଆଁ । ସଂସାରରେ ଯଦି ଜଳନ୍ତା ଚୁଲି ଥାଏ, ତେବେ ସେ ହେଉଛି ନାରୀର ହୃଦୟ । ଆଚ୍ଛ, କହିଲୁ କହିଲୁ, ସେ ନାରୀ ଜଣଙ୍କ କିଏ-?

ସୁଭାଷ କହିଲା—ତା ପ୍ରେମ କାହାଣୀ ଯେମିତି ବିସ୍ମୟକର, ସେମିତି ଅସ୍ୱାଭାବିକ ମଧ୍ୟ-। ଅବଶ୍ୟ ସେ ଭଦ୍ରମହିଳାଙ୍କର ପରିଚୟ ମୁଁ ଏ ପର୍ଯ୍ୟନ୍ତ ଉଦ୍‌ଘାଟନ କରିବାକୁ ସମର୍ଥ ହୋଇନି-। ଯଦିବା ବସନ୍ତ ତା କାହାଣୀ ମତେ କହିଛି, ତେବେ ବି ସେ ମହିଳାଙ୍କ ପରିଚୟ ବିଷୟରେ ସମସ୍ତ ସୁରାକ ସେ ଗୋପନୀୟ ରଖିଛି ।

ଗପ ଶୁଣିବା ପାଇଁ ସମସ୍ତେ ଉଦ୍‌ବେଗ ପ୍ରକାଶକଲେ ।

ସୁଭାଷ ପୁଣି କହିଲା—ଚାକିରୀ କରିବାର ଏକବର୍ଷ ପରେ ତା’ର ପରିଚୟ ହୁଏ ସେ ଭଦ୍ରମହିଳାଙ୍କ ସହିତ । କିପରି ଯେ ପରିଚୟ ହେଲା, ତା ମୁଁ ଜାଣେନା । ତେବେ ଯାହାହେଉ, କ୍ରମେ ଦୁହିଁଙ୍କର ଘନିଷ୍ଠତା ଜନ୍ମେ । ଅଧିକାଂଶ ସମୟରେ ସେ ବସନ୍ତ ଘରକୁ ଯାଆନ୍ତି । କିନ୍ତୁ ବସନ୍ତ ତାଙ୍କ ଘରକୁ କ୍ୱଚିତ ଯାଏ । ଅନେକ ଥର ସେ ବସନ୍ତକୁ ଚା ଖାଇବା ପାଇଁ, ସିନେମା ଯିବା ପାଇଁ ବା ବୁଲିଯିବା ପାଇଁ ନିମନ୍ତ୍ରଣ କରିଛନ୍ତି । କିନ୍ତୁ ବସନ୍ତ ବିଭିନ୍ନ ଆଳ ଦେଖାଇ ତାଙ୍କ ଅନୁରୋଧକୁ ଏଡ଼ିଦେବାକୁ ଚେଷ୍ଟାକରିଛି । କାରଣ ବସନ୍ତ ଭାବେ, ପୁରୁଷ ଓ ସ୍ତ୍ରୀ ଭିତରେ ବିଶେଷ ମିଳାମିଶା ହୋଇ ଘନିଷ୍ଠତା ଜମାଟ ବାନ୍ଧିଗଲେ ତାହା ପ୍ରେମରେ ପରିଣତ ହୁଏ । ଆଉ ଏଇ ପ୍ରେମ ହେଉଚି ଗୋଟାଏ ରୋଗ, ଯାହା ମନୁଷ୍ୟକୁ ଅଜାଣତରେ ଆକ୍ରମଣ କରେ ।

ବସନ୍ତର ଏଇ ରକମ ବ୍ୟବହାରରେ ଭଦ୍ରମହିଳା ଟିକିଏ ଆଘାତ ପାଇଥିଲେ । ଥରେ ଗୋଟିଏ ବଡ଼ ମଜା କଥା ଘଟିଲା । ବସନ୍ତର ଘରୁ ତା’ର ବ୍ୟବହାର୍ଯ୍ୟ ଅଥଚ ଅତି ଅଳ୍ପ ମୂଲ୍ୟର ଛୋଟ ଛୋଟ ଗୁଡ଼ିଏ ଜିନିଷ ଗେଞ୍ଜି, ରୁମାଲ ପ୍ରଭୃତି ଚୋରିଗଲା । ସେ ହଜିଗଲା ବୋଲି ଭାବିଲା ଏବଂ ଏ ବିଷୟରେ ମୁଣ୍ଡ ଖେଳାଇବାକୁ ଉଚିତ ମନେ କଲାନି ।

ହଠାତ୍‌ ଦିନେ ସେ ଭଦ୍ରମହିଳାଙ୍କ ଘରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲାବେଳେ ବସନ୍ତ ଲକ୍ଷ୍ୟକଲା ଯେ, ତା’ର ଗୋଟାଏ ରୁମାଲ ଅଳ୍ପ ମସିଆ ହୋଇ ଟେବୁଲ ତଳେ ପଡ଼ିଛି । ସେଇଟାକୁ ଟେବୁଲ ତଳୁ ଉଠାଇଆଣି ବସନ୍ତ ଯେତେବେଳେ ଦେଖିଲା, ତା’ର କୌଣସି ସନ୍ଦେହ ରହିଲା ନାହିଁ ଯେ ସେଇଟା ତା’ରି ରୁମାଲ ବୋଲି । ଭଦ୍ରମହିଳା ଜଣକ ବ୍ୟାପାରଟାକୁ ଲକ୍ଷ୍ୟକରି ଶଙ୍କିତ ହୋଇ ପଡ଼ିଲେ । ମୁହଁ ତାଙ୍କର ପାଣ୍ଡୁରା ପଡ଼ି ଆସିଲା । ଛେପ ଢୋକି ଭଙ୍ଗା ଭଙ୍ଗା ସ୍ୱରରେ ସେ କହିଲେ, ଆପଣଙ୍କ ରୁମାଲଟା ଭୁଲ୍‍ରେ ମୁଁ ନେଇ ଆସିଥିଲି ।

ତା ପରଦିନ ଭଦ୍ରମହିଳା ବସନ୍ତର ଡ୍ରଇଂ ରୁମ୍‌ରେ ବସିଥିବା ବେଳେ ସୋଫା ଉପରେ ପଡ଼ିଥିବା ବସନ୍ତର ରୁମାଲଟାକୁ ନେଇ ବ୍ଲାଉଜ ଭିତରେ ଲୁଚାଇଦେଲେ । ବସନ୍ତ ଘରଭିତରକୁ ପଶିଆସି ଏହା ସ୍ପଷ୍ଟ ଲକ୍ଷ୍ୟକରି ପାରିଥିଲା । କାରଣ ରୁମାଲର ଅତି କ୍ଷୁଦ୍ର ଅଂଶ ତାଙ୍କ ବ୍ଲାଉଜ ଉପରକୁ ଦିଶୁଥିଲା । ବସନ୍ତ ଏକଥା ଦେଖି ନିଜ ଆଖିକୁ ବିଶ୍ୱାସ କରି ପାରିଲା ନାହିଁ । ମହିଳାଙ୍କ ଆଡ଼କୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଅନେଇଲା ବସନ୍ତ । ଭଦ୍ରମହିଳା ଜଣକ ଏହା ଲକ୍ଷ୍ୟ କରିପାରି ତା ଦୃଷ୍ଟିରୁ ନିଜକୁ ଏଡ଼ାଇବା ବାହାନାରେ କହିଲେ, ‘ବସନ୍ତ ବାବୁ ! ଆପଣ ବିବାହ କରୁ ନାହାନ୍ତି କାହିଁକି ?’

ସାମାନ୍ୟ ଶବ୍ଦ କରି ହସି ବସନ୍ତ କହିଲା—ଏମିତି ମୁଁ ବେଶ୍‌ ଭଲରେ ଅଛି ?

 

ଆପଣଙ୍କର କଅଣ କେବେ କୌଣସି ନାରୀର ସଙ୍ଗସୁଖ ପାଇବାକୁ ଇଚ୍ଛା ହୁଏନି ?

 

ଦୁର୍ବଳ କଣ୍ଠରେ ବସନ୍ତ କହିଲା—ସେ ବିଷୟରେ ମୁଁ କେବେ ଭାବେନି ।

 

କଟାକ୍ଷହାଣି ଭଦ୍ରମହିଳା ପୁଣି କହିଲେ—ଫ୍ରଏଡ଼ଙ୍କ ମତରେ ଅତିରିକ୍ତ ଯୌନ ଅବରୋଧ ଯୋଗୁଁ ମଣିଷର ମାନସିକ ବିକୃତି ଦେଖା ଦେଇପାରେ । ଭବିଷ୍ୟତରେ ଆପଣ ଯେ ବ୍ୟାଧିଗ୍ରସ୍ତ ନ ହେବେ, ଏକଥା କିଏ କହିବ ?

 

ଗମ୍ଭୀର କଣ୍ଠରେ ବସନ୍ତ କହିଲା—ଫ୍ରଏଡ଼ଙ୍କର ସବୁ ଥିଓରି ଯେ ସମ୍ପୂର୍ଣ୍ଣ ଠିକ୍‌, ଏହା ମୁଁ ବିଶ୍ୱାସ କରେନି ।

 

ଭଦ୍ରମହିଳା ପୁନର୍ବାର ପ୍ରଶ୍ନ କଲେ—ଏମିତି ଏକୁଟିଆ ଜୀବନ କଅଣ ଭଲ ଲାଗେ ? କେବେ କୌଣସି ସାଥୀ ପାଇବାକୁ ଆପଣଙ୍କର ଇଚ୍ଛା ହୁଏନି ?

 

ନା ସେ କଳ୍ପନା ମୁଁ କରେନି । କାରଣ ଭାରାକ୍ରାନ୍ତ ମୁଣ୍ଡକୁ ମୋର ଆହୁରି ଭାରାକ୍ରାନ୍ତ କରିବାକୁ ମୁଁ ଚାହେଁନା ବୋଲି ବସନ୍ତ କହିଲା ।

 

ବିଦ୍ରୁପ କଣ୍ଠରେ ଯୁବତୀ ଜଣକ କହିଲେ—ଆପଣ ବଡ଼ ଦୁର୍ବଳ ବସନ୍ତ ବାବୁ !

 

ନିଜର କାମନାରେ ଆହୁତି ଦେବାକୁ ଆପଣ ଯଦି ଦୁର୍ବଳତା ବୋଲି କହନ୍ତି, ତେବେ ମୁଁ ନିଜକୁ ଦୁର୍ବଳ ବୋଲି ମାନି ନେବାକୁ ପ୍ରସ୍ତୁତ ଅଛି ।

 

ବସନ୍ତର ଏଇ ଉତ୍ତରରେ ସେଦିନ ଭଦ୍ରମହିଳା ଅତ୍ୟନ୍ତ ମର୍ମାହତ ହୋଇଥିଲେ ଏବଂ ଆଉ ବସନ୍ତ ସହିତ ପ୍ରାୟ ଦେଖା କରି ନ ଥିଲେ କହିଲେ ଚଳେ ।

 

ଏହା ପରେ ଆଉଦିନେ ଭଦ୍ରମହିଳା ଟ୍ରେନ୍‌ରେ କେଉଁଆଡ଼େ ଯାଉଥିଲେ । ହଠାତ୍‌ ଷ୍ଟେସନରେ ବସନ୍ତର ତାଙ୍କ ସହିତ ସାକ୍ଷାତ ହେଲା । ସକାଳ ପହର । ଭଦ୍ରମହିଳା ତାଙ୍କ କାନ୍ଧରେ ପଡ଼ିଥିବା ଗୋଟାଏ ତଉଲିଆ ଟ୍ରଙ୍କ ଭିତରେ ଭର୍ତ୍ତି କରିବା ପାଇଁ ଟ୍ରଙ୍କ ଖୋଲିଲେ । ଟ୍ରଙ୍କ ଖୋଲା ହେବା ବେଳେ ବସନ୍ତ ଦେଖିଲା, ଝାଳ ଲାଗି କାଖ ପାଖ ମଇଳା ହୋଇ ଯାଇଥିବା ଗେଞ୍ଜିଟାଏ ଲୁଗାପଟା ଉପରେ ଥୁଆହୋଇଛି । ଗେଞ୍ଜିଟା କାହାର ତାହା ଜାଣିବାର ଉପାୟ ଯଦିବା ନ ଥିଲା, ତଥାପି ଜଣେ ମହିଳାଙ୍କ ଟ୍ରଙ୍କରେ ଗୋଟାଏ ଗେଞ୍ଜି ଦେଖି, ସେ ଟିକିଏ ଆଶ୍ଟର୍ଯ୍ୟ ହେଲା ।

 

ଏତିକି କହିବା ପରେ ସୁଭାଷ ଲିଭି ଯାଇଥିବା ଚୁରୁଟ୍‌ରେ ଅଗ୍ନି ସଂଯୋଗ କଲା ।

 

କୋଉଠି ଥିଲା କେଜାଣି, ଏଇ ସମୟରେ ହଠାତ୍‌ ଆକସ୍ମିକ ଭାବରେ ବସନ୍ତର ଆବିର୍ଭାବ ହେଲା ଗପର ଆସରରେ ।

 

ବସନ୍ତକୁ ଦେଖି ସୁଭାଷ କହିଲା—ପ୍ରତ୍ୟେକ ମୁହୂର୍ତ୍ତରେ ଏଠାରେ ତୋର ଉପସ୍ଥିତିକୁ ମୁଁ ଆଶା କରୁଥିଲି । ତେବେ ତୋର ଏତେ ଡେରି କାହିଁକି ?

 

ଈଷତ ହସି ବସନ୍ତ କହିଲା—ଜଣେ ଭଦ୍ରଲୋକ ମତେ ଅଟକାଇ ଦେଲେ...ବାକିତକ କଥା ତାର ମୁହଁରେ ରହିଗଲା । ସେ ହଠାତ୍‌ ଲୀନା ଦେବୀଙ୍କୁ ଦେଖି କହିଉଠିଲା, ଆରେ ଲୀନା ଦେବୀ ! ଆପଣ ଯେ, ନମସ୍କାର, ନମସ୍କାର ! ଅନେକ ଦିନ ପରେ ଆପଣାଙ୍କ ସଙ୍ଗେ ଦେଖାହେଲା । ଭଲ ଅଛନ୍ତି ତ ?

 

ଲୀନା ଦେବୀ ଟିକିଏ ବିବ୍ରତ ହେଲା ପରି ଜଣାପଡ଼ିଲେ । ମୁହଁରେ ଶୁଖିଲା ହସଟିଏ ଉକୁଟାଇ ଅତି କ୍ଷୀଣ କଣ୍ଠରେ ସେ କହିଲେ, ନମସ୍କାର....ହଁ…..ଏକରକମ ଭଲ ଅଛି । ତା ପରେ ହଠାତ୍‌ ଲୀନା ଦେବୀ ‘କ୍ଷମା କରିବେ, ଏକ ମିନିଟରେ ଆସୁଛି’ କହି ଲୋକଗହଳି ଭିତରେ ମିଶିଗଲେ । ଆଶ୍ଚର୍ଯ୍ୟ ଭାବରେ ସମସ୍ତେ ଅନେଇ ରହିଲେ ତାଙ୍କର ଗତିପଥକୁ ।

 

ବସନ୍ତ କହିଲା—ହଇରେ ସୁଭାଷ, ତୋ ପାଖରେ ଚୁରୁଟ୍‌ ଅଛି ? Bossଙ୍କର ଚୁରୁଟ୍‌ ସରି ଯାଇଛି; ସେ ଗୋଟାଏ ଚୁରୁଟ୍‌ ଚାହାନ୍ତି । ତାଙ୍କ ପାଇଁ ଚୁରୁଟ୍‌ର ଅନ୍ୱେଷଣରେ ମୁଁ ବୁଲୁଥିଲି । ତୋ ମୁହଁରେ ଚୁରୁଟ୍‌ ଦେଖି ତୋ ଉପରେ ଚାନ୍ଦା କରିବି ବୋଲି ଆସିଲି । ଚୁରୁଟ୍‌ଟାଏ ପକେଟରୁ କାଢ଼ି ସୁଭାଷ ବଢ଼େଇଦେଲା । ସେଇଟାକୁ ପକେଟରେ ରଖି ‘ପରେ ଆସୁଛି’ କହି ବସନ୍ତ ଅନ୍ତର୍ଦ୍ଧାନ ହେଲା ।

 

ସୁଭାଷ ଖିଅ ଧଇଲା । ଏଇ ଘଟଣାର ଠିକ୍‌ ପରେ ପରେ ବସନ୍ତ ମତେ ସବୁ କଥା କହି ପ୍ରଶ୍ନକଲା, ‘ଆଚ୍ଛା, କହିପାରିବୁ ସୁଭାଷ ! କାହିଁକି ସେ ଭଦ୍ରମହିଳା ମୋର ଜିନିଷ ପତ୍ର ଚୋରି କରୁଥିଲେ ।

 

ମୁଁ କହିଥିଲି—ଏଇଟା ଚୋରି ନୁହେଁ, ଭଲ ପାଇବାର ଗୋଟାଏ ରୋଗ ।

 

‘ମାନେ ?’ ବସନ୍ତ ବିସ୍ମିତ ହୋଇ ପଚାରିଥିଲା ।

 

ମାନେଟା ଅତି ସହଜ । ଭଦ୍ରମହିଳା । ତତେ ଗଭୀର ଭାବରେ ଭଲ ପାଉଥିଲେ । ସେଇଥି ପାଇଁ ତୋର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକ ଉପରେ ତାଙ୍କର ଗୋଟାଏ ଆସକ୍ତି ଥିଲା । ତୋର ଦେହର ଝାଳ ପୋଛା ହୋଇଥିବା ଗନ୍ଧିଆ ରୁମାଲ ମଧ୍ୟ ତାଙ୍କୁ ବାସୁଥିଲା ଏବଂ ତହିଁରେ ସେ ଗୋଟାଏ ତୃପ୍ତି ଅନୁଭବ କରୁଥିଲେ ।

 

ଭ୍ରୂକୁଞ୍ଚିତ କରି ବସନ୍ତ ପ୍ରଶ୍ନ କରିଥିଲା—ତେବେ ଏଇ ଚୋରି କରିବାଟା କଅଣ ଭଲ ପାଇବାର ଲକ୍ଷଣ ?

 

ମୁଁ କହିଲି, ଏଇ ରୋଗଟିର ନାଁ କ୍ଲେପଟୋ-ମାନିଆ (Kleptomaina) । ଅତିରିକ୍ତ ଯୌନ ଅବରୋଧ ଯୋଗୁଁ ଏ ରୋଗ ଦେଖାଦିଏ । ସେଥିପାଇଁ ଚୋରି କରିବାଟା ଖରାପ ଜାଣିଲେ ମଧ୍ୟ ମାନସିକ ବିକୃତି ଯୋଗୁଁ ମଣିଷ ଚୋରି କରିବାର ଲୋଭ ସମ୍ବରଣ କରିପାରେନି ।

 

ଶଙ୍କାକୁଳିତ କଣ୍ଠରେ ବସନ୍ତ ପୁଣି ପଚାରିଥିଲା—ଏ ରୋଗରୁ ଭଲ ହେବାର ଉପାୟ-?

 

ଉପାୟ ଅତି ସହଜ । ବାହା ହୋଇଗଲେ ଏ ରୋଗ ଛାଡ଼ିଯିବ ବୋଲି ମୁଁ କହିଥିଲି ।

 

ଗପ ସରିଲା ପରେ ଦେଖାଗଲା ଯେ, ଲୀନା ଦେବୀ ଘଟଣା ସ୍ଥଳକୁ ଆଉ ଫେରିଆସି ନାହାନ୍ତି ।

 

ଧରିତ୍ରି ପ୍ରଶ୍ନ କଲା—ଗପଟାର ଉପଲକ୍ଷେ ତ ଧରାପଡ଼ିଲା ନି ?

 

ଏତିକି ଟିକେ ସାମାନ୍ୟ କଥା ବୁଝିପାରିଲନି । ମୋର ଗପଟା କହିବାର ମତଲବ ହେଉଛି, ତମେ ଯଦି ବାହା ନ ହୁଅ, ତେବେ ଏହିପରି ଗୋଟିଏ ଗୋଟିଏ ଲୀନା ଦେବୀ ବା ଆଉ କିଛି ହୋଇଯିବ ।

 

ସବିତା କହିଲା—ବାହା ହବୁ ଯେ, ପାତ୍ର କାହାନ୍ତି ? କିଏ ଆଗେଇ ଆସୁଚି ଆମକୁ ବାହା ହେବାକୁ ? ବାପା ମା’ତ ଏପର୍ଯ୍ୟନ୍ତ ପାତ୍ରଟିଏ ଲେଖାଏଁ ଆମ ପାଇଁ ଠିକ୍‌ କରି ପାରିଲେନି ।

 

‘ହସେଇଲ ତମେମାନେ ମତେ’ କହିଲେ ସୁବୀର ଭାଇ । ତମମାନଙ୍କୁ ବର ଅଭାବ ହବ ? ଆଖିର ଇସାରା ପାଇଲେ ପରା ପୁଅମାନେ କୁଢ଼େଇ ହେଇ ପଡ଼ିବେ ତମ ପାଦତଳେ । ବାଛ, କାହାକୁ ବାଛୁଛ ବାଛ ।

 

ଘର ଭିତରେ ଖେଳିଗଲା ଗୋଟାଏ ହସର ତରଙ୍ଗ କିଛି ସମୟ ପାଇଁ । ସୁବିର ଭାଇ ବିଦାୟ ନିଅନ୍ତି ।

 

ଚାରିଜଣ ଝିଅ ଆଲୋଚନା କରନ୍ତି ଭଲ ପାଇବା ଉପରେ ।

 

ସେବିକା କହେ—ପ୍ରେମ କଅଣ ?

 

ସୁଶ୍ରୀ କହେ—ମନର ମନ ଉପରେ ଆକର୍ଷଣ ହେଲା ପ୍ରେମ ।

 

ଧରିତ୍ରୀ କହେ—ପ୍ରେମ ହେଉଛି ଗୋଟାଏ ମିଛ ସପନ ।

 

ଅର୍ଥାତ୍‌ ?

 

ଅର୍ଥାତ୍‌, ସପନ ହେଉଛି ମିଛ । ମିଛ ସପନ ହେଉଛି ତାଠାରୁ ଆହୁରି ମିଛ । ଆଜି ଯେ ମନ ଖୋଲି ତମକୁ କହୁଛି, ସେ ତମକୁ ଭଲପାଏ ବୋଲି, କାଲି ହୁଏତ ସେ ତମକୁ କହିବ, ସେ ଏମିତି କହିଥିଲା ବୋଲି ତମେ ଭୁଲିଯାଅ । ବାସ୍ତବର ତାଡ଼ନା ତାକୁ ଏପରି କହିବାକୁ ବାଧ୍ୟ କରିଛି-। ଯାହାର ବୟସ କମ୍‌, ସେ ବାସ୍ତବତାରୁ କଳ୍ପନା ଆଡ଼କୁ ଟାଣିହୁଏ, ସତରୁ ମିଛ ଆଡ଼କୁ ଟାଣିହୁଏ-। ଯାହାର ଜୀବନରେ ଉଷ୍ଣ ନିଃଶ୍ୱାସ ଯେତିକି ବହିଯାଇଛି, ତାର ହୃଦୟ ସେତିକି ହାହାକାର କରିଛି-

 

ତୁ ତ କଅଣ ଗୋଟାଏ disappointed belovedଙ୍କ ଭଳି କଥା କହୁଛୁ । କେଉଁଠି ଅଭିଜ୍ଞତା ହାସଲ କରିଛୁ କି ? ପ୍ରଶ୍ନବାଚକ କଣ୍ଠରେ କୌତୁକତା ଭରି ପ୍ରଶ୍ନକଲା ସେବିକା-

 

ମୋର କଥା ତୁ ବୁଝି ପାରିଲୁନି । ଜଣେ ପ୍ରେମିକା ତା’ର ଜୀବନରେ ଏକରୁ ଅଧିକ ପାତ୍ରରେ ତା’ର ମଧୁ ଢାଳିଛି । ସେହିପରି ଜଣେ ପ୍ରେମିକ ତା’ର ପ୍ରେମ ଅଜାଡ଼ିଛି ଏକରୁ ଅଧିକ ମଧୁଭାଣ୍ଡରେ । ସେଥିରୁ ଯିଏ ଯାହା ପାଇଛି ତାକୁ ଜୀବନରେ ଧରିରଖିଛି । ଶେଷରେ ସେ ଉପଲବ୍‌ଧି କରିଛି ଯେ ସେ ପ୍ରେମ ଦେଇନି, କି ପ୍ରେମ ପାଇନି ।

 

ତା ହେଲେ ତୁ କହୁଛୁ, ପ୍ରେମ କରିବା କଅଣ ଅସତୀର କାମ ? ଜଣକୁ ମନ ଦେଇ ଆଉ ଜଣକୁ ମନ ଦେବା କଅଣ ଅସତୀର କାମ ? ଚିଡ଼ିଉଠିଲା ସବିତା ।

 

ନା, ତା ତ ମୁଁ କହୁନି; କହୁଛି ସମାଜ । ଅସ୍ତମିତ ଯୌବନକୁ ଧରିରଖିବା ପାଇଁ ବଡ଼ ହାକିମଙ୍କର ଚାଳିଶ ବର୍ଷର ବୁଢ଼ୀ ସ୍ତ୍ରୀ ଯଦି ସ୍ନୋ, ପାଉଡ଼ର, ଲିପ୍‌ଷ୍ଟିକର ଛାଞ୍ଚଟିଏ ମୁହଁ ଉପରେ ଥୋଇ ପଦାକୁ ବାହରନ୍ତି, ତେବେ ଯାତ୍ରା ମଉଚ୍ଛବ ବା ପାର୍ଟିରେ ତାଙ୍କର ଯୌବନ ଓ ସୁବାସ ଚହଟିଯାଏ; କିନ୍ତୁ ଆମ ବୟସର ଝିଅ ଯଦି ସାଜସଜ୍ଜା ବା ପରିପାଟିର ଅତିରଞ୍ଜନାରେ ଦେହକୁ ସଜାଇଥାଏ, ତେବେ ତା’ର ଗତିପଥର ପଛେ ପଛେ ଧାଇଁଯାଏ ସମାଜର ନାକଛିଞ୍ଚଡ଼ା ।

 

ଚାକିରିରୁ ଅବସର ଗ୍ରହଣ କରିବା ପରେ ଆମ ଶିକ୍ଷୟିତ୍ରୀମାନେ ଜୀବନର ସାୟାହ୍ନରେ ଯଦି ବେଦିକୁ ଯାଆନ୍ତି, ତେବେ ସେଇଟା ହୁଏ ଆଦର୍ଶ । କାରଣସ୍ୱରୂପ କୁହାଯାଏ ଯେ, ସେମାନେ ଦେହର ମିଳନ ପାଇଁ ବାହା ହେଉନାହାନ୍ତି, ହେଉଛନ୍ତି ମନର ମିଳନ ପାଇଁ । କିନ୍ତୁ ଯୁବତୀ ଝିଅ ଯଦି ପ୍ରେମ କଲା, କୁହାଯାଏ କଅଣ ନା ସେମାନେ କେଳି କରୁଛନ୍ତି । ଧନୀ ଯେଉଁକଥା କଲେ ପ୍ରଶଂସା ପାଏ, ଦରିଦ୍ର ସେଇକଥା କଲେ ନିନ୍ଦା ବରଣ କରେ । ଠିକ୍‌ ଯେମିତି ବଡ଼ଲୋକ ମଦ ପିଇଲେ ସେମାନେ ବିଚାରପତି, ଶାସକ, ମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରଦୂତ ହୋଇପାରିବେ ଅଥବା କିନ୍ତୁ ଜଣେ ଶିକ୍ଷକ, ବୈଜ୍ଞାନିକ ବା ସାହିତ୍ୟିକ ଯଦି ମଦ ପିଇବ ସେ ହବ ମଦୁଆ । ଦୁନିଆଁରେ ସତୀ, ଅସତୀ ବୋଲି କିଛି ନାହିଁ । ସବୁ ଗୋଟାଏ ମନର ବିକାର । ଯେଉଁମାନଙ୍କୁ ପୁରାଣ ସତୀ ବୋଲି ଅଭିହିତ କରିଛି, ସେମାନଙ୍କ ଭିତରୁ କେହି ସତୀ ନ ଥିଲେ । ସେମାନେ ସମସ୍ତେ ମହା ଅସତୀ । କୁନ୍ତୀ କହ, ଅହଲ୍ୟା କହ, ମନ୍ଦୋଦରୀ କହ, ଦ୍ରୌପଦୀ କହ—ସମସ୍ତଙ୍କର ଗୋଟିକରୁ ବେଶୀ ସ୍ୱାମୀ ଥିଲା । ଦ୍ରୌପଦୀଙ୍କ ଛଡ଼ା ସମସ୍ତେ ଅନ୍ଧାରୀ କାରବାର କରୁଥିଲେ ।

 

ନିରୋଳାରେ ସୁଶ୍ରୀର ମନରେ ଝଡ଼ ଉଠିଛି ।

 

ହଷ୍ଟେଲର ବିଛଣାର ଶୋଇ କଡ଼ ଲେଉଟାଇଲା ସୁଶ୍ରୀ । ନିଃଶ୍ୱାସରେ ତା’ର ଅସ୍ୱସ୍ତି । କେଉଁ ଏକ ଦୂର ସହରରେ ତୂଳିତଳ୍ପ ଶଯ୍ୟାରେ ଶୋଇଥିବ ସୁବ୍ରତ ! ପାଖରେ ଥାଇପାରେ ଅନୁରାଧା ।

 

ସୁବ୍ରତ ତାର କିଏ ? ହୁଏତ କେହି ନୁହେଁ । ସୁଶ୍ରୀ ଆଗରେ ତା’ର ପରିଚୟ, କେବଳ ତା’ର ମାଉସୀର ଯାଆର ଭଣଜା ହିସାବରେ । ସେହି ଭାବରେ ହୁଏତ ସୁବ୍ରତ ତା’ର ଭାଇ । କିନ୍ତୁ ସୁବ୍ରତକୁ ସେ କେବେହେଲେ ଭାଇ ବୋଲି ସମ୍ବୋଧନ କରିନି । ପ୍ରେମିକକୁ ଭାଇ ବୋଲି ଡାକି, ଭାଇ ଭଉଣୀର ଅନାବଳି ସମ୍ପର୍କକୁ ଅପମାନିତ ସେ କରିବାକୁ ଚାହିଁନି ।

 

ମନ୍ଦାର ଗଛରୁ ଅବାରିତ ଭାବରେ ଝରି ପଡ଼ୁଛି ବିନ୍ଦୁ ବିନ୍ଦୁ ଲୁହ । ସୁଶ୍ରୀ ଆଖିପତା ତଳେ ହାତ ମଇଲା । ନା, ସେ କାନ୍ଦୁନି । ସେ ଚାହେଁନା ଭାଙ୍ଗି ପଡ଼ିବାକୁ । କାନ୍ଦିଲେ ବା କ୍ଷତି କଣଅ ? ବରଂ ଜଳର ସଂସ୍ପର୍ଶରେ ଶାନ୍ତ ହେବ ତାର ବେଦନା ଦଗ୍‌ଧ ହୃଦୟ ।

 

ସୁବ୍ରତ ସୁଶ୍ରୀର ଅନ୍ତର୍ମୁଖୀ ଆତ୍ମା । ସେଇଥିପାଇଁ ଯେତେ ଚେଷ୍ଟା କଲେ ବି ତାର ଆତ୍ମାର ପରିମଣ୍ଡଳ ଭିତରୁ ଅନୁଭୂତିକୁ ସେ ଫୋପାଡ଼ି ଦେଇ ପାରି ନାହିଁ । ସ୍ୱପ୍ନରେ କିନ୍ତୁ ସୁବ୍ରତର ପାର୍ଥିବ ରୂପ ପାଖରେ ସୁଶ୍ରୀ ବୋଲି କେହି ନାହିଁ ! ସ୍ୱପ୍ନରେ ସୁଶ୍ରୀ ତା ପାଖକୁ ଆସିଥିଲା, ଆଉ ସ୍ୱପ୍ନ ସହିତ ସେ ବି ମିଳେଇ ଯାଇଛି ।

 

ନିଃଶବ୍ଦରେ ସୁବ୍ରତ ଆସିଥିଲା ସୁଶ୍ରୀର ମନ-ଅଙ୍ଗନକୁ । ତମିସ୍ରାଭରା ଅଙ୍ଗନରେ ଯେଉଁ କ୍ଷୁଦ୍ର ପ୍ରଦୀପଟି ଜଳୁଥିଲା, ତାକୁ ସେ ଝଡ଼ର ଝଲକାରେ ଲିଭାଇ ଦେଇଗଲା ।

 

ମଣିଷର ଉପରଟା ସବୁବେଳେ ଠକିଦିଏ । ଋଷିପରି ଦୂରର ପର୍ବତ ଗମ୍ଭୀର, କିନ୍ତୁ ନିକଟକୁ ଗଲେ ତାହା ଦୁର୍ଦ୍ଦମନୀୟ ଓ ଦୁର୍ଗମ । ଉପରକୁ ଅରଣ୍ୟ ଭୀତିପ୍ରଦ, କିନ୍ତୁ ଭିତରଟା ତାର ଐଶ୍ଵର୍ଯ୍ୟମୟ । ସମୁଦ୍ରଟା ତିକ୍ତ ଲବଣ ଜଳରେ ଭରା । ତା’ର ଢେଉର ବଜ୍ରଗମ୍ଭୀର ନିର୍ଘୋଷ କାନକୁ ଅପ୍ରୀତିକର ମନେହୁଏ, କିନ୍ତୁ ତା’ର ଅତଳ ଗର୍ଭରେ ରହିଛି ମଣିମୁକ୍ତା । ଶିକ୍ଷାଦ୍ୱାରା ଘଷାମଜା ହୋଇ ଜକ୍‌ ଜକ୍‌ କରୁଥିବା ସୁବ୍ରତ୍ରର ଉପରଟା ସେହିପରି ଅନ୍ତରର ବିଷୟବସ୍ତୁର ସୂଚିପତ୍ର ନୁହେଁ ।

 

ସୁଶ୍ରୀ କେଉଁଠି କାନ୍ଦିବ ? ହଷ୍ଟେଲରେ କଅଣ କାନ୍ଦିହୁଏ, ନା କଲେଜରେ କାନ୍ଦିହୁଏ ? ଅଶୋକବନରେ ସୀତାଙ୍କୁ ଅସୁରୁଣୀମାନେ ଘେରି ରହିଲା ପରି ସବୁଠି ତାକୁ ଘେରି ରହିଛନ୍ତି ସାଙ୍ଗମାନେ । ଧରିତ୍ରୀ, ସେବିକା, ସବିତା, କମଳା–ସମସ୍ତେ ହସକୁଡ଼ି ଗୁଡ଼ାକ । ସବୁବେଳେ ହେଁ ହେଁ କରି ହସୁଥିବେ । ଜୀବନଟା ତାଙ୍କ ଆଗରେ ନୂତନ । ଅନଭୂତି ଓ ବାସ୍ତବତାର ଧକ୍‌କା ପାଇନାହାନ୍ତି ସେମାନେ ।

 

ସେବିକା ବୋଲି ଯେଉଁ ଝିଅଟା, ଆଦୌ ସିରଅସ୍‌ ନୁହେଁ । ସବୁବେଳେ ହିଁ ହିଁ ହଉଥବ-। କଲେଜରୁ ଆସିଲା ତ ଆମମାନଙ୍କୁ ଦର୍ଶନ କରି ଆମ୍ଭର କରିଦବ ପ୍ରଫେସରମାନଙ୍କ ବିଷୟରେ କ୍ୟାରିକେଚର୍‌ । ନିଜେ ହସିବ ଓ ଅନ୍ୟକୁ ସଂକ୍ରାମିତ କରିବ ତା ହସ । ସେଇ ଯେଉଁ ବଙ୍ଗାଳୀ ଲେକ୍‌ଚରର୍‌ ନିବାରଣ ବାବୁ ବେଳେ ବେଳେ ଏଠିକି ଆସନ୍ତି, ତାଙ୍କୁ ଭଲପାଏ ସେବିକା ।

 

ସୁଶ୍ରୀର ମନ ଭିତରେ ଗୁଡ଼େଇ ହୋଇଗଲା ହଷ୍ଟେଲ ଜୀବନର ସାଙ୍ଗମେଳରେ ଆଳାପ ଆଲୋଚନାର କେତୋଟି ପୃଷ୍ଠା ।

 

ନିବାରଣ ବାବୁଙ୍କର ଚାଲି ବଡ଼ ସୁନ୍ଦର ।

 

ଆଉ କଅଣ ସୁନ୍ଦର ?

 

ଚାହାଣୀ ବଡ଼ ମାଦକଭରା ।

 

ଆଉ କଅଣ ମଧୁଭରା ?

 

ହସ ।

 

‘କଥା’ଟା ଛାଡ଼ିଗଲୁ ଯେ ?

 

କଥାଗୁଡ଼ାକ ହେଉଛି ବଡ଼ ମମତାମୟ ।

 

ଆଉ ଚେହେରାଟା ସୁନ୍ଦର, ନା ହୁନ୍ଦର ମ ?

 

ତୁ ସେମିତି ଥଟ୍ଟା କରିବୁନି ସୁଶ୍ରୀ ।

 

ତୋ ପ୍ରେମିକ ଗୋଟିଏ ବିରାଟ ମା...ଇ...ଚି...ଆ ।

 

ହେଲେ ଏବେ ହେଲା, ତୋର କଅଣ ଯାଉଛି ଯେ ?

 

ମୋର କିଛି ଯିବନି ଯେ, ତେବେ କହୁଥିଲି—ପ୍ରେମ କରିବୁ ତ କର, କେହି ମନା କରୁନି । ସମସ୍ତଙ୍କ ଆଗରେ କିଏ ଏମିତି ହିଁ ହିଁ ହେଉଛି ?

 

ନ ହେଲେ ତମରି ଭଳି ଧାନ ଉଷୁଆଁ ହାଣ୍ଡିପରି ମୁହଁଟା କରି ବସିଥିବି, ନା କଅଣ ?

 

ହଉ, ମୋ ଉପରେ ଚିଡ଼ୁଛୁ ଏଇନେ । ଯେତେବେଳେ କଚଡ଼ା ଖାଇବୁ, ସେତେବେଳେ ମତେ ସ୍ମରଣ କରିବା ଦରକାର ନାହିଁ, ସ୍ମରଣ କରିବୁ ତୋର ଇଷ୍ଟଦେବଙ୍କୁ ।

 

ସମସ୍ତେ ଖାଲି କଚଡ଼ା ଖାଉଛନ୍ତି ? ପ୍ରେମ କରି ଦୁନିଆଁରେ ଆଉ କେହି ବାହା ହଉ ନାହାନ୍ତି ?

 

ହଇଲୋ, ପ୍ରେମଟା ଯେମିତି ଭାରି ସହଜ କଥା ହୋଇଛି, ତୁ ତ କଅଣ ସେଇଭଳି କହୁଛି ! ଲୋକ ଏଥିରେ କେତେବେଳେ ଝାଳନାଳ ହୁଏ, କେତେବେଳେ ଆଣ୍ଠୁଗଣ୍ଠି ଛିଡ଼ାଏ, କେତେବେଳେ ଗଭୀର ଜଳରେ ପହଁରା ନ ଜାଣିଥିବା ଲୋକ ପରି ଉବେଇ ଟୁବେଇ ହୁଏ ।

 

ମୁଁ ଏବେ ଉବେଇ ଟୁବେଇ ହେଲେ ହେବି ।

 

ଭଲ କଥା !

 

ସବିତା ମହା ଫାଜିଲ ଝିଅଟାଏ । ପ୍ରେମିକ ସିନା ପ୍ରେମିକା ପଛରେ ଗୋଡ଼ାଏ ! କିନ୍ତୁ ତା’ର ଓଲଟା କଥା । ସେ ଗୋଡ଼େଇ ବ ପୁଅମାନଙ୍କ ପଛରେ । ବଡ଼ ଅଲାଜୁକୀ । ସେ ଯେମିତି ଗୋଟାଏ ଅର୍ଗେଣ୍ଡି-ନାଇଲନ୍‌, ତା ସାଙ୍ଗକୁ ଜୁଟିଛନ୍ତି ସବୁ ଡେକ୍ରନ ଟେରିଲିନ୍‌ ତକ । ପାତଳ ଆଭରଣର ଖୋଳପା ଭିତରେ ମୁକ୍ତାଗୁଡ଼ାକ ଜକ୍‌ ଜକ୍‌ ହୋଇ ଦିଶୁଛି ।

 

ଆଲୋ ହେ ସବିତା ! ଟିକିଏ ସିର୍‌ଅମ୍‌ ହ ।

 

‘ଦୁନିଆଁରେ ମୁଁ କଅଣ କାନ୍ଦିବାକୁ ବଞ୍ଚିଛି ? ସିରିଅସ୍‌ କାହିଁକି ହେବି ?

 

କାନ୍ଦିବୁ ? ବେଳ ପଳେଇ ଯାଇନି । କାନ୍ଦିବା ବେଳ ଆସୁଛି ।

 

ହସ କାନ୍ଦର ଦୁନିଆଁ । ହସିଲା ବେଳେ ହସୁଛେ; ଯେତେବେଳେ କାନ୍ଦିବାକୁ ଦରକାର ପଡ଼ିବ, କାନ୍ଦିବା । ୟା ବୋଲି ଭବିଷ୍ୟତରେ କାନ୍ଦିବାକୁ ଯେପରି ନ ପଡ଼େ, ସେଥିପାଇଁ ଆଜିଠୁ ଆଖିରୁ ଲୁହତକ ସାରି ଦେଇଥିବା ?

 

ମୋ କଥାଗୁଡ଼ାକ ତ ତମମାନଙ୍କୁ ସବୁ ଅପସନ୍ଦ । ବିଜୟ ନାଙ୍ଗିଆ ବୋଲି ତା ପାଖକୁ ସେଇ ଯୋଉ ପଞ୍ଜାବୀ ଟୋକାଟା ଆସୁଛି, ସେଉଟା ଗୋଟାଏ ଦେଖା ସୁନ୍ଦର କଖାରୁ ବଡ଼ି । ତତେ ସେ ଠକି ଦବ । ଖାଲି ଏମିତି ସେମିତି ଠକିବନି । ବିଲ୍‌କୁଲ୍‌ ସାରିଦବ ।

 

ସବୁ କଥାରେ ତମର ଗୋଟାଏ ଟିପ୍‌ପଣୀ । ସୁ’ଦିଦି, ତମେ ଭାବିଛି, ସେଇ ଏକା ସିଆଣିଆ ଅଛି; ଆଉ ମୁଁ ବୋକୀ ବସିଛି । ଖେଳାଳୀ ରାସ୍ତାରେ ମାଙ୍କଡ଼ ନଚେଇଲା ପରି ମୁଁ ତାକୁ ଆଙ୍ଗୁଠି ଆଗରେ ନଚେଇବି । ବସ୍‌ ବୋଲି କହିଲେ ବସିବ, ଉଠ୍‌ ବୋଲି କହିଲେ ଉଠିବ । ତମେ ମତେ କଅଣ ବୋଲି ପାଇଲଣି କି ? ପୁଅଗୁଡ଼ାଙ୍କୁ ମୁଁ ଜାଣିନି ! ସମସ୍ତେ ଗୋଟାଏ ଗୋଟାଏ ବିକଳ ନନା । ସେମାନଙ୍କ ସାଙ୍ଗରେ ଲୁଚକାଳି ଖେଳୁଥିବ, ଆଉ ଫାଇଦା ଉଠଉଥିବ । କିନ୍ତୁ ସହଜରେ ଧରା ଦବନି । ସିନେମା, ଥିଏଟର, ହୋଟେଲ୍‌, ରେସ୍ତୁରାଂ ସବୁଠିକି ଯିବ; କିନ୍ତୁ ନିଭୃତ ଜାଗାକୁ ଯିବନି । ଯଦି ଯିବ, ଅନ୍ୟକୁ ସାଙ୍ଗରେ ନେଇ ଯିବ । ତମ ପିଛା ପଇସା ଶ୍ରାଦ୍ଧ କରି କରି ସେ ଯେତେବେଳେ କିଛି ପାଇଲାନି ବୋଲି ଦେଖିବ, ସେତେବେଳେ ସେ ଛାଁକୁ ଛାଁ ଅନ୍ୟ ଝିଅ ପିଛା ଲାଗିଯିବ । ତମେ ବି ତା କବଳରୁ ମୁକ୍ତି ପାଇବ ।

 

ଆରେ ବାପ୍‌ରେ ବାପ୍‌ ! ତୁ ତ ସଂଘାତିକ !

 

ସାଘାଂତିକ ଯେ ନ ହେବ, ସେ ପୁଅମାନଙ୍କୁ ନେଇ ଖେଳ ଖେଳିବ କାହିଁକି ? ପଙ୍କ ଘାଣ୍ଟି ହବ କାହିଁକି ?

 

ଗାତ ଚୁଲିକୁ ଯାଉ ତୋର ଉପଦେଶ ।

 

ଆଉ ଧରିତ୍ରୀ ! ଇଲୋ ବୋଉଲୋ, ସେ ତ ଗୋଟାଏ ପହିଲିମାନ୍‌ । ହଷ୍ଟେଲକୁ ଆସିଲା ମାନେ ଅତି ପ୍ରେମରେ କାହାକୁ ବିଧାଟାଏ, କାହାକୁ ଚାପୁଡ଼ାଟାଏ—ଏହିପରି ସମସ୍ତଙ୍କ ଉପରେ କିଛି ନା କିଛି ହେଇଯିବ । ସାଙ୍ଗମାନଙ୍କ ଉପରେ ପ୍ରେମ ପରିବେଷଣ କରିବାକୁ ନମୁନା ଏସବୁ । ଅତି ଦୁର୍ଦ୍ଦାନ୍ତ ଝିଅଟା ! ଅତି ଅଶ୍ଳୀଳ । ତାର ଇହକାଳ ପରକାଳ ହେଉଛନ୍ତି ସୁବୀର ଭାଇ-

 

ହଇଲୋ ଧରିତ୍ରୀ, ତୁଳିକା କହୁଥିଲା ସେ କାଲି ତୋ ସୁବୀର ଭାଇକୁ ସାଲୱାର୍‌-ପଞ୍ଜାବି ପିନ୍ଧା ଗୋଟିଏ ଝିଅ ସହିତ ସିନେମା ହଲରେ ବସିଥିବାର ଦେଖିଥିଲା ।

 

ଥାଉ, ସେଥିରେ ମୋର ଯାଏ ଆସେ କଅଣ ? ତାଙ୍କରି ଅର୍ଥରେ ମୁଁ ମୋର ଅଭିଳାଷ ଚରିତାର୍ଥ କରିସାରିଛି । ମୋ ଦେହରେ ଆଉ କିଛି ଥାଉ କି ନ ଥାଉ, ପାଠ ତ ଅଛି । ଏଣିକି ପଇସା ଗୋଡ଼େଇବ ମୋ ପଛରେ, ଆଉ ତା ସାଙ୍ଗେ ସାଙ୍ଗେ ପୁଅମାନେ ମଧ୍ୟ ।

 

ଛି ଛି, ଦୁନିଆଁରେ ମଣିଷର ଆଦର୍ଶ ବୋଲି କିଛି ଗୋଟାଏ ନାହିଁ ? ଯାହାର ପାଦତଳେ ତୁ ମନ ପ୍ରାଣ ସବୁ ଢାଳି ଦେଇଛୁ, ତାକୁ ଧରି ରଖିବାକୁ ଚେଷ୍ଟା କରିବୁନି ?

 

ଆଲୋ ବୋକୀ, ଯଦି ଦୁଇଜଣ ପରସ୍ପରକୁ ଧରାଧରି ନ ହୋଇଛ, ତେବେ ଜଣେ ଅନ୍ୟଜଣକୁ ଧରିରଖିବା ବିଡ଼ମ୍ବନା ମାତ୍ର । ଆଜିକାଲିର ଦୁନିଆଁରେ ଧରାଧରି ହେବାର ଦଉଡ଼ି ହେଉଛି ସ୍ୱାର୍ଥ । ମିଥ୍ୟାର ମଧୁର ବାଣୀ ସମସ୍ତେ ପ୍ରୟୋଗ କରି ଜାଣନ୍ତି; କିନ୍ତୁ ମିଠାରେ ଯେଉଁ ଅଠା ଥାଏ, ତାହା ମଣିଷକୁ ମଣିଷ ସହିତ ଯୋଖିବା ପାଇଁ ଯଥେଷ୍ଟ ନୁହେଁ । ସେଥିପାଇଁ ଦରକାର ଶକ୍ତ ଦଉଡ଼ି । ଏଇ ଦଉଡ଼ି ହେଉଛି ସ୍ୱାର୍ଥର ଦଉଡ଼ି । ଏଥିରେ ସମସ୍ତେ ବନ୍ଧା, ରକ୍ତର ବାପା ମା’ଙ୍କଠାରୁ ଆରମ୍ଭ କରି ସ୍ୱାମୀ ସ୍ତ୍ରୀ ପର୍ଯ୍ୟନ୍ତ । ଆଜି କାଲିର ସଭ୍ୟ ସମାଜରେ ସ୍ୱାର୍ଥତ୍ୟାଗ ବା ଆଦର୍ଶର ସ୍ଥାନ ନାହିଁ । ସ୍ୱାର୍ଥର ସଂଘର୍ଷର ମଣିଷ କ୍ଷତ ବିକ୍ଷତ । ଆଜିକାଲି ଦୁନିଆଁରେ ଯେଉଁମାନେ ଭଣ୍ଡ, ପ୍ରତାରକ–ସେଇମାନେ ହିଁ ସବୁଠାରୁ ବଡ଼ ଆଦର୍ଶର ପ୍ରଚାରକ । ପ୍ରକୃତ ଆଦର୍ଶକୁ ଯିଏ ଧରି ବସିବ, ତା’ର ହିମାଳୟ ଯିବା ଦରକାର । ସତୀତ୍ୱ ମଧ୍ୟ ଗୋଟାଏ ଆଦର୍ଶ କିନ୍ତୁ ଏ ଆଦର୍ଶ ଗୋଟାଏ ନିରର୍ଥକ ଆଦର୍ଶ । କାରଣ ଦୁନିଆଁରେ ଯେମିତି ନିଜେ ସତ କହୁଛ ବୋଲି ଅନ୍ୟର ବିଶ୍ୱାସ ଜନ୍ମାଇ ନ ପାରିଲେ ତାହା ଅନ୍ୟ ଆଖିରେ ମିଛତ ରୂପ ନେଇପାରେ, ଠିକ୍‌ ସେହିପରି ନିଜେ ଖାଲି ସତୀ ହେଲେ ଚଳିବନି । ତୁମେ ସତୀ ବୋଲି ଅନ୍ୟର ବିଶ୍ୱାସ ନ ଜନ୍ମାଇ ପାରିଲେ, ପ୍ରକୃତ ସତୀ ମଧ୍ୟ ଲୋକ ଚକ୍ଷୁରେ ଅସତୀ ହୋଇ ରହିଯିବ । ଆଜିକାଲି ଏ ଅବାଧ ମିଳାମିଶାର ଦୁନିଆଁରେ ତୁମେ ସତୀ ବୋଲି ଅନ୍ୟର ମନରେ ବିଶ୍ୱା ଜନ୍ମାଇବା ସହଜ ନୁହେ ।

 

ତା ହେଲେ ତୁ କହୁଛୁ, ଦୁନିଆଁରେ ସତୀ ନାହାନ୍ତି ?

 

ହଁ ଅଛନ୍ତି । ସଂସାରରେ ସତୀ ହେବା ସହଜ, କିନ୍ତୁ ଅସତୀ ହେବା ଏତେ ଯେ ସହଜ ନୁହେଁ । କାରଣ ଅସତୀ ହେବା ଗୋଟାଏ କଳା । ସେ କଳାକୁ ଯେ ଆୟତ୍ତ କରି ନ ପାରିଛି, ସେ ଅସତୀ ହେବ କିପରି ? ଯେଉଁମାନଙ୍କର ବୟସ ହୋଇଛି, କିନ୍ତୁ ଯୌବନ ଆସି ନାହିଁ, ଅଥବା ଯୌବନ ଆସିଛି, କିନ୍ତୁ ସେଥିରେ କାହାରି ମନ ଲାଗି ନାହିଁ, ସେଇମାନେ ହେଉଛନ୍ତି ସତୀ । ଆହୁରି ମଧ୍ୟ ସତୀ ହେଉଛନ୍ତି ସେଇମାନେ, ଯେଉଁମାନେ ଆଖି ଅନ୍ୟ ଆଖିର ବିଜୁଳିକୁ ଧରି ପାରିନାହିଁ ବା ଯାହାର ହୃଦୟ ଅନ୍ୟ ହୃଦୟରେ ପୁଲକ ଜଗାଇ ପାରିନାହିଁ କିମ୍ବା ଶିହରଣ ଖେଳାଇ ପାରିନାହିଁ ।

 

ତେବେ ତମେମାନେ କଅଣ ଅସତୀର ପାହାଚରେ ବସିବ ?

 

ଉ...ହୁଁ, ଆଦୌ ନୁହେଁ । ପ୍ରେମ କରିବାଟା କଅଣ ଅସତୀର କାମ ? ଜଣକୁ ମନଦେଇ ଆଉଜଣକୁ ମନ ଦେଇଦେବାଟା କଅଣ ଅସତୀର ଲକ୍ଷଣ ?

 

ଆଉ ସେ ନିଜେ ? ନା ଏପରି ସେ କରିପାରିବନି ।

 

ଏଇ ଯୋଉ ହାୱାଇନ୍‌ ପିନ୍ଧା ପୁଅଗୁଡ଼ାକ ଖାଲି ହାୱାରେ ଭାସୁଥାଆନ୍ତି ହାୱାରେ ଉଡ଼ୁଥିବା ଝିଅଗୁଡ଼ାଙ୍କର ଦୁପଟ୍ଟା ପଛେ ପଛେ, ସେଗୁଡ଼ାଙ୍କୁ ସେ ପ୍ରେମ କରି ପାରିବନି । ଝିଅ ଯଦି ଦୁପଟ୍ଟାରେ ପୁଅଟାକୁ ବାନ୍ଧି ପକେଇଲା, ତେବେ ତ ରକ୍ଷା; ନଚେତ୍‌ ପୁଅ ଯଦି ଝାମ୍ପ ମାରି ଦୁପଟ୍ଟାକୁ ନେଇ ପଳାଏ, ତେବେ ଆଉ ଫେରି ପାଇବାର ଆଶା ନ ଥିବ ।

 

ହଁ ହଁ, ସୁବ୍ରତ ଭାଇ ! ଦି’ଚାରି ମାସ ତାଠୁଁ ବଡ଼ ହେବେ କି କଅଣ ? ପିଲାଦିନେ ଭାଇ ବୋଲି ଡାକୁଥିଲା । ଯୁଦ୍ଧ ସମୟରେ ବୋମା ପଡ଼ିବ ବୋଲି ଯେତେବେଳେ ସହର ଛାଡ଼ି ସେମାନେ ମଫସଲ ଗାଁରେ ଥିବା ମାମୁଁ ଘରକୁ ଗଲେ, ସେଇଠି ୨ । ୩ ମାସର ରହଣୀ ଭିତରେ ଦେଖା ସୁବ୍ରତ ଭାଇଙ୍କ ସାଙ୍ଗରେ । ଖାକି ହାଫ୍‌ପ୍ୟାଣ୍ଟ ଉପରେ ବେକଚିପା ହଳଦିଆ ସ୍ପୋର୍ଟିଂ ବାନିଅନ୍‌ ଗୋଟାଏ ପିନ୍ଧ ସବୁବେଳେ ବୁଲୁଥିବେ । ଭାରି ଦୁଷ୍ଟ । ସବୁବେଳେ ଆସି ଥେରେଇବା । ମୁଁ ବିଗିଡ଼ି ଗଲେ କୋଉଠୁ ଭୂଇଁ ବରକୋଳି, ଆମ୍ବ, ପିଜୁଳି, କରମଙ୍ଗା ଆଣି ଦେବେ ଲୁଚେଇ କରି ଅନ୍ୟମାନେ ଯେମିତି ଦେଖି ନ ପାରିବେ । ଦେଖିଦେଲେ କାଳେ ଭାଗ ମାରିନେବେ ।

 

ତା’ପରେ ପୁଣି ଦେଖାହୁଏ ସୁବ୍ରତ ସାଙ୍ଗରେ ଏମ୍‌.ଏ.କ୍ଲାସରେ । ଖଣ୍ଡଗିରିର ହାତୀ ଗୁମ୍ଫା, ବାଘ ଗୁମ୍ଫା ଭିତରେ କେତେ ସାୟାହ୍ନ ସନ୍ଧ୍ୟା ସେମାନେ କଟେଇଚନ୍ତି । ଚାନ୍ଦିନୀ ରାତିରେ ମଣିଷ ଯେତେ ବସି ରହିଲେ ବି ତୃପ୍ତି ନାହିଁ; ସେଥିରୁ କଅଣ ପାଉଛି ବୁଝି ନ ପାରିଲେ ମଧ୍ୟ ସେ ବସିରହେ । ସୁଶ୍ରୀ ଠିକ୍‌ ସେମିତି ବସି ରହିଥିଲା ସୁବ୍ରତ ପାଖରେ ।

 

ସୁବ୍ରତ ବିଗତ, ସୁବ୍ରତ ଅତୀତ । ସେ ଆଉ ଏମ୍‌.ଏ.ର ଛାତ୍ର ନୁହେଁ । ସୁବ୍ରତ ଆଇ.ଏ.ଏସ୍‍. । ସେ ବର୍ତ୍ତମାନ ମାଜିଷ୍ଟ୍ରେଟ୍‌, ତାର ପ୍ରେମର ବିଚାରକ । ଅସ୍ଥିର ବୋଧକଲା ସୁଶ୍ରୀ ।

 

କୃଷ୍ଣଚୂଡ଼ାରେ ନିଆଁ ଲାଗିଛି । ଆଉ ସେଇ ରଡ଼ ନିଆଁ ଗୁଡ଼ାକ ବିଛାଡ଼ି ହୋଇ ପଡ଼ିଛି ଚାରିଆଡ଼େ ।

 

ଏଇ ସୁବ୍ରତ ଦିନେ ଆଶ୍ରୟ ମାଗିଥିଲା ସୁଶ୍ରୀକୁ । ସେ କଅଣ ସେତେବେଳେ ଜାଣିଥିଲା ଯେ, ଦିନେ ସେ ଆଇ.ଏ.ଏସ୍‌. ହେବ ବୋଲି । ସେଦିନ ଏଇ ସୁବ୍ରତ ତାକୁ ପଚାରିଥିଲା ଜୀବନରେ ବନ୍ଧନ ଦରକାର, ମନ ବନ୍ଧା ହେଇଚି ଦେହରେ । ଦେହ ସହିତ ବାନ୍ଧି ନ ରଖିଲେ ମନ ଫିଟିଯିବ । ତୋର ଏ ବିଷୟରେ ମତ କଅଣ ?

 

କଅଣ ଉତ୍ତର ଦେଇଥାଆନ୍ତା ସେ ? ଅନ୍ୟ ପାଖରେ ସହଜ ଓ ସରଳ ଭାବରେ ନିଜକୁ ସମର୍ପଣ କରିଦେବାର ଏ ଗୋଟାଏ ଆହ୍ୱାନା ନା ନା, ସେ ଉତ୍ତର ଦେଇ ପାରେନା । ଖଣ୍ଡଗିରିର ଗୁମ୍ଫା ଭିତରେ ବସି ଏ ଉତ୍ତର ଦିଆଯାଏନା । ହଁ ବୋଲି କହିଲେ ହୁଏତ ସୁବ୍ରତର ଓଠଟା ତା ଓଠ ପାଖକୁ ଲାଗି ଆସିପାରେ । ସେତେବେଳେ ସେ କଅଣ ‘ନା’ କହିପାରିବ ? ସୁଶ୍ରୀ ଚୁପ୍‌ ରହିବ ।

 

ଆଉ ଦିନକର କଥା । ସେଦିନ ମୁଣ୍ଡ ଉପରର ଜ୍ୟୋସ୍ନା ଓ ମଳୟ ଉପଭୋଗ କରୁଥିଲା ସୁବ୍ରତ ଓ ସୁଶ୍ରୀକୁ । ଚୁପ୍‌ଚାପ୍‌ ବସିଥିଲେ ବଗିଚାର ସେମାନେ ।

 

କଅଣ ଭାବୁଛ ମ ଏତେ ! ମୋ ସାଙ୍ଗରେ କଥା କହିବନି ବୋଲି ଠିକ୍ କରିଛ, ନା କଅଣ ?

 

ସୁବ୍ରତ ନିରୁତ୍ତର । ସୁଶ୍ରୀ ଭାବିଲା, ସେ ଅଭିମାନ କରିବ; ଚଟ୍‌ କରି ଉଠି ପଳେଇବ । କିନ୍ତୁ ସେ ଅଭିମାନ କରି ପାରିଲାନି । ଉଠିଯାଇ ପାରିଲାନି । ଅତି ରୋମାଣ୍ଟିକ ଏଇ ସୁବ୍ରତ ପାଖରେ ଅଛି ଗୋଟାଏ ଆକର୍ଷଣ । ସେଇ ଆକର୍ଷଣକୁ ଏଡ଼ିଦେଇ ପଳାଇବା ସହଜ ନୁହେଁ ।

 

ମୋ ଆଡ଼କୁ ଚାହିଁବ ନାହିଁ । ସୁବ୍ରତର ଚିବୁକଟାକୁ ନିଜ ଆଡ଼କୁ ମୋଡ଼ିଦେଇ କହିଲା ସୁଶ୍ରୀ । ଆବେଗର ତୀବ୍ରତାର ସୁଶ୍ରୀ ଲୋଟିପଡ଼ିଲା ସୁବ୍ରତ ଉପରେ ।

 

ହଁ, କଅଣ ଭାବୁଥିଲି କହିବି ? ସୁବ୍ରତର ସ୍ୱରର କମ୍ପନର ଆଭାଷ ।

 

କୁହ ।

 

ଗୋଟିଏ ଜିନିଷ ମାଗିବି, ଦେଇପାରିବୁ ?

 

ଆଶଙ୍କାରେ ଦବିଗଲା ସୁଶ୍ରୀର ହୃଦୟ ।

 

ଡରିଗଲୁ କି ? ସୁବ୍ରତର କଣ୍ଠରେ ଦୃଢ଼ତା ।

 

ଆଶାଙ୍କକୁ ଘୋଡ଼ାଇବା ପାଇଁ ସୁଶ୍ରୀ ହସିଲା ଗୋଟାଏ ଶୁଖିଲା ହସ ।

 

ମୁଁ ଏମିତି କିଛି ମାଗିବିନି ମ, ଯାହା ଦ୍ୱାରା ତୋର ଜୀବନଟା ଚୂନା ହୋଇଯିବ । ମୋ ଉପରେ ଭରସା ଅଛି ତ କହ, ମାଗିବି ।

 

‘ଭୟାର୍ତ୍ତ ଚାହାଣୀ ତଳେ ବେପଥୁ ଅଧର’ ସେ ଉତ୍ତର ଦେଇ ପାରିନି । ନିଜର ଦୁର୍ବଳତାକୁ ଧରା ନ ପକେଇବାକୁ ଯାଇ ସେ ହସୁଚି ସେମିତି । ଏଇ ହସରେ ପ୍ରାଣପ୍ରାଚୁର୍ଯ୍ୟ ନାହିଁ । ଅଛି କେବଳ ଛଳନା । ସୁବ୍ରତ ସୁଶ୍ରୀକୁ ଭଲ ପାଏ । ସେ କଅଣ ତାକୁ ବିପଦକୁ ଠେଲି ଦବ ? ଅନ୍ତର କହୁଛି, ନା । ସୁବ୍ରତ କଅଣ ତାକୁ ଆଘାତ ଦେଇ ପାରିବ ? ନା, ତା ସେ କରି ପାରେନା । ମାଗନ୍ତୁ । କଅଣ ବା ମାଗିବ ? ଯଦି ମାଗନ୍ତି... ? ଦେହର ବନ୍ଧନ ସହଜରେ ତୁଟେ ନାହିଁ । ମନର ଶୋଷ ବଢ଼ି ଚାଲିବ । ତା ପରେ ଯଦି ତା’ର ଦେହର ସମସ୍ତ ଜଳତକ ସେ ନିଃଶେଷ କରିଦେଇ ଖାଲି ପାତ୍ରଟିକୁ ଛାଡ଼ି ଯାଆନ୍ତି, ତେବେ ? ତେବେ ସେ କୁଆଡ଼େ ଯିବ ? ହଁ, ଯିବ ନର୍କକୁ । ନର୍କର ମାଧ୍ୟାକର୍ଷଣ ଶକ୍ତି ତାକୁ ସ୍ୱର୍ଗରୁ ଟାଣିଆଣି କଚାଡ଼ିଦବ ନର୍କ କୁଣ୍ଡରେ ।

ସୁବ୍ରତର ସେଇ ନରମ, କରୁଣ ଆଖିରେ ଅସ୍ଥିରତା । ତାଙ୍କ ମାଗିବାର କିଛି ମଳିଧୂଳି ନାହିଁ; ପ୍ରତାରଣା ନାହିଁ । କେଡ଼େ ସହଜ ଓ ଦୃଢ଼ କଣ୍ଠରେ ସେ ମାଗୁଛନ୍ତି । କଅଣ ମାଗି ପାରନ୍ତି ସେ ମୋଠୁ ? କିଏ ଜାଣେ, ମାଗି ପାରନ୍ତି ‘ବିବାହ’ । ମାଗନ୍ତୁ । ମୋର ତ କିଛି ଆପତ୍ତି ନାହିଁ । ତେବେ ସେକଥା କଅଣ ସେ ଏପର୍ଯ୍ୟନ୍ତ ଜାଣି ପାରି ନ ଥିବେ ? କିନ୍ତୁ ଯଦି ମାଗନ୍ତି… ? ଡର ଲାଗିଲା ସୁଶ୍ରୀକୁ । ତେବେ କଅଣ ହେବ ? ହବ କଅଣ ? ସୁବ୍ରତର ମନଟା ଧରା ପଡ଼ିଯିବ । ବ୍ୟସ୍ତ ଓ ବିବ୍ରତ କଣ୍ଠରେ କହିଲା ସୁଶ୍ରୀ ‘ମାଗ, ଯାହା ମାଗୁଛ ମାଗ ।’

ସୁବ୍ରତର କଣ୍ଠରେ ଉଦ୍‌ବେଗ । ‘ଅଭୟ ଦେଉଛୁ ତାହେଲେ ?’

ଉଁ... ? ସୁଶ୍ରୀର ମନରେ ପୁଣି ଦ୍ୱିଧା । ଗାଡ଼ି ଅବାଟରେ ଚାଲିଗଲେ ନୟନଯୋଡ଼ିରେ ପଡ଼ିଯିବ । ସେତେବେଳେ ଗାଡ଼ିକୁ ରୋକିବାର ଶକ୍ତି ନ ଥିବ, କି ନୟନଯୋଡ଼ିରୁ ଉଠିବାର ଶକ୍ତି ନ ଥିବ । ଡର ଲାଗୁଛି । ନା ଡରିବାର କିଛି ନାହିଁ । ଦେଖାଯାଉ, କଅଣ ମାଗୁଛନ୍ତି ମାଗନ୍ତୁ ।

ଅଭିମାନ ଭଭା ଗଳାରେ ସୁବ୍ରତ କହିଲା–ହଁ ଜଣା ପଡ଼ିଲା ତୋ ମନ, ଆଉ ତୋର ଭଲ ପାଇବା । ସବୁ ଖାଲି ଗୋଟାଏ ଛଳନା ।

 

ସୁଶ୍ରୀର ଆଖିରେ ବେଦନାର ଛାୟା । ଜକେଇ ଆସିଛି ଲୁହ । ନାଇଁ ନାଇଁ, ମୁଁ ତମକୁ ଇଚ୍ଛାକଲେ ବି କିଛି ମନା କରି ପାରିବିନି । ମୋର ଜୀବନଟା ସମର୍ପଣ କରିଦେଇଚି ତମର ପାଦତଳେ । ତମକୁ ମନାକଲେ ମୁଁ ଶାନ୍ତି ପାଇବିନି । ଏ ଦେହ, ଏ ମନ–ସବୁ ତମର । ଯାହା ଇଚ୍ଛା ତମେ ନେଇଯାଅ । ମୁଁ ପ୍ରତିବାଦ କରିବିନି । ସେ ଶକ୍ତିଟିକକ ତମେ ମୋ ମନରୁ କାଢ଼ିନେଇଛ ।

 

ସୁବ୍ରତର ଗଳାରେ ସୁଶ୍ରୀ ଛନ୍ଦି ଆଣିଲା ତାର ଦୁଇ ବାହୁକୁ । କରୁଣ ଚାହାଣୀରେ ସୁବ୍ରତର ଆଖିକୁ ଅନାଇ କହିଲା–ତେବେ ମୋର ଗୋଟିଏ ଅନୁରୋଧ, ତମେ ସବୁ ମାଗିପାର; କିନ୍ତୁ ମାଗିବନି ଗୋଟିଏ କଥା, ଯାହାକି ବିବାହ ପୂର୍ବରୁ ଆମର ପବିତ୍ର ପ୍ରେମକୁ ଅପବିତ୍ର କରିପକାଇବ । ଯଦି ଆମର ବିବାହ ହୁଏ, ତେବେ ବୈବାହିକ ଜୀବନ ଆମର ଏଇ ପବିତ୍ର ଦୀପ ଶିଖାରେ ଆଲୋକିତ ହୋଇ ଉଠିବ । ବିବାହ ପୂର୍ବରୁ ତମେ ଯଦି ପ୍ରେମର ସମସ୍ତ ରସ ନିଗାଡ଼ି ନିଅ, ତେବେ ବିବାହ ପରେ ମୁଁ କଅଣ ଭେଟି ଦେବି ତମକୁ ? କୁହ । ମୋଠୁଁ ତମେ କଅଣ ଚାହଁ, କୁହ । ଯାହା ମାଗୁଛ ମାଗ ।

 

ସୁବ୍ରତର ଆଖି ବରଫ ପରି ଶୀତଳ ହୋଇଗଲା ।

 

ସୁଶ୍ରୀ ସୁବ୍ରତର ବାହୁ ଦୁଇଟିକୁ ହଲାଇ ଦେଇ କହିଲା କୁହ, କଅଣ ମାଗୁଛ ?

 

ସୁବ୍ରତ ନିରୁତ୍ତର । ସତେ ଯେପରି ଧ୍ୟାନମଗ୍ନ ହୋଇଯାଇଚି ସେ ।

 

କିଛିକ୍ଷଣ ନୀରବତା ପରେ ସୁଶ୍ରୀ କହିଲା—ମୁଁ ବୁଝିପାରିଲି ତମେ କଅଣ ମାଗୁଥିଲ ? ମୁହୂର୍ତ୍ତକ ପାଇଁ ସୁଶ୍ରୀର ଜ୍ୱଳନ୍ତ ଆଖି ଦୁଇଟି ଦପ୍‌ କରି ଜଳିଉଠି ପୁଣି ଲିଭିଗଲା ।

 

ସୁ’ ! ମୋର ଭୁଲ୍‍ ହୋଇଛି । ମତେ କ୍ଷମା କର ।

 

ସୁଶ୍ରୀ ସୁବ୍ରତର ବୁକୁରେ ମୁହଁ ଗୁଞ୍ଜିଲା । କଣ୍ଠରେ ତା’ର କ୍ରନ୍ଦନର ନିର୍ଯ୍ୟାସ ।

 

ସୁ’ ! ତୁ କାନ୍ଦୁଛୁ ? କାନ୍ଦ, ଭଲକରି କାନ୍ଦ । ତୋ’ରି ଲୁହରେ ଧୋଇ ହୋଇଯାଉ ମୋର ସମସ୍ତ ଦୁର୍ବଳତା । ମତେ ଶକ୍ତି ଦେ ସୁ’ ମତେ ଶକ୍ତି ଦେ । ମୁଁ ଚାହେଁ ତୋର ଆଶ୍ରୟ । ମୋ ମନଟା ହେଉଛି, ଠିକ୍‌ ଗୋଟାଏ ଘୋଡ଼ା ଭଳିଆ; ଆଉ ତୁ ହେଉଛୁ ଏଇ ଘୋଡ଼ା ଉପରେ ସବାର । ମୋ ଉପରେ ତୁ ଲଗାମକୁ ଜୋର କରି ନ ଧରିଲେ ଘୋଡ଼ା ଅମାନିଆ ହୋଇଯିବ । ଘୋଡ଼ା ଓ ସବାର ଦୁହେଁଯାକ ପଡ଼ିଯିବା ଖାତରେ ।

 

ଘରକୁ ଫେରିବା ବାଟରେ ଦୁହେଁ ଆଉ କଥାବାର୍ତ୍ତା ହୋଇ ନାହାନ୍ତି ।

 

ସୁଶ୍ରୀର ବୁକୁ ବିଜୟ ଉଲ୍ଲାସରେ ସ୍ଫୀତ ହୋଇଯାଇଛି । ସୁବ୍ରତ ତା’ର ହୋଇଯାଇଛି ଚିରଦିନ ପାଇଁ । ପ୍ରତ୍ୟେକ ମଣିଷର ଦୁର୍ବଳ ମୁହୂର୍ତ୍ତ ଅଛି । ସେ କ୍ଷମା କରିଛି ସୁବ୍ରତକୁ । ସୁବ୍ରତ ପ୍ରତି ତା’ର ଦୟା ଆସିଛି । କରୁଣାରେ ଛାତିଟା ତାର ପୂରି ଉଠିଛି । ସେ ନାରୀ, ଦୟା ଓ କ୍ଷମାର ଅବତାର !

 

ସୁବ୍ରତ କିଛି ଭାବିବାକୁ ଚାହୁଁ ନ ଥିଲା । ରାସ୍ତା କଡ଼ର ବିଜୁଳି ଆଲୁଅର ତୀବ୍ରତାରେ ଆଖି ତା’ର କିଛି ସମୟ କଷ୍ଟ ଅନୁଭବ କରିଛି । ସ୍ପନ୍ଦନହୀନ ଭାବରେ ଚାଲିଛି ସୁବ୍ରତ । ଭାବନାକୁ ଆଡ଼େଇ ଦେଇ ମନକୁ ଫାଙ୍କା ରଖିବାକୁ ଚାହୁଁଛି ସେ । ଲୋକବାକ, ଗାଡ଼ି ଘୋଡ଼ା ଚାଲିଛନ୍ତି । ପେଁ ପାଁ, ଭେଁ ଭାଁ ରେ କାନ ଅତଡ଼ା ପଡ଼ୁଛି । ସିନେମା ଓ ହୋଟେଲମାନଙ୍କରୁ ଭାଷି ଆସୁଛି ସଙ୍ଗୀତର ଲହର । ସୁବ୍ରତର ଲକ୍ଷ୍ୟ ନାହିଁ ସେଥିପ୍ରତି । ନିର୍ବିକାର ସେ । କାହିଁକି ଏମିତି କଥା ସେ ସୁଶ୍ରୀକୁ କହିଲା ?

 

ଦୀର୍ଘନିଃଶ୍ୱାସ ଛାଡ଼ିଲା ସୁଶ୍ରୀ । ବିଜୁଳି ମାରୁଛି । ବିଦ୍ୟୁତର ତରଙ୍ଗ ଧାସରେ ମୁଣ୍ଡର ଶିରାଗୁଡ଼ାକ ତା’ର ଟଣକି ଉଠୁଛି । ଇଚ୍ଛା ତା’ର ହେଉଥିଲା ଖୁବ୍‌ ଜୋରରେ ଚିତ୍କାର କରିବାକୁ କିମ୍ବା ହିଁ ହିଁ ହୋଇ ହସିବାକୁ ।

 

ପିତା ମାତାଙ୍କର ବାଧ୍ୟ ସନ୍ତାନ ସୁବ୍ରତ ଆଜି ବାହା ହୋଇଛି ସେକ୍ରେଟାରୀଙ୍କ ଝିଅକୁ । ପଚାଶ ହଜାର ଟଙ୍କାର ଆକର୍ଷଣ ଓ ଶ୍ୱଶୁରଙ୍କର ଅଭିଜାତ୍ୟ ଆଗରେ ସୁଶ୍ରୀର ପ୍ରେମ କିଛି ନୁହେଁ । କେଉଁ ଦୂର ଜାଗାରେ ବର୍ତ୍ତମାନ ଅନୁରାଧା ଶୋଇଥିବ ସୁବ୍ରତର କୋଳରେ । ବିଚାରପତି ସୁବ୍ରତର ବିଚାର ହଉଛି ଏଇଆ ? ଭଗବାନ ସୁଖରେ ରଖନ୍ତୁ ତାଙ୍କୁ !

 

ଧରିତ୍ରୀ, ସେବିକା, ସବିତା ଏଇ ବର୍ଷା ରାତିଟାରେ କୁଆଡ଼େ ଯାଇଚନ୍ତି ବାହାରକୁ । ଏପର୍ଯ୍ୟନ୍ତ ହଷ୍ଟେଲକୁ ଆସିନାହାନ୍ତି । ବର୍ତ୍ତମାନ ପ୍ରେମିକମାନଙ୍କ ସହିତ ହୋଟେଲରେ ବା ସିନେମାରେ କେଉଁଠି ବସିଥିବେ । କିମିତି ଯେ ଏମାନେ ପରୀକ୍ଷା କଥା ଟିକେହେଲେ ଭାବୁ ନାହାନ୍ତି ? ଆଉ ସବୁ ସନ୍ଧ୍ୟାଗୁଡ଼ାକ କଟାଉଛନ୍ତି ବାହାରେ । ବହି ଧରିବାର ନାଁ ବି ଧରୁ ନାହାନ୍ତି କେହି । ଦି’ଚାରି ଥର ଫେଲ୍‌ ହେଲା ପରେ ମନ ଘର ଧରିବ ଯେ । ସେତେବେଳେ ପ୍ରେମିକମାନେ ପିଠିରେ ପଡ଼ିବେନି । କିନ୍ତୁ କି ଆଶ୍ଚର୍ଯ୍ୟ ! ପାଠ ନ ପଢ଼ି ଏମାନେ ପାସ୍‌ କରୁଛନ୍ତି କେମିତି ? ଅବଶ୍ୟ ସମସ୍ତେ ବୁଦ୍ଧିଆ; କମ୍‌ ପରିଶ୍ରମ କରି ଖସିଯାଇ ପାରନ୍ତି ।

 

ଗୋଟିକ ପରେ ଗୋଟିକ ହୋଇ ତିନୋଟି ଯାକ ଗଡ଼ିଲେ ହଷ୍ଟେଲକୁ ।

 

ସୁଶ୍ରୀର ଭାବନାରେ ପଡ଼ିଲା ପୂର୍ଣ୍ଣଛେଦ ।

 

ଧରିତ୍ରୀ ସ୍ୱେଟ୍‌ ଲେଦରର ମନିବ୍ୟାଗ୍‌ଟାକୁ ହାତରେ ବୁଲାଇ ବୁଲାଇ କଅଁଳା ବାଛୁରୀ ପରି ଡେଇଁ ଡେଇଁକା ଘର ଭିତରେ ପଶିଲା ।

 

ସବିତା ଗୁଣୁ ଗୁଣୁ କରି ଗୋଟାଏ ଗୀତ ଗାଉଛି । ସିନେମାରୁ ଫେରିଛି ବୋଧେ ।

 

ଆଉ ସେବିକା ବଜାଉଛି ହ୍ୱିସିଲ୍‌ ।

 

ଆଲୋ ଏ ବର୍ଷା ରାତିରେ ଏତେବେଳେ ଯାଏଁ ତମେ ସବୁ କୁଆଡ଼େ ଥିଲ ?

 

କାହିଁକି, କଅଣ ହେଲା କି ? ପଚାରିଲା ଧରିତ୍ରୀ ।

 

ପ୍ରିଫେକ୍‌ଟ ଆସି ତମେମାନେ ରାତି ୮ଟା ପରେ ନାହଁ ବୋଲି ଦେଖିକରି ଗଲେ । ମିସ୍‌ ପଣ୍ଡିତଙ୍କର ଯେଉଁ ରାଗ ନା ! ଶାଣଦିଆ ମୁହଁରେ ଗୁଡ଼ାଏ ଇଆଡ଼ୁ ସିଆଡ଼ୁ କରି ବକି ଚାଲିଗଲେ । କହିଛନ୍ତି, ସୁପରିନ୍‌ଟେଣ୍ଡେଣ୍ଟଙ୍କୁ କହିବେ । ଆଉ ସୁପରିନ୍‌ଟେଣ୍ଡେଣ୍ଟ ଯଦି ପ୍ରୋଭୋଷ୍ଟଙ୍କୁ କୁହନ୍ତି ତେବେ କଥା ସଇଲା; ସମସ୍ତଙ୍କର ବଦନାମ ।

 

ହଃ, ସେଇଠୁ ଉଦ୍ଧାର ହୋଇଗଲା—କହିଲା ଧରିତ୍ରୀ । ଆରେ ମାର ଗୋଲି ସେ ମିସ୍‌ ପଣ୍ଡିତକୁ । କେତେଥର ସେ ଏମିତି ଧମକ ଦେଲାଣି ନା, ଆଜି କଅଣ ନୂଆ ! ହେଲେ ସେ କିଛି କରିପାରିବିନି, ତା’ର ସେ ନୈତିକ ସାହସ ନାହିଁ । ନିଜ ପେଟରେ ତ ବୋଝେ ମଇଳା ।

 

ତାକୁ ଖାଲି କହିଦବ, ‘ଗୋଦାରୀଲୋ ଗୋଡ଼ ତଳକୁ ଅନା ।’ ଦେଖ କିମିତି ଫିଡ଼ିକିବ–କହିଲା ସେବିକା ।

 

ଆଲୋ, ସେ ପରା ଦରୱାନକୁ ଫାଟକରେ ତାଲା ପକେଇ ଦବାକୁ କହିଥିଲା । ମୁଁ କେତେ କଷ୍ଟରେ ଦରୱାନକୁ କହି ଖୋଲା ରଖେଇଲି ବିଶ୍ୱାସ କଣ୍ଠରେ କହିଲା ସୁଶ୍ରୀ ।

 

ତୁ ତାକୁ କାହିଁକି କହିଲୁ ? ବକ୍‌ସିସ୍‌ ନେଲାବେଳକୁ ଆଗ । ଫାଟକ ଖୋଲି ରଖିବନି, ଏମିତି ହେମ୍ମତ ଅଛି ତା’ର ? ଧରିତ୍ରୀର କଣ୍ଠରେ ଉତ୍ତେଜନା ।

 

ଆଉ ସୁପରିନ୍‌ଟେଣ୍ଡେଣ୍ଟ ମିସେସ୍‌ କଲିନସ୍‌ । ସେ ତ କୁଟା ଖଣ୍ଡକ ଦି’ଖଣ୍ଡ କରି ପାରିବେନି, କିନ୍ତୁ ପିଲାଙ୍କ ଉପରେ ଖାଲି ଟିଙ୍ଗ୍‌ ଟିଙ୍ଗ୍‌ ହଉଥିବେ । ବିଦ୍ରୁପ କଣ୍ଠରେ କହିଲା ସବିତା ।

 

ସେବିକା କହିଲା—ପ୍ରୋଭୋଷ୍ଟ ଏ ପାଚିଲାବାଳରେ ଗୋଟାଏ ଚନ୍ଦା ମୁଣ୍ଡିଆକୁ ବାହା ହୋଇଛି ଯେ, ଠାକୁରାଣୀ ମନ୍ଦିରରେ ସବୁବେଳେ ପହଡ଼ ପଡ଼ିଛି । ଠାକୁରାଣୀଙ୍କ ଦର୍ଶନ ପାଇଁ ଗଲେ ବି ପହୁଡ଼ ଖୋଲୁନି; ଆଉ ସିଏ ପୁଣି ବୁଝିବ ହଷ୍ଟେଲ କଥା । ଏ ଲୋତରା ଚମଡ଼ାରୁ ବି ଏତେ ରସ ଗଳୁଛି !

 

ସବିତା କହିଲା—ତମେ ପ୍ରିଫେକ୍ସକୁ ଗୋଟାଏ ବାଦାନା ଦେଇଦେଲନି । କହ ଥାଆନ୍ତ, ଧରିତ୍ରିର ଇଭିନିଂ କ୍ଲାସ ଅଛି; ମୁଁ ପ୍ରାକ୍ଟିକାଲକୁ ଯାଇଛି; ଆଉ ସେବିକାର ମା’ଘରୁ ଆସିଛନ୍ତି ବୋଲି ସେ ତାଙ୍କୁ ସହର ବୁଲେଇ ନେଇଛି ।

 

ମୋର ମୁଣ୍ଡ ଠିକ୍‌ ନ ଥିଲା, ମୁଁ କିଛି କହିପାରିଲିନି ।

 

ଧରିତ୍ରୀ କହିଲା—କାନ୍ଦୁଥିଲୁ ବୋଧେ, ଆଖି ଦି’ଟା ଫୁଲ ଫୁଲା ଦିଶୁଛି ।

 

ସେବିକା କହିଲା—ସେ ତାଙ୍କର ପ୍ରାକ୍ତନ ହୃଦୟର ଆରାଧ୍ୟ ଦେବତାଙ୍କୁ ସ୍ମରଣ କରି ଆଖିରୁ ଲୁହ ଢାଳୁଥିଲେ ବୋଧହୁଏ ।

 

ତମେ ପାଗଳା ହୋଇଯିବ ସୁଶ୍ରୀ ଦି, ତମେ ପାଗଳା ହୋଇଯିବ, କହିଲା ସବିତା ।

 

ଧରିତ୍ରୀ କହିଲା, ନା ସୁଶ୍ରୀର କିଛି ଗୋଟାଏ ବନ୍ଦୋବସ୍ତ କରିବାକୁ ହେବ । ଆଚ୍ଛା, ପୂଝାରୀଟା ଖାଇବାର ଦେଇଯାଇଛି ?

 

ହଁ, ଦବନି ବୋଲି କହୁଥିଲା । ପୁଣି କେତେବେଳେ ଆଣି ରଖି ଦେଇ ଗଲା ତ ।

 

କେଉଁଠି ଅଛି ?

 

ସେ ଟେବୁଲ ଉପରେ କାଗଜ ଘୋଡ଼ିଆ ହୋଇଛି । ସବୁ ତ ହେମାଳ ହୋଇଯିବଣି, ଖାଇବ କଅଣ ମ ?

 

ଯାହା ଅଛି ଦି’ଟା ଖାଇଦବା, ଚାଲ ସମସ୍ତେ ଘରକୁ । ଆଜି ସୁ’କୁ ଗୋଟାଏ Induction ଦବାକୁ ହବ ।

 

ଚାମୁଚ ଓ କଣ୍ଟା ଚାମୁଚର ଠକ୍‌ ଠାକ୍‌ ଆବାଜ ସହିତ ଗପ ଚାଲିଲା ।

 

ସେବିକା କହିଲା—ପ୍ରେମଟା ମାଦକ ଦ୍ରବ୍ୟ ଛଡ଼ା ଆଉ କିଛି ନୁହେଁ । ନିଶା ଭିତରେ ଭଲ ପାଇବା ନିଶା ହେଉଛି ସବୁଠାରୁ ଉତ୍କୃଷ୍ଟ । କାରଣ ଯେଉଁ ନିଶା ଧୀରେ ଧୀରେ ଘାରେ ଓ ବହୁ ସମୟ ଧରି ଲାଗିରହେ, ତାହା ପ୍ରକୃତ ନିଶା । ପ୍ରେମଟା ଠିକ୍‌ ସେମିତି । ଲୋକେ ଯେପରି ବିଭିନ୍ନ ଜାତିର ମଦ ଖାଆନ୍ତି, ସେହିପରି ସ୍ତ୍ରୀ ଓ ପୁରୁଷ ଭିନ୍ନ ଭିନ୍ନ ଲୋକଙ୍କର ସଂସ୍ପର୍ଶରେ ଆସି ପ୍ରେମ କରନ୍ତି । ଲୁଗା ବଦଳାଇଲା ପରି ପ୍ରେମର ବସ୍ତୁ ମଧ୍ୟ ବଦଳେ । ଏଥିରେ ମନଦୁଃଖ କରିବାର କଅଣ ଅଛି, ବା ଭାଙ୍ଗି ପଡ଼ିବାର କଅଣ ଅଛି ?

 

ନା ଏଇମିତିଆ ଦର୍ଶନ କଅଣ ଗୋଟାଏ ସାନ୍ତ୍ୱନା ?

 

ପ୍ରେମ ବିଷୟରେ ନିର୍ଜ୍ଜନ ଭାବନା ଗୋଟାଏ ମାରାତ୍ମକ ଜିନିଷ । ସେଥିରେ କେତେ ସୁଖର ସୌଧ ତୋଳି ହୋଇଯାଏ ଏବଂ କେତେ ସ୍ମୃତି ମନ୍ଦିର ଭାଙ୍ଗି ଧୂଳିସାତ୍ ହୋଇଯାଏ । ସ୍ୱପ୍ନର ରାଜକୁମାର ଆସି କେତେବେଳେ କୋଳକୁ ଟାଣିନିଏ ତ, କେତେବେଳେ ପୁଣି ଜଙ୍ଗଲରେ ପକାଇ ଦେଇଯାଏ । ତେଣୁ ତୁ ଏବେ ଭାବୁଛୁ କାହିଁକି ?

 

କେମିତି ଭାବିବି ନାହିଁ କହିଲୁ ? ଯେଉଁ ଲୋକଟି ଦିନେ ହୃଦୟରେ ଆଶ୍ରୟ ନେଇଥିଲା, ଯିଏ ମନରେ ପୁଲକ ଜଗାଇଥିଲା, ତା’ସହିତ ଜୀବନର ଏତେବଡ଼ ଅନୁଭୂତିକୁ ଭୁଲିଯିବା ସହଜ ନୁହେଁ । ମଣିଷ ମନ ନେଇ ଖେଳେ, ଆଉ ଏଇ ଖିଆଲ ମନଟା ଏତେ ଅବୁଝା ଯେ, ତାକୁ ସମ୍ଭାଳିବା କଷ୍ଟକର ।

 

ଆଲୋ, ତୁ ଗୋଟାଏ ବୋକୀଟାଏ । ଜୀବନ ସାରା ଜଳି ପୋଡ଼ି ହୋଇ ମରିବୁ । ମଣିଷ ପଶୁର ଉପାଦାନରେ ଗଢ଼ା, ପଶୁ ପରି ଚଳିବା ତା’ର ଧର୍ମ । ମଣିଷ ଓ ପଶୁ ଉଭୟ ସ୍ୱାର୍ଥପର । ପଶୁ ଆଉ ମଣିଷ ଭିତରେ ଏତିକି ପାର୍ଥକ୍ୟ ଯେ, ମଣିଷ ସଭ୍ୟତାର ଆବରଣ ତଳେ ତା’ର ସ୍ୱାର୍ଥର ଅଭିସନ୍ଧିକୁ ଲୁଚାଇ ଲୁଚାଇ ଚାଲେ; କିନ୍ତୁ ପଶୁ ସେତକ କରି ପାରେନା । ସେ ଯାହା କରେ, ସବୁ ଖୋଲା ଖୋଲି କରେ । ଯେଉଁ ମଣିଷ ତା’ର ଦୁରଭିସନ୍ଧିକୁ ଚରିତାର୍ଥ କରିବା ପାଇଁ ମଣିଷ ଆଖିରେ ଧୂଳି ଦେଇ ପାରେ ନାହିଁ, ସେ ହୁଏ ବର୍ବର ବା ପଶୁ । ତେଣୁ ତୁ ଖାଲି ଆଦର୍ଶକୁ ଟେକି ଧରିଲେ ହେବ ? କେତେଟା ଅସାଧାରଣ ଲୋକଙ୍କୁ ଛାଡ଼ିଦେଲେ କିଏ ଆଉ ଆଦର୍ଶକୁ ଟେକି ଧରିଛି ଗୋଟାଏ ନାଁ ମତେ କହିଲୁ ? ଆଜି କାଲିର ଶିକ୍ଷା ତ ଖାଲି ଯାନ୍ତ୍ରିକତାରେ ଭର୍ତ୍ତି । ସେ ଆଦର୍ଶ ବା ନୀତି ଶିକ୍ଷା ଦଉଛି କିଏ ? ଶିକ୍ଷକମାନେ ତ ସବୁଠାରୁ ବଡ଼ ପ୍ରେମିକ । ପାରିବାରିକ ସ୍ତରଠାରୁ ଆରମ୍ଭ କରି ଶିକ୍ଷା ସ୍ତର, ଶାସନ ସ୍ତର, ବିଚାର ସ୍ତର ଇତ୍ୟାଦି ଦେଇ ବିଶ୍ୱଦରବାର ପର୍ଯ୍ୟନ୍ତ ସବୁଠି ରାଜନୀତି ଚାଲିଛି । ଆଜିକାଲିର ସଭ୍ୟ ମଣିଷ ଗୋଟାଏ Hallow man. ସେଥିରେ ତୁ ଦୋଷ ଦବୁ କାହାକୁ ? ପଶୁ ପରି ମନର ଖିଆଲ ଯେଉଁଆଡ଼େ, ସେଇଆଡ଼କୁ ମୁହାଁଇ ଥାଆନ୍ତି ସେମାନେ । ସମସ୍ତେ ଏକ ଲକ୍ଷ୍ୟରେ ଚାଲିଛନ୍ତି । ଯୌବନ, ମୋହ ଇତ୍ୟାଦିର ଗତି ଏକ ଦିଗରେ । ତେଣୁ ଏଥିରେ ସୁବ୍ରତର ଦୋଷ ନୁହେଁ, କି ତୋର ଦୋଷ ନୁହେଁ । ପାଶ୍ଚତ୍ୟ ନାରୀଚରିତ୍ର ବିଶ୍ଳେଷଣ କଲେ ଏକଥା ବୁଝିପାରିବୁ । ତେଣୁ ପାଗଳି, ଏକଥା ଭୁଲିଯା ।

 

ତେବେ ଆମ ସମାଜ ତ ପାଶ୍ଚାତ୍ୟ ସମାଜଠାରୁ ଅଲଗା, ପ୍ରତିବାଦ ସ୍ୱରରେ କହିଲା ସୁଶ୍ରୀ ।

 

ଆଲୋ, ବର୍ତ୍ତମାନ ସମାଜରେ ଯେଉଁ ବାତ୍ୟା ବହୁଛି, ସେଥିରେ ସମାଜ ବଦଳୁଛି, ଆଉ ବଦଳିଯିବ ମଧ୍ୟ । ତାକୁ କେହି ରୋକି ପାରିବେନି । ସେଇଟା ନିୟତିର ନିର୍ଦ୍ଦେଶ । ତୁ ଗୋଲି ମାର ସେ ସମାଜକୁ । ଥରେ ପ୍ରେମ କଲୁ ବୋଲି ଯେମିତି କାୟମନୋବାକ୍ୟରେ ତୁ ଅପବିତ୍ର ହୋଇଯାଇଛୁ ।

 

ତୋର ଅଲଟ୍ରା ମଡ଼ର୍ଣ୍ଣ ଥିଓରି ସହିତ ପାଦ ପକାଇ ଚାଲି ହେବନି । ଆମେ ହାଇହିଲ୍‌ ମାଡ଼ରେ ଗୋଡ଼ ମକଚି ହେବା ଛଡ଼ା ସ୍ମାର୍ଟ ହେବା ବିଡ଼ମ୍ବନା—କହିଲା ସୁଶ୍ରୀ ।

 

ସବିତା କହିଲା—ଶୁଣ ମୋ କଥା । ଯେଉଁମାନେ ଯୁବତୀ, ରୂପବତୀ ଆଉ ପାଠୋଈ ସେମାନଙ୍କ କଥା ଗାଁ ଗହଳରେ ଅଶିକ୍ଷିତା ଝିଅମାନଙ୍କଠାରୁ ଭିନ୍ନ । ତେବେ ବି ଶିକ୍ଷିତା ହେଉ ବା ଅଶିକ୍ଷିତା ହେଉ, ଯାହାର ରୂପ ଥାଏ, ଯୌବନ ଥାଏ, ସେ ନିଜେ ଝୁରେ ନାହିଁ ଅଥବା ଗତକାଲିର କଥା ଆଜି ମନେ ପକାଏ ନାହିଁ । ଯେଉଁମାନେ ଅସୁନ୍ଦର ଆଉ ଅସମର୍ଥ, ସେଇମାନେ ପେଡ଼ିସାଇତା ଜିନିଷ ପରି ଏଇ ସ୍ରୃତିକୁ ସାଇତି ରଖିଥାଆନ୍ତି; ଆଉ ମନେ ପକାଇ ଥାଆନ୍ତି ।

 

ତିନିଜଣଙ୍କ ସହିତ ଜଣେ ଲଢ଼େଇ କରି ପାରେନି । ତିନି ଦିଗରୁ ତୀରର ଆଘାତରେ ସୁଶ୍ରୀ ତ୍ରସ୍ତା । ସେ ପରାସ୍ତ, ପରାଭୂତା ।

 

ଉନ୍ମାଦିନୀଙ୍କ ପରି ହସିଉଠିଲା ସୁଶ୍ରୀ ।

 

ହସି ହସି ସବିତା ଲୋତରା ହୋଇଗଲା ।

 

ହଠାତ୍‌ ବାହାରେ ଶୁଭିଲା କାହାର ପାଦଶବ୍ଦ । ସମସ୍ତେ ଚୁପ୍‍ ହୋଇଗଲେ । ଝରକା ବାଟେ ଅନେଇଲା ସୁଶ୍ରୀ । ଓଠ ଉପରେ ହାତ ରଖି ଫୁସ୍‌ ଫୁସ୍‌ କରି କହିଲା, ସୁପରି... ।

 

ଧରିତ୍ରୀ ଧୀର ପଦରେ ଯାଇ ଦୁଆରଟା ବନ୍ଦ କରିଦେଲା । ଲାଇଟଟା ଅଫ୍‌ କରିଦେଇ ସମସ୍ତେ ମୂଷାଙ୍କ ପରି ଖସିଗଲେ ଆପଣା ଆପଣା ଖଟ ଉପରକୁ ।

 

ଦୁଇ

 

ସମୟ ଗଡ଼ିଯାଇଛି ।

 

ୱାର୍କିଂ ଗାର୍ଲସ୍‌ ହଷ୍ଟେଲର ୨୭ ନମ୍ବର ରୁମ୍‌ରୁ ସୁଶ୍ରୀ, ଧରିତ୍ରୀ, ସେବିକା, ସବିତା ଗୋଟି ଗୋଟି କରି ଚାଲି ଯାଇଛନ୍ତି ସେମାନଙ୍କର କର୍ମକ୍ଷେତ୍ରକୁ ।

 

ସୁଶ୍ରୀ ହୋଇଛି ସମାଜ-ବିଜ୍ଞାନର ଅଧ୍ୟାପିକା । ଗତାନୁଗତିକ ଭାବେ ଜୀବନଟା ତା’ର ଗଡ଼ିଚାଳିଛି । ସାଙ୍ଗମାନଙ୍କଠୁଁ ଚିଠି ତା ପାଖକୁ ଆସେ ।

 

ଧରିତ୍ରୀ ବାହା ହୋଇଛି ସୁବୀର ଭାଇଙ୍କୁ । ସବୁରୀ ଭାଇ ଗୋଟାଏ ବିଲାତ କମ୍ପାନିରେ କାମ କରୁଛନ୍ତି । ଦିଲ୍ଲୀରୁ ବଦଳି ହୋଇ କଲିକତା ଆସିଛନ୍ତି । ଧରିତ୍ରୀ ଘରୋଇ ନର୍ସିଂ ହୋମ୍‌ରେ ଡାକ୍ତରାଣୀ ହୋଇଛି । ସରକାରୀ ଚାକିରୀ କରିବାକୁ ସେ ପସନ୍ଦ କରିନି, କାରଣ ସେଥିରେ ବଦଳି ଅଛି । ତା ଆଗରେ ପାରିବାରିକ ସୁଖ ଶାନ୍ତି ଆଗ, ଚାକିରି ପଛ ।

 

କ୍ଳବରେ ରୋଜ ଉପସ୍ଥିତି ପକାଇବା ଧରିତ୍ରୀର ଗୋଟାଏ ଅଭ୍ୟାସରେ ପରିଣତ ହୋଇଗଲାଣି । ସ୍ୱାମୀଙ୍କର କଡ଼ା ତାଗିଦ୍‌ । କ୍ଳବ୍‌କୁ ଯିବାକୁ ହବ । ପାଞ୍ଚ ଜଣଙ୍କ ସହିତ ମିଶିବାକୁ ହବ । ଆଜିକାଲିର ସଭ୍ୟ ସମାଜରେ ସାମାଜିକତା ଗୋଟାଏ ବଡ଼ ଜିନିଷ । ସେଇଟା କ୍ଳବ୍‌ରେ ହିଁ କେବଳ ସମ୍ଭବ । କମ୍ପାନି ଚାକିରିରେ ସ୍ୱାମୀଙ୍କର ପଦୋନ୍ନତି, ଶିକ୍ଷିତା ଓ ସୁଶ୍ରୀ ସ୍ତ୍ରୀର କ୍ଳବ୍‌ ଜୀବନ ଉପରେ ଅନେକଟା ନିର୍ଭର କରେ । ଉପରିସ୍ଥ ହାକିମମାନଙ୍କୁ ଖୁସି ରଖିବାକୁ ହେବ । ଅଫିସ ଭିତରେ ସେଇଟା ହେବ ସ୍ୱାମୀର ଦାୟିତ୍ୱ । ଆଉ ଅଫିସ ବାହାରେ ତାହାହିଁ ହେବ ସ୍ତ୍ରୀର ଦାୟିତ୍ୱ ।

 

ଚାକିରୀ ପାଇବାକୁ ହେଲେ ଦରକାର ସାର୍ଟି ଫିକେଟ୍‌ । କିନ୍ତୁ ସାର୍ଟିଫିକେଟ୍‌ ବଳରେ ଲୋକ ଆଗେଇ ଯାଇ ପାରିବନି । ଏଇ ପାହାଚ ଚଢ଼ିବା ପାଇଁ ଯେଉଁ ଯଷ୍ଟିର ସାହାଯ୍ୟ ନିଆଯାଏ, ତା ହେଉଛି ସୁପରିଅରମାନଙ୍କୁ ଖୁସି କରାଇବା । ଯାହାକୁ ସାଧାରଣ ଭାବରେ କୁହାଯାଏ ‘ଖୋସାମତ’ । ଚାକିରି ଜୀବନରେ କେବଳ ଭଲ କାମ ଦ୍ୱାରା ନିଜଠାରୁ ଉପର ପାହାଚରେ ବସିଥିବା ଲୋକମାନଙ୍କୁ ଖୁସି କରାଯାଇ ପାରେନା । ସେମାନଙ୍କୁ ଖୁସି କରାଇବା ପାଇଁ କଥା, କାର୍ଯ୍ୟ ବା ବ୍ୟବହାର ବ୍ୟତୀତ ଅନ୍ୟାନ ଅନେକ ଜିନିଷର ଆବଶ୍ୟକତା ହୁଏ । ସେଥିରୁ ଅଧିକାଂଶ ହୁଏତ ନିୟମ ବା ନୀତି ଦୃଷ୍ଟିରୁ ଅବୈଧ, କିନ୍ତୁ ପ୍ରଚଳନ ଦୃଷ୍ଟିରୁ ଦେଖିଲେ ତାହାକୁ ଏକ ବୈଧ ଆଚରଣ ବୋଲି ଅଭିହିତ କରିବାକୁ ହେବ । ତେଣୁ ସବୁ ଯୁଗରେ ଚାକିରୀ ସହିତ ବଶ୍ୟତା ଯୋଖିହୋଇ ରହିଛି । ଉପରିସ୍ଥ ହାକିମ ପାଖରେ ଏଇ ବଶ୍ୟତା ଯେ ଖାଲି ପୁରୁଷର ବଶ୍ୟତା, ତା ନୁହେଁ; ତା’ର ସ୍ତ୍ରୀର ବଶ୍ୟତା ମଧ୍ୟ ।

 

ଶିକ୍ଷିତ ସମାଜରେ ଧନ ଓ ପଦ ମର୍ଯ୍ୟାଦା ପାଖରେ ମନୁଷ୍ୟ ଶରଣ ପଶେ । ପୂର୍ବକାଳରେ ଲୋକେ କହୁଥିଲେ—‘ବୁଦ୍ଧଂ ଶରଣଂ ଗଚ୍ଛାମି; ଧର୍ମଂ ଶରଣଂ ଗଚ୍ଛାମି; ଜ୍ଞାନଂ ଶରଣଂ ଗଚ୍ଛାମି’ । କିନ୍ତୁ ସେକାଳ ଗଲାଣି । ଆଜିକାଲି ଦୁନିଆଁରେ ଧ୍ୱନି ହେଉଛି—‘ଧନଂ ଶରଣଂ ଗଚ୍ଛାମି । କ୍ଷମତାଂ ଶରଣଂ ଗଚ୍ଛାମି’ ।

 

ଯାହାର ଧନ ଯେତେ ବେଶି, ତା’ର ମାନସିକ ଦୁର୍ବଳତା ସେତେ ଅଧିକ, ମନର ଦୈନ୍ୟତା ସେତେ ବେଶି । ଯେପରି ଯାହାର ଯୌବନ ଓ ସୌନ୍ଦର୍ଯ୍ୟ ଯେତେ ଅଧିକ, ତା’ର ଭୟ ସେତେ ବେଶି । ଠିକ୍‌ ସେହିପରି ଯାହାର ଧନ ଯେତେ ବେଶି, ତା’ର କାତରତା ଯେତେ; ଧନ ବଢ଼ିବା ସଙ୍ଗେ ସଙ୍ଗେ ମନ ଛୋଟ ହୋଇଯାଏ ।

 

ସେ ଦିନର ସନ୍ଧ୍ୟା ।

 

ନାଇଲନ୍‌ର ପଣତକୁ ଉଡ଼ାଇ ଉଡ଼ାଇ ବନ୍ୟ ହରିଣୀ ପରି ଡେଇଁ ଡେଇଁ କ୍ଳବ ଭିତରକୁ ପ୍ରବେଶ କଲା ଧରିତ୍ରୀ ।

 

ମିଷ୍ଟର ନଟରାଜନ୍‌ ସ୍ୱାଗତ କଲେ ତାକୁ—‘‘ଶୁଭ ସନ୍ଧ୍ୟା ମିସେସ୍‌ ରାଏ !’’

 

‘ଶୁଭ ସନ୍ଧ୍ୟା’—ମି: ନଟରାଜନ୍‌ଙ୍କ ହାତକୁ ନିଜ ହାତରେ ନେଲା ଧରିତ୍ରୀ ।

 

ମିଷ୍ଟର ନଟରାଜନ୍‌ ବିଲାତି କମ୍ପାନିର ଜେନେରାଲ ମ୍ୟାନେଜର । ଧରିତ୍ରୀର ସ୍ୱାମୀର ହର୍ତ୍ତା-କର୍ତ୍ତା, ଦୈବ-ବିଧାତା । ନଟରାଜନ୍‌ ସାହେବ ତ ମଣିଷ ନୁହନ୍ତି, ସିଂହ । ଛଞ୍ଚାଣ ପରି ଆଖି ଦି’ଟାକୁ ଅଫିସ୍‌ରେ ନ ଡରେ କିଏ ? ହଜାର ହଜାର କର୍ମଚାରୀ ଓ ଶ୍ରମିକଙ୍କର ଭାଗ୍ୟନିୟନ୍ତା ସେ-। କେଡ଼େ ବପୁବନ୍ତ ମଣିଷ ! କେଡ଼େ ଓସାର ଛାତି । ସିଂହ ଭଳି ଗାଉଁ ଗାଉଁ କଥା । ହଜାରେ ନୁହେଁ, ଦି’ ହଜାର ନୁହେଁ, ପାଞ୍ଚ ହଜାର ଟଙ୍କା ଦରମା । ସିଂହ ନୁହେଁ ତ ଆଉ କଅଣ ? କିନ୍ତୁ ଏଇ ସିଂହଗୁଡ଼ାଙ୍କୁ ଖେଳାଏ ଧରିତ୍ରୀ, ଠିକ୍‌ ସର୍କସରେ ଗୋଟାଏ ସ୍ତ୍ରୀ ଲୋକ ବାଡ଼ିଟାଏ ଧରି ବାଘ ସିଂହଙ୍କୁ ଖେଳାଇଲା ପରି । ଯେମିତି ଓଟର ନାକ ପାଖରେ ଦୁର୍ବଳତା ଥାଏ ବୋଲି ତା’ର ନାକ ଶିରରେ ଦଉଡ଼ି ବନ୍ଧାହୁଏ, ଘୋଡ଼ାର ପାଟିରେ ଲଗାମ ଦିଆଯାଏ, ହାତୀର କାନ ପାଖରେ ଦୁର୍ବଳତା ଥାଏ ବୋଲି କାନରେ ଅଙ୍କୁଶୀ ମରାଯାଏ, ଠିକ୍‌ ସେଇପରି ମଣିଷ ରୂପୀ ଏଇ ସିଂହଗୁଡ଼ାଙ୍କର ଦୁର୍ବଳତା କେଉଁଠି ଥାଏ, ଧରିତ୍ରୀ ତାହା ଜାଣେ ।

 

ମି: ନଟରାଜନ୍‌ କହିଲେ—ଗତ ସପ୍ତାହରେ ତ ଆପଣଙ୍କ ପାଦ କ୍ଲବରେ ପଡ଼ିଲାନି ?

 

ହଁ, ଟିକେ ଥଣ୍ଡା ଧରିଥିଲା ।

 

ବର୍ତ୍ତମାନ ଦେହ ପା’ ଭଲ ଅଛି ତ ?

 

ହଁ, ଭଲ ଅଛି । ସ୍ମିତ ହସି କହିଲା ଧରିତ୍ରୀ ।

 

ଆପଣଙ୍କ ଛଡ଼ା ଚେସ୍‌ ଖେଳଟା ମୋର ଆଉ କାହା ସହିତ ଜମେନି ଭଲ ।

 

ଧନ୍ୟବାଦ ! ଖିଲ୍‌ ଖିଲ୍‌ ହସ ଭାସି ଆସିଲା ଧରିତ୍ରୀର ଓଠରୁ ।

 

ଏ ସିଜନ୍‌ରେ ବ୍ୟାଟ୍‌ମିଣ୍ଟନ ତ ଆପଣଙ୍କୁ ଖେଳିବାର ଦେଖିଲିନି ।

 

ପ୍ରାକ୍‌ଟିସ୍‌ ନାଇଁ । ସେଥିପାଇଁ ଭଲ ଲାଗୁନି । ଆପତତଃ ବର୍ତ୍ତମାନ ମୁଁ ଟେବୁଲ ଟେନିସ୍‌ ଉପରେ concentrate କରିଛି ।

 

ଆଜି ବାଜିଟାଏ ଟେବୁଲ ଟେନିସ୍‌ ହଉ ।

 

ଆପତ୍ତି ନାହିଁ ।

 

ନା, ଥାଉ । ଆଜି ଆପଣ କ୍ଳାନ୍ତ ଜଣା ପଡ଼ୁଛନ୍ତି । ବାର୍‌କୁ ଯାଇ ଆଗ ଟିକେ ନିଜକୁ ରିଫ୍ରେସ୍‌ କରିନେଲେ ଭଲହେବ ।

 

ବାର୍‌ଆଡ଼କୁ ଆଗେଇଲେ ମିସେସ୍‌ ରାଏ ଓ ମି: ନଟରାଜନ୍‌ ।

 

କଅଣ ଅର୍ଡ଼ର ଦବା ?

 

ବିଅର୍‌ ।

 

ଧେତ୍‌, ବିଅର୍‌ ପିଇବା Stageରେ ଆପଣ ଆଉ କଅଣ ଅଛନ୍ତି ? ତାହା ଅତିକ୍ରମ କରିଗଲେଣି ।

 

ତା ହେଲେ ମୋ ପାଇଁ ସେରି ଆଣନ୍ତୁ ।

 

ସେରି Out of Stock । ହୁଇସ୍କି ଆଣୁଛି ?

 

ରମ୍‌ କକ୍‌ଟେଲ୍‌, ଫ୍ଲୋରିଡ଼ା ପଞ୍ଚ ଟାଇପ୍‌ କେମିତି ହୁଅନ୍ତା ? ପ୍ରସ୍ତାବ ଦେଲା ଧରିତ୍ରୀ ।

 

ଭଲ ହେବ । ଭାଗ ମାପ ଆପଣ ଜାଣନ୍ତି ?

 

ହଁ ଗୋଟାଏ ଆଉନସ୍‌ ଅଙ୍ଗୁର ରସ, ଗୋଟାଏ ଆଉନସ୍‌ କମଳା ରସ, ଆଉ ଗୋଟାଏ ଆଉନସ୍‌ ରମ୍‌ (XLX Rosa rum) ସହିତ ଅଧ ଆଉନସ୍‌ ବ୍ରାଣ୍ଡି ଆଉ ଗୃହିଦା ମୁତାବକ ବରଫ ମିଶେଇଲେ ହେଲା ।

 

ବାଃ ଠିକ୍‌ ଅଛି ତେବେ । ଏକାବେଳକେ ଚାରି ପେଗ୍ କରି ରଖନ୍ତୁ ।

 

ପେଗ୍ ଟସ୍‌ କଲେ ଦୁହେଁ ।

 

ମି: ନଟରାଜନ୍‌ କହିଲେ—For Your health ମିସେସ୍‌ ରାଏ ।

 

କ୍ଲବ୍‍ ବଏ ଆଣି ଟେବୁଲ ଉପରେ ରଖିଦେଲା ଫଳର ସ୍ଲାଇସ୍‌, କାଜୁ ବାଦାମ, ଆଳୁ ଚିପ୍‌ସ୍‌, ସେଲ୍‌ ପାମ୍ପଡ଼ ଆଉ କଲିଜା ଭଜା ।

 

ଧରିତ୍ରୀର ମହୁମାଛିଆ ବ୍ଲାଉଜ ତଳେ ଝୁଲୁଥିବା ଯୌବନ ଆଡ଼କୁ ଅନାଇ ମିଃ ନଟରାଜନ୍‌ କହିଲେ–ମୋର ମନେହୁଏ, ମିସେସ୍‌ ରାଏ ! ଯୌବନଟାକୁ ଆପଣ ଇସ୍ତମୁରାରି ପଟ୍ଟା କରି ନେଇଛନ୍ତି । ମୋ ସ୍ତ୍ରୀକୁ ଏସବୁ କାଏଦା କିଛି ଜଣା ନାହିଁ; ଚିର ରୋଗଣୀଟାଏ । I am sick of her.

 

ଧରିତ୍ରୀର ହସର ଲହଡ଼ି ଆସି ବାଜିଲା ମି: ନଟରାଜନ୍‌ଙ୍କ ଦେହରେ ।

 

କଟାକ୍ଷ ହାଣି ଧରିତ୍ରି କହିଲା—ଆପଣ କଅଣ ଭାବୁଛନ୍ତି, ବିବାହ ମାନେ କେବଳ ଦୈହିକ ତୃଷ୍ଣା ମେଣ୍ଟାଇବା ?

 

ଚୁରୁଟ୍‌ରେ ଗୋଟାଏ ଲମ୍ବା ଟାଣ ଦେଇ ମି: ନଟରାଜନ୍‌ କହିଲେ—ନା, ତା ନୁହେଁ । ସବୁଠାରୁ ବଡ଼ ଜିନିଷ ହେଲା Company. କିନ୍ତୁ She can not give me company । ସେଥିପାଇଁ ଆପଣଙ୍କ ସଙ୍ଗସୁଖ ମତେ ଏତେ ଭଲଲାଗେ ।

 

କ୍ଲଚ୍‌ ରେଡ଼ିଓରୁ ଛୁଟି ଆସୁଛି, କେଉଁ ଏକ ବିଦେଶୀ ଗୀତର ରାଗିଣୀ । ସିଲିଂର ଚୋରା ବିଜୁଳି ଆଲୁଅ ଉପଭୋଗ କରୁଥିଲା ସେମାନଙ୍କୁ ।

 

ଧରିତ୍ରୀ ମନରେ ଫ୍ଲାସ୍‌ ବ୍ୟାକ୍‌ ।

 

ସୁବୀର କଅଣ କରୁଥିବେ ଏଇଲେ ? ରାଞ୍ଚି ଧାତବ କାରଖାନାର ଗେଷ୍ଟ ହାଉସ୍‌ରେ ବସି ଅଫିସରମାନଙ୍କ ସହିତ ମନ୍ତ୍ରଣାରେ ରତ ଥିବେ । ନଚେତ୍‌ କେହି ଯଦି dinner ଦେଉଥିବ, ତେବେ ସେଠି ଆସର ଜମି ଯାଇଥିବ ବୋଧହୁଏ । କିଏ ଜାଣେ, ରାଞ୍ଚ କ୍ଲବ୍‌ରେ ହୁଏତ ସେ ଟେନିସ୍‌ ଖେଳୁଥାଇ ପାରନ୍ତି । ସେ କଅଣ ଭାବି ପାରୁଥିବେ, ସ୍ତ୍ରୀ ତାଙ୍କର... ।

 

ଧରିତ୍ରୀର ପରବାଏ ନାହିଁ । ବିବାହିତା ସ୍ତ୍ରୀ ଲୋକ ଦୁନିଆଁରେ ଅନେକ କଥା କରିପାରେ । ଅନେକଙ୍କୁ ଅନେକ କଥା ଅକାତରରେ ଦାନ କରିପାରେ । କାରଣ ବିବାହ ପରକୀୟା ପ୍ରୀତିକୁ ଢାଲ ଦ୍ୱାରା ବହିରାକ୍ରମଣରୁ ରକ୍ଷାକରେ; ନିନ୍ଦା, ଅପବାଦ ବିରୁଦ୍ଧରେ ତା’ର ଲାଇସେନ୍‌ସ ଅଛି । ସେ ବର୍ମ ଥିଲେ, ସଂସାରରେ କୌଣସି ଆଘାତ ଲାଗେ ନାହିଁ ।

 

ବାର୍‌ଟାର ଉପର ଭାଗ ଖାଲି ଫିକା ନେଳିଆ ଧୂଆଁରେ ଭର୍ତ୍ତି ହୋଇଗଲାଣି । ସବୁ ଟେବୁଲ୍‌ରୁ ଉପରକୁ ଉଠୁଛି ଧୂମ କୁଣ୍ଡଳି ଯେମିତିକି ବାର୍‌ଟା ଗୋଟାଏ ଚିମ୍‌ନିରେ ପରିଣତ ହୋଇଛି ।

 

ମି: ନଟରାଜନ୍‌ କହିଲେ—ଏଇ ଦେଖ, ଲେଡ଼ି ବ୍ୟାନାର୍ଜି ଆସୁଛନ୍ତି । ସାର୍‌ ବ୍ୟାନାର୍ଜି ସଙ୍ଗରେ ନାହାନ୍ତି । Heart disease ହେବା ଦିନଠୁ ସେ କ୍ଲବ୍‌ ଆସିବା ଛାଡ଼ି ଦେଲେଣି ଏକରକମ । ବର୍ତ୍ତମାନ ବାର୍‌ ବା ବଲ୍‌ ରୁମ୍‌ କିଛି ତାଙ୍କୁ ବିହ୍ୱଳିତ କରିପାରିବନି । ଦିନ ଥିଲା, ସେ କହୁଥିଲେ ମୃତ୍ୟୁଶଯ୍ୟାରେ ମଧ୍ୟ ଡାକ୍ତର ଯଦି ତାଙ୍କୁ ନାଲି ପାଣିର ମିକ୍‌ସଚର୍‌ ପିଆଇବେ, ସେ ଡାକ୍ତରଙ୍କୁ କହିବେ, ତାଙ୍କୁ ନାଲି ପାଣି ନ ଦେଇ ନାଲିଆ ମଦ ଦେବାକୁ । ତାଙ୍କର ଦୁଇଟି Favourite dish ଥିଲା, ଗୋଟାଏ ହେଉଛି, ନାଲି ମଦରେ ତିଆରି ହୋଇଥିବା ଚିଙ୍ଗୁଡ଼ି ମାଛ (Prawn fish cooked with Red wine); ଆଉ ଗୋଟାଏ, ଧଳା ମଦରେ ରନ୍ଧା ହୋଇଥିବା ଚିଙ୍ଗୁଡ଼ି ମାଛର ତରକାରି (Prawn fish cooked with wine). କିନ୍ତୁ ଦେଖ ନିୟତିର କି କ୍ରୂର ତାଡ଼ନା ! ଆଜିକାଲି ସେ କହନ୍ତି, ମଦ ହେଉଛି ତରଳ ବିଷ (Liquid poison).ହାଃ ହାଃ ହାଃ । ଅଙ୍ଗୁର ଫଳଗୁଡ଼ା ଖଟା (Grapes are sour). ତାଙ୍କର ହସ ପାଖ ଟେବୁଲର ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କଲା ।

 

ହେଇ ଦେଖ, ମି: ଚାବ୍ରା କିମିତି ଗାରେଡ଼େଇ କରି ଅନଉଛି ଆମକୁ ସେଇ ଟେବୁଲ୍‌ଟାରୁ । ପାଖରେ ବସିଛି ଗୋଟାଏ ଆଙ୍ଗ୍‌ଲୋ-ଇଣ୍ଡିଆନ ତରୁଣୀ । କେଉଁଠୁ ଉଡ଼େଇ ଆଣିଛି । Central Board Of Revenue ର Member ବୋଲି ତାକୁ ସୂର୍ଯ୍ୟ ଚନ୍ଦ୍ର ବି ଖାତିର ପଡ଼ନ୍ତିନି । ହାତରେ କ୍ଷମତା ଅଛି ବୋଲି ଏଇ ସରକାରୀ ଅଫିସରଗୁଡ଼ା ଆଉ ମଣିଷ ମାନୁନାହାନ୍ତି । I hate that man. ଗୋଟାଏ ଫୁଟ୍‌ବଲ୍‌ ପରି ତ ହୋଇଛି, ସେଥିରେ ପୁଣି ଦଶମାସର ପେଟ । କ୍ଲବ୍‌ରେ ଗୋଟାଏ Laughing stock.

 

ଉତ୍ତେଜିତ ଭାବରେ ହସିଲା ଧରିତ୍ରୀ । ହସର ପ୍ରକମ୍ପରେ ହାତର ସୁରା କୋଳ ଉପରେ ଢଳିଗଲା । ‘Excuse me’ କହି ମି: ନଟରାଜନ୍‌ ସେତକ ତା’ର କୋଳ ଉପରୁ ଅତି କୌଶଳରେ ଶୋଷି ନେଲେ ନିଜର ରୁମାଲ ଦେହରେ ।

 

‘Never mind’ କହି wine glassରେ ରୁମୁକ ଦେଇ ପେଗ୍‌ଟା ଧରିତ୍ରୀ ଥୋଇଦେଲା ଟେବୁଲ୍‌ ଉପରେ ।

 

ଘଡ଼ିକୁ ଅନାଇଲେ ମି: ନଟରାଜନ୍‌ । ବଲ୍‌ ରୁମ୍‌ରେ dance ପାଇଁ ସମୟ ହୋଇଗଲାଣି । ଚାଲନ୍ତୁ । ଅନେକ ଦିନ ପରେ ଆଜି ନାଚିବା ପାଇଁ ଆପଣଙ୍କ ସହିତ ପୁଣି ସୁଯୋଗ ମିଳିବ ।

 

ଧରିତ୍ରୀର ଭେଲ୍‌ଭେଟ୍‌ କନା ପରି ହାତର ପାପୁଲିକୁ ଧରି ଉଠାଇଲେ ମି: ନଟରାଜନ୍‌ ।

 

ଅଙ୍ଗର ଗୁରୁତା ଲଘୁ ହୋଇଆସିଲାଣି । ବର୍ତ୍ତମାନ ସେମାନେ ହାତ ଧରା ଧରି ହୋଇ ହାୱାରେ ଉଡ଼ିବେ ବୋଧହୁଏ । ଧରିତ୍ରୀ ସବୁବେଳେ ମି: ନଟରାଜନ୍‌ଙ୍କ ଅପେକ୍ଷା ଭଲ ନାଚେ । ମି: ନଟରାଜନ୍‌ଙ୍କ ଗୋଡ଼ ବେତାଳିଆ ବା ଛନ୍ଦହୀନ ହୋଇଗଲେ ଧରିତ୍ରୀ manage କରିନିଏ ତାଙ୍କର ତାଳଜ୍ଞାନକୁ ପୁଣି ଫେରାଇଆଣେ । ସେଇଥି ପାଇଁ ମି: ନଟରାଜନ୍‌ ସବୁବେଳେ ତାଙ୍କଠାରୁ ଯିଏ ଭଲ ନାଚେ, ତା ସହିତ ନାଚିବାକୁ ଚାହାନ୍ତି । ଅନେକ ସମୟରେ ସେ ଏଇ ଭଲ ନାଚ ନ ଜାଣିବାର ବାହାନା ଦେଖାଇ ତାଙ୍କର Partner ଉପରେ ଓହଳି ପଡ଼ିଲା ପରି ତାକୁ ଜାବୁଡ଼ି ଧରନ୍ତି । ବଡ଼ ଅପ୍ରୀତିକର ପରିସ୍ଥିତି । କିନ୍ତୁ ଭଲ ନାଚିଲାବାଲୀ manage କରିନିଏ ।

 

ବଲ୍‌ ରୁମ୍‌ ରେଡ଼ି ।

 

ଡାଇସ୍‌ ଉପରେ ଅର୍କେଷ୍ଟା ପାର୍ଟି ଗୋଟାଏ ଲଘୁ ସଙ୍ଗୀତ ପରିବେଷଣ କରୁଛନ୍ତି Dance ଆରମ୍ଭ ପୂର୍ବରୁ । ସ୍ତ୍ରୀ ପୁରୁଷ ସବୁ ଯୋଡ଼ି ଯୋଡ଼ି ହୋଇ ଠିଆ ହୋଇଗଲେଣି । ହଲରେ ପହଞ୍ଚିଲେ ଧରିତ୍ରୀ ଓ ମି: ନଟରାଜନ୍‌ । ଧରିତ୍ରୀର ବାମ ହାତ ମିଷ୍ଟରଙ୍କ କାନ୍ଧ ଉପରେ ଏବଂ ମିଷ୍ଟରଙ୍କ ଡାହାଣ ହାତ ଧରିତ୍ରୀର ଅଣ୍ଟା ଚାରିକଡ଼େ ବୁଲିଆସିଛି । ଖାଲି ରହି ଯାଇଥିବା ଧରିତ୍ରୀର ଡାହାଣ ହାତ ଓ ମିଷ୍ଟରଙ୍କର ବାମ ହାତ କାନ୍ଧ ଉପରକୁ ଉଠି ଛନ୍ଦିତ ହୋଇଛି ।

 

ଅର୍କେଷ୍ଟା ମୁହୂର୍ତ୍ତକ ପାଇଁ ବନ୍ଦ ହୋଇ Ball danceର ରାଗ ଓ ଗତ ବାଦ୍ୟଯନ୍ତ୍ର ସାହାଯ୍ୟରେ ବାଜି କୋଠରୀ ଭିତରର ବାୟୁମଣ୍ଡଳରେ ଖେଳାଇ ଦେଲା ଲହରର ତରଙ୍ଗ ।

 

ଆଗକୁ, ପଛକୁ, କଡ଼କୁ ଗୋଡ଼ ଚାଲିଲା ସମସ୍ତଙ୍କର । ଧରିତ୍ରୀର ବକ୍ଷୋଜ ବାରମ୍ବାର ଧକ୍‌କା ଦେଉଛି ମିଷ୍ଟରଙ୍କର ଛାତିକୁ । ଭାରତୀୟ ନାରୀମାନଙ୍କର ବକ୍ଷର ସୌନ୍ଦର୍ଯ୍ୟ ଏପରି ଯେ, ସେଥିରେ, ଏ ପ୍ରକାରର ନାଚରେ ଏଇ ଅସୁବିଧା ହୁଏ । ପାଶ୍ଚାତ୍ୟ ନାରୀମାନଙ୍କର ବକ୍ଷର ସୌନ୍ଦର୍ଯ୍ୟ ଟିକେ ଭିନ୍ନ ହୋଇଥିବାରୁ ଏପରି ଅସୁବିଧା ସେମାନେ ବିଶେଷ ଅନୁଭବ କରନ୍ତିନି ।

 

ଅବାଳବୃଦ୍ଧ-ବନିତା ସମସ୍ତଙ୍କ ଦେହରେ ରୋମାଞ୍ଚ ଜାଗେ; ରକ୍ତ ତାତି ଉଠେ । ମନ ମାତି ଉଠେ । ଅନ୍ତର୍ବାସ ଥାଇ ମଧ୍ୟ ମଣିଷ ଉଲଗ୍ନ ହୋଇଥିଲା ଭଳି ଅନୁଭବ କରେ । ଅନ୍ତର୍ବାସ ତଳେ ଲଙ୍ଗଳା ଦେହଟା ଅସ୍ଥିର ହୋଇ ଉଠେ । ନାଚ ପରେ ହୁଏତ ଏ ଅସ୍ଥିରତା ଉଭେଇଯାଏ ଆପଣା ଛାଏଁ ଛାଏଁ । କିନ୍ତୁ ମନଟାକୁ ଅବଶ ନ କରି ଛାଡ଼େ ନାହିଁ ।

 

ନାଚିବା ଯେଉଁମାନଙ୍କର ନିତିଦିନିଆଁ ଅଭ୍ୟାସ, ଶୀହରଣ ପାଇ ପାଇ ସେମାନଙ୍କ ଦେହ ଏତେ ବିରକ୍ତ ହୋଇ ଉଠିଥାଏ ଯେ, ସହଜରେ ଏ ନାଚ ତାଙ୍କ ଦେହ-ମନକୁ ରୋମାଞ୍ଚିତ କରି ପାରେନି । ଦାନ୍ତ ଘଷିବା, ଗାଧୋଇବା ପରି ସେମାନେ ଅଭ୍ୟାସଗତ ଭାବରେ ନାଚିଯାଆନ୍ତି ।

 

ଦେହର ଯେପରି ଯୌବନ ଥାଏ, ମନର ମଧ୍ୟ ସେହିପରି ଯୌବନ ଥାଏ । ଦେହର ଯୌବନ ଅପେକ୍ଷା ମନର ଯୌବନ ମଣିଷର ବଞ୍ଚିବା ପାଇଁ ଓ ଜୀବନକୁ ଉପଭୋଗ କରିବା ପାଇଁ ବେଶି ଆବଶ୍ୟକ । ଦେହର ଯୌବନ କ୍ଷଣସ୍ଥାୟୀ ବୋଲି ସମସ୍ତେ ଉପଲବ୍‌ଧି କଲେ ମଧ୍ୟ କୃତ୍ରିମତାର ଆବରଣ ଭିତରେ ମଣିଷ ତାକୁ ଧରି ରଖିବାକୁ ଚେଷ୍ଟାକରେ । କିନ୍ତୁ ମନର ଯୌବନକୁ ଧରି ରଖିବା ପାଇଁ କୃତ୍ରିମ ଯୌବନର ସାଜ ମଣିଷ ପିନ୍ଧିପାରେନା ।

 

ଶିଳ୍ପପତି ମି: ପରେଖଙ୍କର ସ୍ତ୍ରୀ ମିସେସ୍‌ ପରେଖ ନାଚୁଛନ୍ତି ତାଙ୍କ ପୁଅ ବୟସର ଗୋଟାଏ ଟୋକା ସହିତ । ବହୁ ସନ୍ତାନର ଜନନୀ ସେ, କିନ୍ତୁ ମନର ଯୌବନ ତାଙ୍କର ଏପର୍ଯ୍ୟନ୍ତ ବି ଅକ୍ଷୁଣ୍ଣ ଅଛି । ଶରୀରର ଢିଲା ଅଙ୍ଗ ପ୍ରତ୍ୟେଙ୍ଗକୁ ସେ କୃତ୍ରିମ ପରିବେଶ ଭିତରେ ବାନ୍ଧିରଖି ଯୁବତୀର ଯୌବନ ସହିତ ସମକକ୍ଷ ହେବାକୁ ଏବେ ବି ପ୍ରୟାସ କରୁଛନ୍ତି । ମୁହଁ ଉପରେ ଫୁଟି ଉଠିଥିବା ବୟସର ଦାଗକୁ ପ୍ରସାଧନ ସାମଗ୍ରୀ ଦ୍ୱାରା ପଲସ୍ତରା କରି ସେ ଭଲ ପାଇବାର ମାଲ ମସଲା ଯୁବକମାନଙ୍କ ଭିତରେ ବିତରଣ କରିବାକୁ ଚାହୁଛନ୍ତି ।

 

ସେକଡ଼େ ହରିପୁରର ରାଜା ନାଚୁଛନ୍ତି ତାଙ୍କ ଝିଅର ସାଙ୍ଗ ସହିତ । ଆଉ ଏକଡ଼େ ହରିପୁର ରାଣୀ ନାଚୁଛନ୍ତି ତାଙ୍କ ପୁଅର ସାଙ୍ଗ ସହିତ । ହରିପୁର ରାଜମାତା ଡାଇସ୍‌ ପାଖରେ ପଡ଼ିଥିବା ଚେୟାରରେ ବସି ପଦାକୁ ବହାରି ଆସିଥିବା ବଡ଼ ବଡ଼ ଆଖି ଦି’ଟାରେ ଚାହୁଁଛନ୍ତି ଥରେ ଏକଡ଼କୁ ତ, ଥରେ ସେକଡ଼କୁ । ସଭ୍ୟତାର ମନ୍ଦିର ତାଙ୍କ ପାଇଁ ନିଷିଦ୍ଧ । କିନ୍ତୁ ‘କୁସୁମ ପରଶରେ ପଟ ନିସ୍ତରେ’ ନ୍ୟାୟରେ ମନ୍ଦିର ଭିତରେ ଦର୍ଶକର ଆସନ ତାଙ୍କୁ ଦିଆଯାଇଛି । ପୂଜକ ବା ଭକ୍ତ ସେ ହୋଇ ପାରିବେନି ।

 

ହଠାତ୍‌ ଲାଇଟ୍‌ ଲିଭିଗଲା । ଅର୍କେଷ୍ଟାର ରାଗିଣୀ ପୂର୍ବପରି ଚାଲୁରହିଛି । ମୁହୂର୍ତ୍ତକ ପରେ ଲାଇଟ୍‌ ପୁଣି ଜଳିଉଠିଲା । ମିସେସ୍‌ ପରେଖଙ୍କ ସାଙ୍ଗେ ନାଚୁଥିବା ଯୁବକର ତଳପଟ ଓଠରେ ଛାପି ଛାପିକା ନାଲି ରଙ୍ଗ ଲାଗି ରହିଛି । ମିଷ୍ଟର ନଟରାଜନ୍‌ଙ୍କର କ୍ଲାନ୍ତ ଶରୀର ଓହଳି ପଡ଼ିଛି ଧରିତ୍ରୀର କାନ୍ଧ ଉପରେ । କେତେକ ନାଚୁଛନ୍ତି । ବିଛିନ୍ନ ହୋଇ ଯାଇଥିବା କେତୋଟି ଶରୀର ପୁଣି ନାଚିବାକୁ ବି ଆରମ୍ଭ କରୁଛନ୍ତି । ସୁବର୍ଣ୍ଣ ସୁଯୋଗଟାକୁ ହରେଇ ଦେଇଥିବାରୁ କେତେକ ହୁଏତ ଅନୁତାପ କରୁଛନ୍ତି ।

 

କ୍ଲବ୍‌ରେ ବେଳେ ବେଳେ ଏମିତି ଲାଇଟ୍‌ ଲିଭେ । ଏଇଟା ବିଜୁଳି କମ୍ପାନୀର ଦୋଷ ହେତୁ ହେଉ, ବା ମେନ୍‌ ସୁଇଚ୍‌ର ଦୋଷ ହେତୁ ହେଉ, କ୍ଲବ୍‌ ଜୀବନରେ ଏଇଟାକୁ ହିଁ କୁହାଯାଏ ‘ମାହେନ୍ଦ୍ର ବେଳା ।’

 

ଗୋଟାଏ Instalment ଡାନ୍‌ସ ପରେ ଦ୍ୱିତୀୟ Instalment ପାଇଁ Participantମାନେ ତିଆରି ହେଉଛନ୍ତି । କେତେକ ନୂତନ ଯୁଗଳ ସାମିଲ ହୋଇଛନ୍ତି ତ ଆଉ ଯେଉଁ ପୁରାତନ ଯୁଗଳଙ୍କର ମନ ତୃପ୍ତ ହୋଇ ନାହିଁ, ବା ପାଦ ଥକି ଯାଇ ଯାହିଁ, ସେମାନେ ମଧ୍ୟ ଅଛନ୍ତି ।

 

ମିଷ୍ଟର ନଟରାଜନ୍‌ କହିଲେ—ମୁଁ କ୍ଲାନ୍ତ ମିସେସ୍‌ ରାଏ । ଚାଳନ୍ତୁ ଟିକିଏ ଖୋଲା ଆକାଶ ତଳେ ବସିବା ।

 

ପରସ୍ପର ବାହୁରେ ବାହୁ ଛନ୍ଦି ଓହ୍ଲାଇଗଲେ lawn ଉପରକୁ । ଧରିତ୍ରୀ କହିଲା, ଆଜି ତ ଆକାଶାରେ ଜହ୍ନ ନାହିଁ । ଏଇ ତୀବ୍ର ବିଜୁଳି ଆଲୁଅ ତଳେ ବସିବାକୁ ଭଲ ଲାଗୁନି । ଚାଲନ୍ତୁ, ଆପଣଙ୍କ ଘରକୁ ଯିବା । ମିସେସ୍‍ଙ୍କ ସାଙ୍ଗେ ଅନେକ ଦିନ ହେବ ମୋର ସାକ୍ଷାତ ହୋଇନି ।

 

କିଛି ସମୟ ଦୁଇଜଣ ନୀରବତା ଭିତରେ କଟାଇଲେ ।

 

ମିଷ୍ଟର ନଟରାଜନ୍‌ ଧରିତ୍ରୀର ଖୁବ୍‌ ନିକଟକୁ ଲାଗି ଆସି ତାର ହାତକୁ ନିଜ ହାତ ଭିତରେ ନେଲେ । ଧରିତ୍ରୀ ଅନୁଭବ କଲା, ମିଷ୍ଟର ନଟରାଜନ୍‌ଙ୍କ ହାତରୁ ଉତ୍ତାପ ବିକୀରିତ ହେଉଛି । ଆଉ ସେ ଉତ୍ତାପ ବିକୀରଣ କରି ଧରିତ୍ରୀର ଦେହକୁ ଉତ୍ତପ୍ତ କରିଦେବାକୁ ଚାହାନ୍ତି । ଧରିତ୍ରୀ ଜାଣେ ଏଇଟା ମିଷ୍ଟର ନଟରାଜନ୍‌ଙ୍କର ଭାବପ୍ରବଣତାର ପ୍ରଥମ ପଦକ୍ଷେପ । ପ୍ରଥମ ପଦକ୍ଷେପରେ କୌଶଳତାର ସହିତ ବାଧା ନ ଦେଲେ ଦ୍ୱିତୀୟ ପଦକ୍ଷେପରେ ହାତଟା ହୁଏତ ଜାନୁରେ ବା ଆଉ କେଉଁଠି ପଡ଼ିଯିବ ।

 

ଧରିତ୍ରୀ ଉପଲବ୍‌ଧି କଲା, ବାହାରେ ମନ୍ଦ ପବନ ବହୁଛି । ଟିକିଏ ଆଗେଇଲେ ବିପଦ-। ଏଇ ମନ୍ଦ ପବନ ତା ଦେହରେ ଲାଗିଲାଣି । ଆଉ ଟିକିଏ ଜୋରରେ ବହିଲେ ତାକୁ ଉଡ଼ାଇ ନେବ । ନିଶାର ଉତ୍ତାପ ଚହଟିଗଲାଣି ଦେହରେ । ଆଉ ଟିକକ ପରେ ହୁଏତ ବୁଡ଼ାଇ ଦେବ ସେମାନଙ୍କୁ ।

 

ନାରୀର ସର୍ବସ୍ୱ ପୁରୁଷ ଯଦି ଏତେ ସହଜରେ ପାଇଯାଏ, ତେବେ ନାରୀ ପ୍ରତି ତା’ର ମୋହ ଶୀଘ୍ର ତୁଟିଯିବ । ଯେଉଁ ବସ୍ତୁ ମଣିଷକୁ ଯେତେ କଷ୍ଟରେ ମିଳେ, ମଣିଷ ତା’ର ମୂଲ୍ୟ ସେତେ ବେଶି ବୁଝେ । ଏଇଟା ଭୁଲିଗଲେ ଚଳିବନି ।

 

ନୀରବତା ଭଙ୍ଗ କରି ମିଷ୍ଟର ନଟରାଜନ୍‌ କହିଲେ—କିନ୍ତୁ...

 

କିନ୍ତୁ କଅଣ ?

 

ମିସେସ୍‌ ଯେ ଅସୁସ୍ଥ ! ମିଷ୍ଟରଙ୍କ ମନରେ ଦ୍ୱିଧା ।

 

ତେବେ ତ ମୋର ନିଶ୍ଚୟ ତାଙ୍କୁ ଦେଖିଆସିବା ଉଚିତ୍‌ । ସେ କଅଣ ଭାବିବେ ? ଚାଲନ୍ତୁ ଯିବା ।

 

ହଉ ଚାଲନ୍ତୁ ।

 

ହଁ କଅଣ ହୋଇଛି ତାଙ୍କର ? ପଚାରିଲା ଧରିତ୍ରୀ ।

 

ଇନ୍‌ଫ୍ଲୁଏଞ୍ଜା ।

 

ଏଇ seasonରେ ଇନ୍‌ଫ୍ଲୁଏଞ୍ଜାର ପ୍ରକୋପ ସାଧାରଣତଃ ଅନୁଭୂତ ହୋଇଥାଏ । ସମବେଦନା ଜଣାଇ କହିଲା ଧରିତ୍ରୀ ।

 

ଅନିଚ୍ଛା ସତ୍ତ୍ୱେ ଉଠିଲା ମିଷ୍ଟର ନଟରାଜନ୍‌ । ଧରିତ୍ରୀର କାନ୍ଧ ଉପରେ ସେ ଅଜାଡ଼ି ଦେଇଛନ୍ତି ନିଜ ଶରୀରର ଭାରକୁ ।

 

ତାଙ୍କର ଶିଥିଳ ପଦଯୁଗଳକୁ ଆଗକୁ ବଢ଼ାଇବା ପାଇଁ ହାତରେ ଧରିତ୍ରୀ ରୂପକ ଯଷ୍ଟି ଯେପରି ଅନିବାର୍ଯ୍ୟ ।

 

ମିସେସ୍‌ଙ୍କ ସହିତ କେତେକ ବ୍ୟକ୍ତିଗତ ଆଳାପ ମୋର ଥିଲା । ତେବେ ତାଙ୍କର ଶରୀର ଅବସ୍ଥା ଓ mood ଯଦି ଟିକିଏ ଭଲ ଥାଏ, ତେବେ ଆଳାପଟା ଜମିବ ନିଶ୍ଚୟ ।

 

ଆପଣ ସାଙ୍ଗରେ କାର୍‌ ଆଣିଛନ୍ତି ମିସେସ୍‌ ରାଏ ?

 

ହଁ ।

 

ନିଜେ ଡ୍ରାଇଭିଂ କରି ଆସିଥିଲେ ବୋଧହୁଏ ?

 

ହଁ ।

 

ତେବେ ମୁଁ ଡ୍ରାଇଭରକୁ କହୁଛି, ସେ ମୋ ଗାଡ଼ିଟା ଘରକୁ ନେଇଯାଉ । ମୁଁ ଆପଣଙ୍କ ଗାଡ଼ିରେ ଯିବି । ହେଲେ ଆପଣ ଡ୍ରାଇଭିଂ କରି ପାରିବେ ତ ?

 

ହଁ, କରି ପାରିବି । ଆସନ୍ତୁ ଆପଣ ।

 

କାର୍‌ ଭିତରେ ଷ୍ଟିଅରିଂ ଧରି ବସିଲା ଧରିତ୍ରୀ । ମିଷ୍ଟର ନଟରାଜନ୍‌ ନିଜକୁ ନିକ୍ଷେପ କଲେ କାର୍‌ ଭିତରକୁ । ଷ୍ଟିଅରିଂଟା ବାଧା ଦେଇ ନ ଥିଲେ ହୁଏତ ସେ ପଡ଼ିଥାଆନ୍ତେ ଧରିତ୍ରୀର କୋଳରେ ।

 

ରାତି ନ’ଟା ବାଜିଗଲାଣି କେତେବେଳୁ ।

 

ଗୋଟାଏ ନିର୍ଜ୍ଜନ ରାସ୍ତା ଦେଇ ଗାଡ଼ି ଛୁଟିଲା ପ୍ରଥମେ । ମିଷ୍ଟର ନଟରାଜ୍‌ନ୍‌ ଧରିତ୍ରୀକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଥିଲେ ତାଙ୍କ ଦେହର ସମର୍ପଣ ଦ୍ୱାରା ।

 

ଧରିତ୍ରୀ କହିଲା, ମୋ ସ୍ନାୟୁ ଦୁର୍ବଳ ହୋଇଯାଇଛି । ମୁଁ ଆଉ ଗାଡ଼ି ଚଳାଇବାକୁ ନିରାପଦ ମଣୁନି । ଦୟାକରି ଆପଣ ଷ୍ଟିଅରିଂ ଧରିବେ କି ?

 

ଧରିତ୍ରୀ ଭାବିଲା, ଏଇଆ ନ କଲେ ମି: ନଟରାଜନ୍‌ଙ୍କ ବୁଭୁକ୍ଷାକୁ ରୋକି ହେବନି । ଗାଡ଼ି ଚାଲିଯାଉଛି । ଅବାଟକୁ ଗଡ଼ିଯିବ । ଆଉ ଦୁହେଁ ସମାଧି ନେବେ କାମନାର କବର ତଳେ ।

 

ମି: ନଟରାଜନ୍‌ କହିଲେ, ଗାଡ଼ି ଚଳାଇବା ପାଇଁ ଯେତିକି ଧ୍ୟାନ ଦରକାର, ସେତିକି ଧ୍ୟାନ ମୁଁ ବର୍ତ୍ତମାନ ଦେଇ ପାରିବନି । ନିୟମ କାନୁନର କେଉଁଠି ବ୍ୟତିକ୍ରମ ହେଲେ ପୁଣି କଚେରୀକୁ ଦଉଡ଼ିବାକୁ ପଡ଼ିବ । ଆପଣ ଚଳାନ୍ତୁ, ମୁଁ ବରଂ ଘୁଞ୍ଚି କରି ବସୁଛି ।

 

ଧରିତ୍ରୀ ମନେ ମନେ ହସିଉଠିଲା । ଗୁଡ଼ି ଉଡ଼ି ଚାଲିଛି ଆକାଶରେ, ଅନେକ ଉପରକୁ ଉଠିଗଲାଣି । ଆକାଶରେ ଉଠିଲାବେଳେ ତାହା ବିରାଟ ନୀଳ ଆକାଶର ପଟ୍ଟଭୂମିରେ ଛୋଟିଆ ରଙ୍ଗିନ ଚାରିକୋଣିଆ ବିନ୍ଦୁଟିଏ ପରି ଦେଖାଯାଏ, କିନ୍ତୁ ଉଜ୍ଜ୍ୱଳ ଖରାରେ ତାହାକୁ ପରିଚାଳିତ କରୁଥିବା ସୂତା ଆଖିକୁ ଯେପରି ଦିଶେନା, ଠିକ୍‌ ସେହିପରି ବିରାଟ ଦୁନିଆର ପଟ୍ଟଭୂମିରେ ମଣିଷ ଗୋଟିଏ ଲମ୍ବା ବିନ୍ଦୁପରି ଦିଶେ, ମାତ୍ର ସୂକ୍ଷ୍ମ ସୂତାପରି ଯେଉଁ ମନ, ମଣିଷକୁ ପରିଚାଳିତ କରୁଥାଏ, ତାହା ଦେଖାଯାଏନା । ଗୁଡ଼ିର ଗୁଡ଼ି ସହିତ ପେଞ୍ଚ ଲାଗିଲା ଭଳି ମଣିଷର ମଣିଷ ସହିତ ମଧ୍ୟ ପେଞ୍ଚ ଲାଗେ । ଗୁଡ଼ିକୁ କାଟିବା ପାଇଁ ସେହି ଅଦୃଶ୍ୟ ସୂତାରେ କାଚର ମାଞ୍ଜା ଦିଆ ହୋଇଥାଏ, ମାତ୍ର ମଣିଷକୁ କାଟିବା ପାଇଁ ମଣିଷର ମନରେ ମଧ୍ୟ କାଚଠାରୁ ଆହୁରି ମାରାତ୍ମକ ମାଞ୍ଜା ଥାଏ । ଧରିତ୍ରୀ ଭାବୁଛି, ତା’ର ହାତର ନଟେଇରେ ଯେଉଁ ମାଞ୍ଜାଦିଆ ସୂତା ଅଛି, ତା ହୁଏତ କାଟିଦେଇ ପାରେ ମି: ନଟରାଜନ୍‌ଙ୍କର ଗୁଡ଼ିକୁ । କିନ୍ତୁ ତା ବଦଳରେ ମି: ନଟରାଜନ୍‌ ହୁଏତ କାଟିଦେବେ ତା’ର ସ୍ୱାମୀଙ୍କୁର ଗୁଡ଼ିକୁ ଆଉ ତା’ପରେ... । ଗୁଡ଼ିଟା କଟିଗଲା ପରେ ତାହା ଯେପରି ନିର୍ଲିପ୍ତ ଭାବରେ ପବନରେ ଭାସିଯାଏ ପୃଥିବୀର ଅତଳ ଗର୍ଭରେ ଛିନ୍ନ ଭିନ୍ନ ହୋଇ ଲୀନ ହୋଇଯିବା ପର୍ଯ୍ୟନ୍ତ, କିଏ ଜାଣେ ଠିକ୍‌ ସେହିପରି କଟିଯିବ ସୁବୀର । ଆତଙ୍କରେ ଚିତ୍କାର କରି ଉଠିଲା ଧରିତ୍ରୀ । କପାଳରେ ତା’ର ଫୁଟିଉଠଛି ବିନ୍ଦୁ ବିନ୍ଦୁ ସ୍ୱେଦ । ଷ୍ଟିଅରିଂ ଉପରେ ମୂର୍ଚ୍ଛାଗଲା ସେ ।

 

ଗାଡ଼ି ଗଡ଼ି ଚାଲିଛି । ଗଡ଼ିଯିବ ହୁଏତ ପୃଥିବୀର ଅତଳ ଗର୍ଭକୁ । ସମସ୍ତ ଶକ୍ତିକୁ ଠୁଳକରି ମି: ନଟରାଜନ୍‌ ହାଣ୍ଡବ୍ରେକ୍‌କୁ ଚିପିବାକୁ ଚେଷ୍ଟା କରୁଥିଲେ । ଗୁଡ଼ିଟା ବୃତ୍ତ କାଟି ତଳକୁ ଯିବାରେ ଲାଗିଛି । ଗୁଡ଼ିକୁ ଉପରକୁ ଉଠାଇବାକୁ ହେବ । ସମସ୍ତ ଶକ୍ତି ନିୟୋଜିତ କରି ମି: ନଟରାଜନ୍‌ ନଟେଇରେ ସୂତା ଗୁଡ଼ାଇବାକୁ ଚେଷ୍ଟା କରୁଥିଲେ ।

 

ତିନି

 

ବାରାନଗର ବ୍ଳକ୍‍ ଡେଭଲପ୍‌ମେଣ୍ଟ ଅଫିସ ।

 

ବାରାନଗର ସତରେ ରମଣୀୟ । ଗୋଟାଏ ପଟେ ରତ୍ନଗିରି ଆଉ ଶଙ୍ଖଚୂଡ଼ା ପାହାଡ଼ର ଉତ୍ତୁଙ୍ଗ ଶିଖର ଆକାଶର ବହୁତ ଉପରକୁ ମୁଣ୍ଡଟେକି ଠିଆ ହୋଇଛି; ଆଉ ଗୋଟାଏ କଡ଼ରେ ସର୍ପିଳ ଗତିରେ ବହିଯାଇଥିବା ନିର୍ମଳ ନଦୀ । ବାରାନଗର ର ବ୍ରାହ୍ମଣ ଶାସନର ଉତ୍ତର ଦିଗକୁ ଯେଉଁ ବିରାଟ ସାମଲାତ୍‌ ପଡ଼ିଆ କିଛିଦିନ ପୂର୍ବେ ଗାଁ ମେଳା ମଉଚ୍ଛବର ଲୀଳାକ୍ଷତ୍ର ଥିଲା, ସେଇଟା ବର୍ତ୍ତମାନ ସଂକୁଚିତ ହୋଇଯାଇଛି । ସେଠି ଇଟା ପରେ ଇଟା ଥାକମାରି ଥୁଆ ହୋଇଛି; ଚୂନ ବସ୍ତା ପରେ ବସ୍ତା, ଟ୍ରକ ଟ୍ରକ କରି ସିମେଣ୍ଟ ଗଦାମରା ହୋଇଛି । ବାଲିର ପାହାଡ଼ ତିଆରି ହେଇଛି । ଆଉ ଧୀରେ ଧୀରେ ସବୁ ପୁଣି ଉଭେଇ ଯାଇଛି, ନକ୍‌ସାର ନିର୍ଦ୍ଦେଶ ଅନୁସାରେ । କେବଳ ରହିଯାଇଛି ଭଙ୍ଗା ଇଟା, ଛିଣ୍ଡା ସିମେଣ୍ଟବସ୍ତା, ଟୁକୁରା ଲୁହା ଛଡ଼ ଓ କାଠ ପଟାର କୁଢ଼ ସବୁ ।

 

ଘରଗୁଡ଼ାକ ସବୁ ଲମ୍ବିଯାଇଛି ବ୍ରାହ୍ମଣ ଶାସନର ଆହୁରି ଉତ୍ତରକୁ ଥିବା ଆମ୍ବତୋଟା ପର୍ଯ୍ୟନ୍ତ । ଗୋଟେ ଦି’ଟା ଜିପ୍‌ ଗାଡ଼ି, କେତେଟା ଟ୍ରକ୍‌ ଧୂଳି ଉଡ଼ାଇ ରାସ୍ତାର ଗୋଟାଏ ମୁଣ୍ଡରେ ଦେଖାଦେଇ ଆଉ ଗୋଟାଏ ମୁଣ୍ଡରେ ମିଳେଇ ଯାଆନ୍ତି । ଅଫିସ ଭିତରକୁ ଗୁଡ଼ାଏ ଲୋକ ପଶୁଛନ୍ତି, ଆଉ ଗୁଡ଼ାଏ ଲୋକ ବାହାରି ଆସୁଛନ୍ତି । ଘର ଭିତରେ ଆତଯାତ ହେଉଛନ୍ତି ଗୁଡ଼ାଏ ଲୋକ । ପାଟିଗୋଳ ଲାଗିଛି । ସତେ ଯେମିତି ଗୋଟାଏ ବାହାଘର ପାଇଁ ସମସ୍ତେ ବ୍ୟସ୍ତହୋଇ ଯୋଗାଡ଼ରେ ଲାଗିଛନ୍ତି ।

 

ଏଇ ଦୁଇ ତିନିଦିନ ହେଲା ନୂଆ ବି.ଡି.ଓ ଶ୍ରୀମନ୍ତ ବାବୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଚାର୍ଜ ନଉଣୁ ନ ନଉଣୁ ପରାକ୍ରମରେ ଥରହର ହୋଇଗଲେଣି ଲୋକଗୁଡ଼ାକ ।

 

ଶ୍ରୀ ଶ୍ରୀମନ୍ତ ମିଶ୍ର, ଏମ୍‌.ଏ.,ଏଲ୍‌.ଏଲ୍‌.ବି କମରା ଆଗରେ ମରା ହୋଇଛି Name plate. ଗୌରକାନ୍ତି, ସୁଦୀର୍ଘ ଯୁବକ । ବଳିଷ୍ଠ ଚେହେରା, ବାଘୁଆଛାତିର ଦୁଇକଡ଼େ ଦି’ଟା ବଳିଷ୍ଠ ବାହୁ । ସୈନିକମାନେ ରାସ୍ତାରେ ମାର୍ଚ୍ଚ କରି ଗଲାବେଳେ ଛାତିକୁ ଯେମିତି ଫୁଲେଇ କରି ଚାଳନ୍ତି, ଲୋକଟା ଠିକ୍‌ ସେମିତି ଚାଲେ । କେତେକ ଭାବନ୍ତି, ଛାତିଟା ତା’ର ଗର୍ବରେ ଯେମିତି ଫୁଲି ଉଠିଛି-। ଓଃ, ପିମ୍ପୁଡ଼ି ଦୀପରୂଖା ଉପରେ ଚଢ଼ିଲା ପରି କିଏ ଭାବୁଛି, ସ୍ୱର୍ଗ ଯିମିତି ଆଉ ଚାଖଣ୍ଡେ ।କିନ୍ତୁ ଶ୍ରୀମନ୍ତ ବାବୁଙ୍କର ଚେହେରାରେ ଆଭିଜାତ୍ୟ ଅପେକ୍ଷା ନମ୍ରତାର ଆଭାଷ ବେଶି । ଦୀପ୍ତିମାନ ମୁହଁ ଉପରେ ଉଜ୍ଜ୍ୱଳ ଚକ୍ଷୁ । ଗୋଟାଏ ମିଲିଟାରୀ ଅଫିସରର ସ୍ମାର୍ଟ ଚାଲି ପରି ଚାଲି ତାଙ୍କର । ମୁଖରେ ଗାମ୍ଭୀର୍ଯ୍ୟର ପରାକାଷ୍ଠା ।

 

ପାନ, ବିଡ଼ି, ସିଗାରେଟ୍‌, ଚା’ କିଛି ଖାଆନ୍ତି ନାହିଁ ସେ । ସମ୍ପୂର୍ଣ୍ଣ ଭାବରେ ଭେଜିଟେରିଆନ ଆଉ ଟି-ଟୋଟ୍‌ଲର (Teetotler) । ଦରିଦ୍ର ପରିବାରରେ ଶ୍ରୀମନ୍ତ ବାବୁଙ୍କର ଜନ୍ମ । ବାପା ତାଙ୍କର ଯଜମାନିଆ ପୁରୋହିତ । ଅତି କଠିନ ପାରିବାରିକ ପରିବେଶ ଭିତରେ ବଢ଼ି ଆସିଛନ୍ତି ସେ । ଅର୍ଥ ଦିଗରୁ ସେ ପରିବେଶ ଯେତିକି କଠିନ୍‌, ଆଦର୍ଶ ଦିଗରୁ ସେତିକି କଠୋର ଓ ଚାରିତ୍ରିକ ଦିଗରୁ ସେତିକି ଦୃଢ଼ ମଧ୍ୟ ଥିଲା । ତାଙ୍କର ପରମ୍ପରାରେ ନ ଥାଇପାରେ ଆଭିଜାତ୍ୟ, କିନ୍ତୁ ଥିଲା ସଂସ୍କୃତି । ବାପା ତାଙ୍କୁ ଦୁଇଟି ମନ୍ତ୍ରରେ ଦୀକ୍ଷିତ କରିବାକୁ ଚାହିଁଥିଲେ । ଗୋଟିଏ ହେଉଛି ବ୍ରହ୍ମଚର୍ଯ୍ୟ, ଆଉ ଦ୍ୱିତୀୟଟି ପାଣ୍ଡିତ୍ୟ । ଶ୍ରୀମନ୍ତ ବାବୁ କହନ୍ତି, ବାପା ତାଙ୍କର ପରାକ୍ରମୀ ନଥିଲେ ସତ, କିନ୍ତୁ ବିରାଟ ଥିଲେ ନିଶ୍ଚୟ । ଡେପୁଟି କଲେକ୍ଟର ଶ୍ରୀମନ୍ତ ମିଶ୍ର ପୁରୋହିତର ପୁଅ ବୋଲି ଅନୁଶୋଚନା କରିନାହାନ୍ତି । ବାପାଙ୍କୁ ଘୃଣା କରିନାହାନ୍ତି ବରଂ ଏପରି ବିରାଟ ବାପର ପୁଅ ବୋଲି ଗର୍ବ ଅନୁଭବ କରିଛନ୍ତି ।

 

ଛାତ୍ରାବସ୍ଥାରେ ସେ କଠୋର ପରିଶ୍ରମୀ ଥିଲେ । ଆକାଙ୍‌କ୍ଷା ତାଙ୍କର ଉଚ୍ଚ ଥିଲା । ମାନରେ ଯେତିକି ଉଚ୍ଚତାକୁ ସେ ଆରୋହଣ କରିପାରିଛନ୍ତି, ମନରେ ତା ଠାରୁ ବେଶି ଉଚ୍ଚତାକୁ ସ୍ଥାନ ଦେଇଛନ୍ତି । ସାଫଲ୍ୟ ସହିତ ଶିଥିଳତା ତାଙ୍କର ଆସି ନାହିଁ । ଜୀବନ ତାଙ୍କର ଉଦ୍ଦେଶ୍ୟମୟ, କର୍ମମୟ । ଆଳସ୍ୟ ବା ଅସାଧୁତା ସେ ସହ୍ୟ କରି ପାରନ୍ତିନି; କଠୋର ହସ୍ତରେ ତାହା ଦମନ କରନ୍ତି । ନିଜର ଜୀବନକୁ ମଧ୍ୟ ସେ ଗଢ଼ିଛନ୍ତି ସେହିପରି କଠୋର କରି । କର୍ମରେ ହିଁ ତାଙ୍କର ତୃପ୍ତି-

 

ଶ୍ରୀମାନ୍ତ ବାବୁ ଯୌବନର ମଧ୍ୟାହ୍ନ ପାର ହୋଇଗଲେଣି, କିନ୍ତୁ ବିବାହ ଏପର୍ଯ୍ୟନ୍ତ ସେ କରି ନାହାନ୍ତି । ସେ ଯେ Romantic ନୁହନ୍ତି ଏପରି ନୁହେଁ; କିନ୍ତୁ ତାଙ୍କର ଗୋଟିଏ ଖିଆଲ ଯେ, ସେ ଗୋଟିଏ ବଦ୍ଧ ପାଗଳ ବ୍ୟତୀତ ଆଉ କିଛି ନୁହନ୍ତି । ତାଙ୍କ ହାତ ଧରି କୌଣସି ନାରୀ ହୁଏତ ସୁଖୀ ହୋଇ ପାରିବନି । ଏ ଖିଆଲ ହୁଏତ ଅହେତୁକୀ ହୋଇପାରେ !

 

‘ଘରେ ନ ପଶୁଣୁ ବାଜିଲା ଚାଳ’ ପରି ପୂରା ଚାର୍ଜ ନ ନେଉଣୁ ସମସ୍ତଙ୍କ ପରସ୍ତେ ନଚାଇ ସାରିଲେଣି । ତାଙ୍କର ଜିଦ୍‌ ପାଞ୍ଚବର୍ଷିଆ ଯୋଜନାକୁ ସେ ଚାରି ବର୍ଷରେ ଶେଷ କରିବେ । ଯେଉଁମାନେ ତାଙ୍କ ସହିତ ତାଳ ପକାଇ ଚାଲି ନ ପାରିବେ, ସେମାନେ ତାଙ୍କୁ ଛାଡ଼ି ଅନ୍ୟ ବ୍ଲକ୍‍କୁ ଚାଲିଯିବା ଉଚିତ୍‌ ।

 

ସକାଳ ଛ’ଟା ବେଳେ ବି.ଡ଼ି.ଓ. ସାହେବ ଆସି ପହଞ୍ଚିଛନ୍ତି ନୂତନ କର୍ମକ୍ଷେତ୍ରରେ । କ୍ୱାର୍ଟର ଭିତରକୁ ପଶିଯାଇ ଦେଖିଲେ ଯେ, ପିଅନଟା ଘରଟିକୁ ପରିଷ୍କାର କରି ଆସବାବପତ୍ର ସଜାଡ଼ି କରି ରଖିଛି । ବାବୁ ଆସିଲେଣି ବୋଲି ଜାଣି ତରବରରେ ରୋଷେଇ ଘରୁ ଆସି ଲମ୍ବା ଦଣ୍ଡବତଟାଏ ପକାଇଲା ସେ । ଜିପ୍‌ରେ ଲାଗିଥିବା ଟ୍ରଲିରୁ ଜିନିଷ ପତ୍ର ବୋହିଆଣିଲା ଘର ଭିତରକୁ ।

 

ରୋଷେଇ ଘରେ ଚୁଲିରୁ ଧୂଆଁ କୁହୁଳୁଛି ।

 

ତମ ନାଁ କଅଣ ? ପଚାରିଲେ ଶ୍ରୀମନ୍ତ ବାବୁ ।

 

ବିଶୁ ହଜୁର । ବିନୀତ ଭାବରେ ଉତ୍ତର ଦେଲା ପିଅନ ।

 

ବିଶୁ ନା ବିଶ୍ୱନାଥ ?

 

ହଁ ଆଜ୍ଞା ବିଶ୍ୱନାଥ ।

 

ତେବେ ସେଇଆ କୁହ ।

 

ଆଉ ହଜୁର କଅଣ ତମର ସାଙ୍ଗିଆ ? ଦୃଢ଼ କଣ୍ଠରେ ପଚାରିଲେ ଶ୍ରୀମନ୍ତ ବାବୁ ।

 

ନାଇଁ ଆଜ୍ଞା, ବିଶ୍ୱାଳ । କାନ କୁଣ୍ଡାଇ କୁଣ୍ଡାଇ କହିଲା ପିଅନଟି ।

 

Unknown

ଏଠି ତାହାହେଲେ ହଜୁର କିଏ ? ମୁଁ ହଜୁର ନୁହେଁ । ରାଜା ରାଜୁଡ଼ାଙ୍କୁ ହଜୁର କୁହାଯାଉଥିଲେ । ମୁଁ ରାଜା ନୁହେଁ; ତମରି ପରି ସରକାରଙ୍କର ଜଣେ ବେତନଭୋଗୀ କର୍ମଚାରୀ । ହଜୁର ଶବ୍ଦର ଅପ ବ୍ୟବହାର ଆଉ କେବେ ଏପରି କରିବନି ।

 

ଆଜ୍ଞା ।

 

ଶ୍ରୀମନ୍ତ ବାବୁଙ୍କ ଆଗରୁ କେମିତି ରୋଷେଇ ଘରକୁ ପଳେଇଯିବ ବାଟ ପାଇଲାନି ବିଶୁ-

 

ଶ୍ରୀମନ୍ତ ବାବୁ ଘରଗୁଡ଼ାକ ଟିକେ ଭଲକରି ବୁଲି ଦେଖିଲେ ।

 

ବିଶୁ ଟେବୁଲ୍‌ ଉପରେ ବାସ୍ପାୟିତ ଚା’ କପ୍‌ଟିକୁ ଥୋଇଦେଇ ପୁଣି ରୋଷେଇ ଘରେ ଅଦୃଶ୍ୟ ହୋଇଗଲା ।

 

ବିଶ୍ୱନାଥ, ବିଶ୍ୱନାଥ ! ଚିତ୍କାର କଲେ ଶ୍ରୀମନ୍ତ ବାବୁ । ତାଙ୍କର ଚିତ୍କାର ଠିକ୍‌ ବନ୍ଧୁକର ଅବାଜ ପରି ପ୍ରତିଧ୍ୱନିତ ହେଲା କାନ୍ଥଗୁଡ଼ାକରେ ।

 

ଅତର୍ଚ୍ଛ ହୋଇ ରୋଷେଇ ଘର ଭିତରୁ ଦଉଡ଼ି ଆସିଲା ବିଶୁ ।

 

ଏ ପରଦା ସବୁ ଆସିଲା କୁଆଡ଼ୁ ?

 

ଅଫିସ ପାଇଁ ଯୋଉ ପରଦା କିଣା ହୋଇଥଲା, ସେଥିରୁ କେତେଟା ବଳକା ଥିଲା ।

 

କେବେଠୁ ଝୁଲୁଛି ଇଏ ସବୁ ।

 

ବହୁତ ଦିନରୁ ଆଜ୍ଞା ।

 

ଏ ଟେବୁଲ୍‌–ଚେୟାର କାହାର ?

 

ଅଫିସ୍‍ର ।

 

ହୁଁ । ଏଥିରେ ନମ୍ବର କାଇଁ ?

 

ବିଶୁ ନିରୁତ୍ତର ।

 

ଏ ଖଟ ଦି’ଟା କାହିଁକି କିଣା ହୋଇଥିଲା ?

 

ଟ୍ରାନ୍‌ଜିଟ୍‌ କ୍ୟାମ୍ପ ପାଇଁ ଆଜ୍ଞା ।

 

ଦୀର୍ଘ ହୁଁ ଟାଏ ମାରି କିଛି ସମୟ ଘର ଭିତରେ ପଦଚାରଣା କରିବାକୁ ଲାଗିଲେ ଶ୍ରୀମନ୍ତ ବାବୁ । ତା ପରେ ବିଶୁ ଆଡ଼କୁ ବୁଲିପଡ଼ି କହିଲେ, ଏ ଫର୍ନିଚର ଓ ପରଦାଗୁଡ଼ା ସବୁ ବାରଣ୍ଡାକୁ ବାହାର କରିଦିଅ; ଆଉ ମୋର ଫର୍ନିଚର ଗୁଡ଼ାକ ଫିଟେଇ ପକେଇଦିଅ ।

 

ଆଜ୍ଞା, ଏଗୁଡ଼ାକ ତ ଅନେକ ଦିନରୁ ଏଇ ବଙ୍ଗଳାରେ ବ୍ୟବହୃତ ହେଇ.....

 

ବିଶୁ ପାଟିରୁ କଥା ନ ସରୁଣୁ ଶ୍ରୀମନ୍ତ ବାବୁ ଜବାବ ଦେଲେ, ମୁଁ ଯାହା କହୁଛି, ତାହା କର ।

 

ପିତ୍ତଳ ଘଣ୍ଟାରେ ହାତୁଡ଼ି ପିଟିଲା ପରି ଶ୍ରୀମନ୍ତ ବାବୁଙ୍କର କଥାଗୁଡ଼ାକ ଟାଇଁ ଟାଇଁ କରି ଆସି ବାଜିଲା ବିଶୁର କାନରେ । ସବୁ କଥାଗୁଡ଼ା ନୂଆ ଜଣାଗଲା ତାକୁ । ବିଶୁ ନିଃଶବ୍ଦରେ ପ୍ରସ୍ଥାନ କଲା ସେଠାରୁ ।

 

ଠିକ୍‌ ନ’ଟା ବେଳକୁ ଶ୍ରୀମନ୍ତ ବାବୁ ତିଆରି ହୋଇଗଲେ ଅଫିସ ପାଇଁ । ଗତ ରାତିରେ ଆଖି ତାଙ୍କର ପଲକ ପଡ଼ିନି । ତେବେ ମଧ୍ୟ କ୍ଲାନ୍ତିର ଚିହ୍ନ ସୁଦ୍ଧା ତାଙ୍କଠାରେ ନାହିଁ ।

 

ଜଳଖିଆ ନେଇ ଆସି ପହଞ୍ଚିଲା ବିଶୁ ।

 

ଜଳଖିଆ ? ଆଶ୍ଚର୍ଯ୍ୟ ଭାବରେ ଶ୍ରୀମନ୍ତ ବାବୁ ଅନେଇଲେ ବିଶୁର ମୁହଁକୁ ।

 

ଅଫିସ ସମୟ କେତେଟାବେଳେ ?

 

ବିଶୁ ନିରୁତ୍ତର ।

 

ନ’ଟାବେଳେ ଜଳଖିଆ ଖାଇଲେ ଦଶଟାରେ ଅଫିସ ଯିବାବେଳେ ଭାତ ଖାଇବାକୁ ମଣିଷର ପେଟରେ ଆଉ ଜାଗା ଥିବ ନା ?

 

ଭାତ ତ ଆଜ୍ଞା ଗୋଟାକବେଳେ...

 

ସରକାରୀ ଅଫିସରେ ଖାଇବା ଛୁଟି ନ ଥାଏ, ଏକଥା ତୁମେ ଜାଣ ?

 

ଆଜ୍ଞା ଆଗ ସାହବ ତ...

 

ବିଶୁକୁ କଥାଟା ଶେଷ କରିବାକୁ ଅବସର ଦେଲେନି ଶ୍ରୀମନ୍ତ ବାବୁ । କେତେଦିନ ହେଲା ତମେ ବି.ଡି.ଓ.ଙ୍କୁ ଘରୋଇ ଭାବରେ ସେବା କରି ଆସୁଛ ?

 

ଚାକିରୀରେ ରହିଲା ଦିନରୁ, ଆଜ୍ଞା ।

 

ଅଫିସରେ ପିଅନଗିରି କରିବା ପାଇଁ ତମେ ଚାକିରୀ କରିଛ, ହାକିମଙ୍କ ଘରେ ପୂଝାରୀ କାମ କରିବା ପାଇଁ ନୁହେଁ । ତମ ଦରମା ଆସୁଛି ସାଧାରଣ ରାଜକୋଷରୁ, ବି.ଡ଼ି.ଓ.ଙ୍କ ପକେଟରୁ ନୁହେଁ । କାଲିଠୁ ତମର ଏଠିକି ଆସିବା ଦରକାର ନାହିଁ । ୧୦ଟା ରୁ ୫ଟା ହଉଛି ତମର ଡିଉଟି ବେଳ । ଆଜି ଗାଁରୁ ଗୋଟାଏ ଲୋକ ମୋ ପାଇଁ ଯୋଗାଡ଼ କରିଦିଅ ।

 

ଜଳଖିଆ ଖାଇସାରି ଶ୍ରୀମନ୍ତ ବାବୁ ପଦାକୁ ବାହାରିଲେ । ଡ୍ରାଇଭର ଗଛ ଛାଇରୁ ଜିପ୍‌ଟା ଆଣି ଦୁଆର ଆଗରେ ଥୋଇଲା ।

 

ଜିପ୍‌କାହିଁକି ଏଠି ଅଛି ? ଅଫିସରେ କ’ଣ ଗ୍ୟାରେଜ୍‌ ନାହିଁ ?

 

ଡ୍ରାଇଭର ପ୍ରମାଦ ଗଣିଲା । ଆପଣଙ୍କୁ ଅଫିସକୁ ନବା ପାଇଁ, ଆଜ୍ଞା !

 

ପାହୁଣ୍ଡେ ବାଟକୁ ଗାଡ଼ି ଦରକାର ? ଆଶ୍ଚର୍ଯ୍ୟ କଥା ଦେଖୁଛି ! ଲୋକମାନେ ଏତେ କୋଢ଼ିଆ ହେଲେ ଭାରତରେ ଯୋଜନା ସବୁ କେବଳ କଥାରେ ପର୍ଯ୍ୟବସିତ ରହିବ । ତମେ ଜିପ୍‌ ନେଇଯାଅ । ଗାଡ଼ି ଅଫିସ ଗ୍ୟାରେଜ୍‌ରେ ରଖିବ । ଆଉ ମୋଠାରୁ ଅନୁମତି ନ ପାଇବା ଯାଏଁ ଗ୍ୟାରେଜ୍‌ରୁ ଗାଡ଼ି ବାହାର କରି ପାରିବନି ।

 

ଫାଟକ ପାର ହୋଇଛନ୍ତି କି ନାହିଁ, ଅଫିସର ହେଡ଼ କିରାଣୀ ଆଶୁତୋଷ ବାବୁ ଆସି ପହଞ୍ଚିଲେ ସାହେବଙ୍କର ଖବର ବୁଝିବା ପାଇଁ । ଆଶୁ ବାବୁ ପୁରୁଣାକାଳିଆ ଲୋକ । ବୟସର ସୀମା ତାଙ୍କର ଚେହେରାର ରୁକ୍ଷତା, ପାଚିଲା ବାଳ, ଆଖିର ମୋଟା ଚଷମା ଓ ପୋଷାକରୁ ବେଶ୍ ଜଣାପଡ଼େ ।

 

ଗାଡ଼ିଟି ଚାଲି ଯାଉଥିଲା । ଶ୍ରୀମନ୍ତ ବାବୁ ଆଶୁ ବାବୁଙ୍କୁ ନିର୍ଦ୍ଦେଶ କରି କହିଲେ, ଗାଡ଼ିଟାକୁ ଅଟକାନ୍ତୁ ।

 

ଆଶୁ ବାବୁ ଚିତ୍କାର କଲେ—ଡ୍ରାଇଭର, ଡ୍ରାଇଭର !

 

ଶ୍ରୀମନ୍ତ ବାବୁ ଅଳ୍ପ ହସି କହିଲ—ଡ୍ରାଇଭରର ବି ଗୋଟାଏ ନାଁ ଅଛି । ତେଣୁ ତାକୁ ନାଁ ଧରି ନ ଡାକି, ଡ୍ରାଇଭର ବୋଲି ଡାକିବା ଶିଷ୍ଟାଚାର ବିରୁଦ୍ଧ । ଏହା ଦ୍ୱାରା ଲୋକ ମନରେ ନ୍ୟୂନଭାବ ପ୍ରକାଶ ପାଏ । ଆପଣ ଯଦି ମତ ବି.ଡି.ଓ. ବାବୁ ବୋଲି ନ ଡାକି ଶ୍ରୀମନ୍ତ ବାବୁ ବୋଲି ଡାକୁଛନ୍ତି, ତେବେ ତାକୁ କାହିଁକି ଡ୍ରାଇଭର ବୋଲି ଡାକିବେ ? ଏଇଟା ଆପଣଙ୍କର ଭୁଲ୍‌ ବୋଲି ମୁଁ କହୁନି; କାରଣ ତଳିଆ କର୍ମଚାରୀମାନଙ୍କୁ ଏଇ ଭାବରେ ଡାକିବା ଆମ ଦେଶରେ ଅନେକ ଲୋକଙ୍କର ଗୋଟାଏ ଅଭ୍ୟାସ । ଏପରି ମନ୍ତବ୍ୟ ଦେଲି ବୋଲି କିଛି ମନେ କରିବେନି ଆଶୁ ବାବୁ-

 

ଜିପ୍‌ରେ ବସିଲେ ସେମାନେ ।

 

ଶ୍ରମନ୍ତ ବାବୁ କହିଲେ, ଅଫିସ ଯିବା ଆଗରୁ ମୁଁ ଗାଁ ଗୁଡ଼ା ଟିକେ ବୁଲି ଆସିବାକୁ ଚାହେଁ-। କେଉଁଠି କେଉଁଠି କିପରି କାମ ଚାଲିଛି, ସେ ବିଷୟରେ ବି ଗୋଟାଏ ଧାରଣା ହୋଇଯିବ ଓ ଲୋକଙ୍କ ସହିତ ପରିଚୟ ମଧ୍ୟ ହୋଇଯିବ ।

 

ଗାଡ଼ି ଚାଲିଛି । ନାଲିଆ ରାସ୍ତା, ତୋଟା, ଧାନ କ୍ଷେତ ଭିତର ଦେଇ । ଆଶୁ ବାବୁ ସବୁ ବୁଝେଇ ଦଉଛନ୍ତି ଶ୍ରୀମନ୍ତ ବାବୁଙ୍କୁ ।

 

ଶ୍ରୀମନ୍ତ ବାବୁ ପଚାରିଲେ, ମୋ କ୍ୱାର୍ଟରରେ ଯେତେ ଫର୍ନିଚର ଅଛି, ସବୁ କଅଣ excess ?

 

ଆଜ୍ଞା ।

 

ଏତେ ଜିନିଷ excess କାହିଁକି କିଣା ହୋଇଥିଲା ?

 

ବି. ଡି. ଓ.ଙ୍କ ଅର୍ଡ଼ରରେ ।

 

ଆଚ୍ଛା, ସେ ଫର୍ନିଚର ଓ ପର୍ଦାଗୁଡ଼ା ମୋ ବସାରୁ ଅଫିସକୁ ନେଇ ଆସିବାର ବନ୍ଦୋବସ୍ତ କରିବେ । ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ବି.ଡି.ଓ.ଙ୍କୁ ଦରମା ମିଳୁଛି । ଜନସାଧାରଣଙ୍କ ଅର୍ଥକୁ ଏପରି ଅପବ୍ୟୟ କରିବ ଅପରାଧ ।

 

ଆଜ୍ଞା, ଦେଶରେ ସର୍ବତ୍ର ତ ଏହିପରି ଚାଲିଛି । ଆଉ ଆପଣ ଏକଥା ନ କଲେ ସାଧାରଣ ଧନ କଅଣ ଅପବ୍ୟୟ ହେବନି ?

 

ଯିଏ କରୁଥାଉ, ମୋର ସେଥିରେ କଅଣ ଅଛି ? ପ୍ରତ୍ୟେକ ଲୋକର ଗୋଟାଏ ନୀତି ଥିବା ଦରକାର, ଆଦର୍ଶ ଥିବା ଦରକାର । ଏପରି କରିବା ମୋର ନୀତିର ବିରୁଦ୍ଧ ।

 

ଶ୍ରୀମନ୍ତ ବାବୁଙ୍କର ଗାଡ଼ି ଅଟକିଲା ଗୋଟାଏ ମଣ୍ଡପ ପାଖରେ । କେତେଟା ଟାଉଟର ଆସି ଘେରିଗଲେ ତାଙ୍କୁ ।

 

ଏ ମଣ୍ଡପଟା କିଏ ତିଆର କରୁଛି ?

 

ଗାଁ ବାଲା ଚାନ୍ଦାକରି ଆଜ୍ଞା ! ଗୋଟାଏ ଟାଉଟର ଜବାବ ଦେଲା ।

 

ଆଶୁ ବାବୁ କହିଲେ—ଅଧା ଖର୍ଚ୍ଚ ସରକାର ମଧ୍ୟ ଦେଇଛନ୍ତି ।

 

କାମ କେବେ ଶେଷ ହବାର ଥିଲା ? ପଚାରିଲେ ଶ୍ରୀମନ୍ତ ବାବୁ ।

 

ଶେଷ ତାରିଖ ପାଞ୍ଚ ମାସ ହେଲା ଚାଲିଗଲାଣି, କହିଲା ଗୋଟାଏ ଟାଉଟର ।

 

ଏଁ ? ଶ୍ରୀମନ୍ତ ବାବୁଙ୍କର ଆଖି ଦୁଇଟା ଉପରକୁ ଉଠିଗଲା ।

 

ଏ କାମର contract କିଏ ନେଇଛି ?

 

ଆଜ୍ଞା, ଗ୍ରାମ ପଞ୍ଚାୟତର ଜଣେ ସଭ୍ୟ ନେଇଛନ୍ତି, ଉତ୍ତର ଦେଲା ଆଉ ଗୋଟାଏ ଟାଉଟର ।

 

କିଏ ସିଏ ଭଦ୍ରବ୍ୟକ୍ତି ?

 

ନୀଳମଣି ବାବୁ, ଏଇ ଠିଆହୋଇଛନ୍ତି । କହିଲେ ଆଶୁ ବାବୁ ।

 

ବିଦ୍ରୂପ କଣ୍ଠରେ ଶ୍ରୀମନ୍ତ ବାବୁ କହିଲେ, ଟଙ୍କାତକ ଅନ୍ତର୍ଦ୍ଧାନ ହୋଇଯାଇଛି ବୋଧେ ?

 

ଆପଣ ତ ଜାଣନ୍ତି ଆଜ୍ଞା ଆଜିକାଲି...

 

ମୁଁ ତ କିଛି ଜାଣେନି । ମୁଁ ଖାଲି ଜାଣେ କାମ । Excuse ମୋ ପାଖରେ ଚଳେନି । ନୀଳମଣି ବାବୁଙ୍କ କଥା ସରିବା ପୂର୍ବରୁ ଏକ ନିଃଶ୍ୱାସରେ କହିଲେ ଶ୍ରୀମନ୍ତ ବାବୁ ।

 

ଆଜ୍ଞା ଇଟା, ସିମେଣ୍ଟ ଇତ୍ୟାଦି…

 

ମିଳୁନି ?

 

ନାଇଁ,ଆଜ୍ଞା ! ସବୁ ଇଟା, ସିମେଣ୍ଟ ଆଗତୁରା ଯୋଗାଇ ଦିଆଯାଇଥିଲା । ମଜୁରୀ ଓ ଅନ୍ୟାନ୍ୟ ଉପକରଣ ବାବଦ ଖର୍ଚ୍ଚ ଗାଁ ଲୋକଙ୍କର ଦେବାର ଥିଲା । କିନ୍ତୁ ସିମେଣ୍ଟ ସବୁ ଚୋରା କାରବାର ହୋଇଗଲା ।

 

Oh I see ! ଆଚ୍ଛା, ଆଶୁ ବାବୁ ! ଅଫିସରେ ଏକଥା ମତେ ରିପୋର୍ଟ କରିବେ ।

 

ବ୍ଳକ୍‍ ପରିଦର୍ଶନରୁ ଫେରି ଅଫିସରେ ଆସି ପହଞ୍ଚିଲା ବେଳକୁ ଦିନ ଚାରିଟା । ଅଫିସ୍‌ର ସମସ୍ତ କର୍ମଚାରୀ ବି.ଡି.ଓ.ଙ୍କ ସହିତ ସାକ୍ଷାତ କରିବେ ବୋଲି କାମଦାମ ଛାଡ଼ି ବସିଛନ୍ତି । ଡାକ୍ତର, କୃଷି ଓଭରସିଅର, ସମାଜ ସେବିକା, ସମାଜ ଶିକ୍ଷା ସଂଗଠିକା, ସ୍ୱାସ୍ଥ୍ୟ ପରିଦର୍ଶିକା, ସମବାୟ ଇନ୍‌ସପେକ୍ଟର, ଗ୍ରାମସେବକ, ଗ୍ରାମ ସେବିକା, ଆକାଉଣ୍ଟାଣ୍ଟ, ପଞ୍ଚାୟତ ସଦସ୍ୟ, ଇତ୍ୟାଦି ସମସ୍ତେ ଅଫିସରେ ଠୁଳ ହୋଇଛନ୍ତି ।

 

ଶ୍ରୀମନ୍ତ ବାବୁ ଆଶୁ ବାବୁଙ୍କୁ କହିଲେ—କହି ଦିଅନ୍ତୁ ସେମାନଙ୍କୁ, କାଲି ସକାଳ ୧୦ଟା ବେଳେ ମିଟିଂ ରୁମ୍‌ରେ ଏକତ୍ର ହେବେ ।

 

ରାତି ପ୍ରାୟ ୮ଟା ବେଳକୁ ଅଫିସରୁ ଫେରିଲେ ଶ୍ରୀମନ୍ତ ବାବୁ ।

 

ପରଦିନ ସକାଳ ୧୦ଟା । Conference roomର ଲମ୍ବା ଟେବୁଲ ଚାରିକଡ଼େ ବସିଛନ୍ତି ସମସ୍ତେ । କେନ୍ଦ୍ରରେ ପଡ଼ିଥିବା ଖାଲି ଚେୟାରଟାକୁ ଅଧିକାର କଲେ ଶ୍ରୀମନ୍ତ ବାବୁ । ପ୍ରଥମେ ଚାରିଆଡ଼କୁ ଥରେ ଆଖି ବୁଲେଇନେଇ ତାପରେ ସେ ଆରମ୍ଭ କଲେ—ବାଁ ଆଡ଼ୁ ପରିଚୟଟା ଆରମ୍ଭ ହଉ ।

 

ମୁଁ ହଉଛି, ସନାତନ ରକ୍ଷିତ୍‌, କୃଷି ଓଭର୍‌ସିଅର୍‌ ।

 

ମୁଁ ମିସ୍‌ ଆଭା ମାଇତି...

 

ମନେରଖ, ନିଜେ ନିଜର ପରିଚୟ ଦେବାବେଳେ ନାଁ ଆଗରେ ମିଷ୍ଟର, ମିସ୍‌ ଇତ୍ୟାଦି ବ୍ୟବହାର କରାଯାଏନା । ଟିପ୍‌ପଣୀ ଦେଲେ ଶ୍ରୀମନ୍ତ ବାବୁ ।

 

ଗ୍ରାମ ସେବିକା ଛେପ ଢୋକିଲେ । ଆଉ କଅଣ କହିବାକୁ ଯାଉଥିଲେ, ସେକଥା ସେ ଭୁଲିଗଲେ । ଲାଜରେ ମୁହଁ ତଳକୁ ପୋତି ଚୁପ୍‌ହୋଇ ବସି ରହିଲେ ।

 

ମୁଁ ସବିତା ଦାସ, ସ୍ୱ୍ୟାସ୍ଥ୍ୟ ପରିଦର୍ଶିକା ।

 

ବାପାଙ୍କ ନାଁ ?

 

ଆଦିକନ୍ଦ ଦାସ ।

 

ଦୁନିଆଁରେ ନିଜ ବାପାଙ୍କଠାରୁ ଆଉ କିଏ ବେଶି ସମ୍ମାନିତ ହୋଇପାରେ ? ନିଜ ବାପାଙ୍କୁ ସମ୍ମାନ ଦେଖାଇବା ପାଇଁ ତାଙ୍କ ନାଁ ଆଗରେ ତମେ ଶ୍ରୀ ଟାଏ ବି ଯୋଗ କରି ପାରୁନ ?

 

ଶଙ୍କିଗଲା ସବିତା । ଇଲୋ ବୋଉଲୋ ! ଇଏତ ଗୋଟାଏ ନିଆଁ ଗିଳା ! ମନ ଭିତରେ ତାର ଉଙ୍କିମାରିଲା, ଭୂତପୂର୍ବ ବି.ଡ଼ି.ଓ. ହର୍ଷବର୍ଦ୍ଧନ ବାବୁଙ୍କର କେତେଟା ମଧୁବୋଳା କଥା, ଆଉ ପ୍ରେମଭରା ଚିଠିର ବିଷୟବସ୍ତୁ । ସେ ଅନ୍ୟମନସ୍କା ହେଲା ।

 

ମୁଁ ଏମ୍‌.କେ.ସ୍ୱାଇଁ, ସମବାୟ ଇନ୍‌ସ୍‌ପେକ୍ଟର ।

 

ଏସ୍‌.କେ.ସ୍ୱାଇଁ କଅଣ ମ ? ପୂରା ନାଁ କହୁନାହାନ୍ତି ? ଆମେ କୋଉ ବିଲାତରୁ ଆସିଲେକି ?

 

ଧକ୍‌କାଟାଏ ପାଇଲା ସୁଶୀଳ । ଆରେ ବାପ୍‌ରେ ! ଏଇଟା ସତରେ ଯକ୍ଷଟାଏ ! ପ୍ରଥମ ସାକ୍ଷାତରେ ମନଟା ତାର ବିଶେଇ ଉଠିଲା ଶ୍ରୀମନ୍ତ ବାବୁଙ୍କ ପ୍ରତି ।

 

ଶ୍ରୀମନ୍ତ ବାବୁଙ୍କର ଉଜ୍ଜ୍ୱଳ ଆଖି ଦି’ଟା ଜ୍ୱଳନ୍ତ ମଶାଲ ପରି ଜକ୍‌ ଜକ୍‌ କରୁଛି ।

 

ଏଥର ମାଧୁରୀରେ ପାଳି । ଓଠରେ ତା’ର ଦୃଢ଼ତା । ସେ ମନେ ମନେ ଠିକ୍‌ କରିନେଇଛି, ବି.ଡ଼ି.ଓ. ଯଦି ଏପରି ସମସ୍ତଙ୍କ ଆଗରେ ତାକୁ ଅପମାନ ତାକୁ ଅପମାନ ହେଲା ଭଳି କିଛି କହନ୍ତି, ସେ ଉଚିତ ଜବାବ ଦବ ।

 

ଗୋଟିକ ପରେ ଗୋଟିଏ ଆତ୍ମପରିଚୟ ଚାଲିଲା । ସର୍ବଶେଷ ବ୍ୟକ୍ତିଙ୍କ ପାଳି ପଡ଼ିଲା ।

 

ମୁଁ ମାଧୁରୀ ପଣ୍ଡା, ସମାଜ ଶିକ୍ଷା ସଂଗଠିକା ।

 

କେଉଁଠୁ ପାଶ କରିଛନ୍ତି ?

 

ପାଟଣାରୁ ।

 

ପାଟଣାରୁ ?

 

ବିସ୍ମିତ ହେଲେ ଯେ ?

 

ବମ୍ବେ, ଦ୍ୱିଲ୍ଲୀ ବା ଲକ୍ଷ୍ନୌରୁ ବୋଲି ମୁଁ ଆଶା କରୁଥିଲି । କାରଣ ଆପଣଙ୍କ ବେଶ ପରପାଟି ସେଇଆ ସୂଚାଇଦିଏ ।

 

ଗୋଟାପଣେ ନାଲି ପଡ଼ିଗଲା ମାଧୁରୀ ।

 

ଶ୍ରୀମନ୍ତ ବାବୁ ଆରମ୍ଭ କଲେ ତାଙ୍କର ବକ୍ତବ୍ୟ–ଆଧୁନିକ ସମାଜରେ ମୋର ସବୁଠାରୁ ଗୋଟାଏ ବଡ଼ ଦୁର୍ଗୁଣ ହେଉଛି ଯେ, ମୁଁ ସ୍ପଷ୍ଟବାଦୀ ଏବଂ ସବୁକଥା ରୋକ୍‌ଠୋକ୍‌ ଭାବରେ କହେ । ମୁଁ ଜାଣେ, ଲୋକମାନେ ଏଥିପାଇଁ କ୍ଷୁଣ୍ଣ ମନେକରନ୍ତି । ସତ୍ୟଟା ଯେତେ ଅପ୍ରିୟ ହେଉନା କାହିଁକି, ସତ୍ୟ କହିବାଟା ମୋର ପିଲାଦିନରୁ ଗୋଟାଏ ଅଭ୍ୟାସ । ଜାଣି ଶୁଣି ମୁଁ ଯେ ଲୋକମାନଙ୍କ ମନରେ କଷ୍ଟ ଦେବା ପାଇଁ ଏପରି କହେ ତାହା ନୁହେଁ । ଏଇ ଅଭ୍ୟାସଟା ମୋର କଷ୍ଟକର । ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ, ଆପଣମାନେ ମତେ ଯେପରି ଭୁଲ୍‍ ନ ବୁଝନ୍ତି ।

 

ଟିକିଏ ଦମ୍‌ ନେଇ ପୁଣି ଆରମ୍ଭ କଲେ ଶ୍ରୀମନ୍ତ ବାବୁ—ହଁ, ମୁଁ ଏଠିକି ବ୍ରିଟିଶ ରାଜତ୍ୱ ଅମଳର ହାକିମି ମନୋବୃତ୍ତି ନେଇ ଆସିନି । ଯୁଗ ବଦଳି ଯାଇଛି; ତେଣୁ ଆମକୁ ମଧ୍ୟ ବଦଳିବାକୁ ହେବ । ଯୁଗ ସହିତ ତାଳ ପକାଇ ଚାଲି ନ ପାରିଲେ, ମାମଥ ପରି ବିରାଟ ପ୍ରୋଚୈତିହାସିକ ଜନ୍ତୁ ଯେପରି ପରିବର୍ତ୍ତିତ ସମାଜ ସହ ତାଳ ପକାଇ ନ ପାରି ନିଶ୍ଚିହ୍ନ ହୋଇଗଲା ଆମେ ମଧ୍ୟ ସେହିପରି ନିଶ୍ଚିହ୍ନ ହୋଇଯିବା । ମୁଁ ଆପଣମାନଙ୍କ ପାଖକୁ ଆସିଛି ଏକ ଯୌଥ ପରିବାରର ସଦସ୍ୟ ଭାବରେ ବଡ଼ ଭାଇର କ୍ଷମତା ଓ ଦାବୀ ନେଇ ଏବଂ ଆପଣମାନଙ୍କ ଅକୁଣ୍ଠ ସହଯୋଗ ମୁଁ ପାଇବି ବୋଲି ଆଶା କରୁଛି । କର୍ମକ୍ଷେତ୍ରରେ ଓ କର୍ମକ୍ଷେତ୍ର ବାହାରେ ମୋ ଠାରୁ ବ୍ୟକ୍ତିଗତ ଭାବରେ ଆପଣମାନେ ସାହାଯ୍ୟ ଓ ସହାନୁଭୂତି ପାଇବେ, ନ୍ୟାୟ ପାଇବେ, ମାତ୍ର Favour ପାଇବେ ନାହିଁ । ପାଞ୍ଚ ଆଙ୍ଗୁଠିର ଆକାର ପ୍ରକାରରେ ସାନ ବଡ଼ ରହିଲେ ମଧ୍ୟ ପ୍ରତ୍ୟେକ ଆଙ୍ଗୁଠିର ଯେପରି ସମାନ ଉପଯୋଗିତା ଅଛି ଏବଂ ପ୍ରତ୍ୟେକ ଆଙ୍ଗୁଠି କାର୍ଯ୍ୟ ପାଇଁ ସମାନ ଭାବରେ ଅପରିହାର୍ଯ୍ୟ, ଏଠି ସେହିପରି ଆପଣମାନଙ୍କର ପ୍ରତ୍ୟେକଙ୍କ କାର୍ଯ୍ୟ ସମାନ ଭାବରେ ମହତ୍ତ୍ୱପୂର୍ଣ୍ଣ । ପ୍ରତ୍ୟେକ ସମାନ ସମ୍ମାନର ଅଧିକାରୀ । ତେଣୁ ଏଠି ସାନ ବଡ଼ କେହି ନାହିଁ । ଆମେ ସମସ୍ତେ Colleague । ଗୋଟିଏ ପରିବାରର ସଦସ୍ୟ । କର୍ମକ୍ଷେତ୍ରରେ ଏଇ ଦର୍ଶନ ଦ୍ୱାରା ମୁଁ ପରିଚାଳିତ ହେବାକୁ ଚାହେଁ ।

 

ଶେଷରେ ବ୍ଳକ୍‍ରେ କାର୍ଯ୍ୟ, ଯୋଜନାର ଅଗ୍ରଗତି ବିଷୟରେ ଅନେକ ଆଲୋଚନା ପରେ ବୈଠକ ଶେଷ ହେଲା ଦିନ ଦୁଇଟାରେ ।

 

ଅବସର ସମୟରେ ଗାଁ ଗହଳରେ ବୁଲି ଲୋକାମନଙ୍କ ସହିତ ମିଶିବା ବା କର୍ମଚାରୀମାନଙ୍କ ଘରକୁ ଯାଇ ସେମାନଙ୍କର ଭଲ-ମନ୍ଦ, ସୁଖ ଦୁଃଖ ବୁଝିବା ଶ୍ରୀମନ୍ତ ବାବୁଙ୍କର ଗୋଟାଏ hobby. ପ୍ରତିଦିନ କୌଣସି ନା କୌଣସି କର୍ମଚାରୀଙ୍କ ଘରେ ମୁହଁ ମାରନ୍ତି ସେ । କଲୋନିରେ କୌଣସି କର୍ମଚାରୀ ରୋଗଗ୍ରସ୍ତ ହେଲେ, ପ୍ରତ୍ୟେକ ଦିନ ତାଙ୍କ ପାଖକୁ ଯାଇ ତାଙ୍କର ଦେହ ପା’ ଖବର ବୁଝନ୍ତି ଓ ତତ୍ତ୍ୱ ନିଅନ୍ତି ।

 

Immaculous white ପୋଷାକରେ ସବୁବେଳେ ବିଚରଣ କରନ୍ତି ଏଇ ସୌମ୍ୟଦର୍ଶନ ଶ୍ରୀମନ୍ତ ବାବୁ । ସନ୍ନ୍ୟାସୀମାନେ ଯେପରି ଗୈରିକ ବସନ ଛଡ଼ା ଆଉ କିଛି ପିନ୍ଧନ୍ତି ନାହିଁ, ଶ୍ରୀମନ୍ତ ବାବୁ ସେହିପରି ସାଦା ପୋଷାକ ବ୍ୟତୀତ ପ୍ରାୟ ଆଉ କିଛି ବ୍ୟବହାର କରନ୍ତି ନାହିଁ-

 

ସେଦିନର ସଂଧ୍ୟା । ମାଧୁରୀ ଘରେ ଆସର ଜମିଛି । ରେଡ଼ିଓର ସିଲୋନ କେନ୍ଦ୍ରର ଗୀତର ତାଳେ ତାଳେ ମାଧୁରୀ, ସବିତା ଓ ଆଭାର ହୃଦୟ ନାଚିଉଠୁଛି । ଘରର ବଜୁଳି ଆଲୁଅ ତଳେ ଯୌବନର ଜୁଆର ଆଉ ରୂପର ଢେଉ ଉଦ୍‌ଭାସିତ ହେଉଛି । ଘରଟି ଯେମିତି ଉପଭୋଗ କରୁଛି ଏଇ ତିନୋଟି ତରୁଣୀଙ୍କୁ । ଘରର ସରଞ୍ଜାମ ଉପରେ ବେଶ୍‌ ମାନୁଛନ୍ତି ଏମାନେ ।

 

କବାଟରେ ଠକ୍‌ ଠକ୍‌ ଆବାଜ । ମୁଁ ଭିତରକୁ ଆସିପାରେକି ?

 

କିଏ ସେ ? ଜବାବ ଆସିଲା ଭିତରୁ ।

 

ଶ୍ରୀମନ୍ତ ।

 

ଆସନ୍ତୁ, ଆସନ୍ତୁ । ତିନିଜଣଯାକ ପାଛୋଟି ଆଣିଲେ । କିନ୍ତୁ ସମସ୍ତଙ୍କ ହୃଦୟରେ ଅତଡ଼ା ଖସିଲା । ଓଠରୁ ହସର ଶେଷ ରେଖା ଲିଭିଗଲାଣି । ଆଖିରେ ଆଶଙ୍କାର ଭାବ ପ୍ରତିବିମ୍ବତ ହେଲା ।

 

ଓ, ଆପଣମାନଙ୍କ ଆଳାପରେ ବ୍ୟାଘାତ ଘଟାଇଲି ବୋଧହୁଏ । ଆପଣମାନେ କଥାବାର୍ତ୍ତା କରନ୍ତୁ; ମୁଁ ଆଉ କେବେ ଆସିବି । ଏମିତି ଏଇବାଟେ ଯାଉଥିଲି, ଭିତରକୁ ପଶିଆସିଲି-। ଶ୍ରୀମନ୍ତ ବାବୁ ବୁଝିପାରିଲେ ତାଙ୍କର ଉପସ୍ଥିତି ଅନାହୂତ ।

 

ଆଭା କହିଲା—ନାଇଁ ସେମିତି କିଛି ଗୁପ୍ତ ମନ୍ତ୍ରଣା ଆମର ହେଉ ନ ଥିଲା ଯେ ଆପଣ ବ୍ୟାଘାତ ଘଟାଇଲେ । ଆସନ୍ତୁ, ବସନ୍ତୁ ।

 

ସବିତା ଆଉ ମାଧୁରୀ ମନେ ମନେ ଚିଡ଼ିଉଠିଲେ ଆଭା ଉପରେ । ସନ୍ଧ୍ୟାଟାକୁ ମାଟି କରିଦେଲା ଆଭା ।

 

ଶ୍ରୀମନ୍ତ ବାବୁ ପ୍ରଥମେ କଥା ଆରମ୍ଭ କଲେନି । ସେ ଖାଲି ଅନାଉଥିଲେ ତିନୋଟିଯାକ ଝିଅଙ୍କୁ ।

 

Confectioneryରେ ଯେପରି ଗୋଟିଏ ଜାତିର ଜଳଖିଆ, ବିଭିନ୍ନ ଡିଜାଇନ୍‌ରେ ଚିତ୍ରିତ ହୋଇ ଥୁଆ ହୋଇଥାଏ ଗ୍ରାହକର ମନ ନେବା ପାଇଁ, ଠିକ୍‌ ସେହିପରି ଝିଅମାନେ ଯେଉଁଠି ଏକାଠି ମିଳିତ ହୁଅନ୍ତି, ସେମାନେ ଏକା ପ୍ରକାରର ଲୁଗା ପିନ୍ଧନ୍ତି ନାହିଁ କିମ୍ବା ଏକାପ୍ରକାର ଦିଶନ୍ତି ନାହିଁ । ତିନୋଟି ତରୁଣୀଙ୍କୁ ଦେଖି ଏଇ ଧାରଣା ମନରେ ଉଙ୍କି ମାରୁଥିଲା ଶ୍ରୀମନ୍ତ ବାବୁଙ୍କର ।

 

ନିସ୍ତବ୍‌ଧତା ଭାଙ୍ଗି ତିନି ଜଣଯାକ ଏକାବେଳକେ ଅଭିଯୋଗ କରିଉଠିଲେ—ଜଣାଯାଉଛି, ଯେମିତି କଥା ନ କହିବାର ଅଭିପ୍ରାୟ ନେଇ ଆପଣା ଆସିଛନ୍ତି ଏଠିକି ।

 

ସ୍ମିତ ହସି ଶ୍ରୀମନ୍ତ ବାବୁ କହିଲେ—ଠିକ୍‌ କହିଛ । ମୁଁ କଥା କହିବାର ଅଭିପ୍ରାୟ ନେଇ ଆସିନି; କାରଣ ମୁଁ ତ ତମମାନଙ୍କୁ ସବୁବେଳେ ଖାଲି କହୁଛି, ତମଠୁଁ କେବେ ଶୁଣୁନି । ମୁଁ ଆସିଛି, ତମମାନଙ୍କଠାରୁ ଶୁଣିବାର ଅଭିପ୍ରାୟ ନେଇ ।

 

ସମସ୍ତେ ପରସ୍ପର ମୁହଁକୁ ଅନା ଅନି ହେଲେ । ସମସ୍ତଙ୍କ ମନରେ ଯେପରି ଗୋଟାଏ ପ୍ରଶ୍ନ !

 

ସବିତା ଭାବିଲା, କଅଣ ଶୁଣାଇବ ସିଏ ? ତେବେ ଲୋକଟାର ମନ ଭିତରକୁ ପ୍ରବେଶ କରିବା ପାଇଁ ଏଇଟା ସୁବର୍ଣ୍ଣ ସୁଯୋଗ । ଆଉ ସେଇ ମନଟାକୁ ପଦାରେ ପକାଇବାକୁ ହେଲେ ପ୍ରଶ୍ନ ପଚାରିବା ଦରକାର ।

 

ପାଠୋଈ ଝିଅଙ୍କ ବିଷୟରେ ଆପଣଙ୍କର ଧାରଣା କଅଣ ସାର୍‌ ? ପ୍ରଶ୍ନ କଲା ସବିତା ।

 

ଏଇଟା ଗୋଟାଏ ବଡ଼ ଜଟିଳ ପ୍ରଶ୍ନ । ବିଭିନ୍ନ ଦିଗରୁ ଏ ବିଷୟଟାକୁ ଆଲୋଚନା କରାଯାଇପାରେ । ତେବେ ଗୋଟାଏ ଦିଗରୁ ମୁଁ କହୁଛି । ଶିକ୍ଷିତା ନାରୀ ଓ ଅଶିକ୍ଷିତା ନାରୀ ଭିତରେ ପ୍ରଭେଦ ଏତିକି ଯେ, ଶିକ୍ଷିତା ନାରୀର କେତେଗୁଡ଼ିଏ ବୈଷୟିକ ଜ୍ଞାନ, ଆଚାର ବ୍ୟବହାର ସମ୍ବନ୍ଧରେ ଜ୍ଞାନ ଓ ଦୁନିଆଁର ଜଟିଳତା ବିଷୟରେ ଅଭିଜ୍ଞତା ଅଶିକ୍ଷିତାଙ୍କ ଅପେକ୍ଷା ବେଶି ଥାଏ । ଶିକ୍ଷା ଦ୍ୱାରା ଈର୍ଷା, ଦ୍ୱେଷ, ପରଶ୍ରୀକାତରତା, ସ୍ୱାର୍ଥପରତା ଇତ୍ୟାଦି ପ୍ରକୃତିର ଲୋପ ପାଇବାର କଥା; କିନ୍ତୁ ବାସ୍ତବରେ ତାହା ଲୋପ ପାଏ ନାହିଁ । ବରଂ ସେଇଟା କୁଟିଳ ଭାବରେ ପ୍ରକାଶ ପାଏ ।

ଟିକିଏ ଭାବି ପୁଣି ଆରମ୍ଭ କଲେ ଶ୍ରୀମନ୍ତ ବାବୁ–ପାଠୋଈ ଝିଅମାନଙ୍କର ଭିତର ଓ ବାହାର ଦୁଇଟା ଅଲଗା ଜିନିଷ । ତାଙ୍କର ଭିତରର ଭାବ ବାହାରକୁ ଫୁଟି ବାହାରେନି ବା ବାହ୍ୟ ବ୍ୟବହାର ଅନ୍ତରର ଅଭିବ୍ୟକ୍ତି ନୁହେଁ । କାରଣ ତାଙ୍କର ଭିତରଟା ନାରୀ, ଆଉ ବାହାରଟା ଶିକ୍ଷାର କଠିନ ଖୋଳପା ଭିତରେ ଆବୃତ । ଏଇ ଖୋଳ ଭିତରେ ଲୁଚି ରହିଥିବା ନାରୀତ୍ୱ ଯେତେବେଳେ ଉଙ୍କିମାରେ, ସେତେବେଳେ ସେ ପୁରୁଷର ଆଖି ଆଗରେ ସୃଷ୍ଟି କରେ ଗୋଟାଏ କୁହେଳିକା । ଆଉ ସେଇ କୁହେଳି ଭିତରେ ପୁରୁଷ ପଥଭ୍ରଷ୍ଟ ହୁଏ । କାରଣ ଯେତେବେଳେ ଗମ୍ଭୀର ହେବା କଥା ନାରୀ ସେତେବେଳେ ହସେ, ଆଉ ଯେତେବେଳେ ହସିବାର କଥା ସେତେବେଳେ ଗମ୍ଭୀର ହୁଏ, ଯେତେବେଳେ ଓଠର ଭାଷା ହାଲୁକା ହେବା କଥା, ସେତେବେଳେ ଦୃଢ଼ ହୁଏ । ଆଖିର ଚାହାଣୀ ଯେତେବେଳେ କୋମଳ ହେବା କଥା, ସେତେବେଳେ ଶାଣିତ ହୁଏ । କିନ୍ତୁ ଅଶିକ୍ଷିତା ନାରୀ ପ୍ରେମର ମହତ୍ତ୍ୱ ବୁଝେ; ଆଉ ସେ ପ୍ରେମ ପାଇଁ ତ୍ୟାଗ କରିପାରେ । ଶିକ୍ଷିତା ନାରୀ ଯେ ନ କରେ ତା ନୁହେଁ, କିନ୍ତୁ ଆନୁପାତିକ ଭାବରେ ଅଶିକ୍ଷିତା ନାରୀଠାରୁ କମ୍‌ କରେ ।

ପୁରୁଷମାନେ କଅଣ ଏପରି ନୁହନ୍ତି ? ପ୍ରଶ୍ନ କଲା ମାଧୁରୀ ।

ମୁଁ ତ ସେକଥା କହିନି । କିନ୍ତୁ ପୁରୁଷ ଆଉ ନାରୀ ବିଭିନ୍ନ ଉପାଦାନରେ ଗଢ଼ା । ନାରୀ ବୋଇଲେ ଆମେ ବୁଝୁ ଦୟା, କ୍ଷମା, ପ୍ରେମ ଓ ତ୍ୟାଗର ଚଳନ୍ତି ପ୍ରତିମା । ଶରୀର ତା’ର ଯେପରି କୋମଳ, ହୃଦୟ ତା’ଠୁ ଆହୁରି ବେଶି କୋମଳ । ପୁରୁଷ ହେଲା ଗୋଟାଏ ରୁକ୍ଷ, କର୍କଶ, କଠୋର, କୂଟନୀତିଜ୍ଞ ଜୀବ । ପୁରୁଷ ଯଦି ମାଇଚିଆ ହୁଏ, ନାରୀ ତାକୁ ଯେପରି ଅନ୍ତରରେ ଘୃଣା କରେ, ସେହିପରି ନାରୀ ଯଦି ପୁରୁଷର ପ୍ରକୃତିକୁ ଅନୁକରଣ କରିବାକୁ ଚେଷ୍ଟା କରେ, ତେବେ ପୁରୁଷର ମନ ବିଷାକ୍ତ ହୋଇଉଠେ ।

ତା ହେଲେ ଆପଣ କଅଣ କହୁଛନ୍ତି, ଶିକ୍ଷିତା ନାରୀ ଛଳନାମୟୀ ? ତୀର୍ଯ୍ୟକ ଚାହାଣୀ ହାଣି ପ୍ରଶ୍ନ କଲା ସବିତା ।

ମୋର ମନେହୁଏ, ନାରୀ ତୁଣ୍ଡରେ ଯେତେ ଅନିଚ୍ଛା ଦେଖାଏ, କାମରେ ଓ ବ୍ୟବହାରରେ ତା’ର ଠିକ୍‌ ଓଲଟା କରେ ।

ଶ୍ରୀମନ୍ତ ବାବୁ ସୁଯୋଗ ଉଣ୍ଡୁଥିଲେ । କହିଲେ, ଆଉ ଗୋଟିଏ ଦିଗ ଦେଖାଯାଉ । ଆଗକାଳରେ ଅଶିକ୍ଷିତା ନାରୀ ଶାଢ଼ି ବ୍ୟତୀତ ଅନ୍ୟ କୌଣସି ଅନ୍ତର୍ବାସ ପିନ୍ଧୁ ନ ଥିଲା । ସେତେବେଳର ଶାରିରୀକ ସମ୍ପଦ ଆଜିକାଲିର ଅନ୍ତର୍ବାସ ସର୍ବସ୍ୱ ଯୁଗଠାରୁ ଭଲ ଥିଲା । ପ୍ରସାଧନ ସାମଗ୍ରୀ ବ୍ୟବହାର କରୁ ନ ଥିବା ମରହଟ୍ଟୀ ନାରୀର ଚେହେରା ହେଉଛି ସତ, କିନ୍ତୁ ଅତିରିକ୍ତ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିବା ଆଧୁନିକ ନାରୀର ରୂପ ହେଉଛି ମିଛ । କାରଣ ମୁହଁ ଉପରୁ ତା’ର ପ୍ରସାଧିତ ଖୋଳାପାଟା ଛଡ଼ାଇଦେଲେ ସେ ବିଭତ୍ସ ଦେଖାଯାଏ । ଅନପ୍ରସାଧିତା ନାରୀର ଚେହେରାରେ ଯେଉଁ ସ୍ନିଗ୍‌ଧତା ଓ ମାଧୁର୍ଯ୍ୟ ଅଛି, ପ୍ରସାଧିତାମାନେ ତାକୁ ହରାଇ ସାରିଲେଣି । ଆଧୁନିକ ବୋଲାଉଥିବା ନାରୀର ରୂପ ଆଶ୍ରୟ ନେଲାଣି ଦରଜି ଘରେ ତିଆରି ହେଉଥିବା କାମୋଦ୍ଦୀପକ ଅନ୍ତର୍ବାସ ଭିତରେ ବା କଳ ତନ୍ତର ନାଇଲନ ଜାତୀୟ ବସ୍ତ୍ର ଭିତରେ । ଯେଉଁ ନାରୀର ଶରୀରର ସୌଷ୍ଠବତା ନାହିଁ, ଅଙ୍ଗଲତାର ଗଠନ ଗୋଟିଏ ସରଳରେଖା ପରି ବା ଯେଉଁମାନଙ୍କର ଯୌବନ ବିଲୟପ୍ରାୟ, ସେମାନେ ଆଧୁନିକ ଧରଣର ଅନ୍ତର୍ବାସ ଭିତରେ ଯାହା ନାହିଁ, ତାହା ଅଛି ବୋଲି ଦୁନିଆଁ ଆଗରେ ସାବ୍ୟସ୍ତ କରିବାକୁ ଚାହାନ୍ତି; ଆଉ ଯେଉଁମାନଙ୍କର ଶରୀରର ବକ୍ରରେଖା ଅଛି, ସେମାନେ ତାଙ୍କର ଅଙ୍ଗଲତାକୁ ବିଜ୍ଞାପିତ କରିବା ପାଇଁ ଆଶ୍ରୟ ନେଉଛନ୍ତି ନେଟ୍‌ କନାର ବ୍ଲାଉଜ୍‌ ଆଉ ନାଇଲନ ଶାଢ଼ୀର ନଗ୍ନତା ଭିତରେ । ସେମାନଙ୍କର ଯୌବନ ଚେହେରାରୁ ଯାଇଁ ମନରେ ରହିଲାଣି ବୋଲି ମନେ ହୁଏ । ଏସବୁ କଅଣ ଛଳନାମୟ ବା ପ୍ରତାରଣାମୟ ନୁହେଁ ? ଅବଶ୍ୟ ସବୁ ଶିକ୍ଷିତା ନାରୀ ଯେ ଏଇଆ ତା ନୁହେଁ, କିନ୍ତୁ ଆନୁପାତିକ ଭାବରେ ଦେଖିଲେ ଅଶିକ୍ଷିତାଙ୍କ ଅପେକ୍ଷା ସେମାନଙ୍କର ସଂଖ୍ୟା ବେଶି ।

ଏକଥା କାହାକୁ ଲକ୍ଷ୍ୟ କରି କୁହାହେଲା ଭଲକରି ବୁଝି ପାରିଲେ ମାଧୁରୀ ଓ ସବିତା । ଲଜ୍ଜାରେ ମୁହଁଟିମାନ ଝାଉଁଳି ପଡ଼ିଲା ସେମାନଙ୍କର । ଶ୍ରୀମନ୍ତ ବାବୁଙ୍କର କଥାର ଉତ୍ତର ଦେବା ଅବସ୍ଥାରେ ସେମାନେ ଆଉ ନାହାନ୍ତି । ପ୍ରତ୍ୟେକେ ଭାବୁଛନ୍ତି, ଏଇ ଲୋକଟା ଯେତେ ଶୀଘ୍ର ଏ ସ୍ଥାନ ପରିତ୍ୟାଗ କରିବ ସେତେ ମଙ୍ଗଳ । ଏଭଳି ଲୋକ ସହିତ ଗପ ଜମେନା । ତା’ର ମାତାଜୀମାନଙ୍କ ସହିତ ଆଳାପ କରିବା ଦରକାର, ଆଧୁନିକା ଶିକ୍ଷିତା ନାରୀମାନଙ୍କ ସହିତ ନୁହେଁ । ଇଏ ଗୋଟାଏ ଦୁନିଆଁ ବାହର ଲୋକ । ମରହଟ୍ଟିଆ ମନୋବୃତ୍ତି । ଆଧୁନିକ ସମାଜ ସହିତ ତାଳ ପକାଇ ଚାଲି ପାରେନା ।

 

ଘର ଭିତରେ ସମ୍ପୂର୍ଣ୍ଣ ନୀରବତାର ରାଜତ୍ୱ ।

 

ଶ୍ରୀମନ୍ତ ବାବୁ ବୁଝିପାରିଲେ, ତାଙ୍କର ଉପସ୍ଥିତ ଏଇ ମୁହୂର୍ତ୍ତରେ ଅନାହୂତ । ସେ ବିଦାୟ ନେବେ କି ନା, ଭାବୁଥିବା ସମୟରେ ଆଭା ପ୍ରଶ୍ନ କଲା—ତାହେଲେ ଆପଣ କହୁଛନ୍ତି, ଶିକ୍ଷିତା ଝିଅମାନେ ଅଶ୍ଳୀଳା ।

 

ସେ କଥା ମୁଁ ଆଦୌ କହିନାହିଁ । Absolute ଶ୍ଳୀଳ ବା ଅଶ୍ଳୀଳ ବୋଲି କିଛି ନାହିଁ । ଏସବୁ ବସ୍ତୁ ତୁଳନାତ୍ମକ ଭାବରେ ବିଚାର କରାଯାଏ । ଶ୍ଳୀଳତା ବା ଅଶ୍ଳୀଳତା ମଣିଷ ମନର ପ୍ରସୂତ । ଭଗବାନଙ୍କ ସୃଷ୍ଟିରେ ଅନ୍ୟାନ୍ୟ ଜୀବ ଜନ୍ତୁଙ୍କ ପରି ଅଣ୍ଡିରା ମଣିଷ ଓ ମାଈ ମଣିଷ ମଧ୍ୟ ପ୍ରାଣୀ । ତେଣୁ ସେଠି ଅଶ୍ଳୀଳତାର ପ୍ରଶ୍ନ କାହିଁ ? ହାସପାତାଳରେ, ସ୍ତ୍ରୀ ପୁରୁଷ ଉଭୟେ ବଡ଼ ଡାକ୍ତରଠାରୁ ଆରମ୍ଭ କରି ବେହେରା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଥାଇ, ରୋଗୀର ଚିକିତ୍ସା କରନ୍ତି । ପ୍ରସବ କୁହ, ଅପରେସନ କୁହ, ଯାହା କୁହ; ସେଠି ଅଶ୍ଳୀଳତାର ପ୍ରଶ୍ନ ଉଠିପାରେନା । କେବଳ ରୋଗ ଛଡ଼ା କୌଣସି ବିଷୟ ମଣିଷ ଚିନ୍ତା କରି ପାରେନା । କିନ୍ତୁ ହାସପାତାଳର ପରି ବେଷ୍ଟନୀ ଭିତରୁ ବାହାରକୁ ଆସିବା ମାତ୍ରେ ଆରମ୍ଭ ହୁଏ ଶ୍ଳୀଳତା । ଆଦିବାସୀମାନଙ୍କୁ ଦେଖ । ବିଂଶ ଶତାବ୍ଦୀରେ ମଧ୍ୟ ସେମାନେ ଲଙ୍ଗଳା ହୋଇ ରହନ୍ତି । ଅଶ୍ଳୀଳତାର ପ୍ରଶ୍ନ ସେଠି ଉଠି ପାରେନା । ଆଧୁନିକ ସମାଜ ସେମାନଙ୍କୁ ଗର୍ବର କହେ । କିନ୍ତୁ କେତେକ ହୁଏତ ମୋ ସହିତ ଏକମତ ହେବେ ଯେ, ଆଧୁନିକ ସମାଜ ଆଦିବାସୀ ସମାଜ ଅପେକ୍ଷା ବେଶି ଗର୍ବର । ତେଣୁ ଅଶ୍ଳୀଳ ଶବ୍ଦଟା ମଣିଷ ମନର କାମନା ସହିତ ଜଡ଼ିତ ହୁଏ ।

 

ଶ୍ରୀମନ୍ତ ବାବୁ ଦେଖିଲେ ଯେ, କେହି ତାଙ୍କର କଥା ଉପଭୋଗ କରୁ ନାହାନ୍ତି । ବିଦାୟ ନେଲେ ସେ ।

 

ସକାଳୁ ଅଫିସକୁ ଆସି ଶ୍ରୀମନ୍ତ ବାବୁ ଆଶୁବାବୁଙ୍କୁ ମାଗିଲେ, ଷ୍ଟୋର ଇନଭେଣ୍ଟାରୀ ଲିଷ୍ଟ, ଆଉ ବିଗତ ବର୍ଷମାନଙ୍କରେ ହୋଇଥିବା physical stock taking ଫାଇଲ । ଦିନ ସାରା ତନ୍ନ ତନ୍ନ କରି ଫାଇଲ୍‌ଗୁଡ଼ିକୁ ପରୀକ୍ଷା କରିବା ପରେ, last ଅଫିସରେ ଶ୍ରୀମନ୍ତ ବାବୁ ଆଶୁ ବାବଙ୍କୁ ଡାକି କହିଲେ, କାଲି ସକାଳେ ଆକାଉଣ୍ଟାଣ୍ଟ ଅବିନାଶ ବାବୁଙ୍କୁ ଚାର୍ଜ ସିଟ୍ issue କରାଯିବ, ଆଉ ପେଣ୍ଡିଂ enquiry ଫଏସଲ ଯାଏ ତାଙ୍କୁ ସସ୍‌ପେଣ୍ଡ କରାଯିବ । କାଲି first ଅଫିସରେ draft ମୋ ଆଗରେ put up କରିବେ ।

ଆଶୁ ବାବୁ କାନ କୁଣ୍ଡେଇ କୁଣ୍ଡେଇ କହିଲେ—ପିଲାଲୋକ ଆଜ୍ଞା, ହିସାବ କିତାବ ଭଲ କରି ଜାଣି ନାହାନ୍ତି...

ଗର୍ଜିଉଠିଲେ ଶ୍ରୀମନ୍ତ ବାବୁ—ତାଙ୍କର ଅସାଧୁତା ବିଷୟରେ ମୁଁ convinced । ପେଟ୍ରୋଲ ହିସାବ ବିଷୟରେ କାଗଜ ପତ୍ର ଅଧାପନ୍ତରିଆ ଭାବରେ ଅଛି; କୌଣସି procedure follow କରାହୋଇନି । ଆଉ ଗୋଟାଏ ଉଦାହରଣ ମୁଁ ଦଉଚି—ତିଦସ୍ତା ବର୍ଷ ସାତଶ ଟଙ୍କା ଦେଇ କିଣାହେଲା ଗୋଟାଏ ଆଇରନ୍‌ ସେଫ୍‌ । କାହାର ଅନୁରୋଧରେ, ଆଉ କେଉଁଥି ପାଇଁ କିଣାହେଲା ତାହାର ପତ୍ତା ନାହିଁ । ଫାଇଲ୍‌ରେ ଆଇରନ୍‌ ସେଫ୍‌ ବୋଲି ଉଲ୍ଲେଖ ମଧ୍ୟ ହୋଇନି । ଲେଖାହୋଇଛି, ଖାଲି ସେଫ୍‌ । ଗତ ବର୍ଷ ସେଫ୍‍ଟା ହେଲା wooden ସେଫ୍‌ । ଏ ବର୍ଷ Written off list ରେ ଲେଖା ହୋଇଛି ଯେ, Wooden safe eaten a way by white ants.

ଆଶୁ ବାବୁ ପ୍ରମାଦ ଗଣିଲେ । ସେ ଜାଣନ୍ତି, ଶ୍ରୀମନ୍ତ ବାବୁଙ୍କୁ କୌଣସି ଅନୁରୋଧ, ଅନୁନୟ, ଖୋସାମତ କାଟୁ କରିବନି । ମୁଣ୍ଡକୁ ତଳକୁ ପୋତି ଚାଲିଆସିଲେ ସେ ।

ଅବିନାଶ ବାବୁଙ୍କ ସସ୍‌ପେନ୍‌ସନ୍‌ ବ୍ଳକ୍‌ ଅଫିସରେ ଖେଳାଇ ଦେଲା ଗୋଟାଏ ଅସ୍ଥିରତା-। ଲୋକେ କୁହା କୁହି ହେଲେ, ଏଇଟା ସାକ୍ଷାତ୍‌ ଗୋଟାଏ ଯମ । ଏଇ ଲୋକଟାରେ ଚଉଡ଼ା ଛାତି ତଳେ ହୃଦୟ ନାହିଁ, ଅଛି ପଥର ।

ପଞ୍ଚାୟତ ସମିତିର ସଦସ୍ୟ ଅବିନାଶ ବାବୁଙ୍କ ପାଇଁ ଲଢ଼ିବାକୁ ଆସିଲେ ।

ହାତ ଦୁଇଟାକୁ ଯୋଡ଼ି କପାଳରେ ଲଗାଇ ଶ୍ରୀମନ୍ତ ବାବୁ କହିଲେ, ଆପଣ କ୍ଷମା କରନ୍ତୁ ମତେ ଗଣନାଥ ବାବୁ । ଦେଶରେ ଯୋଜନା କିପରି କାର୍ଯ୍ୟକାରୀ କରିବାକୁ ହୁଏ, ଆପଣ ଜାଣିନାହାନ୍ତି । ସେଥିପାଇଁ ଆବଶ୍ୟକ ତ୍ୟାଗ । ଏମିତିଆ ଯୋଜନାବିରୋଧୀ ଲୋକମାନେ ସମାଜକୁ ପଙ୍ଗୁ କରିଦେବେ । ଦେଶର ଉନ୍ନତି ପାଇଁ ଯେଉଁ ବ୍ଳଡ଼ transfusion ସରକାର ଦେବାକୁ ଚେଷ୍ଟା କରୁଛନ୍ତି, ଏମାନେ ତାକୁ ଜୋକ ପରି ଶୋଷି ନେବାକୁ ଚାହାନ୍ତି । ଜନ ସାଧାରଣଙ୍କ ଅର୍ଥର ତୋଷରପାତ, ଚୋରି ବା ଡକାୟତିଠାରୁ ମଧ୍ୟ ଆହୁରି ହୀନ, ଘୃଣ୍ୟ ।

କିଛି ଦିନ ପରେ ମାଧୁରୀର ଧରମଗଡ଼କୁ ବଦଳି ଆଦେଶ ଆସିଲା । ଅବିନାଶ ବାବୁଙ୍କ ସସ୍‌ପେନ୍‌ସନ୍‌ ପରେ ଯେଉଁ ହୈଚୈଟା ଥମି ଆସୁଥିଲା, ସେଟା ପୁଣି ଉଦ୍‌ଜୀବିତ ହୋଇଛି । ସମସ୍ତଙ୍କ ତୁଣ୍ଡରେ ନାନା ରକମର କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ସବିତାର ହୃଦୟରେ ଆବର୍ତ୍ତନ । ଏଥର ତା’ର ପାଳି । ତା’ର ଚାହାଣୀ ବଦଳି ଯାଇଛି । ଆଖିକଣରେ ଯେଉଁ ବିଜୁଳି ଚମକୁ ଥିଲା, ତାହା ଲିଭିଯାଇଛି । ଓଠ ଉପରେ ଜନମନଲୋଭା ଯେଉଁ ହସ ଖେଳୁଥିଲା, ତାହା ମରିଯାଇଛି । ମୁହଁ ଉପରେ ଗାମ୍ଭୀର୍ଯ୍ୟ ଓ ହତାଶାର ଛାପ ।

ଶ୍ରୀମନ୍ତ ବାବୁଙ୍କର ସେଇ ତେଜୀୟାନ ଆଖି ଦୁଇଟା ସହିତ ବ୍ଳକ୍‍ର କି କର୍ମଚାରୀ, କି ଜନସାଧାରଣ ସମସ୍ତେ ପରିଚିତ ହୋଇ ସାରିଲେଣି । ତାଙ୍କର ଆଖିର ଉଜ୍ଜ୍ୱଳ ତାରକା ଦି’ଟା ଊର୍ଦ୍ଧ୍ୱରେ ଥାଇ ସେପରି ବ୍ଳକ୍‍ର ସମସ୍ତ କାର୍ଯ୍ୟକ୍ରମକୁ ଲକ୍ଷ୍ୟ କରୁଛନ୍ତି । ସମସ୍ତଙ୍କର ଧାରଣା ଏଇ ଆଖି ଦି’ଟାରେ ଝଟକୁଛି ଯେପରି ପ୍ରଳୟର ନିଆଁ ।

ଶ୍ରୀମନ୍ତ ବାବୁ ବୁଝି ପାରିଛନ୍ତି ଯେ, ଲୋକେ ତାଙ୍କୁ ଭୁଲ୍‍ ବୁଝୁଛନ୍ତି । ତାଙ୍କର ବ୍ୟବହାର ଯେପରି ଲୋକମାନଙ୍କ ପାଖରେ ଅସହ୍ୟ ହୋଇ ଉଠିଛି ।

ମାଧୁରୀ ବ୍ଳକ୍‍ ଛାଡ଼ିବାର ପୂର୍ବ ଦିନ ଶ୍ରୀମନ୍ତ ବାବୁ ବ୍ଳକ୍‍ର ସମସ୍ତ କର୍ମଚାରୀମାନଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି ।

ସେଇ ଭୋଜିରେ ଶ୍ରୀମନ୍ତ ବାବୁ ବେଦନାଜଡ଼ିତ କଣ୍ଠରେ କହିଲେ, ଅନ୍ୟକୁ କଷ୍ଟ ଦେବାରେ କାହାକୁ ଆନନ୍ଦ ମିଳେନି । ନିଜେ ଦୁଃଖ ପାଇଲେ ମନକୁ ଯେପରି ବାଧେ, ଅପରର ମନରେ କଷ୍ଟ ଦେଲେ ତାକୁ ମଧ୍ୟ ସେହିପରି ବାଧେ । ଏକଥା ମଣିଷ ମାତ୍ରେଇ ଉପଲବ୍‌ଧି କରନ୍ତି-। ହାକିମ ତା’ର କଲମଗାରରେ ତଳିଆ କର୍ମଚାରୀମାନଙ୍କର ଚାକିରୀ ନେଇଯାଇ ପାରେ; କିନ୍ତୁ ଚାକିରିଟାଏ ଦେବା ଯେ କେଡ଼େ କଷ୍ଟକର ବ୍ୟାପାର, ସେକଥା ପ୍ରତ୍ୟେକ ହାକିମ ଜାଣେ । କିନ୍ତୁ ଶାସନ ଗୋଟାଏ ଏପରି ଜିନିଷ ଯେ, ସେଥିରେ ଅନେକ ବିଷୟ ଅନିଚ୍ଛା ସତ୍ତ୍ୱେ କରିବାକୁ ହୋଇଥାଏ । ଶାସନର ସୁଦୃଢ଼ତା ପାଇଁ ଅନେକ କ୍ଷେତ୍ରରେ ବହୁ ଅପ୍ରୀତିକର କାର୍ଯ୍ୟ କରିବାକୁ ପଡ଼ିଥାଏ । ମଣିଷକୁ ଭଲଲାଗେ ବୋଲି ଯେ, ଏକଥା ସେ କରେ, ତା ନୁହେଁ । ଏହା ନ କଲେ ଶାସନ ହୁଏତ ହୁଗୁଳି ଯାଆନ୍ତା । ଗଣତନ୍ତ୍ର ଶାସନ ପ୍ରତି ଲୋକଙ୍କର ବିଶ୍ୱାସ କମିଯାଅନ୍ତା । ଯେଉଁ ଦେଶର ଗଣତନ୍ତ୍ର ଶାସନରେ କର୍ମକର୍ତ୍ତା ଯେତେ ବେଶି ସାଧୁ, ସଚ୍ଚୋଟ ଓ କର୍ମଠ, ସେ ଦେଶରେ ଶାସକର ଅତ୍ୟାଚାର ସେତେ କମ୍‍ । ଉଦାହରଣ ସ୍ୱରୂପ ବିଲାତର ଶାସନ ପଦ୍ଧତି କଥା ଅନୁଧ୍ୟାନ କଲେ ମନରେ ଏହି ଧାରଣା ଆସେ । ବ୍ରିଟିଶ ଶାସନରୁ ଆମେ ଖରାପ ଜିନିଷତକ ଶିଖିଲୁ; ଭଲ ଜିନିଷ ଶିଖି ପାରିଲୁ ନାହିଁ । ମୋର ବ୍ୟବହାରର ଦୋଷ ଦୁର୍ବଳତାକୁ କ୍ଷମା କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ।

ସମସ୍ତେ ଲକ୍ଷ୍ୟକଲେ, ଶ୍ରୀମନ୍ତ ବାବୁଙ୍କ ଗୁରୁଗମ୍ଭୀର କଣ୍ଠରେ କୋମଳତା ଓ କାରୁଣ୍ୟର ଆଭାସ ।

ମାଧୁରୀର ଆଖିରେ ଲୁହ ।

ସବିତା ଭାବୁଛି, ଲୋକଟାକୁ ଏପର୍ଯ୍ୟନ୍ତ ସେ ବୁଝିପାରିଲାନି । ଲୋକଟା ଭଣ୍ଡ, ପ୍ରତାରକ ନୁହେଁ ତ ? ମିଠା କଥାର ଆବତରଣ ତଳେ ହୃଦୟରେ ତାର ପୌଶାଚିକ ପ୍ରବୃତ୍ତି ଖେଳୁନି ତ ?

ଶ୍ରୀମନ୍ତ ବାବୁଙ୍କର ଏଇ କଥା ପରେ ଘରର ହାଲକା ବାତାବରଣ ଗମ୍ଭୀର ହୋଇ ଉଠିଲା ।

ବ୍ଳକ୍‍ର କର୍ମଚାରୀମାନଙ୍କର ସ୍ମାରକ ସ୍ୱରୂପ ଶ୍ରୀମନ୍ତ ବାବୁ ମାଧୁରୀର ହାତରେ ଉପହାର ଦେଲେ ଗୋଟାଏ ଝରକଲମ ।

ଛଳ ଛଳ ନୟନରେ, କମ୍ପିତ ହସ୍ତରେ ମାଧୁରୀ ସେଟିକୁ ଗ୍ରହଣ କଲା ।

ପରଦିନ ମାଧୁରୀକୁ ବିଦାୟ ଦେବା ପାଇଁ ଷ୍ଟେସନରେ ଉପସ୍ଥିତ ଥିଲେ, ନିଜେ ଶ୍ରୀମନ୍ତ ବାବୁ । କେହି ଆଖିକୁ ବିଶ୍ୱାସ କରି ପାରୁନାହାନ୍ତି । କି ଆମାୟିକ ଭାବରେ ଲୁହାର ଏଇ ମଣିଷଟା କୌତୁକ ପରିବେଷଣ କରି ଆବହାୱାକୁ ସରଗରମ କରି ରଖିଛି । ପ୍ରତ୍ୟେକଙ୍କ ହସର ଜୁଆରର ଧକ୍‌କା ଅନ୍ୟର ଓଠରେ ପ୍ରତିଧ୍ୱନି ସୃଷ୍ଟି କରୁଛି ।

ବିଷ୍ଫାରିତ ନୟନରେ ଅନେଇଥିଲା ସବିତା । ପବନରେ ତା ଅମାନିଆ କାନିଟା ଉଡ଼ିଆସି କେତେବେଳେ ଶ୍ରୀମନ୍ତ ବାବୁଙ୍କ ଆଗରେ ତ, କେତେବେଳେ ପଛରେ ପିଟିହୋଇ ଯାଉଛି ।

 

ମାଧୁରୀ ଭାବୁଥିଲା, ଏଇ ଗଦ୍ୟମୟ ଲୋକଟା ଯେ ହଠାତ୍‌ ଏପରି ରସମୟ ହୋଇ ଉଠିବ, ସେକଥା କିଏ କଳ୍ପନା କରିଥିଲା ?

 

ମାଧୁରୀର ଆସବାସ ପତ୍ର ଠିକ୍ ଭାବରେ ରଖାହେଲା କି ନାହିଁ, ଦୁଇ ଜଣ କିରାଣୀ ତଦାରଖ କରୁଛନ୍ତି ।

 

ଟ୍ରେନ୍‌ ଛାଡ଼ିବାର whistle ହେଲା । ମାଧୁରୀ ସହିତ କମ୍ପାଟ୍‌ମେଣ୍ଟ ଭିତରକୁ ଉଠିଗଲେ ଶ୍ରୀମନ୍ତ ବାବୁ । ମାଧୁରୀର ହାତକୁ ତାଙ୍କର ଦୁଇ ହାତର ପାପୁଲି ଭିତରେ ରଖି ବାଷ୍ପାକୁଳିତ କଣ୍ଠରେ ସେ କହିଲେ, ଶୁଭଯାତ୍ରା ଓ ସୁଖମୟ ଭବିଷ୍ୟତର କାମନା କରି ରହିଲି । ମୋର ଏହି ଶୁଭେଚ୍ଛାକୁ ଛଳନାମୟ ବୋଲି ଭାବିଲେ ଦୁଃଖ ଅନୁଭବ କରିବି । ମାଧୁରୀ ଦେଖିଲା, ଶ୍ରୀମନ୍ତ ବାବୁଙ୍କ ଡୋଳା ଦି’ଟା ପାଣିରେ ଭାସିଲା ପରି ଦିଶୁଛି ।

 

ଟ୍ରେନ ଚାଲିବାକୁ ଆରମ୍ଭ କଲା । ପ୍ଲାଟ୍‌ଫର୍ମରେ ଠିଆହୋଇ ସମସ୍ତେ ରୁମାଲ ହଲାଇଲେ । ଶ୍ରୀମନ୍ତ ବାବୁ ଓହ୍ଲାଇ ପଡ଼ିଲେ । ସମସ୍ତଙ୍କ ଆଡ଼ୁ ମୁହଁଟାକୁ କ୍ଷଣକ ପାଇଁ ସେ ବୁଲାଇନେଲେ ଓ ଆଖିରେ ରୁମାଲଟା ଘଷିଦେଇ ପୁଣି ପକେଟରେ ପୂରାଇଦେଲେ ।

 

ସ୍ତମ୍ଭିତ ହୋଇ ସବିତା ଅନେଇଥିଲା ସେଆଡ଼େ ।

 

ଦୁଇଦିନ ପରେ ଶ୍ରୀମନ୍ତ ବାବୁ କବର ଖୋଳି ବାହାର କଲେ ମିଲ୍‌କ ପାଉଡର scandal. ଅଧଘଣ୍ଟାଏ କାଳ ବ୍ଳକ୍‍ କର୍ମଚାରୀମାନଙ୍କ ଉପରେ ବୋହିଗଲା ଗୋଟାଏ କୁଜ୍‌ଝଟିକାମୟ ପ୍ରଭଞ୍ଜନ ଅତି ଅତର୍କିତ ଭାବରେ । ଭୂମିକମ୍ପ ହେଲେ ଘରଗୁଡ଼ା ଯେପରି ଥରିଉଠେ, ଶ୍ରୀମନ୍ତ ବାବୁଙ୍କ ଗର୍ଜନରେ ଅଫିମ୍ ଘରଟା ସେମିତି ଥରି ଉଠିଲା ପରି ଜଣାଗଲା ।

 

ଠିକ୍‌ ପରେ ପରେ ସ୍କୁଲ ମାଷ୍ଟର, ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିର ସଦସ୍ୟମାନଙ୍କର ଏକ ମିଳିତ ବୈଠକରେ ଶ୍ରୀମନ୍ତ ବାବୁ ବଜ୍ରଗମ୍ଭୀର ସ୍ୱରରେ ଘୋଷଣା କଲେ, ଯେଉଁ ସମାଜରେ ରକ୍ଷକ ଭକ୍ଷକ ହୁଏ, ସେ ସମାଜ ହ ତଭାଗା ସମାଜ । ସେ ସମାଜ ଊର୍ଦ୍ଧ୍ୱକୁ ଉଠିପାରେନା । ଗଣତନ୍ତ୍ର ଶାସନର ଅର୍ଥ ଯଦି ଆପଣମାନେ ହୁଗୁଳା ଶାସନ ବୋଲି ଭାବୁଥାନ୍ତି, ତେବେ ମୁଁ କହିବି, ସେଥିପାଇଁ ଦାୟୀ ଆପଣମାନେ । ମୋର କାର୍ଯ୍ୟକ୍ଷେତ୍ରର ସ୍ୱଳ୍ପ ପରିସର ଭିତରେ ମୁଁ ଏ ପ୍ରହସନ ଦେଖି ଆଖି ବୁଜି ରହିପାରେନା । ଏ ଘଟଣାର ତଦନ୍ତ କରି ଦୋଷୀକୁ ଆଲୋକକୁ ଆଣିବାର ଭାର ମୁଁ ପଞ୍ଚାୟତ ସମିତିର ସଭାପତିଙ୍କ ଉପରେ ନ୍ୟସ୍ତ କଲି ।

 

ଏହି ଘଟଣା ପରେ ବିଭିନ୍ନ କାଳ୍ପନିକ plea ଦେଖାଇ ପୁଞ୍ଜାଏ ପାଞ୍ଚଟା ଦରଖାସ୍ତ ଗୋଟିକ ପରେ ଗୋଟିଏ ଜିଲ୍ଲା ମ୍ୟାଜିଷ୍ଟ୍ରେଟ, ଡେଭଲପ୍‌ମେଣ୍ଟ କମିଶନର ଓ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ପଠାଗଲା ଶ୍ରୀମନ୍ତ ବାବୁଙ୍କର ବଦଳି ପାଇଁ ଅନୁରୋଧ କରାଯାଇ ।

 

ଶ୍ରୀମନ୍ତ ବାବୁ କିନ୍ତୁ ସମସ୍ତଙ୍କୁ ଭଲ ପାଇଛନ୍ତି, କାହାକୁ ଘୃଣା କରିନାହାନ୍ତି ।

 

ଘଣ୍ଟା ଘଣ୍ଟା ଧରି ସେ ସବିତାକୁ ପାଖରେ ବସାଇ ଉପଦେଶ ଦିଅନ୍ତି । ଯେପରି ଭୂଲୁଣ୍ଠିତା ସବିତାକୁ ସେ ଊର୍ଦ୍ଧ୍ୱରେ ଟେକି ଧରିବାକୁ ଚାହାନ୍ତି । ଦରଦଭରା କଣ୍ଠରେ ସେ କହନ୍ତି–ତମର ବେଶ ଭୂଷା, ଆଚାର ବ୍ୟବହାର ସହରରେ ଶୋଭା ପାଇବା; କିନ୍ତୁ ଗାଁ ଗହଳରେ ନୁହେଁ । ତମେ ଚାଲିଗଲାବେଳେ ଗାଁର ମାଇପୀମାନେ ଘୃଣାରେ ନାକ ଟେକନ୍ତି । ଗାଁର ପୋଖରୀ ତୁଠରେ ଗାଧୋଇବା ପାଇଁ ଏକତ୍ର ହେଉଥିବା ଝିଅ ବୋହୂମାନଙ୍କର ଲେଡ଼ିଜ୍‌ କ୍ଳବ୍‌ରେ ତମେ ହୋଇଉଠେ ସେମାନଙ୍କର ଆଲୋଚ୍ୟ ବିଷୟ, ବିଦ୍ରୂପ ଓ ଥଟ୍ଟାର ସାମଗ୍ରୀ । ତମେ ଯଦି ଏକଥାକୁ ଭୟ କରି ଲୋକମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କର, ତେବେ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବ କିଏ ? ଅଫିସର ବିଜୁଳି ପଙ୍ଖା ତଳେ ବସି ଯୋଜନା ଯୋଜନା ବୋଲି ଚିତ୍କାର କଲେ ଦେଶର ଅର୍ଥନୈତିକ ଉନ୍ନତି ହେବନି; ଜୀବନଧାରଣର ମାନ ବଢ଼ିଯିବିନି । ମୁଁ ଚାହେଁ ଘୃଣା ଓ ବିଦ୍ରୂପ ପରିବର୍ତ୍ତେ ତମ ପଛରେ ଗୋଡ଼ାଇ ଆସୁ ପ୍ରଶଂସା । ମୋଠାରୁ ଏପରି କଥା ଶୁଣି ତମେ ମୋ ପ୍ରତି ବିରକ୍ତ ହୋଇ ଉଠିବଣି ନିଶ୍ଚୟ । ତମ ପ୍ରତି ଘୃଣା ପରିବର୍ତ୍ତେ ମୋ ଭିତରେ ଜାତ ହୋଇଛି ଦୟା ଓ ମମତା । ମୁଁ ତମକୁ ସୁଖ ପାଉ ନ ଥିଲେ ଏପରି କଥା ହୁଏତ କହନ୍ତିନି । ଯେଉଁମାନେ କେବଳ ମିଠା କଥା ବା ଚାଟୁ କଥା କୁହନ୍ତି, ସେମାନେ ହେଉଛନ୍ତି ସୁବିଧାବାଦୀ, ପ୍ରତାରକ; କାରଣ ତାଙ୍କର ଭିତର ଓ ବାହାର ଅଲଗା ଜିନିଷ । ତେଣୁ ମୁଁ ଯେତେ ଅପ୍ରିୟ କହିଲେ ବି ତାହା ତୁମର ମଙ୍ଗଳ ପାଇଁ କହୁଛି ।

 

ସବିତାର ମନ କିନ୍ତୁ ବୁଝେନା । ଶରବିଦ୍ଧା ହରିଣୀ ପରି ସେ ବସିରହେ । ଛଳ ଛଳ ଆଖି, ଭାରୀ ଭାରୀ ମୁହଁରେ ସେ ସବୁକଥା ଶୁଣିଯାଏ । ସେ ଭାବେ, ସହରର ଆବହାୱାରେ ଜୀବନ ତା’ର ଗଢ଼ାହୋଇଛି, ସହରର ପାଣି ପବନ ଖାଇ ସେ ବଢ଼ିଆସିଛି ଏବଂ ଏବେ ମଧ୍ୟ ଗଣ୍ଡିଟା ତା’ର ପଲ୍ଲୀ ଅଞ୍ଚଳରେ ଥିଲେ ସୁଦ୍ଧା ଚେର ରହିଛି ସହରରେ । ଆଉ ଆଜି ଏଇ ଚୋପାଛଡ଼ା ଲୋକଟାର କଥାରେ ପଡ଼ି ସେ ଗାଁ ଗହଳ ସହିତ ନିଜକୁ ଖାପ ଖୁଆଇବା ପାଇଁ ଗୋଟାଏ ପୁନର୍ଜନ୍ମର ସ୍ୱପ୍ନ ଦେଖିବାକୁ ଚାହେଁନା । ଆଜି ଆଉ ସେ ପିଲା ହୋଇ ନାହିଁ ଯେ, ଖାଲି ଉପଦେଶ ଶୁଣୁଥିବ । ସତେ ଯେପରି ଦର୍ଶନରେ କେବଳ ଏଇ ଲୋକଟାର ଏକଚାଟିଆ ଅଧିକାର, ଆଉ କାହାର ନାହିଁ ।

 

ସବିତା ଭାବେ, ସେ ହେଉଛି ନାରୀ ! ଆଉ ନାରୀ ହେଉଛି ଶକ୍ତିର ଆଧାର । ଦୁନିଆଁରେ ଏପରି କୌଣସି ଜିନିଷ ନାହିଁ, ଯାହା ନାରୀର ଶକ୍ତିର ବହିର୍ଭୂତ । ଇତିହାସର ସହସ୍ର ଘଟଣା ତା’ର ସାକ୍ଷୀ । ରୋମ ସାମ୍ରାଜ୍ୟର ପତନ ମୂଳରେ ଥିଲା ଗୋଟାଏ ନାରୀ । ସିଏ ହେଉଛି ‘କ୍ଲିଓପାଟ୍ରା’ । ଭାରତରେ ହିନ୍ଦୁ ରାଜତ୍ୱର ପତନର କାରଣ ହେଲା ‘ସଂଯୁକ୍ତା’ । ଟ୍ରୟର ହେଲେନ ପାଇଁ ଧ୍ୱଂସ ହେଲା ଦୁଇଟି ରାଜ୍ୟ । ରାମାୟଣର କେନ୍ଦ୍ର ହେଲା ନାରୀ । ମହାଭାରତ ଯୁଦ୍ଧ ପାଇଁ ଇନ୍ଧନ ଯୋଗାଇଥିଲା ନାରୀ ।

 

ସୃଜନ ଶକ୍ତି ଯାହାଠାରେ ଅଛି, ପ୍ରଳୟର ଶକ୍ତି ମଧ୍ୟ ତା’ରି ଠାରେ ନିହିତ । ନାରୀର ଗର୍ଭାଧାର ସୃଷ୍ଟିକରେ ଜୀବନ, ଆଉ ନାରୀର ଚକ୍ଷୁ ସଂହାର କରେ ପୃଥିବୀ ।

 

ସେଦିନ ମନରେ ସଂକଳ୍ପ ଓ ଚିବୁକରେ ଦୃଢ଼ତା ନେଇ ଫେରିଛି ସବିତା । ସେ ସ୍ଥିର କରିଛି, ଏଇ ନିଷ୍ଠୁର ଲୋକଟାକୁ ସେ ତା’ର ଅଳତାଦିଆ ପାଦ, ରଙ୍ଗବୋଳା ନଖ ତଳେ କଚାଡ଼ିଦେବ । ଆଉ ଯେତେବେଳେ ତା’ରି ହୃଦୟରେ ଶରଣ ପଶିବା ପାଇଁ ଏଇ ଲୋକଟା ତା’ର ବୁକୁ ଉପରେ ଆଉଜି ପଡ଼ିବ, ସେତେବେଳେ ସେ ତାହାର ଛାତିରେ ପଦାଘାତ କରି ତାକୁ ଠେଲିଦବ ଦୂରକୁ ।

 

କିନ୍ତୁ ତାହା ଯଦି ସମ୍ଭବ ନ ହୁଏ, ତେବେ ! ତେବେ ସେ କରିବ କଅଣ ? ହଁ, ଡିନାମାଇଟ୍‌ ପଥରକୁ ଭାଙ୍ଗି ଦୂରକୁ ଫୋପାଡ଼ି ଦେଲା ପରି ପଥରର ଏଇ ଲୋକଟାକୁ ସେ ଫୋପାଡ଼ି ଦେବ ଦୂରକୁ । ଆଉ ଏଇ ଡିନାମାଇଟ ହେଉଛି ବି: ଡ଼ି: ଓ: ଠାରୁ ଆହୁରି କ୍ଷମତାଶାଳୀ, ପୁରୁଷର କାନରେ ନାରୀ ଯାହା କୁହେ ।

 

ସାତ ଦିନ ପରେ ଜିଲା ହାକିମ ବାରାନଗର ବ୍ଳକ୍‍ଗସ୍ତରେ ଆସି ଡାକବଙ୍ଗଳାରେ ରହିଛନ୍ତି । ଶ୍ରୀମନ୍ତ ବାବୁ ଦିନ ସାରା ବ୍ଳକ୍‍ର ବିଭିନ୍ନ ସ୍ଥାନରେ ଚାଲିଥିବା କାମର ଅଗ୍ରଗତି ଓ ସାଫଲ୍ୟ ତାଙ୍କୁ ନିଜେ ବୁଲାଇ ଦେଖାଇଛନ୍ତି । ହାକିମ ଖୁସିହୋଇ ମତ ଦେଇଛନ୍ତି, Remarkable achievement.

 

କିନ୍ତୁ ସେଦିନ ରାତିରେ ଶ୍ରୀମନ୍ତ ବାବୁଙ୍କର ସମସ୍ତ ପରାକାଷ୍ଠା ‘ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଚାଲିଗଲା’ ଭଳି ଚାଲିଯାଇଛି କେବଳ ସବିତାର ନିର୍ଦ୍ଦେଶରେ !

 

ସବିତା ଜାଣେ ଚାକିରୀ ଜୀବନରେ ବଶ୍ୟତା ଗୋଟାଏ ସାଧାରଣ ଧରାବନ୍ଧା କଥା । ନାରୀର ଚାକରୀ ଜୀବନରେ ସ୍ୱାସ୍ଥ୍ୟ ଓ ଯୌବନ ଉପରିସ୍ଥ ହାକିମର ପାଦଦଳେ ନିବେଦିତ ହୋଇ ରହିଯାଏ । ବଡ଼ ହାକିମମାନେ ନାରୀ କର୍ମଚାରୀଠାରୁ କଅଣ ଚାହାଁନ୍ତି, କଅଣ ପାଆନ୍ତି, ଆଉ କଅଣ ଯେ ଦିଅନ୍ତି, ତାହା ମୁହଁ ଖୋଲି କେହି ସ୍ୱୀକାର ନ କଲେ ବି ସମସ୍ତେ ବୁଝନ୍ତି । ଆଇନ ବଳରେ ବା ଅଧିକାର ବଳରେ ଏଇଟା ମିଳିବାର ଜିନିଷ ନୁହେଁ; କିନ୍ତୁ ମିଳେ, ଯେତେବେଳେ ଉଭଙ୍କର ଉଭୟଙ୍କଠାରୁ ସୁବିଧା ପାଇବାର ପ୍ରୟୋଜନ ଥାଏ । ନ ହେଲେ ଏତେ ଧନ, ଏତେ କ୍ଷମତା ବା ଏଡ଼େ ପ୍ରଭୁତ୍ୱର ମୂଲ୍ୟ ରହନ୍ତା ନାହିଁ ।

 

ସେଦିନ ସନ୍ଧ୍ୟାରେ ସବିତା ରୂପକ ଚନ୍ଦ୍ର ଉଇଁଥିଲା ଡାକ ବଙ୍ଗଳା ଆକାଶରେ । ଆଉ ରାହୁଗ୍ରସ୍ତ ସବିତା ବିଲୟ ଲଭିଥିଲା ଦିଗ୍‌ବଳୟ ତଳେ ।

 

ମାସକ ପରେ ମାର୍ଥାପୁର ବ୍ଳକ୍‍କୁ ଶ୍ରୀମନ୍ତ ବାବୁଙ୍କର ବଦଳି order ଆସିଲା ।

 

ଏ ନିର୍ଦ୍ଦେଶରେ ଶ୍ରୀମନ୍ତ ବାବୁ ଆଶ୍ଚର୍ଯ୍ୟ ହୋଇଛନ୍ତି ସତ, କିନ୍ତୁ ମନରେ କ୍ଷୋଭ ବା ଅନୁଶୋଚନା ଜାତ ହୋଇନି ।

 

ବ୍ଳକ୍‍ ଛାଡ଼ିବା ପୂର୍ବଦିନ ସବିତା ସହିତ ଶ୍ରୀମନ୍ତ ବାବୁଙ୍କର ଶେଷ ଦେଖା । ଶ୍ରୀମନ୍ତ ବାବୁଙ୍କର କଣ୍ଠରେ ଆବେଗତା–ମୋର ବ୍ୟକ୍ତିତ୍ୱକୁ ମୁଁ ତମରି ହୃଦୟରେ ପ୍ରତିଫଳିତ କରିବାକୁ ଚାହିଁଥିଲି । କିନ୍ତୁ ସଫଳତା ହାସଲ କରିବା ଆଗରୁ ମତେ ବିଦାୟ ନେବାକୁ ପଡ଼ିଲା । ମୁଁ ଜାଣେ, ତମେ ମୋର କଥାକୁ ଭଲପାଇନ; ବ୍ୟକ୍ତିତ୍ୱକୁ ଗ୍ରହଣ କରିନ । କିନ୍ତୁ ଏକଥା ନିଶ୍ଚିତ ଯେ, ତମେ ମତେ ବହୁଦିନ ପର୍ଯ୍ୟନ୍ତ ମନେରଖିବ । କାରଣ ମଣିଷ ଯାହା ପାଖରେ ହାରିଥାଏ, ସେଇ ଲୋକକୁ ସେ ବେଶି ମନେରଖେ । ଯେଉଁ ପୁଅମାନଙ୍କ ପାଖରେ ତମେ ଜିତିଥିବ, ସେମାନଙ୍କୁ ଭୁଲି ଯାଇଥିବ ନିଶ୍ଚୟ; କିନ୍ତୁ ମତେ ଭୁଲି ପାରିବନି । ମୋର ଭୂତ ତମର ମନର ଚାରିଆଡ଼େ ଯଦିବା ଘେରି ରହେ, ତଥାପି ସେଥିରେ ତମର କୌଣସି କ୍ଷତି ହେବନି, ବରଂ ଲାଭ ହେବ । ମୁଁ ତମର ପାଖରେ ଥିବାବେଳେ ତମେ ମୋ କଥା ଉପରେ ଗୁରୁତ୍ୱ ଦେବାକୁ ଚାହିଁନ । ଦୁନିଆଁର ପ୍ରତ୍ୟେକ ବସ୍ତୁକୁ ହାଲୁକା ଭାବରେ ଗ୍ରହଣ କରିବା ତମର ଅଭ୍ୟାସଗତ । କିନ୍ତୁ ମୁଁ ଦୂରକୁ ଚାଲିଗଲା ପରେ ତମେ ହୁଏତ ଉପଲବ୍‌ଧି କରିବ, ତମର ମନ ଉପରେ ମୋ କଥାର ଆସ୍ଥାନକୁ । ପାଖରେ ଥାଇ ଦୁଃଖ ଦେବାର ଶକ୍ତି ଯେଉଁମାନଙ୍କର ଥାଏ, ସେମାନେ ଦୂରକୁ ଘୁଞ୍ଚିଗଲେ ସୁଖ ମିଳେ । କିନ୍ତୁ ଦୂରରେ ଥାଇ ସୁଖ ଦେବାର ସାମର୍ଥ୍ୟ ଯେଉଁମାନଙ୍କର ଥାଏ, ସେମାନେ ପାଖକୁ ଆସିଲେ ଦୁଃଖ ଦିଅନ୍ତି । ଦିନେ ତମେ ଏକଥା ଉପଲବ୍‌ଧି କରିବ ନିଶ୍ଚୟ ।

 

ଶ୍ରୀମନ୍ତ ବାବୁଙ୍କୁ ଷ୍ଟେସନକୁ ଛାଡ଼ିବାକୁ କେହି ଯାଇ ନ ଥିଲେ, କାରଣ ସମସ୍ତଙ୍କୁ ସେ ମନା କରିଥିଲେ । କିନ୍ତୁ ଯାଇଥିଲା କେବଳ ସବିତା ।

 

ଫାଷ୍ଟ୍ କ୍ଲାସ୍‌ କମ୍ପାଟ୍‌ମେଣ୍ଟ ଭିତରେ ଶ୍ରୀମନ୍ତ ବାବୁଙ୍କୁ ଦେଖିବା ସାଙ୍ଗେ ସାଙ୍ଗେ ସବିତାର ଆଖି କଣରେ ବିଜୟ ଉଲ୍ଲାସର ଯେଉଁ ତଡ଼ିତ୍‌ ଖେଳୁଥିଲା, ତାହା ଲିଭିଗଲା । ତା’ର ମନେହେଲା, ସେ ଯେପରି ହାରିଯାଇଛି ।

 

ଶ୍ରୀମନ୍ତ ବାବୁ କହିଲେ, ଆଜି ରାତିରେ ଘରେ ଆଖି ମେଲା ରଖି ତମେ ଯଦି ଶୋଇ ରହ, ତେବେ ବୁଝିପାରିବ ଯେ, ଗତ କାଲି ତମେ ଯାହା କରିଛି, ତାହା ଆଜକୁ ଭୁଲ୍‍, ଆଉ ଆଜି ଯାହା ତମେ କରିଛ, ତାହା ଆସନ୍ତା କାଲିକି ହେବ ଭୁଲ୍‍ । କିନ୍ତୁ ମୋର ଆଶା ଓ ବିଶ୍ୱାସ ଯେ ଏଇ ଭୁଲ୍‍ ରୂପକ ବାଦଲ ଭିତରୁ ଯେଉଁ ନୂତନ ସବିତା ଆକାଶରେ ଉଇଁବ, ତାହା ହେବ ଏକ ଉଜ୍ଜ୍ୱଳ ସବିତା । ଏଇ ଶୁଭେଚ୍ଛା ଓ ଶୁଭକାମନ ଜଣାଇ ରହିଲି । ତେବେ ଜୀବନରେ ମୋ ଭଳି ଅକିଞ୍ଚନର ସାହାଯ୍ୟ ତମେ ଯଦି କେବେ ଦରକାର କର, ତାହା ଜଣାଇଲେ ଖୁସିହେବି ।

 

ଟ୍ରେନ ଛାଡ଼ିଦେଲା ।

 

ସବିତା ଫେରିଆସିଲା ଗୋଟାଏ ଘୃଣିତ ଲୋକର ଭଲ ପାଇବାର ସ୍ମାରକ ରୂପେ ଦୁଇଖଣ୍ଡି ଦର୍ଶନ ବହିକୁ ହୃଦୟରେ ଧରି । ସେ ହଠାତ୍‌ ଉପଲବ୍‌ଧି କଲା ଏଇ ପଥରର ଲୋକଟା ତା’ର ମନଟାକୁ ଯେପରି କଣ୍ଢେଇ ଭଳିଆ ଖେଳେଇବାକୁ ଲାଗିଛି । ସତେ ଯେପରି ଭଲ ପାଇବାଟା ଗୋଟାଏ ମନର ମନ ଉପରେ ପ୍ରଭାବ ।

 

ପ୍ଲାଟ୍‌ଫର୍ମରେ ଠିଆହୋଇ ସବିତା ତା ଆଖିପତା ତଳେ ହାତ ମାଇଲା ।

 

ଚାରି

 

ମାର୍ଥାପୁର ବ୍ଳକ୍‍ ।

 

ଏଗାରାଟା ବାଜିଗଲାଣି । ଶ୍ରୀମନ୍ତ ବାବୁ ଚେୟାରରେ ବସିଛନ୍ତି । ଜଣାଯାଉଛି ଯେପରି ମଣିଷ ବଦଳରେ ବାଘଟାଏ ସେଠି ବସିଛି । ଘରର କଣରେ ବସିଥିବା ଟାଇପିଷ୍ଟର କି’ବୋର୍ଡ଼ ଉପରେ ଅଙ୍ଗୁଳି ଚାଳନାର ଶବ୍ଦ ଭାଷିଆସୁଛି ।

 

ସାର୍‌ ନମସ୍କାର ! ଭିତରକୁ ପଶିଆସିଲା ସମାଜ ଶିକ୍ଷା ସଂଗଠିକା ‘ସେବିକା’ ।

 

କଅଣ ଦରକାର ? କଥାଟା କୂଅ ଭିତରୁ ଆସିଲା ପରି ଶୁଭୁଛି ।

 

ହାଜିରା ବହି ।

 

ବରଫ ପରି ଥଣ୍ଡା ଆଖିରେ ଥରେ ଶ୍ରୀମନ୍ତ ବାବୁ ଅନେଇଲେ ସେବିକା ଆଡ଼େ । ଆଜି ଦିନକ ପାଇଁ ତମକୁ ଅନୁମତି ଦେଲି । ମନେରଖ, ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହୁଏ, କହି ହାଜିରା ବହିଟା ଫୋପାଡ଼ି ଦେଲେ ସେ ସେବିକା ଆଡ଼େ ।

 

ବହିଟାକୁ ଛାତି ଉପରେ ଜାକିଧରି ଭୟାର୍ତ୍ତା ହରିଣୀ ପରି ସେବିକା ପଳାଇଗଲା ଘରୁ ।

 

ଆଉ ଦିନକର କଥା ।

 

ଶ୍ରୀମନ୍ତ ବାବୁଙ୍କର ଆଖି ଫାଇଲ ଭିତରେ କଅଣ ଖୋଜିବାରେ ବ୍ୟସ୍ତ ।

 

ସାର୍‌ ! କ୍ଷୀଣ କଣ୍ଠରେ ସମ୍ବୋଧନ କଲା ସେବିକା ।

 

କୁହ । ଫାଇଲ୍‌ ଉପରୁ ଆଖି ନ ଉଠାଇ ଉତ୍ତର ଦେଲେ ଶ୍ରୀମନ୍ତ ବାବୁ ।

 

ନୂଆପାଟଣା ଯିବି ।

 

ସେଠୁ । ଫାଇଲ୍‌ ଉପରେ ଆଖି ସେହିପରି ନିବଦ୍ଧ ।

 

ଗାଡ଼ିଟା.... ।

 

ତମ ବାପାଙ୍କର ଗାଡ଼ି ଥିଲା ?

 

ସେବିକା ନିରୁତ୍ତର ।

 

କଲେଜ ଯାଉଥିଲ କେମିତି ?

 

ବସ୍‌ରେ ।

 

ଆଖି ଉପରୁ ଚଷମାଟା କାଢ଼ି ସେବିକାଆଡ଼େ ଅନେଇଲେ ଶ୍ରୀମନ୍ତ ବାବୁ ।

 

ହାତ ଘଡ଼ିଟାକୁ ଚାହିଁ ଶ୍ରୀମନ୍ତ ବାବୁ କହିଲେ, ୧୫ ମିନିଟ୍‌ ପରେ ତମେ ନୂଆପାଟଣା ଯିବାକୁ ବସ୍‌ ପାଇବ । ବସ୍‌ରେ ତିନି ଅଣା ପଇସା ଖର୍ଚ୍ଚ ନ କରି ପେଟ୍ରୋଲରେ ତିନି ଟଙ୍କା ଶ୍ରାଦ୍ଧ କରିବାର କୌଣସି ଅର୍ଥ ହୁଏନି । ତମେ ହୁଏତ ଭାବିପାର, ମୁଁ ଗୋଟିଏ ମକ୍ଷିଚୋଷ, କଞ୍ଜୁଷ । କିନ୍ତୁ ଯୋଜନାକୁ କାର୍ଯ୍ୟକାରୀ କଲା ବେଳେ ଆମକୁ ଗୋଟାଏ କଥା ମନେ ରଖିବାକୁ ହେବ ଯେ, ବିନ୍ଦୁ ବିନ୍ଦୁ ଜଳ ମିଶି ସେମିତି ସମୁଦ୍ର ହୁଏ, ସେହିପରି ଆମେ ଯଦି ତିନି ତିନି ଟଙ୍କା କରି ପ୍ରତ୍ୟେକ ବାବଦରେ ସଞ୍ଚୟ କରେଁ, ତେବେ ତାହା ଏକ ବିରାଟ ପାଣ୍ଠି ହେବ ଏବଂ ସେଥିରେ ଲୋକମାନଙ୍କ ପାଇଁ କିଛି ଗୋଟାଏ ସୁବିଧା କରିଦେଇ ହେବ ।

 

ସେବିକା ମୁହଁ ବୁଲାଇଲା । ଘୃଣାରେ ନାସିକା କୁଞ୍ଚିତ ହୋଇଆସିଲା ତା’ର । ନିଜକୁ କଅଣ ଭାବୁଛି ଏଇ ଲୋକଟା ? ସତେ ଯେପରି ଭାରତବର୍ଷର ଏତେବଡ଼ ଯୋଜନାଟାକୁ ଏଇ ଏକା କାନ୍ଧରେ ଟେକି ଧରିଛି । ଗୋଟାଏ Snub.

 

ସେବିକା ଭାବେ, ପୂର୍ବ ବି.ଡ଼ି.ଓ. ତା’ର ଟିକିଏ ସ୍ପର୍ଶ ପାଇଁ କେଡ଼େ କାତର, ଟିକିଏ ଇଙ୍ଗିତ ପାଇଁ କେତେ ଉଦ୍‌ଗ୍ରୀବ । ତାଙ୍କୁ ସିଏ ଯେମିତି ନଚାଉଥିଲା, ସେ ସେମିତି ନାଚୁଥିଲେ; ଯେମିତି ଖେଳାଉଥିଲା, ସେମିତି ଖେଳୁଥିଲେ । ଆଉ ବ୍ଳକ୍‍ର ଅନ୍ୟାନ୍ୟ କର୍ମଚାରୀମାନେ ? ଛାଡ଼ ସେମାନଙ୍କ କଥା ! ସେମାନେ ତ କୁକୁର ପରି ତା ପରେ ଗୋଡ଼ାଇ ଆସନ୍ତି । ତାର ଓଠର ହସ ଟିକକ ଦେଖିଲେ ଯେମିତି ଆନନ୍ଦରେ ବିଭୋର ହୋଇଯାଆନ୍ତି । ଡାକ୍ତର ସାମନ୍ତରାଏ, କୃଷି ଓଭର୍‌ସିଅର୍‌ ବରାଳ ବାବୁ ତ ତା ପାଇଁ ପାଗଳ । ନୂଆ ବାହା ହେଇଚି ସେଇ କିରାଣୀ ଟୋକାଟା । ଅଥଚ ତା ମୁହଁରୁ କଥା ଶୁଣିବା ପାଇଁ କି ଉଦ୍‌ଗ୍ରୀବ ! ଆଉ ସମବାୟ ଇନିସ୍‌ପେକ୍ଟର ପଟ୍ଟନାୟକ ବାବୁ ତ ତାଙ୍କର ଘରେ ତା’ର ପାଦଧୂଳି ପାଇବା ପାଇଁ ଯେପରି କି ବ୍ୟାକୁଳ ହୋଇ ଅନାଇ ବସିଥାନ୍ତି ସବୁବେଳେ !

 

ସେବିକାର ଆଖିରେ ଅଛି ବିଜୁଳିର ଚମକ, ଓଠରେ ଅଛି ମହୁଆ ନିଶା, ଆଉ ଶରୀରରେ ଅଛି ଯାଦୁକରର କୁହୁକ । ତା ପାଇଁ ଯୋଗ ସାଧନ କିଏ ନ କରେ ? ତାକୁ ପାଇବା ପାଇଁ କାହାର ଲୋଭ ନ ହୁଏ ? କିନ୍ତୁ ନୂଆକରି ଆସିଥିବା ଏଇ ଲୋକଟା କି ଅଦ୍ଭୁତ ! ନାରୀ ପ୍ରତି କଅଣ ୟାର ଟିକିଏ ହେଲେ ଦୁର୍ବଳତା ନାହିଁ ?

 

କେତେ ରକମ କାମର ବାହନା କରି ତା ଦୁଆରେ କର୍ମଚାରୀମାନେ ପାଦ ପକାନ୍ତି । କୋଠ ସମ୍ପତ୍ତି ପରି ସେ ସମସ୍ତଙ୍କର, ପୁଣି କାହାରି ନୁହେଁ । ଈର୍ଷାରେ, ରାଗରେ ସମସ୍ତଙ୍କ ସ୍ନାୟୁ ଟଣକି ଉଠେ, ରକ୍ତରେ ନିଆଁ ଲାଗେ; କିନ୍ତୁ ସମସ୍ତେ ପୁଣି ଦାନ୍ତ ନିକୁଟି ଠିଆ ହୁଅନ୍ତି ତା’ରି ଆଗରେ-। ସମସ୍ତେ ଅନେଇ ରୁହନ୍ତି, ତାର ଖୋଲା କଟିଦେଶ ତଳେ ଚାରୁ ନିତମ୍ବର ଦୋଳନକୁ ।

 

କିନ୍ତୁ କି ଅଦ୍ଭୁତ ଏଇ ଲୋକଟା, ଦିନେ ହେଲେ ତ ସେ ଧରା ପଡ଼ିନି ସେବିକାର ଘରେ-। ଗୋଟିଏ ପ୍ରହେଳିକା ରୂପରେ ସେ ଦେଖାଦେଇଛି ସେବିକା ଆଗରେ । ତାର ଚାହାଣୀର ପ୍ରଖରତା, କଥାର ହଟ ଚମଟ, ବୁକୁର ମନଭୁଲା ସୌନ୍ଦର୍ଯ୍ୟ କଅଣ ଏଇ ଲୋକଟାର ହୃଦୟରେ କୌଣସି ସ୍ପନ୍ଦନ ସୃଷ୍ଟି କରୁ ନି ? ଲୋକଟା ଯେମିତି ନିଜର ସୀମାରେଖା ଡେଇଁ ସେବିକା ପାଖକୁ ଆସିବାକୁ ଚାହେଁ ନା ।

 

ଯେଉଁ ଲୋକ ଯାହାକୁ ଯେତେ ବେଶି ନ ଚାହେଁ, ସେଇ ଲୋକ ତାକୁ ପାଇବା ପାଇଁ ସେତେ ବେଶି ଚେଷ୍ଟା କରେ । ଯିଏ ଯାହା ପାଏ ନାହିଁ, ତାକୁ ଯଦି ସେଇଟି କିଏ ଯାଚେ, ତେବେ ସେ ଖୁସି ହୁଏ । ଯେ ସେତିକି କାକୁତି ମିନତି କରି ଆଶ୍ରୟ ଭିକ୍ଷା କରେ, ନାରୀ ତାକୁ ସେତିକି ଘୃଣା କରେ । ଯିଏ ଯାହା ପ୍ରତି ଯେତେ ଟାଣି ହୁଏ, ସେ ଲୋକ ସେତେ ଦୁର୍ବଳ । କୌଣସି ନାରୀ ଦୁର୍ବଳ ଲୋକକୁ ସଙ୍ଗୀ କରିବାକୁ ଚାହେଁ ନା । ସେ ସବଳ ଲୋକର ଆଶ୍ରୟ ଚାହେଁ ।

 

ସେବିକା ସ୍ଥିର କଲା—ଶ୍ରୀମନ୍ତ ବାବୁଙ୍କ ପ୍ରତି ସେ ତା’ର strategy ବଦଳାଇ ଦବ । କୌଣସି ମତେ ଯଦି ସେ ଏଇ ଶୌର୍ଯ୍ୟବାନ ଲୋକଟାକୁ କବଳିତ କରିପାରେ ତା’ର ପ୍ରେମ ଦ୍ୱାରା, ତେବେ ଚିରଦିନ ପାଇଁ ଏଇ ଲୋକଟାର ହୃଦୟରେ ତା ପ୍ରତି ଗୋଟାଏ ଦୁର୍ବଳତା ରହିଯିବ । ଆଉ ସେଇ ଦୁର୍ବଳତାର ସୁଯୋଗ ନେଇ ସେବିକା ତାକୁ ନିର୍ଦ୍ଦେଶ ଦେବ ସବୁବେଳେ । ପୁରୁଷ ଓ ନାରୀ ଭିତରେ ଯଦି ଭଲ ପାଇବା ନ ଥାଏ, ତେବେ ନାରୀର ଅଭିମାନ ପୁରୁଷ ଆଗରେ ମୂଲ୍ୟହୀନ । କିନ୍ତୁ ଷୋଳ ଅଣାରୁ ଯଦି ଅଣାକର ଭଲ ପାଇବା ଥାଏ, ତେବେ ନାରୀର ଅଭିମାନ ଆଗରେ ପୁରୁଷର ସବୁ କିଛି ଟଳିଯାଏ । ସେ ଅସାଧ୍ୟ ସାଧନ କରିପାରେ ।

 

ତାପରେ । ସେବିକା ପ୍ରତିଦିନ ଶ୍ରୀମନ୍ତ ବାବୁଙ୍କ ଘରକୁ ଯାଇ ଗୋଟାଏ ଇନ୍ଦ୍ରଜାଲର ଅଭିଯାନ ଆରମ୍ଭ କରିଛି ।

 

ସେବିକାର ମଧ୍ୟ ବିଶ୍ୱାସ ଅଛି ଯେ, ଏ ଅଭିଯାନ ତା’ର ସଫଳ ହେବ । ସେ ଜାଣେ, ଏପରି କୌଣସି ପୁରୁଷ ନାହିଁ, ଯେ କି ନିଭୃତରେ ନାରୀକୁ ପାଇ ନ ଦେଖିଲା ପରି ବ୍ୟବହାର କରେ ।

 

ପ୍ରତିଦିନ ସନ୍ଧ୍ୟାବେଳେ ସେବିକା ହରିନିଏ ଶ୍ରୀମନ୍ତ ବାବୁଙ୍କର ସମୟତକ । ସତେ ଯେପରି ସେବିକା ତାଙ୍କର ମୁଣ୍ଡର ଖପୁରି ଭାଙ୍ଗି ତା ଭିତରେ ପଶିବାକୁ ଚେଷ୍ଟା କରୁଛି । ସେବିକା ଗପି ଚାଲେ । ଅରସନ୍ତି ତାର ଗପ । ଗପର ଏତେ ମସଲା ଯେ ତା ପାଖରେ କେଉଁଠୁ ଆସେ, ଶ୍ରୀମନ୍ତ ବାବୁ ଭାବି ଆଶ୍ଚର୍ଯ୍ୟ ହୁଅନ୍ତି । ସେବିକା ଭାବେ, ରାତିଟା ପାହାନ୍ତା ହୋଇ ଆସନ୍ତା, ଅଥଚ ତାଙ୍କର ଗପ ଶେଷ ହୁଅନ୍ତାନି, ବା ଆଖିରେ ପଲକ ପଡ଼ନ୍ତାନି ।

 

ଶ୍ରୀମନ୍ତ ବାବୁ ଭାବନ୍ତି, ଏତେ ଗପରୁ କଅଣ ମିଳୁଛି ? କିଛି ହୁଏତ ମିଳୁନି; ତଥାପି ସେ ବସି ରଖୁଛନ୍ତି କ୍ଲାନ୍ତିହୀନ ଭାବରେ । ଦେହ ଭୁଲିଯାଉଛି ନିଜକୁ ।

 

ଶ୍ରୀମନ୍ତ ବାବୁ ଯେତିକି ଦୂରକୁ ଘୁଞ୍ଚି ଯିବାକୁ ଚାହୁଁଥିଲେ, ମନକୁ ଯେତିକି ସଂଯମ ଭିତରେ ରଖିବାକୁ ଚାହୁଁଥିଲେ, ସେବିକା ସେତିକି ତାଙ୍କ ପାଖକୁ ଘୁଞ୍ଚି ଆସୁଥିଲା, ସେତିକି ତାଙ୍କ ସହିତ ମିଶିଯିବାକୁ ଚାହୁଁଥିଲା ।

 

କୋଠ ସମ୍ପତ୍ତିକୁ ଜଣେ ଏକଚାଟିଆ ଭାବରେ ଉପଭୋଗ କଲେ ସେଥିରୁ ଯେପରି ଝଗଡ଼ାର ସୂତ୍ରପାତ ହୁଏ, ଠିକ୍‌ ସେହିପରି ଶ୍ରୀମନ୍ତ ବାବୁଙ୍କ ଘରେ ସେବିକାର ନିତିଦିନିଆଁ ହାଜିରା ଅନ୍ୟମାନଙ୍କ ମନରେ ସନ୍ଦେହ ଓ ଈର୍ଷାର ସୂତ୍ରପାତ କଲା । ଶ୍ରୀମନ୍ତ ବାବୁ ବୁଝିଲେ, ସବୁବେଳେ ତାଙ୍କୁ ଘେରି ରହିଛି ଗୁଡ଼ାଏ ଖାଲି ଟୁପ୍‌ ଟାପ୍‌, ଫୁସ୍‌ ଫାସ୍‌ । ଲୁଚେଇ ଛପେଇ ଖରାପ କାମ କରୁଥିବା ଲୋକ ଧରା ପଡ଼ିଗଲେ ଯେପରି ବିବ୍ରତ ଓ ତ୍ରସ୍ତ ହୋଇପଡ଼େ, ଶ୍ରୀମନ୍ତ ବାବୁ ଠିକ୍‌ ସେମିତି ଅନୁଭବ କଲେ । ସେ ଉପଲବ୍‌ଧି କଲେ ଯେମିତି ସେବିକା ତାଙ୍କ ଅଲକ୍ଷ୍ୟରେ ତାଙ୍କର ସବୁ ଶକ୍ତି ଅପହରଣ କରି ନେଉଛି; ଆଉ ସେ ଦିନକୁଦିନ ସେବିକା ଆଗରେ ଦୁର୍ବଳ ହୋଇ ଉଠୁଛନ୍ତି ।

 

ସବଳ ଓ ପରାକ୍ରମୀ ଲୋକର ଦୁର୍ବଳତା ଜଣା ପଡ଼ିଗଲେ, ସେ ଯେପରି ଦୂରକୁ ପଳାଇବାକୁ ଚେଷ୍ଟା କରେ, ଶ୍ରୀମନ୍ତ ବାବୁ ଠିକ୍‌ ସେହିପରି ସେବିକାଠାରୁ ଘୁଞ୍ଚି ଯିବାକୁ ଚାହିଁଲେ । ତାଙ୍କର ମନେହେଲା, ସତେ ଯେପରି ଗୋଟାଏ ବିଭୀଷିକା ତାଙ୍କୁ ଘେରି ରହିଛି ।

 

ସେବିକାଠାରୁ ସେ ଦୂରେଇ ଯିବାକୁ ସ୍ଥିର କଲେ ।

 

ସନ୍ଧ୍ୟା ହେଲେ ସେ ଏଣିକି ଆଉ ଘରେ ରହନ୍ତିନି । ବୁଲନ୍ତି ଗାଁରେ, କର୍ମଚାରୀମାନଙ୍କର ଘରେ । ଅମାୟିକ ଭାବରେ ସମସ୍ତଙ୍କ ସହିତ ସେ ମିଶନ୍ତି, ଆତ୍ମୀୟତା କରିବାକୁ ଚାହାନ୍ତି ।

 

ସେବିକା ବୁଝିଲା, ଏତେ କଷ୍ଟକରି ଯୋଉ ଶିକାରକୁ ସେ ଧରି ରଖିଥିଲା, ବର୍ତ୍ତମାନ ତାହା ହାତଛଡ଼ା ହେବାକୁ ଚେଷ୍ଟାକରୁଛି । ତାକୁ ଶେଷ ଅସ୍ତ୍ର ପ୍ରୟୋଗ କରିବାକୁ ପଡ଼ିବ । ମନ ସ୍ଥିର କରିନେଲା; ଉପାୟ ସ୍ଥିର କରିଦେଲା ।

 

ଗୋଟାଏ ଦିନ ସେ ନିମନ୍ତ୍ରଣ କଲା ଶ୍ରୀମନ୍ତ ବାବୁଙ୍କ ରାତ୍ରୀ ଭୋଜନ ପାଇଁ । ପାଗର ଅବସ୍ଥା ଜାଣି ସେ ନିମନ୍ତ୍ରଣ କରିଥିଲା ।

 

ତିନିଦିନ ଧରି ଝଡ଼ିବାର୍ଷା ଲାଗି ରହିଥିଲା, ଆଉ ସେଇ କାଲୁଆ ପାଗ ଭିତରେ ଶ୍ରୀମନ୍ତ ବାବୁ ଅତିଥି ହେଲେ ସେବିକାର ଘରେ ।

 

ରାତି ୧୨ଟା ବାଜି ଯାଇଛି ।

 

ମନରେ ଚୋରର ଭୟ ନେଇ ସେବିକା ଘରୁ ଗୋଡ଼ କାଢ଼ିଛନ୍ତି ଶ୍ରୀମନ୍ତ ବାବୁ । ପ୍ରତ୍ୟେକ ଅଙ୍ଗ ପ୍ରତ୍ୟେଙ୍ଗରେ ତାଙ୍କର ଛାଇ ଯାଇଛି ଅବଶତା । ପାଦ ଦୁଇଟି ହୋଇଉଠିଛି ଦୁର୍ବଳ-। ଦେହ ସାଙ୍ଗରେ ମନ ତାଳ ଦେଇ ଚାଲୁନାହିଁ । ମନ ଧାଇଁ ଯାଉଛି ଆଗକୁ, ଗୋଟାଏ ଅଳିଆ ଗଦା ଭିତରକୁ ।

 

ଶ୍ରୀମନ୍ତ ବାବୁ ଭାବୁଛନ୍ତି, ବ୍ରହ୍ମଚାରି ଓ ସଂଯମୀ ବୋଲି ଯେଉଁ ଅହମିକା ସେ ମନରେ ପୋଷିଥିଲେ, ତାକୁ ଆଜି ଲୁଟି ନେଇଛି ସେବିକା । ଏତେବଡ଼ ଅହଙ୍କାର ଆଜି ତାଙ୍କର ଧୂଳିସାତ ହୋଇଯାଇଛି ।

 

ଶ୍ରୀମନ୍ତ ବାବୁଙ୍କର ମନ କହୁଛି—ବାପା କହୁଥିଲେ, ଯଦି ଧନସମ୍ପତ୍ତି ଲୁଟ୍‌ ହୋଇଯାଏ, ତେବେ କିଛି ଚହଳିଯାଇନି; ସ୍ୱାସ୍ଥ୍ୟ ଯଦି ଅପହୃତ ହୋଇଯାଏ, ତେବେ କିଛି ହଜି ଯାଇଛି; କିନ୍ତୁ ଚରିତ୍ର ବିଦାୟ ନିଏ, ତେବେ ସବୁକିଛି ଚାଲିଯାଇଛି ବୋଲି ବୁଝିନେବ । ତାହେଲେ ବର୍ତ୍ତମାନ ତାଙ୍କ ପାଖରେ ଅଛି କଅଣ ?

 

ପୁଣି ମନ କହୁଛି–ଫୁଃ, ତୁ ଗୋଟାଏ ପାଗଳାଟାଏ ! ବୁଝାମଣାରେ ଯେଉଁ ଜିନିଷ ହୁଏ, ସେଥିରେ ଚରିତ୍ର ଚାଲିଯାଏନି । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଷୋଳସହସ୍ର ଗୋପୀଙ୍କ ସହିତ କେଳି କରୁଥିଲେ । ଖାଲି ସେତିକି ନୁହେଁ, ନିଜର ମାମୁଁ ଚନ୍ଦ୍ରସେଣାର ସ୍ତ୍ରୀ ରାଧାଙ୍କୁ ସେ ଉପଭୋଗ କରୁଥିଲେ । ଅର୍ଜ୍ଜୁନଙ୍କର ସମ୍ପର୍କ ଥିଲା, ସୁଭଦ୍ରା, ନାଗକନ୍ୟା ଉଲୁପୀ, ଉତ୍ତରାବାଳୀ ଇତ୍ୟାଦିଙ୍କ ସହିତ । ଏହିପରି ଉଦାହରଣ ତ ଅସୁମାରି ଦେଖିବାକୁ ମିଳିବ ପୁରାଣରେ, ଇତିହାସରେ–ସବୁଥିରେ । କୁହାଯାଏ ନାରୀର ଯାହା କାମ୍ୟ, ପୁରୁଷ ତାକୁ ତାହା ଦାନ କଲେ ସେଥିରେ ପୁଣ୍ୟ ଅଛି ।

 

ଶ୍ରୀମନ୍ତ ବାବୁଙ୍କର ମନ ଚିତ୍କାର କରି ଉଠିଲା—ନା-ନା, ଏସବୁ ବାଜେ କଥା । ଦୁର୍ବଳ ଲୋକ କେବଳ ନିଜର ଦୋଷକୁ ଘୋଡ଼ାଇବାକୁ ଯାଇ Rationalisationର ଆଶ୍ରୟ ନିଏ ।

 

ମାଛ ଧରୁଥିବାବେଳେ ମାଛ ବଦଳରେ ଧରା ପଡ଼ିଛି ସାପ, ତାକୁ ଧରି ରଖି ହୁଏନା । ମାତ୍ର ସେ ଶରୀରରେ ଛାଡ଼ି ଯାଇଛି କ୍ଷତ ଚିହ୍ନ । ସେଇ କ୍ଷତ ସ୍ଥାନରୁ ଧୀରେ ଧୀରେ ସଞ୍ଚରି ଆସୁଛି ବିଷ । ଆଉ ଏଇ ବିଷ ହତ୍ୟା କରିବ ତାଙ୍କର ମନର ଦାମ୍ଭିକତାକୁ, ଅହଂକାରକୁ । ମୁଣ୍ଡର ବାଳଗୁଡ଼ାକ ଉପରେ ହସ୍ତର ଅଙ୍ଗୁଳି ଦ୍ୱାରା କେତଟା ସଜୋର ଟାଣ ଦେଲେ ଯେପରି ସେ ନିଜର ମୁଣ୍ଡଟାକୁ ଛିଡ଼ାଇ ଦେବାକୁ ଚାହାନ୍ତି ।

 

ପୁଣି ତାଙ୍କର ଅନ୍ତର ଗୁହାର ପ୍ରତିଧ୍ୱନି—ଯେଉଁ ଦାନ ପଛରେ ବାଧ୍ୟବାଧକତା ନଥାଏ, ଯେଉଁ ଦାନ ପାଇବା ପାଇଁ ମନୁଷ୍ୟ କ୍ଷମତା, ପ୍ରତିପତ୍ତି, ବଳ ବା ପଶୁତ୍ୱର ଆଶ୍ରୟ ନ ନିଏ, ପୁଣି ଯେଉଁ ଦାନ ସ୍ୱେଚ୍ଛାକୃତ ଭାବରେ ଆସେ, ତାହା ଗ୍ରହଣୀୟ । ସେଥିରେ ଆବିଳତା ନ ଥାଏ । ତାହା ଚରିତ୍ରକୁ ନଷ୍ଟ କରେନା । ଯେଉଁ ଦାନ ଦେଲା ବେଳେ ନାରୀ ଦେବାକଥା ଭାବେ ନାହିଁ, ଅଥବା ଦେଇଛି ବୋଲି କହି ହୁଏନାହିଁ; ଯେଉଁ ଦାନ ସହିତ ନାରୀ ନିଜକୁ ଲୋଟେଇ ଦେଇଯାଏ, ଅଥଚ ଦାନର ପ୍ରତିଦାନ ମାଗେ ନାହିଁ, ଏପରିକି ଦାନର ପ୍ରତିଦାନ ଦେଉ ବା ନ ଦେଉ ସେ କଥା ଚିନ୍ତା ମଧ୍ୟ କରେ ନାହିଁ, ସେ ଦାନ ସ୍ୱର୍ଗୀୟ ।

 

ମାନିନେଲି, ସେବିକାର ଦାନ ହେଲା, ସ୍ୱର୍ଗୀୟ, ନିର୍ମଳ, ଅନାବଳି ! ସବୁ ଏବେ ହେଲା, କିନ୍ତୁ...କିନ୍ତୁ ଯଦି କେବେ ଏକଥା ପ୍ରକାଶ ପାଏ ତେବେ ସମାଜରେ ମୁହଁ ଲୁଚାଇବାକୁ ଠାବ ପାଇବନି ସେ ।

 

ଓଃ କି ବିଭତ୍ସ ଏ ଚିନ୍ତା !

 

କାନ ଦୁଇଟାକୁ ଦୁଇ ହାତର ପାପୁଲିରେ ଚାପି ଧରିଲେ ଶ୍ରୀମନ୍ତ ବାବୁ । ମୁଣ୍ଡ ଫାଟିଯିବ ଯେମିତି । ଯାଉ, ଫାଟିଯାଉ, ସେ ତ୍ରାହି ପାଇବେ ।

 

ତେବେ ସେ କଅଣ ଚିରଦିନ ସେବିକା ପାଖରେ ଦୁର୍ବଳ ଭାବରେ ପଡ଼ି ରହିବେ ? ସବଳ ହାକିମିର ପରାକ୍ରମ ସେବିକା ଆଗରେ ଆଉ ଖାଟିପାରିବନି ? ନା ନା, ସେକଥା ହୋଇପାରେନା ।

 

ଓଃ, ଅସହ୍ୟ ଏ ଭାବନା ।

 

ମନ ତାଙ୍କର ଚିତ୍କାର କରି ଉଠିଲା—କାହିଁ ମୁକ୍ତି ? କାହିଁ ଶାନ୍ତି ? ଆଉ ଏଇ ଚିତ୍କାର ତାଙ୍କର ବିବେକରେ ପ୍ରତିଧ୍ୱନିତ ହୋଇ ପୁଣି ଫେରିଆସିଲା ତାଙ୍କ ମନ ପାଖକୁ । ମନ କହିଲା–Don’t be stupid, be a sport. ଏହି ମନ ହିଁ ସ୍ୱର୍ଗ, ମନ ହିଁ ନର୍କ, ସବୁ ଚିନ୍ତା ସବୁ ସୁଖ ଦୁଃଖ ମନରୁ ପ୍ରସୂତ । ମନକୁ ବୁଝାଇ ନେଲେ ସବୁ ଯନ୍ତ୍ରଣାରୁ ମୁକ୍ତି ମିଳିବ, ଶାନ୍ତି ମିଳିବ । ମନ ଭିତରେ ହିଁ ଅଛି ଶାନ୍ତି ।

 

ଶ୍ରୀମନ୍ତ ବାବୁ ଆଉ ଫେରି ନାହାନ୍ତି ଘରକୁ । ପାଦ ଯୁଆଡ଼େ ନେଇଯାଇପାରେ, ସେଆଡ଼େ ସେ ଚାଲିଛନ୍ତି ପାଦର ଅନୁଧାବନ କରି ।

 

ରାତ୍ରିର ନିବିଡ଼ତା ପାତଳ ହୋଇ ଆସିଲାଣି । ହଠାତ୍‌ ବିଜୁଳି ଆଲୁଅର ତୀବ୍ରତାରେ ଆଖି ତାଙ୍କର ଜାଲଜାଲୁଆ ହୋଇଗଲା । ସେ ଆବିଷ୍କାର କଲେ, ସେ ଆସି ପହଞ୍ଚିଛନ୍ତି ରେଲ ଷ୍ଟେସନରେ ।

 

ପାଞ୍ଚ

 

ଭାରତୀ ବିଶ୍ୱବିଦ୍ୟାଳୟ ।

 

ସ୍ନାତକୋତ୍ତର ଡିଗ୍ରୀ ଲାଭ କରିବା ପରେ ସୁଶ୍ରୀ ବର୍ତ୍ତମାନ ଉପାଧ୍ୟୁତ୍ତର ଶ୍ରେଣୀର ଗବେଷଣାର ଛାତ୍ରୀ । ଏମ୍‌.ଏ. ପାସ୍‌ କରିବା ପରେ ଅଧ୍ୟାପିକା ଚାକିରୀ ତାକୁ ମିଳିଥିଲା । କିନ୍ତୁ ଡକ୍ଟରେଟ୍‌ ଡିଗ୍ରୀ ନ ପାଇବା ପର୍ଯ୍ୟନ୍ତ ଚାକିରୀ ନ କରିବାକୁ ମନସ୍ଥ କରି ଭାରତୀ ବିଶ୍ୱବିଦ୍ୟାଳୟରେ ଯୋଗଦେଲା ସେ । ବିଶ୍ୱବିଦ୍ୟାଳୟରେ ଯୋଗ ଦେବା ପରେ ଅଧ୍ୟାପକ ଧୀରେନ୍‌ ରାଏ ସୁଶ୍ରୀ ସହିତ ବନ୍ଧୁତ୍ୱ ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ଏଇ ବନ୍ଧୁତ୍ୱ ପାଇଁ ସୁଶ୍ରୀ ଲାଳାୟୀତା ନ ଥିଲା । ଲାଳାୟୀତ ଥିଲେ ଧୀରେନ୍‌ ବାବୁ ।

 

ସୁଶ୍ରୀ ସେମିନାରରେ, ଲାଇବ୍ରେରୀରେ ବସିରହେ । ଧୀରେନ୍‌ ବାବୁଙ୍କର କାମ ଥାଉ ବା ନ ଥାଉ, ସେ ଲାଇବ୍ରେରୀକୁ ଆସନ୍ତି । ଜନଗହଳି ରାସ୍ତାରେ ପଇସା ହଜିଗଲେ ମଣିଷ ଯେମିତି ଅନ୍ୟ ସମସ୍ତଙ୍କର ଉପସ୍ଥିତିକୁ ବା ଅନ୍ୟ ସବୁ ଜିନିଷକୁ ଆଡ଼େଇ ଦେଇ କେବଳ ହଜିଥିବା ଜିନିଷକୁ ଖୋଜୁଥାଏ, ଧୀରେନ୍‌ ବାବୁ ଠିକ୍‌ ସେହିପରି ଛାତ୍ର-ଛାତ୍ରୀ ବା ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ମେଳରେ ଅନ୍ୟ ସମସ୍ତଙ୍କୁ ଆଡ଼େଇ ଦେଇ କେବଳ ଖୋଜୁଥାଆନ୍ତି ସୁଶ୍ରୀକୁ ।

 

ଲାଇବ୍ରେରୀରେ ସମସ୍ତେ ଜାଣନ୍ତି ଧୀରେନ୍‌ ବାବୁ ଜଣେ ରସିକ ଲୋକ । ଧୀରେନ୍‌ ବାବୁ ଲାଇବ୍ରେରୀରେ ପଶିଲେ, ବସିଲେ ବା ଉଠିଲେ ପିଲାମାନଙ୍କର ଏବଂ କର୍ମଚାରୀମାନଙ୍କର ଆଖି ତାଙ୍କରି ଗତିବିଧିର ଅନୁସରଣ କରେ ।

 

ଲାଇବ୍ରେରୀ ଗୋଟାଏ ଜାଗା ଯେଉଁଠିକି ବିଭିନ୍ନ ଲୋକେ ବିଭିନ୍ନ ଉଦ୍ଦେଶ୍ୟ ନେଇ ଆସନ୍ତି । କିଏ ପାଠ ପଢ଼ିବା ପାଇଁ ଆସେ ତ, କିଏ ପ୍ରେମିକା ସହିତ କୁଶଳ ସମ୍ଭାଷଣ ଜଣାଇବା ପାଇଁ ଆସେ । ଆଉ କିଏ ପ୍ରେମ ଚିଠି ବିନିମୟ କରିବା ପାଇଁ ଆସେ ତ, ପୁଣି କିଏ ହୁଏତ କେଉଁ ସହପାଠୀର ମୁହଁକୁ ଟିକିଏ ଦେଖିବା ପାଇଁ ଆସେ ଏବଂ ସେଇଥିରେ ସେ ଆତ୍ମହରା ହୋଇଥାଏ ।

 

ଧୀରେନ୍‌ ବାବୁଙ୍କ ଆଖି ସୁଶ୍ରୀ ଚାଲି ଯାଇଥିବା ରାସ୍ତା ଉପରେ ଉପରେ ଲମ୍ବିଯାଏ । ଯେପରି ବୋହି ଯାଉଥିବା ନଈ ବାଧା ନ ପାଇଲା ପର୍ଯ୍ୟନ୍ତ ତାର ଗତିପଥ ବଦଳାଏନି, ସେହିପରି ବାଧା ନ ପାଇବା ପର୍ଯ୍ୟନ୍ତ ଧୀରେନ୍‌ ବାବୁଙ୍କର ଆଖି ସୁଶ୍ରୀର ଚଲାପଥରୁ ଫେରିଆସେନି ।

 

ସୁଶ୍ରୀ ପାଇଁ ଧୀରେନ୍‌ ବାବୁଙ୍କର ଉତ୍କଣ୍ଠା, ଉଦ୍‌ବିଗ୍ନତା ବିଷୟ କହି ସୁଶ୍ରୀର ସାଙ୍ଗମାନେ ତାକୁ ଥଟ୍ଟା କରନ୍ତି । କିନ୍ତୁ ସୁଶ୍ରୀ ନୀରବ ରହେ । ସେ ଭାବେ ଆକାଶର ଇନ୍ଦ୍ରଧନୁ ପରି, ପାଣି ଉପରେ ଭାଷି ଯାଉଥିବା ବୁଦ୍‌ବୁଦ୍‌ପରି ଏ ସବୁ କ୍ଷଣସ୍ଥାୟୀ । ସେ ଜାଣେ ପ୍ରେମ ବିକଳ ମନ, ପ୍ରେମବିହ୍ୱଳ ହୃଦୟ ଓ ପ୍ରେମଦଗ୍‌ଧ ଶରୀରର କ୍ଷୁଧା ମେଣ୍ଟାଇବା ପାଇଁ ମଣିଷ ଯାହାକୁ ଧରିନିଏ, ତାକୁ ଆଉ ଛାଡ଼ିପାରେ ନାହିଁ । ଅଲିଭା ଦାଗ ପରି ସେଇଟା ଚିରଦିନ ଦେହ ଓ ମନରେ ଅଭିଶାପ ଭାବରେ ରହିଯାଏ । ତେଣୁ ଏପରି ମଣିଷଙ୍କଠୁ ଦୂରରେ ରହିବା ଉଚିତ୍‌ । ତେବେ ସୁଶ୍ରୀ ଧୀରେନ୍‌ ବାବୁଙ୍କର ବନ୍ଧୁତା ଏଡ଼ିଦେଇ ପାରି ନାହିଁ । କାରଣ ଧୀରେନ୍‌ ବାବୁ ତା’ର Research guide.

 

ସମୟ ଆଗେଇ ଯାଇଛି । ଆଉ ତା ସାଙ୍ଗେ ସାଙ୍ଗେ ସେମାନଙ୍କ ବନ୍ଧୁତା ମଧ୍ୟ ଆଗେଇ ଯାଇଛି ସୁଶ୍ରୀର ସମସ୍ତ ଅନିଚ୍ଛାସତ୍ତ୍ୱେ । କାରଣ ଧୀରେନ୍‌ ବାବୁଙ୍କୁ ଖୁସି ନ ରଖିଲେ ସେ ହୁଏତ ତା ଗବେଷଣାରେ ପ୍ରତିବନ୍ଧକ ସୃଷ୍ଟି କରି ପାରନ୍ତି ।

 

ଲାଇବ୍ରେରୀର ବହି, ଆଲମାରି, ଟେବୁଲ, ଚେୟାର, ବିଜୁଳିବତି, ପଙ୍ଖା, କବାଟ, ଝରକା ସବୁ ଯେତେବେଳେ କ୍ଲାନ୍ତ ହୋଇପଡ଼ନ୍ତି, ଲାଇବ୍ରେରୀ ବନ୍ଦ ହେବାର ଘଣ୍ଟି ବାଜେ; ସୁଶ୍ରୀ ଝାଡ଼ି ଝୁଡ଼ି ହୋଇ ଉଠେ । ବେଳେ ବେଳେ ଆସି ଯୁଟି ଯାଆନ୍ତି ଧୀରେନ୍‌ ବାବୁ । ହଷ୍ଟେଲ ପର୍ଯ୍ୟନ୍ତ ତାକୁ ଆଗେଇ ନିଅନ୍ତି । ଅନେକ ଗପ ଜମେ ।

 

ଦିନକର କଥା ।

 

ୟୁନିଭରସିଟି corriderରେ ଧୀରେନ୍‌ ବାବୁଙ୍କର ଦେଖା ହେଲା ସୁଶ୍ରୀ ସହିତ । ଧୀରେନ୍‌ ବାବୁ ସୁଶ୍ରୀକୁ କହିଲେ, ତମ ସାଙ୍ଗେ ଆଜି ମୋର ଗୋଟାଏ ବିଶେଷ କଥା ଅଛି । ଚାଲ ମୋ ଅଫିସକୁ ।

 

କାହିଁକି, ଏଠି କଅଣ କଥାଟା କୁହାହୋଇ ପାରିବନି ?

 

ନା । ମୁଁ ଚାହେଁ, ଅନ୍ୟମାନଙ୍କଠାରୁ ଟିକିଏ ଦୂରରେ ବସିବା ପାଇଁ ।

 

ଅବାକ୍‌ ଦୃଷ୍ଟିରେ ଅନାଇ ସୁଶ୍ରୀ କହିଲା, ବିଶେଷ କଥାଟା କି ଧରଣର ଜାଣିପାରେ କି-?

 

ଜାଣିବ, ଆସ ।

 

ସୁଶ୍ରୀ ଅନୁସରଣ କଲା ଧୀରେନ୍‌ ବାବୁଙ୍କୁ ।

 

ଧୀରେନ୍‌ ବାବୁଙ୍କ ରୁମ୍‌ରେ ବସିଲେ ଦୁହେଁ ।

 

ଧୀରେନ୍‌ ବାବୁ ଆରମ୍ଭ କଲେ, ଆଜି ତମଠୁଁ ଗୋଟାଏ ଶେଷ କଥା ଚାହେଁ, ସୁଶ୍ରୀ !

 

ହସରେ କଥାଟାକୁ ଉଡ଼େଇ ଦେଇ ସୁଶ୍ରୀ କହିଲା, ଶେଷ କଥା ! ଅର୍ଥ ? ଆପଣଙ୍କ ସାଙ୍ଗରେ ମୋର ତ କୌଣସି ବିଷୟରେ ରାଜିନାମା ହୋଇଥିଲା ପରି ମନେ ପଡ଼ୁନି । ତେବେ ଶେଷ କଥାର ପ୍ରଶ୍ନ ଆସିଲା କେଉଁଠୁ ?

 

ଗମ୍ଭୀର ସ୍ୱରରେ ଧୀରେନ୍‌ ବାବୁ କହିଲେ, ଦେଖ ସୁଶ୍ରୀ ! ହସରେ ଉଡ଼େଇ ଦେବାର କଥା ଏ ନୁହେଁ । ଅମିତାଭ ବାବୁ ଆମ ଦୁହିଁଙ୍କ ମଧ୍ୟରେ ଯେତେବେଳେ ଦେଖାଦେଲେଣି, ସେତେବେଳେ ତମେ ଏଇ କଥାଟା ପକ୍‌କା କରିଦିଅ ।

 

ଅର୍ଥାତ୍‌ !

 

ମାନେ–ମୁଁ ଜାଣିବାକୁ ଚାହେଁ, ଶେଷରେ ତମେ କାହାର ବନ୍ଧୁତ୍ୱକୁ ଧରି ରଖିବାକୁ ଚାହିଁ-?

 

ଖୁବ୍‌ ଜୋରରେ ହସିଉଠିଲା ସୁଶ୍ରୀ । କହିଲା, ଦୁଇ ଚାରି ଦିନ ତଳେ ଅମିତାଭ ବାବୁ ଠିକ୍‌ ଏଇ କଥା ହିଁ ମତେ ପଚାରିଥିଲେ । ଲୋକଟାର ଅଗ୍ରଗତିକୁ ରୋକିବା ପାଇଁ ଏଇ ଉତ୍ତରଟା ଅମୋଘ ଅସ୍ତ୍ର ହେବ ବୋଲି ଭାବିଲା ସୁଶ୍ରୀ ।

 

ସେ ସ୍କାଉଣ୍ଡ୍ରଲଟାକୁ ତମେ ଜାଣିନ; କିନ୍ତୁ ମୁଁ ଜାଣେ । ସେଥିପାଇଁ ସେ ଲୋକଟାକୁ ଅନ୍ତରର ସହିତ ମୁଁ ଘୃଣା କରେ । ସେ ଗୋଟାଏ ଭଣ୍ଡ । ତମେ ତା ସହିତ ବନ୍ଧୁତ୍ୱ ରଖି ଶାନ୍ତି ପାଇବନି । ତେବେ ଯଦି ଏକାନ୍ତ ତମେ ତା ସହିତ ବନ୍ଧୁତ୍ୱ ରଖିବାକୁ ଚାହଁ, ତେବେ ମତେ ମୁକ୍ତି ଦିଅ ।

 

ମୁଁ ଆପଣଙ୍କୁ ଧରି ରଖିନି । କାହାକୁ ମଧ୍ୟ ଧରି ରଖିବାକୁ ଚାହେଁନି । ମୋର ମନ ଖାଲି, ହୃଦୟ ଖାଲି, ଥାଳି ଖାଲି, ସବୁ ଖାଲି । ଚିଡ଼ି ଉଠିଲା ସୁଶ୍ରୀ ।

 

ଧୀରେନ୍‌ ବାବୁଙ୍କ ଆଖି ଧପ୍‌ କରି ଜଳିଉଠିଲା । ସେ ଭାବୁଥିଲେ–ଏଇ ହେଉଛି ନାରୀ, ଯେ କି ବିଭିନ୍ନ ରୂପରେ ମଣିଷ ଆଗରେ ଦେଖାଦିଏ । କେତେବେଳେ ସେ ଶିଶୁ ପରି ଅବାଧ୍ୟ ଓ ଅବୁଝା, କେତେବେଳେ ହିଂସ୍ର ଜନ୍ତୁ ପରି ହିଂସ୍ର, କେତେବେଳେ ଜନନୀ ପରି ସ୍ନେହମୟୀ, କେତେବେଳେ ପୁଣି କୁକୁର ପରି ଅନୁରକ୍ତ, ଅଥଚ ଆଉ କେତେବେଳେ ସାପ ପରି ବିଶ୍ୱାସଘାତକ-। ପ୍ରେମ ଦ୍ୱାରା, ସ୍ନେହ ଦ୍ୱାରା ସବୁବେଳେ ନାରୀକୁ ଶାସନ କରିହୁଏନା । ଆଘାତ, ଅତ୍ୟାଚାରି ତାକୁ ସେତେବେଳେ ଠିକ୍‌ ବାଟରେ ନେବାକୁ ସମର୍ଥ ହୁଏ । ନାରୀର ପ୍ରେମ ଅନେକ ସମୟରେ ଶାଳୀନତା ଅପେକ୍ଷା ପାଶବିକତା ଚାହେଁ । ଏଇ ଆଘାତ ବା ଅତ୍ୟାଚାର ତା’ର ମନ ଉପରେ, ଶକ୍ତି ଉପରେ, ଅହଂକାର ବା ଅତ୍ୟାଚାର ତା’ର ମନ ଉପରେ, ଶକ୍ତି ଉପରେ, ଅହଂକାର ଉପରେ ହେଲେ ସେ ଠିକ୍‌ବାଟରେ ଚାଲେ । ତାଙ୍କର ଇଚ୍ଛା ହେଲା, ସୁଶ୍ରୀର ପିଠି ଉପରେ ଦି’ଟା ବିଧା ଥୋଇଦେବାକୁ । ହାତ ତାଙ୍କର ସୃଷ୍ଟି ଯୁକ୍ତ ହୋଇଗଲା । କିନ୍ତୁ ତାଙ୍କର ସମ୍ଭାଳି ନେଲେ ସେ ।

 

ସୁଶ୍ରୀ ଭାବୁଥିଲା—ପ୍ରକୃତ ପ୍ରେମିକ ଦୂରରେ ରହିଲେ ମଧ୍ୟ ପ୍ରେମ କରିବ । ସେ ମାରିବ, ଅଥବା ଛାଡ଼ି ପଳାଇବ, ନଚେତ୍‌ ନିଜେ ମରିବ । କିନ୍ତୁ ଏଇ ନକଲି ପ୍ରେମିକଗୁଡ଼ା କେବେ ପାଖ ଛାଡ଼ନ୍ତିନି । ଖଟରେ, ଚେୟାରରେ, ଟେବୁଲରେ ରହିଥିବା ଓଡ଼ଶ ଯେପରି ତୁମକୁ ମାରିବେ ନାହିଁ, ଛାଡ଼ିବେ ନାହିଁ, କି ଡରିବେ ନାହିଁ, ଅଥଚ ଅଥୟ କରୁଥିବେ, ଠିକ୍‌ ସେହିପରି ଏମାନେ ସବୁବେଳେ ଅତିଷ୍ଠ କରୁଥିବେ ତୁମକୁ । ଏମାନଙ୍କ କବଳରୁ ତ୍ରାହି ପାଇଲେ ରକ୍ଷା ।

 

ଧୀରେନ୍‌ ବାବୁ ଭାବୁଥିଲେ—କଳ୍ପନାରେ ସୁଶ୍ରୀ ମନୋରମ, କିନ୍ତୁ ବାସ୍ତବରେ ବଡ଼ କଠୋର । ସୁନ୍ଦର ପାହାଡ଼, ପର୍ବତ, ସମୁଦ୍ର, ଜୀବଜନ୍ତୁ ଇତ୍ୟାଦିଙ୍କ ପରି ସୁନ୍ଦରୀ ନାରୀ ଦୂରରୁ ଯେତିକି ମନୋରମ, ପାଖରେ ସେତିକି ଦୁଃଖକର ।

 

ସୁଶ୍ରୀ ଭାବୁଥିଲା—କଲେଜର ଅଧ୍ୟାପକମାନେ ଆଉ ଶିକ୍ଷକ ହୋଇ ନାହାନ୍ତି; ଏଣିକି ପ୍ରେମିକ ସାଜିଲେଣି । କଲେଜରେ ପାଠ ଅପେକ୍ଷା ପ୍ରେମର ଚର୍ଚ୍ଚା ବେଶି ହେଲାଣି । ଏଇ ଅଧ୍ୟାପକମାନେ କେଉଁ ଛାତ୍ରୀଙ୍କୁ ନୋଟ୍‍ ଦେବା ବାହାନାରେ, ପାଠ ବୁଝାଇଦେବା ବାହାନାରେ ‘କେଉଁ ଆଳିଆ ଲେଖାରେ ବାଳିଆ ସମ୍ପର୍କ’ ଯୋଡ଼ିବା ବାହାନାରେ, କୁଶଳ ସମ୍ଭାଷଣ ଜଣାଇବା ବାହାନାରେ କେତେ କଥା କହି ପକାଉଛନ୍ତି । ଆଉ କିଛିଦିନ ପରେ ବିଦ୍ୟାମନ୍ଦିର ହୁଏତ ପ୍ରେମମନ୍ଦିର ହେବ !

 

ଧୀରେନ୍ ବାବୁ ପୁଣି ଭାବୁଥିଲେ—ଯେଉଁମାନେ ହାତ ପାଖରେ ଥିବା ମଣିଷଙ୍କୁ ଦୂରକୁ ଠେଲି ଦିଅନ୍ତି, ଠିକ୍‌ ଗୋଡ଼ତଳର ଜିନିଷକୁ ଅଳିଆ ଭାବି ଠେଲିଦେଲା ପରି, ସେମାନେ କିଛି ପାଆନ୍ତି ନାହିଁ । ସବୁବେଳେ ମନ ତାଙ୍କର ଖାଲି, ପାଣ୍ଠି ଖାଲି, ହାତ ଖାଲି, ସବୁ ଖାଲି ଅଥଚ ହୃଦୟରେ କୋହ । ଏଇ ସୁଶ୍ରୀ ଠିକ୍‌ ସେହିପରି ।

 

ସୁଶ୍ରୀ ଭାବୁଥିଲା—ରେଳଗାଡ଼ିରେ ଏକୁଟିଆ ଯିବାବେଳେ, ନୂଆ ଜାଗାରେ ଏକୁଟିଆ ଚଳପ୍ରଚଳ ହେବାବେଳେ ମଣିଷର ମନ ଖୋଜେ ଅନ୍ୟର ବନ୍ଧୁତା । କିନ୍ତୁ ଏଇ ବନ୍ଧୁତା ହୁଏତ ମଣିଷକୁ ତଳକୁ ଖସାଇ ଦେଇପାରେ, ଜୀବନରେ ତା’ର ନାଗପାଶ ହୋଇପାରେ ।

 

କିଛି ସମୟ ନୀରବତା ପରେ ସୁଶ୍ରୀ ବାହାରି ଆସିଲା ଧୀରେନ୍‌ ବାବୁଙ୍କ ରୁମ୍‌ରୁ । ଧୀରେନ୍‌ ବାବୁ ଧ୍ୟାନମଗ୍ନ ଭାବରେ ଚେୟାରରେ ବସି ରହିଲେ ।

 

ଧୀରେନ୍‌ ବାବୁ ଅସ୍ତ ହୋଇ ଯାଆନ୍ତି । ଆଉ ଉଇଁ ଆସନ୍ତି ଅମିତାଭ ବାବୁ ସୁଶ୍ରୀର ମନ ଅଙ୍ଗନକୁ ।

 

ଅମିତାଭ ବାବୁ ସୁଶ୍ରୀର ରିସର୍ଚ ରୁମ୍‌କୁ କୌଣସି ନା କୌଣସି ଆଳ ବା ବାହାନା ଦେଖାଇ ଆସନ୍ତି ।

 

ଇଚ୍ଛା ଅନିଚ୍ଛା ଭିତରେ ସୁଶ୍ରୀ ତାଙ୍କ ସାମନାରେ ବାଧ୍ୟ ଶିଶୁଟି ପରି ବସିରହେ ।

 

ଅମିତାଭ ବାବୁ କହନ୍ତି—ଆଚ୍ଛା ସୁଶ୍ରୀ ! ବନ୍ଧୁ ଭାବରେ ତମକୁ ପଚାରୁଛି, କିଛି ମନେ କରିବନି । ଏଇ ନିତିଦିନିଆ ବହିପଢ଼ା, ଗବେଷଣା ଓ କଲମ ଚାଷ ଭିତରେ କେବେ ତମର ମନ କ୍ଲାନ୍ତି ଅନୁଭବ କରେନି; ଏ ପରିବେଶ ଭିତରୁ ପଳାଇ ଯିବାକୁ ବିଦ୍ରୋହୀ ହୋଇ ଉଠେନି ?

 

ଅବଶ୍ୟ ବେଳେ ବେଳେ କରେ । କିନ୍ତୁ ମନର ସେଇ ସୂକ୍ଷ୍ମ ଓ ବିଳାସୀ ପ୍ରକ୍ରିୟା ଗୁଡ଼ିକର ଉପଭୋଗ ପାଇଁ ସମୟ ଓ ସଙ୍ଗତି ମୋର ନାହିଁ ସାର୍‌ ! ଉତ୍ତର ଦିଏ ସୁଶ୍ରୀ ।

 

କିନ୍ତୁ ତ ମେ ତ ଜାଣେ, ମନର ଏଇ ସୂକ୍ଷ୍ମ ପ୍ରତିକ୍ରିୟା ଗୁଡ଼ିକୁ ଉପେକ୍ଷା କଲେ ଜୀବନ ବିଡ଼ମ୍ବିତ ହୁଏ, ଅବେଗଭରା କଣ୍ଠରେ କୁହନ୍ତି ଅମିତାଭ ବାବୁ ।

 

ହୁଏତ ହୁଏ; କିନ୍ତୁ ଯେଉଁ କଥାର ପ୍ରତିକାର କରି ହୁଏନା, ସେ କଥା ଭାବି କଅଣ ?

 

କାହିଁକି, ତମେ କଅଣ ଭାବ, ମୋର ସାହଚର୍ଯ୍ୟ ତମକୁ ଅତ୍ୟାଚାରିତ କରିବ ବୋଲି ? ଯଦି ସେପରି ଭାବୁଥାଅ, ତେବେ ସେ ଭାବନା ଅହେତୁକ ବୋଲି ମୁଁ କହିବି ।

 

ମତେ ଆଉ ବାଧ୍ୟ କରନ୍ତୁନି ସାର୍‌ ! ଆପଣ ବିବାହିତ । ଆପଣଙ୍କ ପରିବାରର ସୁଖ ଅପହରଣ କରିବା ମୋ ପକ୍ଷରେ ଅତି ଅମଙ୍ଗଳକର ହେବ ।

 

ତମେ ମତେ ଭୁଲ୍‌ ବୁଝୁଛ । ମୁଁ ଯେ ତମର ମଙ୍ଗଳାକାଙ୍‌କ୍ଷୀ ।

 

ଅଯାଚିତ ଭାବେ ଦୁନିଆଁରେ ଏମିତି ଅନେକେ ଶୁଭ ମନାସିବାକୁ ଆଗେଇ ଆସନ୍ତି । ସେମାନଙ୍କୁ ବୁଝିବା ଭଳି ବୟସ ଓ ଅନୁଭୂତି ମୋର ହେଇଛି । ଆପଣଙ୍କୁ ଅନୁରୋଧ କରୁଛି, ମତେ କ୍ଷମା କରନ୍ତୁ ସାର୍‌ । ମୁଁ ଏ ବିଷୟରେ ଆପଣଙ୍କ ସହିତ ବିଶେଷ ଆଗେଇବାକୁ ଆଉ ପସନ୍ଦ କରୁନି ।

 

ବିଶ୍ୱବିଦ୍ୟାଳୟରେ ଏମିତିଗୁଡ଼ାଏ ଅଭିଜ୍ଞତା ଭିତରେ ହଠାତ୍‌ ଦିନେ ସୁଶ୍ରୀର ଜୀବନରେ ଦେଖାଦିଏ, ଶ୍ରୀମନ୍ତ ।

 

ଶ୍ରୀମନ୍ତ ନୂଆ ହୋଇ ବିଶ୍ୱବିଦ୍ୟାଳୟରେ ଲେକ୍‌ଚରର୍‌ ଭାବେ ଯୋଗ ଦେଇଥାଏ । ସୌମ୍ୟଦର୍ଶନ ଶ୍ରୀମନ୍ତର ଆଖିରେ ଥାଏ ପାଣ୍ଡିତ୍ୟର ଅଭିବ୍ୟକ୍ତି, ଓଠରେ ଦୃଢ଼ତା । କେମିତି କେଜାଣି ଶ୍ରୀମନ୍ତର ଚେହେରା ସୁଶ୍ରୀକୁ ଆକର୍ଷିତ କରେ । ଶ୍ରୀମନ୍ତ ସହିତ ଅଳ୍ପଦିନର ପରିଚୟ ମଧ୍ୟରେ ସୁଶ୍ରୀ ଅନୁଭବ କରେ, ସତେ ଯେପରି ସେ ଶ୍ରୀମନ୍ତ ଆଗରେ ଦୁର୍ବଳତା ଅନୁଭବ କରୁଛି ।

 

ଶ୍ରୀମନ୍ତର ଚେହେରାକୁ ଦେଖିଲେ ଯେତିକି romantic ମନେହୁଏ, ଥରେ ତା’ର ମନ ଭିତରକୁ ପ୍ରବେଶ କଲେ ତା’ର ହୃଦୟଟା ଯେ କେଡ଼େ un-romantic ସେଇଟା ଆବିଷ୍କାର କରିବାକୁ କରିବାକୁ ବିଶେଷ ସମୟ ଦରକାର ହୁଏନି ।

 

ଶ୍ରୀମନ୍ତ ସୁଶ୍ରୀକୁ କହେ—ଦେଖ, ମୁଁ ଗୋଟିଏ ବଦ୍ଧ ପାଗଳ ଲୋକ । କାରଣ ମୁଁ ସୃଷ୍ଟିଛଡ଼ା । ‘କାଳୀ ଗାଈର ଭିନ୍ନେ ଗୋଠ’ ହେଲା ଭଳି ସମାଜରେ ଥାଇ ମଧ୍ୟ ମୁଁ ସମାଜଠାରୁ ଦୂରରେ ରହେ । ମୋର ମନେହୁଏ, ଦୁନିଆଁରେ ମୁଁ ଖୁବ୍‌ ଦୁଃଖୀ । ମୋର ଏଇ ଦୁଃଖ ହେଲା ଗୋଟାଏ ପାଗଳାମି । କାରଣ ଦୁଃଖଟା ହେଉଛି ସ୍ୱୋପାର୍ଜିତ । ସମାଜ ଆଖିରେ ସୁଖ ଦୁଃଖର ଧାରଣା ମୋ ମନର ଭାବନାଠାରୁ ଭିନ୍ନ । ତେଣୁ ଯେଉଁ ଜିନିଷରେ ଅନ୍ୟମାନେ ସୁଖୀ, ମୁଁ ସେଥିରେ ଦୁଃଖୀ ।

 

ଉଦାହରଣ ସ୍ୱରୂପ, ଏଇ ଦେଖ, ଚାକିରି ଜୀବନରେ ମୁଁ ବହୁତ କିଛି ଉପାର୍ଜ୍ଜିନ କରିଛି । ତାଠୁଁ ଆହୁରି ବେଶି ଅର୍ଥ ଉପାର୍ଜ୍ଜନ କରିପାରି ଥାଆନ୍ତି । ଭୋଗ ବିଳାସରେ ଜୀବନଟା କଟାଇ ପାରିଥାଆନ୍ତି । କିନ୍ତୁ କରିନି । କାରଣ କଅଣ ଜାଣ ? ଭୋଗ ବିଳାସ ପ୍ରତି ଆକୃଷ୍ଟ ହୋଇଥିଲେ ମୁଁ ଜ୍ଞାନ, ଚରିତ୍ର ଓ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ପାରି ନ ଥାନ୍ତି । ମୁଁ ଖୁବ୍‌ ଭଲ ପଢ଼ୁଥିଲି । ମେଧାବୀ ଛାତ୍ର ହିସାବରେ ମୋର ଖୁବ୍‍ ସୁଖ୍ୟାତି ଥିଲା । କାରଣ କଅଣ ଜାଣ ? କାରଣ ମୁଁ ଗରିବ ଥିଲି । ଛାତ୍ର ଜୀବନରେ ବ୍ରହ୍ମଚାରୀ ପରି ସଂଯମର ସହିତ ଜୀବନ ଯାପନ ନ କଲେ ଉତ୍ତମ ବିଦ୍ୟାଶିକ୍ଷା ହୁଏନି । ତେଣୁ ଛାତ୍ର ଜୀବନରେ ମୁଁ ପ୍ରେମ କରିନି । କିନ୍ତୁ ମୁଁ ଭାବେ, ଏଇ ଜ୍ଞାନ, ଚରିତ୍ର ଓ ଆଦର୍ଶରୁ ମଣିଷ ପାଏ କଅଣ ? ମୁଁ ବୁଝି ପାରେନି । ଗୋଲକ ଧନ୍ଦାରେ ପଡ଼ିଯାଏ । ତେବେ ବି ତାକୁ ଛାଡ଼ି ପାରେନି । ମଣିଷ ଯାହା ବୁଝି ପାରେନା ଅଥଚ କରେ, ସେଇଟାକୁ ପାଗଳାମି କୁହାଯାଏ । ତେଣୁ ମୁଁ ଗୋଟାଏ ପାଗଳ ।

 

ବଜାର ହାଟ, ସ୍କୁଲ କଲେଜ, ଅଫିସ କଚେରି, କଳ କାରଖାନା, ସିନେମା ଥିଏଟାର, ଯେଉଁଠିକି ଯିବ–ଦେଖିବ ଲୋକ ହାଉଯାଉ ହଉଛନ୍ତି । ଲୋକେ ଏକାଠି କାମ କରୁଛନ୍ତି, ପଢ଼ୁଛନ୍ତି-। କିନ୍ତୁ ଭାବିଲ ଦେଖି, ମଣିଷ କେଡ଼େ ଏକୁଟିଆ ! ଏତେ ଲୋକଙ୍କ ଭିତରୁ କେହି ମଣିଷକୁ ବୁଝେନା । କାହାରି ଆଗରେ ମନ ଖୋଲିହୁଏନା । ମଣିଷ ଯେ ଏକୁଟିଆ, ଏଇ କଥା ଭୁଲିବା ପାଇଁ ସେ ପରିବାର ଭିତରେ, ବନ୍ଧୁ ମେଳରେ, ସିନେମା ଥିଏଟାରରେ ସମୟ କଟାଏ; କିନ୍ତୁ ତଥାପି ମନଟା ସମୟ ସମୟରେ ବିଳପିଉଠେ । କେହି ବୁଝିପାରେନି ତା’ର ବିଳାପର କାରଣ । କପେ ଚା, ଖଣ୍ଡେ ସିଗାରେଟ୍‌, ଦି’ଖଣ୍ଡ ପାନ ଉପରେ ମନ ଖୋଲାଯାଇ ପାରେନା ।

 

ଜୀବନରେ ବହୁତ ଜ୍ଞାନ ଆହରଣ କରିଛି । ବହୁ ଦର୍ଶନ, ବିଜ୍ଞାନ, ସାହିତ୍ୟ, କଳା, ଇତିହାସ ପଡ଼ିଛି । କିନ୍ତୁ ଜୀବନର ସତ୍ୟ କଅଣ ଜାଣି ପାରିଲିନି । ଜୀବନରେ ପୂର୍ଣ୍ଣତା କେଉଁଠି, ଜାଣି ପାରିଲିନି । ତେବେ ଏତେ କଳା, ଦାର୍ଶନ, ବିଜ୍ଞାନ ପଢ଼ିବାରେ ବା ଆଲୋଚନା କରିବାରେ ତାତ୍ପର୍ଯ୍ୟ କେଉଁଠି ? ତେବେ ବି ମୁଁ ଜ୍ଞାନ ଆହରଣ କରିଛି, କେବଳ ସେଥିରୁ ଆନନ୍ଦ ପାଇଛି ବୋଲି । ହୁଏତ ଆଉ କିଛି ପାଇନି ।

 

ସମାଜକୁ ଲୋଭ, ଭୟ, ଅନ୍ୟାୟ, ଅତ୍ୟାଚାର, ଦୁଃଖ, ଯନ୍ତ୍ରଣା ଗ୍ରାସ କରି ରହିଛି । କୁହାଯାଏ, ଦୁନିଆଁରେ ସବୁ ସତ୍ୟ-ଶିବ-ସୁନ୍ଦର । ଏଇ ସତ୍ୟ, ଶିବ, ସୁନ୍ଦର ଦୁନିଆଁକୁ ସତ୍ୟ-ଶିବ-ସୁନ୍ଦର ଭଗବାନ ସୃଷ୍ଟି କରିଛନ୍ତି, ପାଳନ ମଧ୍ୟ କରୁଛନ୍ତି । କିନ୍ତୁ ସାଧାରଣ ମାନବକୁ ଦୁନିଆଁରେ ସବୁ ସବୁ ଅସତ୍ୟ, ଅସୁନ୍ଦର ଓ ଅଶିବ ଜଣାଯାଏ । ଖରାପ ଲୋକ ଦୁନିଆଁରେ ସୁଖରେ ରହନ୍ତି, ଭଲ ଲୋକ ଦୁଃଖ ପାଆନ୍ତି । ଦାର୍ଶନିକମାନେ ଭଗବାନଙ୍କୁ ସର୍ବଶକ୍ତିମାନ, ସର୍ବଜ୍ଞାନୀ, ସର୍ବବ୍ୟାପ୍ତ ଓ ସର୍ବମଙ୍ଗଳମୟ ବୋଲି କହନ୍ତି । କିନ୍ତୁ ଏସବୁ ମିଛ ମନେହୁଏ । ଯେପର୍ଯ୍ୟନ୍ତ ବୋଲି କହନ୍ତି । କିନ୍ତୁ ଏସବୁ ମିଛ ମନେହୁଏ । ଯେପର୍ଯ୍ୟନ୍ତ ମଣିଷ ସବଳ ଥାଏ, ସେ ଭଗବାନଙ୍କୁ ମାନେନି; କିନ୍ତୁ ଯେତେବେଳେ ସେ ଦୁର୍ବଳତା ଅନୁଭବ କରେ, ସେତେବେଳେ ଭଗବାନଙ୍କୁ ଡାକେ ।

 

ଆମେ ସମସ୍ତେ ସ୍ୱାଧୀନତା କଥା କହୁ; Fundamental right କଥା କହୁ । କିନ୍ତୁ ସ୍ୱାଧୀନତା ଗୋଟାଏ ଭୟଙ୍କର ଜିନିଷ । ସେଥିପାଇଁ ସମାଜ ଭିତରେ ମଣିଷର ହାତ ଗୋଡ଼ ବନ୍ଧା ହୋଇଥାଏ । କୌଣସି ଫଣ୍ଡାମେଣ୍ଟାଲ୍‌ ରାଇଟ୍‌ ଲଗାମଛଡ଼ା ନୁହେଁ । ମଣିଷକୁ ଯଦି ଲଗାମହୀନ ସ୍ୱାଧୀନତା ଦିଆଯାଆନ୍ତା, ତେବେ ଭଲ ମନ୍ଦ, ପାପ ପୁଣ୍ୟ, ନ୍ୟାୟ ଅନ୍ୟାୟର ବିଚାରଶକ୍ତି ତା’ର ଲୋପ ପାଆନ୍ତା; ସେ କଅଣ ନା କଅଣ କରିବସନ୍ତା ।

 

ଠିକ୍‌ ସ୍ୱାଧୀନତା ପରି, ଦୁନିଆଁରେ ସତ୍ୟ ଗୋଟାଏ ଅତି ମାରାତ୍ମକ ଜିନିଷ । ସତ କଥା କହିଲେ ମଧ୍ୟ ଲୋକେ ତାକୁ ସତ ବୋଲି ଗ୍ରହଣ କରି ନ ପାରନ୍ତି । ତେଣୁ ସତକୁ ସତ୍ୟ ବୋଲି ଲୋକମାନଙ୍କ ଆଗରେ ପ୍ରତିପାଦିତ କରି ନ ପାରିଲେ, ସତ, ମିଛ ହୋଇ ରହିଯିବ । ସତ୍ୟର ଅବତାର ଗାନ୍ଧିଜୀଙ୍କ ଜୀବନର ଅନୁଭୂତି ଏଇଆ କୁହେ । ଦୁନିଆଁରେ ମିଥ୍ୟାର ଆବଶ୍ୟକତା ସତ୍ୟର ଆବଶ୍ୟକତାଠାରୁ ବହୁତ ବେଶି । ତେଣୁ ମିଥ୍ୟାକୁ ସତ୍ୟର ରୂପ ଦେବାଟା ଆଧୁନିକ ସମାଜରେ ଗୋଟାଏ ବଡ଼ କଳା ରୂପେ ପରିଗଣିତ ହେଉଛି । କାରଣ ମଣିଷ ପ୍ରତି ମୁହୂର୍ତ୍ତରେ ଦୁନିଆଁରେ ପ୍ରତାରିତ ହୁଏ । ଏହି ପ୍ରତାରଣାର ଅନ୍ୟ ନାମ ହେଲା ମାୟା । ବେଦାନ୍ତଦର୍ଶନକୁ ଆଲୋଚନା କରି ଦେଖିଲେ, ହୁଏତ ଏହା ଆହୁରି ପରିଷ୍କାର ହୋଇଯିବ । ମଣିଷ ନିଜେ ନିଜକୁ ନ ଠକିଲେ ଦୁନିଆଁରେ ହୋଇଯିବ । ମଣିଷ ନିଜେ ନିଜକୁ ନ ଠକିଲେ ଦୁନିଆଁରେ ଶାନ୍ତି ପାଇବନି । ଆତ୍ମବଳରେ ଯେ ଅତି ବଳୀୟାନ, ସେ କେବଳ ସତ୍ୟକୁ ସହ୍ୟ କରିପାରେ । ମିଥ୍ୟାର ଖୋଳପାଟା ଛାଡ଼ିଗଲେ, ମଣିଷର ମୃତ୍ୟୁହୁଏ । କାରଣ ସେ ସତ୍ୟକୁ ସହ୍ୟ କରି ପାରେନା । ମୁଁ ମୋର ଜୀବନର ସତ୍ୟକୁ ତମ ଆଗରେ ଖୋଲି ଦେଲେ ତମେ ହୁଏତ ମତେ ଘୃଣା କରିବ ।

 

ମୋର ମନେହୁଏ, ମୋର ଏ ଦୁଃଖର ମୂଳରେ ଅଛି ଜୀବନକୁ ଅତ୍ୟଧିକ ବିଶ୍ଳେଷଣ କରିବା । ଆଉ ଏଇ ବିଶ୍ଳେଷଣର ମୂଳରେ ଅଛି ଜ୍ଞାନପିପାସା । ମୁଁ ଯଦି ଗୋଟିଏ ହରିଜନ, ଆଦିବାସୀ ବା ମୂଲିଆ ମଜୁରିଆ ଘରେ ଜନ୍ମ ହୋଇଥାଆନ୍ତି, ତେବେ ଜୀବନକୁ ଅତ୍ୟଧିକ ବିଶ୍ଳେଷଣ କରିବାର ଦୁଃଖ ମୁଁ ଭୋଗ କରି ନ ଥାନ୍ତି । କାରଣ ସେମାନେ ଆମ ପରି ପ୍ରତାରଣା ଭିତରେ ଲୁଚି ରହନ୍ତି ନାହିଁ । ଏହି ପ୍ରତାରଣାର ଆବରଣ ଯେତେବେଳେ ଆମର ଖୋଲିଯାଏ, ସେତେବେଳେ ଆମେ ଦୁଃଖ ପାଇଥାଇଁ ।

 

ତେଣୁ ଜୀବନରେ କୌଣସି ଝିଅକୁ ମୁଁ ଭଲ ପାଇପାରିଲିନି । କାରଣ ଜୀବନଟାକୁ ମୁଁ ସ୍ୱାଭାବିକ ଭାବେ ଗ୍ରହଣ କରି ପାରିଲିନି । ମୋର ଧାରଣା, କୌଣସି ଝିଅ ମତେ ଭଲ ପାଇବନି । କାରଣ ମୋ ପରି ଗୋଟାଏ ବେରସିକକୁ ନେଇ କୌଣସି ନାରୀ ବସା ବାନ୍ଧି ପାରିବନି । ହେଲେ ମୁଁ କଅଣ କୌଣସି ଝିଅକୁ ଭଲପାଇ ପାରିବି ? ବୋଧହୁଏ ନୁହେଁ । କାରଣ ଦୁନିଆଁର କୌଣସି ବସ୍ତୁ ଯାହାର ମନରେ ମାୟାର ସଞ୍ଚାର କରି ପାରିଲାନି, ଗୋଟିଏ ନାରୀ କଅଣ ତାହା କରିପାରିବ-? ଏଥିରେ ମୋର ସନ୍ଦେହ ଅଛି ।

 

ମୋର ମନେହୁଏ, ଆପଣଙ୍କର ମୋର ପରିଚୟ ହେବାଦିନଠୁଁ ଆପଣ ଦୁର୍ବଳ ହୋଇ ପଡ଼ୁଛନ୍ତି; ମୋର ମନ ମଧ୍ୟ ଦୁର୍ବଳ ହୋଇପଡ଼ୁଛି । କାରଣ ପେଟର କ୍ଷୁଧା ମଣିଷର ଯେପରି ଅଛି, ମନର କ୍ଷୁଧା ମଧ୍ୟ ସେହିପରି ଅଛି । ତେଣୁ ମୋ ମତରେ ଆଜି ଏଇଠି ଆପଣ ଓ ମୋ ଭିତର ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଲେ ଖୁବ୍‌ ଭଲ ହେବ । କ୍ଷମା କରିବେ ।

 

ପଛକୁ ମୁହଁ ବୁଲେଇ ଆଗକୁ ଗୋଡ଼ ବଢ଼େଇଲେ ଶ୍ରୀମନ୍ତ ବାବୁ ।

 

ଶ୍ରୀମନ୍ତ ବାବୁ ଆଗେଇ ଚାଲିଛନ୍ତି । ପଛରେ ରହିଗଲା ସୁଶ୍ରୀ । ସୁଶ୍ରୀକୁ ପ୍ରତି ନମସ୍କାର ଜଣାଇବାକୁ ସେ ଭୁଲି ଯାଇଛନ୍ତି । ସେ ଅନୁଭବ କଲେ, ଆଖି ଆଗରେ ସବୁ କିଛି ତାଙ୍କୁ ଝାପସା ଦିଶୁଛି । ଦୁଇ ହାତର ବିଶି ଆଙ୍ଗୁଠିରେ ଆଖି ଦି’ଟାକୁ ଦଳିଦେଲେ ସୋ ଆଙ୍ଗୁଠି ଦି’ଟା ତାଙ୍କର ଓଦା ହୋଇଗଲା । ତାପରେ ପୁଣି ସାମନାରେ ସବୁକିଛି ପରିଷ୍କାର ।

 

ଏଁ, ୟେ କଅଣ ହେଲା ? ସୁଶ୍ରୀକୁ ମନା କରିଦେବା ପରେ ସେ ଭାବିଥିଲେ, ମନରୁ ତାଙ୍କର ଦୁର୍ବଳତା ଟିକକ ଅପସରି ଯିବ । କିନ୍ତୁ ଫଳ ହେଲା ଠିକ୍‌ ଓଲଟା । ସେ ଅନୁଭବ କଲେ, ସତେ ଯେମିତି ହୃଦୟଟା ତାଙ୍କର ବେଦନାବିହ୍ୱଳ ହୋଇପଡ଼ିଛି । କିନ୍ତୁ କାହା ପାଇଁ ? କଅଣ ଏଇ ସୁଶ୍ରୀ ପାଇଁ ? ନିଜକୁ ସେ ବିଶ୍ୱାସ କରିପାରୁ ନାହାନ୍ତି । ସଂଯମ ତାଙ୍କୁ ଠକି ଦେଇଛି ।

 

ମନେପଡ଼ିଲା ତାଙ୍କର, ଆଚାର୍ଯ୍ୟ ଉଦୟଭାନୁଙ୍କ କଥା । ‘‘ଯୌନ ଜୀବନର ଭାରମାସ୍ୟ ନ ରହିଲେ ବୌଦ୍ଧିକ ବିକାଶ ବ୍ୟାହତ ହେବ । Intellectର ଅନୁଶୀଳନ ପାଇଁ ଯୌନ ଲିପ୍‌ସାକୁ ସନ୍ତୁଷ୍ଟ କରିବାକୁ ପଡ଼ିବ । ଅଥବା ଯୌନ ଲିପ୍‌ସାକୁ ହଟାଇ ଦେବାକୁ ହେବ ।’’ ଦିନେ ହୁଏତ ଏହି ଉକ୍ତିକୁ ସେ ଫୁତ୍‌କାରରେ ଉଡ଼ାଇ ଦେଇଥିଲେ । କିନ୍ତୁ ସେ ଉପଲବ୍‌ଧି କରିଛନ୍ତି ଯେ, ଅବଚେତନ ବା ଅଚେତନ ମସ୍ତିଷ୍କରେ ଏହାର ପ୍ରଭାବକୁ ଅସ୍ୱୀକାର କରିହେବନି । ଯେଉଁ କଥାକୁ ଅସ୍ୱୀକାର କରିହୁଏନି, ତା ଠାରୁ ଦୂରେଇ ଯିବାକୁ କୁହାଯାଏ ପଳାୟନବାଦ । କୁଆଡ଼େ ସେ ପଳାଇଯିବେ ? କିଏ ୟା’ର ଉତ୍ତର ଦବ ?

 

ମନେ ପଡ଼ିଲା ତାଙ୍କର ସେଦିନର ବର୍ଷଣମୁଖର ରାତିରେ ସେବିକାର କଥା । ଆଖି ଆଗରେ ତାଙ୍କର ଭାସିଉଠିଲା, ସେବିକାର ଅସଂଯତ ବସ୍ତ୍ର ତଳର ମନଲୋଭା ଶରୀର । ଉଭୟଙ୍କର ଉଷ୍ଣ ନିଃଶ୍ୱାସର ସଂଘାତ ଆଉ ଆଶ୍ଳେଷର ବିନିମୟ ବିହ୍ୱଳିତ କରିଥିଲା ଉଭୟଙ୍କୁ । କିଛି ସମୟ ପାଇଁ ସେ ଭୁଲି ଯାଇଥିଲେ ନିଜକୁ । କିନ୍ତୁ ହଠାତ୍‌ ବିବେକ ତାଙ୍କର ଗର୍ଜିଉଠିଲା; ଆଉ ଏଇ ପ୍ରଣୟ ନାଟକର ଶେଷ ଅଙ୍କ ଆରମ୍ଭ ହେବା ପୂର୍ବରୁ ନାୟିକାକୁ ରଙ୍ଗମଞ୍ଚ ଉପରେ ଛାଡ଼ିଦେଇ ପଳାୟନ କଲେ ସେ । ପ୍ରଣୟବିଧୁରା, କାମାତୁରା ସେବିକାର ଅତୃପ୍ତ ଶରୀର ପଡ଼ିରହିଲା ସେଇଠି-। ନାଟକର ମଧ୍ୟ ଭାଗରେ ପଡ଼ିଲା ଯବନିକା । କାରଣ ନାୟକ ହେଲେ ପଳାତକ ।

 

କିନ୍ତୁ କୁଆଡ଼େ ସେ ଯିବେ । ପୁଣି ଫେରି ଆସିବାକୁ ପଡ଼ିଲା ତାଙ୍କୁ କର୍ମକ୍ଷେତ୍ରକୁ । ସରକାରୀ ଚାକିରୀରେ ପଳାୟନ ପନ୍ଥା ଏକ ମାରାତ୍ମକ ଅପରାଧ । ସେବିକାକୁ ବଦଳି କରିବାକୁ ସେ ଚାହିଁଥିଲେ । କିନ୍ତୁ ଏ ଧରାଧରି ଯୁଗରେ ତାଙ୍କର କ୍ଷମତା ଅଧସ୍ତନ କର୍ମଚାରୀଙ୍କର ଧରାଧରି କରିବାର ଯୋଗ୍ୟତା ଆଗରେ ଯେ କେତେଦୂର ସୀମିତ, ତାହା ସେ ବୁଝି ପାରିଥିଲେ । କପାଳରେ ଶିରା କେତେଟା ଟଣକି ଉଠିଲା ତାଙ୍କର । ମୁଣ୍ଡଟାକୁ ଦି’ଥର ଯୋରରେ ହଲାଇ ଦେଇ, ସେ ଚାହୁଁ ଥିଲେ, ମୁଣ୍ଡରୁ ଅତୀତର ଏଇ କେତେଟା ଅସ୍ୱସ୍ତି କର ପୃଷ୍ଠାକୁ ଚିରି ଫୋପାଡ଼ିଦେବା ପାଇଁ । କିନ୍ତୁ ତାଙ୍କର ଦୁର୍ବଳ ସ୍ଥାନରେ ଆଘାତ କରୁଥିବା ଏଇ ଭାବନାଠାରୁ ସେ ପଳାୟନ କରି ପାରି ନାହାନ୍ତି ।

 

ତେବେ ପ୍ରକୃତରେ କଅଣ ସେ ସୁଶ୍ରୀଠୁଁ ପଳେଇ ଯାଇ ପାରିବେ ? ଉତ୍ତର କିଏ ଦବ ?

 

ଯଦିବା ସୁଶ୍ରୀକୁ ସେ ଭଲ ପାଆନ୍ତି, ତେବେ ଦୂରରେ ରହି କଅଣ ତାକୁ ଭଲ ପାଇପାରା ଯାଏନା ?

 

ମନ ତାଙ୍କର ଉତ୍ତର ଦେଲା–ନା, ସବୁବେଳେ ନୁହେଁ । ଏକ ନିର୍ଦ୍ଧିଷ୍ଟ ପରିବେଶ, ପରିସ୍ଥିତି ଓ ମାନସିକ ଅବସ୍ଥା ନ ଥିଲେ ତା ହୁଏତ ସମ୍ଭବ ନୁହେଁ । ତା ଛଡ଼ା ମନେ ରଖିବାକୁ ହେବ ଯେ, ବ୍ୟବଧାନର ଦୂରତ୍ୱ ଅନୁସାରେ ପ୍ରେମର ସ୍ୱରୂପ ଓ ପ୍ରକୃତି ମଧ୍ୟ ବଦଳେ ।

 

ତେବେ..... ?

 

ହଠାତ୍‌ ସାଇକେଲଟାଏ ଖୁବ୍‌ ଜୋରରେ ଧକ୍‌କା ଦେଲା ତାଙ୍କୁ । ଶ୍ରୀମନ୍ତ ବାବୁ ତଳେ ପଡ଼ିଗଲେ । ମୁଣ୍ଡରୁ ରକ୍ତଧାର ବୋହି ଆସିଲା କପାଳ ଉପର ଦେଇ । ହାତରେ ଭୀଷଣ ଯନ୍ତ୍ରଣା ଅନୁଭବ କଲେ ସେ ।

 

ସାଇକେଲ ବାଲା ଛୁ’ କଲାଣି ।

 

University campusରେ ରାସ୍ତାଗୁଡ଼ାକ ସବୁବେଳେ ନିଛାଟିଆ । କେହି କୁଆଡ଼େ ନାହାନ୍ତି; କେବଳ ଟାଉନ୍‌ ବସ୍‌ର ପଛଟା ରାସ୍ତାର ଶେଷ ମୁଣ୍ଡରେ ଦିଶୁଛି । ଟ୍ୟାକ୍‌ସି, ଅଟୋ ରିକ୍‌ସା ବା ଟାଙ୍ଗାଟାଏ ପାଇବାକୁ ହେଲେ ଦୂରକୁ ଯିବା ପାଇଁ ପଡ଼ିବ ।

 

ପଛରୁ ଶୁଭିଲା ଖୁବ୍‍ ଜୋରରେ ଚଟି ଘୋଷରାର ଶବ୍ଦ । ଶବ୍ଦଟା କ୍ରମେ ନିକଟତର ହେଉଛି । କେହି ଚଟି ଘୋଷାରି ଘୋଷାରି ଦୌଡ଼ିଲା ପରି ଜଣାଯାଉଛି ।

 

ଶ୍ରୀମନ୍ତ ବାବୁ ତଳୁ ଉଠିବାକୁ ଚେଷ୍ଟା କରିବା ସମୟରେ ଅନୁଭବ କଲେ, ଏକ କୋମଳ ହାତର ସ୍ପର୍ଶ । ଦେଖିଲେ, ସୁଶ୍ରୀ ତାଙ୍କୁ ଉଠିବାରେ ସାହାଯ୍ୟ କରୁଛି । ଫୁଟ୍‌ପାଥ୍‌ ଉପରେ ତାଙ୍କୁ ବସାଇଦେଇ ସୁଶ୍ରୀ ଟ୍ୟାକ୍‌ସି ଷ୍ଟାଣ୍ଡକୁ ଯାଇ ଗୋଟିଏ ଟ୍ୟାକ୍‌ସି ନେଇଆସିଲା । ଟ୍ୟାକ୍‌ସିରେ ସୁଶ୍ରୀ ନିଜର ଲୁଗା ଚିରି ଶ୍ରୀମନ୍ତ ବାବୁଙ୍କ ମୁଣ୍ଡରେ ପଟି ବାନ୍ଧିଦେଲା ଓ ବେକଟାକୁ ହାତ ଉପରେ ଓହଳାଇ ଦେଲା । ଭାରି ଭଲ ଲାଗିଲା ତାଙ୍କୁ ସୁଶ୍ରୀର ସେବା, ଆଉ କୋମଳ ଓ ଉଷ୍ଣ ହାତର ସ୍ପର୍ଶ-

 

ଶ୍ରୀମନ୍ତ ବାବୁଙ୍କ ଘରକୁ ସୁଶ୍ରୀ ପ୍ରତ୍ୟହ ଆସେ । ଡାକ୍ତରଙ୍କୁ ଡାକିଆଣେ । ବଜାରରୁ ଔଷଧ କିଣି ଆଣେ । ଔଷଧ ଖୁଆଇ ଦିଏ । ହାତରେ ମଲମ ମାଲିସ୍‌ କରିଦିଏ । ପଥ୍ୟର ବ୍ୟବସ୍ଥା କରେ । ସେବା କରେ ।

 

ସାତ ଦିନ ଧରି ସୁଶ୍ରୀର ସେବା ଓ ଯତ୍ନ ଫଳରେ ଶ୍ରୀମନ୍ତ ବାବୁ ସୁସ୍ଥ ହେଲେ । ଆଉ ତା’ପରେ କିଛିଦିନ ଛୁଟି ନେଇ ସେ ଗଲେ ନିଜର ଗାଁକୁ ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ।

 

ଗାଁରୁ ସୁଶ୍ରୀ ପାଖକୁ ଚିଠି ଆସିଲା ।

 

ମଧ୍ୟ ରାତ୍ରି

 

ସୁଶ୍ରୀ ଦେବୀ !

 

ଗାଁରେ ଭଲରେ ପହଞ୍ଚିଲି ।

 

ଏଠି ଅନୁଭବ କଲି, ଏ ବିରାଟ ପୃଥିବୀ ପୃଷ୍ଠରେ ମୁଁ ଏକୁଟିଆ ଠିଆହୋଇଛି ଅନାଥ ଓ ଅସହାୟ ଭାବରେ ।

 

ଏଠି ସବୁ ଚୁପ୍‌ଚାପ୍‌ । ମୁଁ ମଧ୍ୟ ଚୁପ୍‌ଚାପ୍‌ ।

 

ଭାବିଥିଲି, ଆପଣଙ୍କ ଥିସିସ୍‌ର ଗୋଟାଏ ପରିଚ୍ଛେଦ ପାଇଁ ବହୁତ material ଏଠୁ ଯୋଗାଡ଼ କରି ନେଇ ଆପଣଙ୍କୁ ଭେଟି ଦେବି । ଏଇଟା ଆପଣଙ୍କ ସେବାର ପ୍ରତିଦାନ ନୁହେଁ । ସେ ଆସ୍ପର୍ଦ୍ଧା ମୋର ନାହିଁ ।

 

କିନ୍ତୁ କଅଣ ହେଲା ? ଦସ୍ୟୁ ରତ୍ନାକର ପରି ମୁଁ ବହିର ଉଇହୁଙ୍କା ଭିତରେ ପୋତି ହୋଇଗଲି । ମାତ୍ର ଗୋଟାଏ ବୋଲି ପୃଷ୍ଠା ପଢ଼ି ପାରିଲି ନାହିଁ । ବହିର ଏ ନିରର୍ଥକ ପାହାଡ଼ଟାକୁ ପୁଣି ବୋହି ନେବାକୁ ପଡ଼ିବ ଲାଇବ୍ରେରୀକୁ ।

 

ରଜନୀର ଅଧା କଟିଗଲାଣି ।

 

ବର୍ତ୍ତମାନ ସାନ୍ଦ୍ର ଅନ୍ଧକାର ଭିତରେ ପୃଥିବୀ ବୁଡ଼ିଯାଇଛି । ଆଖି ମୋର ପଲକହୀନ । ସମୟ କଟାଇବା ପାଇଁ କାଗଜ କଲମ ଧରିଲି । କିନ୍ତୁ ଆପଣଙ୍କ ପାଖକୁ କଅଣ ଲେଖିବ ? ହୁଏତ ଆଜେ ବାଜେ ଗୁଡ଼ାଏ କଥା ଲେଖି ବିରକ୍ତ କରିବି । କିଛି ମନେ କରିବେନି । ଉତ୍ତପ୍ତ ପୃଥିବୀ ଯେପରି ଉତ୍ତାପ ବିକୀରିତ ନ କଲେ ଜଳି ପୋଡ଼ି ପାଉଁଶ ହୋଇଯିବ, ସେହିପରି ମନର ଉତ୍ତେଜନାକୁ ବିକିରିତ ନ କଲେ ତାହା ହୁଏତ ଶରୀରକୁ ଅବଶ କରିପକାଇବ ।

 

ହଁ କଅଣ କହୁଥିଲିଟି ? ଏଇ ଜୀବନକୁ ଅତିରିକ୍ତ ବିଶ୍ଳେଷଣ କରିବାର ଦୁଃଖ ।

 

ମନେହୁଏ, ମୁଁ ଯେପରି ସାହାରା ମରୁଭୂମି ଭିତରେ ଚାଲିଛି ଏକୁଟିଆ, ଆରବ ସୌଦାଗର ପରି । ଆଖି ଆଗରେ ଖାଲି ବାଲି । Sand, sand, only sand, and nothing but sand, sand and sand alone. ଖାଲି ସେତିକି ନୁହେଁ, ଆଉ ମଧ୍ୟ ଅଛି ମୃଗତୃଷ୍ଣା । ଆଉ ବାଲି ଝଡ଼ ? ସିଏ ବି ଅଛି ।

 

ଏଇ ବାଲିଝଡ଼ ପ୍ରତ୍ୟେକ ମୁହୂର୍ତ୍ତରେ ମୋର ମନର ଝରଣାଟିକୁ ଅତ୍ୟାଚାରିତ କରୁଛି । ଶୁଖାଇ ଦେବାର ଧମକ ଦେଉଛି । ଆଉ ଏକ ବାଲି ଝଡ଼ ଭିତରେ ଓଟ ତା’ର ଦୁଇ ଗୋଡ଼ ସନ୍ଧିରେ ମୁଣ୍ଡକୁ ପୂରାଇ ବସି ରହିଲା ପରି ଏଠି ମୁଁ ମୋର ଦୁଇ ଆଣ୍ଠୁର ସନ୍ଧିରେ ମୁଣ୍ଡକୁ ପୂରାଇ ବସିରହିଛି ବାଲି ଝଡ଼ର ଅବସାନ ଅପେକ୍ଷେରେ । ଝଡ଼ର ଅବସାନ ହେଲାବେଳକୁ ହୁଏତ ମନର ଝରଣାରେ ମୋର ବାଲି-ଚର ମାଡ଼ି ଯାଇଥିବ ।

 

ହେଲେ ଜୀବନ ମରୁଭୂମିରେ ଯାତ୍ରା କଲାବେଳେ ମଝିରେ ମଝିରେ ଏମିତି ବାଲିଝଡ଼ର ସମ୍ମୁଖୀନ ହେବାକୁ ପଡ଼ିବ । If life has to continue it must be accepted as it comes. Though it is difficult to accept the obvious, yet we have to; ତେଣୁ ଶୋଚନା ନାହିଁ ।

 

ଏଇ ମରୁଭୂମିରେ ମଧ୍ୟ ଓଏସିସ୍‌ ଅଛି; କିନ୍ତୁ କାଁ ଭାଁ ।

 

ଆଉ ଏଇ ମୁହୂର୍ତ୍ତରେ ମୋର କଅଣ ମନେ ହେଉଛି, ଜାଣନ୍ତି ? ମନେ ହେଉଛି, ମୋ ଜୀବନ ମରୁଭୂମିରେ ଆପଣଙ୍କର ବନ୍ଧୁତ୍ୱ ଗୋଟାଏ ଓଏସିସ୍‌ ରୂପେ ଦେଖା ଦେଇଥିଲା ।

 

ଓଏସିସ୍‌ରେ ପଥିକ ଯେପରି କିଛି ସମୟ ବିଶ୍ରାମ ନେଇ ପୁଣି ଆଗେଇ ଚାଲେ, ମୁଁ ଠିକ୍‌ ସେହିପରି ଆଗେଇ ଚାଲିଥିଲି । କିନ୍ତୁ ବାଟରେ ହେଲା ଦୁର୍ଘଟଣା । ଆଉ ମୁଁ ଛିଟକି ହୋଇ ଆସି ପଡ଼ିଲି ଏଠି ।

 

ଛାଡ଼ନ୍ତୁ ।

 

ଅନେକଗୁଡ଼ାଏ ଇଆଡ଼ୁ ସିଆଡ଼ୁ ବାଜେ କଥା ଲେଖିଗଲିଣି । ଚିଠିର ଗୋଟାଏ precise ବିଷୟବସ୍ତୁ ନ ଥିଲେ ଠିକ୍‌ ଏଇଆ ହୁଏ ।

 

ସେ ଯାହାହେଉ, ମୁଁ କିଛିଦିନ ପାଇଁ ଏଠାକୁ ଆସିଲି mindକୁ ଟିକେ refresh କରିନେବି ବୋଲି । ଭାରାକ୍ରାନ୍ତ ମନଟାକୁ ଟିକେ ହାଲକା କରିନେବି ବୋଲି ।

 

କିନ୍ତୁ...

 

ମୁଁ ଏଠି ଉପଲବ୍‌ଧି କରୁଛି ଯେ, ଜୀବନରେ ଅନେକ ‘କିନ୍ତୁ’ ଦେଖାଦିଏ, ଯାହାର ସମାଧାନ କଷ୍ଟକର ହୋଇପଡ଼େ ।

 

କାରଣ କଅଣ କହିପାରିବେ ?

 

କାରଣ ଜୀବନଟା ଗୋଟାଏ ଜୁଆଖେଳ ବ୍ୟତୀତ ଆଉ କିଛି ନୁହେଁ ।

 

ହଁ, ଜୀବନଟା ଗୋଟାଏ ଜୁଆଖେଳର ସମଷ୍ଟି । A chain of gamble.. ଆଉ ଏ ଦୁନିଆଁଟା ଜୁଆର ଗୋଟାଏ ମସ୍ତ ଆଡ଼୍‌ଡ଼ା । ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଜୁଆ ଖେଳୁଛେ । କେତେବେଳେ ହାରୁଛେ, କେତେବେଳେ ଜିତୁଛେ, ପୁଣି କେତେବେଳେ ସର୍ବସ୍ୱାନ୍ତ ହେଉଛେ ।

 

ଏଇ ପରୀକ୍ଷା କଥା ଦେଖନ୍ତୁ ।

 

ଯେଉଁ ପିଲା ଗୋଟାଏ ବିଷୟରେ ୨୯ ନମ୍ବର ରଖି ଫେଲ୍‌ ହେଲା, ଆଉ ଯିଏ ୩୦ ନମ୍ବର ରଖି ପାସ୍‌ କଲା । ଏଇଟା କଅଣ ବୁଦ୍ଧିମତ୍ତା ଆଉ ମୂର୍ଖତାରେ ପାର୍ଥକ୍ୟ, ନା ଦୁଇ ଜଣଙ୍କର ସ୍ମରଣ ଶକ୍ତିରେ ପାର୍ଥକ୍ୟ, ନା ପରିଶ୍ରମ ଓ ଆଳସ୍ୟରେ ପାର୍ଥକ୍ୟ, ନା ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କର ଦୁଇ ଜଣ ଛାତ୍ରଙ୍କ ଉପରେ ଶୁଭଦୃଷ୍ଟିରେ ପାର୍ଥକ୍ୟ, ନା ପରୀକ୍ଷା ଖାତା ଦେଖିବାବେଳେ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କର Moodରେ ପାର୍ଥକ୍ୟ ?

 

ଆଉ ପାହାଚେ ଆଗକୁ ଆସନ୍ତୁ–

 

ଯେଉଁ ଲୋକ Lowest tender ଦେଇ ମଧ୍ୟ କଣ୍ଟ୍ରାକ୍ଟ ପାଇଲା ନାହିଁ, ଆଉ ଯିଏ ତାଠୁ ବେଶି tender ଦେଇ କାମ ପାଇଲା । ଯେଉଁ ଲୋକ lowest tender ଦେଇଥିଲା, ସିଏ ଭାବିଥିଲା, ଏଥର ତାସ୍‌ ବଣ୍ଟାହେଲେ ତା ପାଖକୁ ଦୁଇଟା ଟିକା ନିଶ୍ଚୟ ଆସିବ । କିନ୍ତୁ ଆସିଲା ନାହିଁ । ଏଇଟା କଅଣ ଅଣ୍ଟାଗୁଞ୍ଜାରେ ପାର୍ଥକ୍ୟ, ନା ଧରାଧରିରେ ପାର୍ଥକ୍ୟ ?

 

ଉଦାହରଣ ତ ଅସୁମାରି ମିଳିବ ।

 

ତେବେ ରାଜନୀତି କୁହନ୍ତି, କୂଟନୀତି କୁହନ୍ତୁ, ସ୍ପେକୁଲେସନ୍‌ କୁହନ୍ତୁ, ବ୍ୟବସାୟ କୁହନ୍ତୁ, ପରୀକ୍ଷା କୁହନ୍ତୁ, ଚାକିରୀ କୁହନ୍ତୁ, ବିବାହ କୁହନ୍ତୁ, ଯାହା କୁହନ୍ତୁ, ସବୁ ମୋ ମତରେ ଜୁଆର ଗୋଟାଏ ସଂଶୋଧିତ ଭଦ୍ରନାମ ଅଥବା ଜୁଆର ଭିନ୍ନ ଭିନ୍ନ ରୂପ । ତାସ ଖେଳରେ ଯେପରି ଭିନ୍ନ ଭିନ୍ନ ଖେଳ ଥାଏ, ଇଏ ସେହିପରି ବାଜି ଖେଳରେ ଭିନ୍ନ ଭିନ୍ନ ପ୍ରକାରର ଖେଳ ।

 

ଅସ୍ୱୀକାର କରିପାରିବେ ?

 

କରି ପାରିବେନି ମୁଁ ଜାଣେ । କେହି କରି ପାରିବେନି ।

 

ମୋ ମତରେ ଜୁଆର ଅର୍ଥ ବଡ଼ ବ୍ୟାପକ । ଯାହାର ଅର୍ଥ ଗୋଟିଏ ଶବ୍ଦରେ ବୁଝାଇବାକୁ ଗଲେ କୁହାଯିବ ଅନିଶ୍ଚିତ, ଅବଶ୍ୟମ୍ଭାବୀ ବା The inevitable ।

 

ଏଇ ଧରନ୍ତୁ ବିବାହ କଥା–

 

ଚିହ୍ନା, ଅଚିହ୍ନା, ବା ସହସ୍ର ଯୋଜନା ବ୍ୟବଧାନରେ ରହୁଥିବା ନାରୀ ଓ ପୁରୁଷ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ଇଚ୍ଛା ଓ ଅନିଚ୍ଛା ସତ୍ତ୍ୱେ । କାହିଁକି ନା, ୟା ମୂଳରେ ଅଛି ସେଇ The inevitable. ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେବ କି ଦୁଃଖମୟ ହେବ, କେହି କହିପାରିବେନି । ଏ ଜୁଆଖେଳରେ ଉଭୟେ ହାରିଯାଇ ପାରନ୍ତି, ଜିତିଯାଇ ପାରନ୍ତି । ସବୁ ଅନିଶ୍ଚିତର କୋଳରେ ?

 

ମନେ ପଡ଼ୁଛି ମୋର ଅତୀତର ଗୋଟିଏ କଥା । କହିବି ଆପଣଙ୍କୁ । ଏଇ କେତେ ବର୍ଷର ଅଭିଜ୍ଞତା ଭିତରେ ମୁଁ ଉପଲବ୍‌ଧି କରୁଛି ଯେ, ସେଇ ଦିନର ବନ୍ଧୁମାନଙ୍କର କେତୋଟି ବାକ୍ୟ ମୋର ମନରେ ଗଭୀର ରେଖାପାତ କରିଛି ।

 

ସେ ମୋର ପ୍ରଥମ ଚାକିରୀ ଜୀବନର କଥା ।

 

ସେତେବେଳେ ମୁଁ ଏକ ଶିଳ୍ପ ସଂସ୍ଥାରେ ଚାକିରୀ ଆରମ୍ଭ କରିଥାଏ Junior Executive ଭାବରେ । ଇମରଜେନ୍‌ସି ରିକ୍ରୁଟମେଣ୍ଟ Competitive Examination ପାଇଁ ପ୍ରସ୍ତୁତ ହେଉଥାଏ । ସେଇ ସମୟର ଘଟଣା ।

 

ମୋର ଦୁଇଜଣ ସହପାଠୀ ଯେଉଁମାନେ କି ଅନ୍ୟ ଜାଗାରେ ଚାକିରୀ କରୁଥାଆନ୍ତି । ସେମାନେ ମୋ ପାଖକୁ ଆସିଥାଆନ୍ତି Weekend କଟାଇବା ପାଇଁ । ସେଦିନ ଶନିବାର ହୋଇଥାଏ । ବିଛଣାରେ ଶୋଇକରି ରାତି ଦୁଇଟାଯାଏ ଗପ ଚାଲିଲା ।

 

ଜଣେ ବନ୍ଧୁଙ୍କର ବିବାହ ପାଇଁ ବହୁତ ପ୍ରସ୍ତାବ ଆସିଥାଏ । କିନ୍ତୁ ସେ ବିବାହ ବିଷୟରେ ବଡ଼ ଅନିଚ୍ଛା ପ୍ରକାଶ କରୁଥାଆନ୍ତି । ତାକୁଇ କେନ୍ଦ୍ର କରି କିଛି ସମୟ ଗପ ଚାଲିଲା । ଜଣେ ଦୁଇ ଜଣ ପାତ୍ରୀଙ୍କ ଉପରେ ମୋର ଅନ୍ୟ ବନ୍ଧୁଜଣକ ଟୀକା ଟିପ୍‌ପଣୀ ବାଢ଼ିଲେ ।

 

କଥାବାର୍ତ୍ତା ମଝିରେ ବନ୍ଧୁ ଜଣକ କହିଲେ—ବିବାହ ବିଷୟରେ ଅନେକ ସଂଜ୍ଞା, ଅନେକ ବ୍ୟାଖ୍ୟା ପୃଥିବୀର ଭାବୁକମାନେ ଦେଇ ଯାଇଛନ୍ତି । କିନ୍ତୁ ତାଙ୍କ ମତରେ Marriage presents life with toast that may be quite often burnt or at times burnt or one side burnt and the other side delicious. But once married, it has to be accepted “with no regrets”. ପୁଣି ସେ କହିଲେ—marriage is like a fortress, those inside like to come out and those outside like to get in.

 

ଶେଷରେ କଅଣ ହେଲା ଜାଣନ୍ତି ?

 

ଯେଉଁ ବନ୍ଧୁ ସେଦିନ ଏକଥା କହୁଥିଲେ, ସେ ମଧ୍ୟ ଶେଷରେ ସେଇ inevitableର ଶିକାର ହେଲେ ।

 

ଆମ ଦେଶରେ ଜୁଆଖେଳ ବେଆଇନ୍‌ । କିନ୍ତୁ irony ହେଉଛି,ସମସ୍ତେ ଜୁଆ ଖେଳି ଚାଲିଛନ୍ତି ।

 

ଆପଣ ହସୁଥିବେ ବୋଧହୁଏ ?

 

କିନ୍ତୁ ହସିବାର କିଛି ନାହିଁ । କାରଣ ବାସ୍ତବତାକୁ ଆଇନ ଦ୍ୱାରା ରୋକି ହୁଏନି ।

 

ମୁଁ କେବେ ତାସ ପଶାରେ ଜୁଆ ଖେଳେନି, କିମ୍ବା ଘୋଡ଼ା ଦୌଡ଼ ବା ଲଟେରି ଟିକେଟ୍‌ କିଣେନି । କିନ୍ତୁ ତେବେ ସୁଦ୍ଧା ମୁଁ ଦେଖୁଛି ଯେ, ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ଜୁଆ ଖେଳୁଛି । ଆଉ ଜୀବନ ସାରା ମଧ୍ୟ ଖେଳିବାକୁ ହେବ ।

 

ଏଇ ଭାବନାଟା ମତେ ଅସହ୍ୟ ବୋଧହେଉଛି । ମୁଁ ଜୁଆ ଖେଳକୁ ଅନ୍ତରର ସହିତ ଘୃଣା କରେ । କିନ୍ତୁ କାହିଁ ମୁକ୍ତି ? ମୋରି କଣ୍ଠସ୍ୱର ପ୍ରତିଧ୍ୱନିତ ହୋଇ ମୋରି ପାଖକୁ ଫେରି ଆସୁଛି, କହୁଛି ‘ମୁକ୍ତି ନାହିଁ ।’

 

ଏଠି ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅକୁ ଅନେଇ ମନ ମୋର ଚିତ୍କାର କରିବାକୁ ଚାହୁଁଥିଲା–

 

Lead Kindly light, Lead thou me on, amidst the encircling gloom. ଏଇ ସମୟରେ ଲଣ୍ଠନଟା ଝଲକାଏ ପବନରେ ଲିଭିଗଲା । ମନେହେଲା, ଯେପରି କେହି କହୁଛି ଯେ, ‘ମଣିଷ ସମାଜ ପାଇଁ ଆଲୋକ ନାହିଁ । କାରଣ ମଣିଷ ବର୍ତ୍ତମାନ ଆଲୋକ ଅପେକ୍ଷା ଅନ୍ଧକାରକୁ ବେଶି ସ୍ୱାଗତ କରୁଛି ତା’ର ଆବିଳତାକୁ ଲୁଚେଇ ରଖିବା ପାଇଁ ।’

 

ହଁ, ଏଇ ପୃଥିବୀଟା ହୋଇଯାଇଚି ଗୋଟାଏ ଅଳିଆଗଦା; ଆଉ ତା’ଉପରେ ଆମେ ବସିଛେଁ ।

 

ସେଦିନ ବଗିଚାରେ ମୁଁ ଆପଣଙ୍କୁ ଯାହା କହିଥିଲି, ତାହା ଆପଣଙ୍କ ଆଖି ଆଗରେ ଦେଖା ଦେଇଥିବ ଏକ ଅପ୍ରିୟ ସତ୍ୟ ଭାବରେ ।

 

ଆପଣ ଅସ୍ୱୀକାର କରିପାରିବେ ?

 

ଦେଖନ୍ତୁ, କି ଆଶ୍ଚର୍ଯ୍ୟ ! କାନ୍ଥରେ ବର୍ତ୍ତମାନ ଝିଟିପିଟିଟା କହୁଛି ସତ୍‌..ସତ୍‌...ସତ୍‌ ।

 

କିନ୍ତୁ ମୁଁ ଯଦି ଆପଣଙ୍କୁ ମୋ ସହିତ ଜୁଆ ଖେଳିବାକୁ ଡାକେ, ତେବେ ଆପଣ ହୁଏତ ଭାବିବେ, ଏହା ଆପଣଙ୍କ ପକ୍ଷରେ ଏକ ପ୍ରିୟ ଅସତ୍ୟ ।

 

କିନ୍ତୁ ମୁଁ କହିବି, ନା ଏହା ଏକ ପ୍ରିୟ ଅସତ୍ୟ ନୁହେଁ । ଏହା ଏକ ଅଶୁଭ ସତ୍ୟ । କାରଣ ଜୁଆଖେଳ ସବୁବେଳେ ଅଶୁଭ ।

 

ଏ ବାଜିଖେଳରେ ହାରିଗଲେ ଆପଣ ହୁଏତ ନିଃସ୍ୱ ହୋଇଯିବେ । ଆଉ ମୁଁ ? ମୋ ପରି ଗୋଟାଏ ପାଗଳ ଲୋକ ହୁଏତ ବଦ୍ଧ ପାଗଳ ହୋଇଯିବ ।

 

କୃଷ୍ଣ ଏକାଦଶୀର ଜହ୍ନ ଉଇଁଲାଣି । ଆଉ ଏଇ ଜହ୍ନର ଫିକା ଆଲୁଅରେ ପିଣ୍ଡା ତଳର କେତେଟା କ୍ରୋଟନ ଗଛ ମତେ ଅନେଇ ରହିଛନ୍ତି ପ୍ରଶ୍ନବାଚକ ଦୃଷ୍ଟିରେ ।

 

ଆପଣଙ୍କ ଉତ୍ତରକୁ ମୁଁ ଆପେକ୍ଷା କରିବି । ଇତି ।

 

ଆପଣଙ୍କର

ଶ୍ରୀମନ୍ତ ମିଶ୍ର ।

Image